Unknown

 

 

 

 

 

 

 

 

 

ବିଜ୍ଞାନର ଦୃଶ୍ୟ

(ସାର୍ ସି. ଭି. ରମଣ)

 

ଅନୁବାଦକ

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

 

ଭୂମିକା

 

ଭାରତୀୟ ବୈଜ୍ଞାନିକମାନଙ୍କ ଭିତରେ ସାର୍ ଚନ୍ଦ୍ରଶେଖର ଭେଙ୍କଟ୍‍ରମଣ ଯେ ଅଗ୍ରଗଣ୍ୟ ଏହା କେହି ଅସ୍ୱୀକାର କରିବେନି । ପଦାର୍ଥବିଜ୍ଞାନରେ ପୃଥିବୀର ଦୁର୍ଲଭ ପୁରସ୍କାର ନୋବେଲ ପ୍ରାଇଜ୍ ପାଇ ସେ ଖାଲି ଭାରତର ମୁଖ ଉଜ୍ଜ୍ୱଳ କରି ନାହାନ୍ତି, ସାରା ଏସିଆ ମହାଦେଶ ତାଙ୍କର ଏଇ ସମ୍ମାନ ଯୋଗୁଁ ଧନ୍ୟ ହୋଇଛି । ସାର୍‍ ସି.ଭି. ରମଣ ଅଭିନବ ‘ରମଣ ରଶ୍ମି’ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇଥିଲେ ୧୯୩୦ ମସିହାରେ । ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ସେ ସର୍ବପ୍ରଥମ ଭାରତୀୟ ତଥା ସର୍ବପ୍ରଥମ ଏସୀୟ ମଧ୍ୟ ।

 

ରମଣଙ୍କ ଆବିଷ୍କୃତ ‘ରମଣ ରଶ୍ମି’ ଏକ ଯୁଗାନ୍ତକାରୀ ଆବିଷ୍କାର । ଏଇ ନୂତନ ଆବିଷ୍କାରର ସାହାଯ୍ୟ ନେଇ ପୃଥିବୀରେ ଯେତେ ଗବେଷଣା ହୋଇଯାଇଛି, ତତ୍‌ସଂକ୍ରାନ୍ତୀୟ ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭମାନ ଦେଖିଲେ ଆଖି ଖୋସି ହୋଇଯାଏ ଓ ରମଣଙ୍କ ଏହି ଅଭିନବ ଆବିଷ୍କାରର ଗୁରୁତ୍ୱ ଓ ସାଧାରଣ ବିଜ୍ଞାନ ଉପରେ ଏହାର ପ୍ରଭାବ ଉପଲବ୍‌ଧି କରିହୁଏ ।

 

ରମଣଙ୍କ ଏହି ଆବିଷ୍କାର ତାଙ୍କ ପାଇଁ ଦେଶ ବିଦେଶରୁ ଆହୁରି ଅସଂଖ୍ୟ ସମ୍ମାନ ବୋହି ଆଣିଛି । ବିଲାତର ରୟେଲ ସୋସାଇଟିର ସଭ୍ୟ ପଦ, ସମ୍ମାନସୂଚକ ହିଉଜ୍ ପଦକ, ଆମେରିକାର ସର୍ବଶ୍ରେଷ୍ଠ ବୈଜ୍ଞାନିକ ସମ୍ମାନ ଫ୍ରାଙ୍କଲିନ୍ ପଦକ ଓ ବହୁ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡିଗ୍ରୀ ଓ ସର୍ବୋପରି ଭାରତର ସର୍ବଶ୍ରେଷ୍ଠ ସମ୍ମାନ ‘ଭାରତ ରତ୍ନ’ ତାଙ୍କୁ ଯେମିତି ଭାବରେ ଭୂଷିତ କରିଛି, ଭାରତର ଅନ୍ୟ କୌଣସି ବୈଜ୍ଞାନିକଙ୍କ ଭାଗ୍ୟରେ ସେମିତି ଜୁଟିଛି କି ନାହିଁ ସନ୍ଦେହ ।

 

ଭାରତର ଏହି ସର୍ବଶ୍ରେଷ୍ଠ ବୈଜ୍ଞାନିକ ରମଣ ଖାଲି ଜଣେ କୃତି ବୈଜ୍ଞାନିକ ନୁହନ୍ତି ସେ ମଧ୍ୟ ଜଣେ ସୁବକ୍ତା । ତାଙ୍କର ବକ୍ତୃତା ଯେ ଥରେ ଶୁଣିଛି, ସେ କେବେ ଭୁଲିପାରିବନି ତାଙ୍କର ବାଗ୍ମିତା ଓ ଜଟିଳ ବୈଜ୍ଞାନିକ ତଥ୍ୟଗୁଡ଼ିକୁ ସରଳ କରି ଥୋଇବାର ଦକ୍ଷତା । ତା’ଛଡ଼ା ଲୋକପ୍ରିୟ ବୈଜ୍ଞାନିକ ପ୍ରବନ୍ଧ ଲେଖିବାରେ ସେ କମ୍ ସିଦ୍ଧହସ୍ତ ନୁହଁନ୍ତି । ଜଟିଳ ବୈଜ୍ଞାନିକ ତଥ୍ୟପୂର୍ଣ୍ଣ ବିଷୟବସ୍ତୁ ଉପରେ ତାଙ୍କର ଅଭିଭାଷଣ କେତେ ଉଚ୍ଚକୋଟୀର ହୋଇପାରେ, ତା’ର ପ୍ରମାଣ ହେଉଛି ଏଇ ‘ବିଜ୍ଞାନର ଦୃଶ୍ୟ’ ପୁସ୍ତକଟି ।

 

ସାର୍ ସି.ଭି. ରମଣ ମାନ୍ଦ୍ରାଜ ଆକାଶବାଣୀ ଆନୁକୂଲ୍ୟରେ ଯେଉଁ କେତେଗୋଟି ବୈଜ୍ଞାନିକ ବିଷୟବସ୍ତୁ ଉପରେ ଅଭିଭାଷଣ ଦେଇଥିଲେ ସେହି ଅଭିଭାଷଣଗୁଡ଼ିକୁ ସଂକଳନ କରି ଏକ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ ଆଗ୍ରାର ରସାୟନ ଅଧ୍ୟାପକ ଶ୍ରୀଯୁକ୍ତ କାନ୍ତିଲାଲ୍ ପାଣ୍ଡ୍ୟା । ପୁସ୍ତକଟି ଇଂରାଜୀରେ ଲିଖିତ ଓ ଏହାର ନାମ ହେଉଛି–‘‘Aspects of Science’’ । ପୁସ୍ତକଟି ଅତି ଉଚ୍ଚକୋଟୀର ହୋଇଥିବାରୁ ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବାର ଆବଶ୍ୟକତା ଉପଲବ୍‌ଧି କରିଥିଲେ ଦିଲ୍ଲୀସ୍ଥ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଅଫ ଇଣ୍ଡିଆ । ଏହି ଓଡ଼ିଆ ଅନୁବାଦର ଦାୟିତ୍ୱ ମୋ ଉପରେ ଦିଆଯାଇଥିଲା । ବଡ଼ ସୁଖର କଥା ଓଡ଼ିଶାର ବିଶିଷ୍ଟ ପ୍ରକାଶକ ଗ୍ରନ୍ଥ ମନ୍ଦିର, ନ୍ୟାସନାଲ ବୁକ୍‌ଟ୍ରଷ୍ଟ ଅଫ ଇଣ୍ଡିଆ ତରଫରୁ ଏହାକୁ ପ୍ରକାଶ କରି ଲୋକଲୋଚନକୁ ଆଣି ପାରିଛନ୍ତି ।

 

ଏହି ଅନୁବାଦରେ ମୋତେ ବିଶେଷ ଭାବରେ ସାହାଯ୍ୟ କରିଛନ୍ତି ମୋର ଛାତ୍ର ତଥା ସହକର୍ମ୍ମୀ ଓ ବର୍ତ୍ତମାନ ଖଡ଼ଗ୍‌ପୁରସ୍ଥ ଇଣ୍ଡିଆନ୍ ଇନ୍‌ଷ୍ଟ ଚିଉଟ୍ ଅଫ୍ ଟେକନୋଲଜିର ରସାୟନ ଅଧ୍ୟାପକ ଡକ୍‌ଟର ଦୁର୍ଯ୍ୟୋଧନ ମଙ୍ଗରାଜ । ତାଙ୍କର ଏହି ଅକୁଣ୍ଠିତ ସାହାଯ୍ୟ ପାଇଁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ନ ଦେଇ ରହି ପାରୁନି ।

 

ପରିଶେଷରେ, ଏହି ପୁସ୍ତକଟି ଓଡ଼ିଶାର ପାଠକପାଠିକାମାନଙ୍କଦ୍ୱାରା ଆଦୃତ ହେଉ, ଏହା ହିଁ ମୋର କାମନା । ଇତି ।

 

ରେଭେନ୍‌ସା କଲେଜ, କଟକ

ବିନୀତ

ତା ୨୫ । ୧୨ । ୧୯୬୫

ଶ୍ରୀ ଗୋକୁଳାନନ୍ଦ ମହାପାତ୍ର

Image

 

ସୂଚୀପତ୍ର

 

୧.

ନୂତନ ପଦାର୍ଥ ବିଜ୍ଞାନ

୨.

ସଂବାଦରେ ପଦାର୍ଥ ବିଜ୍ଞାନ

୩.

ଶାମୁକା

୪.

ପ୍ରକୃତି ଓ ଜ୍ୟାମିତି

୫.

ଆଲୋକ, ରଙ୍ଗ ଓ ପ୍ରକୃତି

୬.

ଆଲୋକ ଓ ବର୍ଣ୍ଣର ସଂବେଦନା

୭.

ବିଜ୍ଞାନ ଓ ଶିଳ୍ପରେ ଆଲୋକ ଓ ବର୍ଣ୍ଣ

୮.

ପୁରପଲ୍ଲୀର ପଦାର୍ଥ ବିଜ୍ଞାନ (ମାଟି)

୯.

ପୁରପଲ୍ଲୀର ପଦାର୍ଥ ବିଜ୍ଞାନ (ଜଳ)

୧୦.

ପୁରପଲ୍ଲୀର ପଦାର୍ଥ ବିଜ୍ଞାନ (ପାଣିପାଗ)

୧୧.

କାଚର ରହସ୍ୟ

୧୨.

ବାୟୁମଣ୍ଡଳୀୟ ବିଦ୍ୟୁତ୍

୧୩.

ପଦାର୍ଥ ବିଜ୍ଞାନରେ ଆଧୁନିକ ଧାରଣା (ସ୍ପଟିକର ଗଠନ ବିନ୍ୟାସ)

୧୪.

ପଦାର୍ଥ ବିଜ୍ଞାନରେ ଆଧୁନିକ ଧାରଣା (ଘନ ଅବସ୍ଥା)

୧୫.

ପଦାର୍ଥ ବିଜ୍ଞାନରେ ଆଧୁନିକ ଧରଣା (ବିଶ୍ୱରଶ୍ମି)

୧୬.

ନକ୍ଷତ୍ର ଜଗତ

୧୭.

ନକ୍ଷତ୍ର ଜଗତ

୧୮.

ପଦାର୍ଥ ବିଜ୍ଞାନର ଭବିଷ୍ୟତ

୧୯.

ବୈଜ୍ଞାନିକ ଦୃଷ୍ଟି କୋଣ

Image

 

ନୂତନ ପଦାର୍ଥ ବିଜ୍ଞାନ

 

ଆଜିକାର ଶ୍ରୋତାମାନଙ୍କ ମଧ୍ୟରେ ଯଦି ଜଣେ କେହି ଆର୍ୟଲାଣ୍ଡ ଅଧିବାସୀ ଥାଆନ୍ତି, ତା’ହେଲେ ସେ ଗୋଟେ ପ୍ରଶ୍ନ ପଚାରିବାକୁ ସ୍ୱତଃ ଆଗ୍ରହାନ୍ୱିତ ହେବେ । ସେ ପ୍ରଶ୍ନଟି ହେଉଛି ‘‘ଆଜି ଯେଉଁ ନୂତନ ପଦାର୍ଥ ବିଜ୍ଞାନ ବିଷୟରେ ଆପଣ ବତ୍କୃତା ଦେଉଛନ୍ତି ସେହି ବିଜ୍ଞାନର ଆରମ୍ଭ କେବେଠାରୁ ?’’ ମୁଁ ତାଙ୍କୁ ଉତ୍ତରରେ କହିବି ଯେ, ଆଜିକି ଠିକ୍ ତେୟାଳିଶ ବର୍ଷ ତଳେ ଏହି ନୂତନ ବିଜ୍ଞାନ ଜନ୍ମ ଲାଭ କରିଥିଲା ଓ ସେହି ଦିନଠାରୁ ଏହା ଦ୍ରୁତବେଗରେ ଉନ୍ନତି କରି ଚାଲିଛି । ଜର୍ମାନୀ ଦେଶର ପଦାର୍ଥ-ବୈଜ୍ଞାନିକ ରଣ୍ଟଜେନ୍ (Rontgen) ଯେତେବେଳେ ଘୋଷଣା କଲେ ଆଶ୍ଚର୍ଯ୍ୟଜନକ ଧର୍ମ ବିଶିଷ୍ଟ ଏକ ନୂତନ ରଶ୍ମି ସେ ଆବିଷ୍କାର କରିଛନ୍ତି, ସେତେବେଳେ ସାରା ପୃଥିବୀରେ ଦେଖାଦେଲା ଏକ ପ୍ରବଳ ଉତ୍ତେଜନା ଓ ଚାଞ୍ଚଲ୍ୟ । ସେହି ଉତ୍ତେଜନା ମଧ୍ୟରେ ନବଜାତ ଶିଶୁର କ୍ରନ୍ଦନ ଭିତର ଦେଇ ଜନ୍ମ ନେଲା ଆଜିର ‘ନୂତନ ପଦାର୍ଥ ବିଜ୍ଞାନ’ । ରଣ୍ଟଜେନ୍‍ଙ୍କ ନାମ ଅନୁସାରେ ଏହି ରଶ୍ମିର ନାମ ହେଲା ‘ରଣ୍ଟଜେନ୍ ରଶ୍ମି’ । ପରେ ଏହାକୁ ‘ଏକ୍‌ସ’ ରଶ୍ମି ବା ଅଜଣା ରଶ୍ମି ନାମରେ ଅଭିହିତ କରାଯାଇଛି । ରଣ୍ଟଜେନ୍‍ଙ୍କର ଏହି ଆବିଷ୍କାର ପଦାର୍ଥ ବିଜ୍ଞାନ ଉପରେ ଏକ ସୁଦୂର ପ୍ରସାରୀ ପ୍ରଭାବ ପକାଇଥିଲା । ଏହି ଘଟଣାଟି ବୈଜ୍ଞାନିକମାନଙ୍କର ଆଖି ଖୋଲି ଦେଇଥିଲା ଓ ପ୍ରକାରାନ୍ତରେ ସୂଚାଇ ଦେଇଥିଲା ଯେ ଯେଉଁ ଘଟଣାକୁ ଊନବିଂଶ ଶତାବ୍ଦୀର ପ୍ରାକୃତିକ-ଦର୍ଶନ (Natural Philosophy) ସ୍ୱପ୍ନରେ ସୁଦ୍ଧା ରୂପ ଦେବାକୁ ସକ୍ଷମ ନୁହେଁ, ପ୍ରକୃତି କୋଳରେ ସେହିଭଳି ଅଭିନବ ଘଟଣା ସନ୍ଧାନ କରିବା ସାହସୀ ଓ ଧୈର୍ଯ୍ୟଶୀଳ ଗବେଷକ ପକ୍ଷରେ ସମ୍ଭବ । ପ୍ରକୃତରେ କହିବାକୁ ଗଲେ ରଣ୍ଟଜେନ୍‌ଙ୍କର ଏହି ଆବିଷ୍କାର ହେଉଛି ନୂତନ ପଦାର୍ଥ ବିଜ୍ଞାନର ଆରମ୍ଭ । ନୂଆ ନୂଆ ଅଭିକ୍ରିୟା (experiment) କରିବାପାଇଁ ଏହା ଯେଉଁ ପ୍ରବଳ ପ୍ରେରଣା ଦେଲା, ସେହି ପ୍ରେରଣା ଫଳରେ ଦେଖାଦେଲା ବହୁ ନୂତନ ଆବିଷ୍କାର । ଏମାନଙ୍କ ମଧ୍ୟରୁ ଅନେକ ଆବିଷ୍କାର ଅନ୍ତର୍ନିହିତ ଜ୍ଞାନ ଓ ଗୁରୁତ୍ୱ ଦୃଷ୍ଟିରୁ ରଞ୍ଜନଙ୍କର ଚମକ୍‍ପ୍ରଦ ଆବିଷ୍କାରକୁ ବଳି ଯାଇଛନ୍ତି । ଗତ ଚାରି ଦଶନ୍ଧି ମଧ୍ୟରେ ଏହିଭଳି ବହୁ ଘଟଣା (Phenomena)ର ଅବିରାମ ସ୍ରୋତ, ଏତେ ଦ୍ରୁତ ଗତିରେ ପଦାର୍ଥ ବିଜ୍ଞାନର ପରିସର ମଧ୍ୟକୁ ପ୍ରବେଶ କରୁଛି ଯେ ଆଜି କୌଣସି ନୂତନ ଆବିଷ୍କାରଦ୍ୱାରା କେବଳ ଆବିଷ୍କାରକ ବ୍ୟତୀତ ଅନ୍ୟ କୌଣସି ବୈଜ୍ଞାନିକ ପକ୍ଷରେ ଚମତ୍କୃତ ହେବା କ୍ରମଶଃ ଅସମ୍ଭବ ହୋଇ ଉଠୁଛି ।

 

ପଦାର୍ଥ ବିଜ୍ଞାନକୁ ଯେଉଁମାନେ ଗଢ଼ି ତୋଳିଛନ୍ତି, ସେହି ବଡ଼ ବଡ଼ ଗବେଷକମାନଙ୍କର ନାମ କହି ମୁଁ ଆପଣମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟାଇବାକୁ ଯାଉନାହିଁ । ସେମାନଙ୍କର ନାମ ଓ ଆବିଷ୍କାରର ବିବରଣୀ ପଦାର୍ଥ ବିଜ୍ଞାନର ପ୍ରତ୍ୟକ ଛାତ୍ରଠାରେ ସୁପରିଚିତ । ସେମାନଙ୍କୁ ପୃଥିବୀର ଏ ଦେଶର କି ସେ ଦେଶର ନାଗରିକ ହିସାବରେ କେତେକ ଦାବି କରନ୍ତି । କିନ୍ତୁ ବାସ୍ତବ ଦୃଷ୍ଟିରୁ ଦେଖିଲେ ସେମାନେ ସାରା ପୃଥିବୀର । ବିଜ୍ଞାନର ଏକ ଆନ୍ତର୍ଜାତିକ ଭାତୃତ୍ୱ ବନ୍ଧନରେ ସେମାନେ ଆବଦ୍ଧ । ବିଜ୍ଞାନ ରାଜ୍ୟର ଏହି ମହୀୟାନ୍ ପଥ ପ୍ରଦର୍ଶକମାନଙ୍କ ମଧ୍ୟରୁ ମୁଁ ବର୍ତ୍ତମାନ ଦୁଇଜଣଙ୍କ ନାମ ଉଲ୍ଲେଖ କରିବି ଯେଉଁମାନଙ୍କୁ ମୁଁ ବ୍ୟକ୍ତିଗତ ପରିଚୟଦ୍ୱାରା ମୋର ବୈଜ୍ଞାନିକ ଜୀବନର ଅମୂଲ୍ୟ ସ୍ମୃତି ଭିତରେ ସାଇତି ରଖିଛି । ସେହି ସୁପରିଚିତ ଦୁଇ ଗବେଷକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱର୍ଗୀୟ ଲର୍ଡ଼ ରଦରଫୋର୍ଡ଼ ଓ ଅନ୍ୟ ଜଣକ ହେଉଛନ୍ତି ସ୍ୱର୍ଗତା ମାଡ଼ାମ କ୍ୟୁରି । ନୂତନ ବିଜ୍ଞାନ ସୃଷ୍ଟିରେ ସେମାନଙ୍କର ଯେଉଁ ଅବଦାନ ରହିଛି ସମସାମାୟିକ ବୈଜ୍ଞାନିକମାନଙ୍କ ଉପରେ ତଥା ବିଜ୍ଞାନର ପ୍ରଗତି ଉପରେ ତାହାର ପ୍ରଭାବ ବିଶ୍ୱାସାତୀତ ।

 

ଏହି ନୂତନ ପଦାର୍ଥ ବିଜ୍ଞାନ କେବଳ ଅଭିକ୍ରିୟାବିତ୍‌ମାନଙ୍କଦ୍ୱାରା ପୂରାପୂରି ସୃଷ୍ଟି ହୋଇଛି ବୋଲି ଯଦି କାହାର ଧାରଣା ହୁଏ, ତା’ହେଲେ ମୁଁ ମୋର ଶ୍ରୋତାବର୍ଗ ତଥା ବିଷୟ ପ୍ରତି ନ୍ୟାୟ ବିଚାର କରୁନାହିଁ ବୋଲି ଧରି ନେବାକୁ ପଡ଼ିବ । ପ୍ରକୃତ ପକ୍ଷେ ନୂତନ ପଦାର୍ଥବିଜ୍ଞାନର ବିସ୍ମୟକାରୀ ଉନ୍ନତି ସମ୍ଭବ ହୋଇଛି, ତାତ୍ତ୍ୱିକ ପଦାର୍ଥବିତ୍ (Theoretical Physicist) ବା ପ୍ରକୃତି-ଦାର୍ଶନିକ (Natural Philosophist)ମାନଙ୍କଦ୍ୱାରା ଅଭିକ୍ରିୟାବିତ୍‌ମାନଙ୍କୁ ଦିଆା ଯାଉଥିବା ବଳିଷ୍ଠ ନେତୃତ୍ୱ ଓ ନିରବଚ୍ଛିନ୍ନ ନିର୍ଦ୍ଦେଶ ଓ ପ୍ରରୋଚନା ଯୋଗୁଁ । ପକ୍ଷାନ୍ତରେ ଏହି ତାତ୍ତ୍ୱିକ ପଦାର୍ଥବିଦ୍ୟାବିତମାନେ ଅଭିକ୍ରିୟାମୂଳକ ଆବିଷ୍କାର ବିଦ୍ୟାଦ୍ୱାରା ପ୍ରତିଷ୍ଠିତ ମୂଳଦୁଆ ଉପରେ ସେମାନଙ୍କର ନୂତନ ଜ୍ଞାନ ଗଢ଼ିଛନ୍ତି । ମୋ ଶ୍ରୋତାମାନଙ୍କ ଭିତରେ ଆଇନ୍‌ଷ୍ଟାଇନ୍ ଓ ତାଙ୍କର ଆପେକ୍ଷିକ ଦର୍ଶନ ସମ୍ବନ୍ଧରେ ଶୁଣି ନଥିବା ଜଣେ ସୁଦ୍ଧା ଲୋକ ଥିବାର ମୁଁ ବିଶ୍ୱାସ କରୁନାହିଁ । ଏହି ଆପେକ୍ଷିକ ତତ୍ତ୍ୱ କିପରି ନୂତନ ପଦାର୍ଥ-ବିଜ୍ଞାନର ଏକ ଅବିଚ୍ଛିନ୍ନ ଅଙ୍ଗ ଭାବରେ କାର୍ଯ୍ୟ କରେ, ତାହା ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ମୋର ଶ୍ରୋତାମାନଙ୍କ ମଧ୍ୟରୁ ସମସ୍ତେ ହୁଏତ କୋପେନହେଗେନ୍‌ର ଅଧ୍ୟାପକ ନିଲ୍‌ ବୋହରଙ୍କ ନାମ ଶୁଣି ନ ଥିବେ । ନିଲ୍‌ ବୋହର (Niles Bohr)ଙ୍କର ଗୋଟିଏ ପ୍ରତିକୃତି ଲର୍ଡ଼ ରଦରଫୋର୍ଡ଼ଙ୍କ ପ୍ରତିକୃତି ସାମନାରେ ମୋର ବାଙ୍ଗାଲୋରସ୍ଥ ବାସଗୃହରେ ରହିଛି । ଅଧ୍ୟାପକ ବୋହର ଡେନମାର୍କ ଭଳି ଗୋଟିଏ ଛୋଟିଆ ଦେଶର ଅଧିବାସୀ ହେଲେ ମଧ୍ୟ, ମୋ ମତରେ ତଥା ଅନେକ ବିଶିଷ୍ଟ ବୈଜ୍ଞାନିକଙ୍କ ମତରେ ସେ ହେଉଛନ୍ତି ଆଧୁନିକ ଜଗତରେ ସବୁଠାରୁ ଶ୍ରେଷ୍ଠ ପ୍ରାକୃତିକ-ଦର୍ଶନବାଦୀ । ପରମାଣୁ-ଗଠନକ୍ରମ (atomic–structure) ସମ୍ୱନ୍ଧୀୟ ତଥ୍ୟର ସର୍ଜନାରେ ତାଙ୍କର ଦାନ ଅତୁଳନୀୟ । ଅଭିକ୍ରିୟାବିତ୍ ବୈଜ୍ଞାନିକମାନଙ୍କୁ ସେ ଯୋଗାଇଥିଲେ ଅଲୌକିକ ପ୍ରେରଣା । ପରମାଣୁ ସଂବିଚ୍ଛେଦ ଓ ପରମାଣୁ ରୂପାନ୍ତର (transmutation) ସଂକ୍ରାନ୍ତୀୟ ତଥ୍ୟରେ ଯେଉଁ ଅମୀମାଂସିତ ସମସ୍ୟା ଆଜି ପର୍ଯ୍ୟନ୍ତ ରହି ଆସିଛି, ସେହି ସମସ୍ୟାର ସମାଧାନ ଦିଗରେ ଓ ସେହି ତଥ୍ୟ ଓ ଅଭିକ୍ରିୟାଗୁଡ଼ିକୁ ପୂର୍ଣ୍ଣ ଭାବରେ ହୃଦୟଙ୍ଗମ କରିବାଦିଗରେ ଏଯୁଗର ସେହି ଶ୍ରେଷ୍ଠ ଚିନ୍ତାନାୟକ ଯେ ଆମକୁ ବାଟ ଦେଖାଇବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ଆପଣମାନେ ପଚାରି ପାରନ୍ତି ଏହି ନୂତନ ପଦାର୍ଥ ବିଜ୍ଞାନ ଏ ପର୍ଯ୍ୟନ୍ତ କି କି କୃତିତ୍ୱ ହାସଲ କରିଛି ? ସେହି ପ୍ରଶ୍ନର ଉତ୍ତର ଦେବାକୁ ହେଲେ ଆଜିକୁ ଚାଳିଶବର୍ଷ ତଳେ ମୋର କଲେଜ ଅଧ୍ୟୟନ ସମୟରେ, ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ପଠିତ ପଦାର୍ଥ ବିଜ୍ଞାନଆଡ଼କୁ ଦୃଷ୍ଟି ଫେରାଇବାକୁ ପଡ଼ିବ । ସେ ଯୁଗର ପଠିତ ପଦାର୍ଥ ବିଜ୍ଞାନ ଓ ଅଧୁନା ପଠିତ ପଦାର୍ଥ ବିଜ୍ଞାନ ମଧ୍ୟରେ ଯେଉଁ ପାର୍ଥକ୍ୟ ପରିଲକ୍ଷିତ ହୁଏ ତାହା ହିଁ ହେଉଛି ସେହି ପ୍ରଶ୍ନର ଯଥାର୍ଥ ଉତ୍ତର । ସେ ଯୁଗର ପଦାର୍ଥ ବିଜ୍ଞାନ ପ୍ରାକୃତିକ ଘଟଣାବଳୀର ଗୋଟିଏ ସ୍ଥୂଳ ବର୍ଣ୍ଣନା (Macroscopic description) ଦେବା ବ୍ୟତୀତ, ଅଧିକ କିଛି ଦେଇ ପାରୁ ନ ଥିଲା । ଅର୍ଥାତ ବସ୍ତୁ, ତାପ, ଆଲୋକ, ଶବ୍ଦ, ବିଦ୍ୟୁତ ଓ ଚୁମ୍ୱକ ଶକ୍ତିର ସାଧାରଣ ପ୍ରକୃତି ସଂବନ୍ଧୀୟ ପରିଲକ୍ଷିତ କେତକ ପ୍ରକୃତତ୍ୱ (fact)ବ୍ୟତୀତ ସେହି ବିଜ୍ଞାନରେ ଆଉକିଛି ନଥିଲା । ଅନ୍ୟତ୍ର ଅଣୁ ଓ ପରମାଣୁକୁ ଭିତ୍ତିକରି ଏହି ସମସ୍ତ ପ୍ରକୃତତ୍ୱକୁ ଯେଉଁଠି ବ୍ୟାଖ୍ୟା କରିବାକୁ ଚେଷ୍ଟା କରାଯାଇଥିଲା, କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ର ଛାଡ଼ିଦେଲେ ପ୍ରାୟ ସବୁ କ୍ଷେତ୍ରରେ ଏହା ବିଫଳକାମ ହୋଇଥିଲା । ଏହି ବିଫଳ ହେବାର ପ୍ରଧାନ କାରଣ ହେଉଛି ଯେ ପୁରୁଣା ପଦାର୍ଥ ବିଜ୍ଞାନ ସୁଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ନଥିଲା । ବିଭିନ୍ନ କ୍ଷୁଦ୍ର କ୍ଷୁଦ୍ର ବସ୍ତୁକଣା ଦ୍ୱାରା ପଦାର୍ଥର ସୃଷ୍ଟି ଓ ସେଗୁଡ଼ିକର କ୍ରିୟା ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ବିଭିନ୍ନ ସୂତ୍ରର ଆବିଷ୍କାରଦ୍ୱାରା ଏହି ନୂତନ ବିଜ୍ଞାନର ମୂଳଦୁଆ ପ୍ରତିଷ୍ଠିତ ହୋଇ ପାରିଛି । ଫଳତଃ ଆଜି ବିଭିନ୍ନ ପ୍ରାକୃତିକ ଘଟଣାବଳୀ (Physical Phenomena) ଓ ବସ୍ତୁର ବିଭିନ୍ନ ଧର୍ମ ସବୁକୁ ପୁଂଖାନୁପୁଂଖ ଭାବେ ବ୍ୟାଖା କରିବା ଏକ ବାସ୍ତବ ପରିକଳ୍ପନା ହୋଇ ପାରିଛି । ପଦାର୍ଥ ବିଜ୍ଞାନର ବିଭିନ୍ନ ବିଭାଗରେ ଏହି ସଂକ୍ରାନ୍ତରେ ସାଫଲ୍ୟ ହାସଲ କରାଯାଇ ପାରିଛି । ପୁରାତନ ପଦାର୍ଥ ବିଜ୍ଞାନରେ କଳ୍ପନା କରାଯାଇ ନ ଥିବା, ପ୍ରାକୃତିକ ଘଟଣାବଳୀର ଅନେକ ନୂତନ କ୍ଷେତ୍ର ଆଜି ଉନ୍ମୁକ୍ତ ହୋଇ ପାରିଛି ଓ ଏହା ନୂତନ ପଦାର୍ଥ-ବିଜ୍ଞାନକୁ ପରିପୃଷ୍ଟ କରିଛି ।

 

ଏହି ଜୟଯାତ୍ରାରେ ସନ୍ତୁଷ୍ଟ ନ ହୋଇ, ନୂତନ ପଦାର୍ଥ ବିଜ୍ଞାନ ରସାୟନ କ୍ଷେତ୍ରରେ ପ୍ରବେଶ କରିଛି । ପରମାଣୁ ମଧ୍ୟରେ କି କି ପ୍ରକ୍ରିୟା ସାଧିତ ହୋଇ ଅଣୁର ସୃଷ୍ଟି ହୁଏ; ସେ ସମ୍ବନ୍ଧୀୟ ପ୍ରକୃତତ୍ୱର ବ୍ୟାଖ୍ୟା ନୂତନ ପଦାର୍ଥବିଜ୍ଞାନ ଦେଇପାରିଛି । ଏହିଭଳି ତଥ୍ୟକୁ କେହି ଅନାବଶ୍ୟକ ବୋଲି ଭାବିବା ଉଚିତ ନୁହେଁ । କାରଣ ରସାୟନ ବିଦ୍ୟାର ଏକ ପ୍ରଧାନ ତାତ୍‌ପର୍ଯ୍ୟ ହେଉଛି ରସାୟନ ସଂଯୋଗ (Chemical Combination)ର ସାମର୍ଥ୍ୟ (Strength) ନିର୍ଣ୍ଣୟ କରିବା । ଏହି ସଂଯୋଗ ପାଇଁ ଆବଶ୍ୟକ ହେଉଥିବା ବା ଏହି ସଂଯୋଗ ଫଳରେ ନିର୍ଗତ ହେଉଥିବା ଶକ୍ତିର ପରିମାଣ ବିଭିନ୍ନ କ୍ଷେତ୍ରରେ ଅଲଗା ଅଲଗା । କେବଳ ନୂତନ ପଦାର୍ଥ ବିଜ୍ଞାନର ବିଭିନ୍ନ ତଥ୍ୟ ସାହାଯ୍ୟରେ ଏହାକୁ ପ୍ରକୃତ ଭାବରେ ହୃଦୟଙ୍ଗମ କରିବା ଓ ରାସାୟନିକ ସଂଯୋଗର ପ୍ରକୃତ ରୂପ ନିର୍ଣ୍ଣୟ କରିବା ସମ୍ଭବ ହୋଇ ପାରିଛି । ‘ରାସାୟନିକ ପଦାର୍ଥ ବିଜ୍ଞାନ’ (Chemical Physics) ନାମକ ଏହି ନୂତନ ବିଜ୍ଞାନର ସାଫଲ୍ୟ ସମସ୍ତ ଆଶାର ସୀମା ଲଘଂନ କରିଯାଇଛି । ବାସ୍ତବରେ ଆଉ କିଛି ବର୍ଷପରେ ତାତ୍ତ୍ୱିକ ରସାୟନ ବିଜ୍ଞାନ (Theoretical Chemistry) ଯେ ଗଣିତ ବିଦ୍ୟାର ଏକ ଶାଖା ଭାବରେ ପରିଗଣିତ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ନୂତନ ବିଜ୍ଞାନରେ ଏହି ଯେଉଁ ଯୁଗାନ୍ତକାରୀ ସାଫଲ୍ୟ ହାସଲ କରାଗଲା, ତା ମୂଳରେ କି ରହସ୍ୟ ରହିଛି? ସରଳ ଭାବରେ କହିବାକୁ ଗଲେ, ପରମାଣୁ ଓ ଆଣବିକ, ପଦାର୍ଥ ବିଜ୍ଞାନ କ୍ଷେତ୍ରରୁ ନିଉଟନଙ୍କ ଯାନ୍ତ୍ରିକ ସୂତ୍ର (Mechanical laws) ସମୂହକୁ ବହିଷ୍କାର କରି ତା ସ୍ଥାନରେ ଅବପରମାଣୁ (Sub-atomic) ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ସୂତ୍ରକୁ ସ୍ଥାପନ କରିବା, ଏହି ରହସ୍ୟର ମୂଳପିଣ୍ଡ । ନୂତନ ପଦାର୍ଥ ବିଜ୍ଞାନର ଗଭୀର ତାତ୍ତ୍ୱିକ ଆଲୋଚନା କରିବାକୁ ହେଲା, ବହୁତ ସମୟ ଲାଗିଲା । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ ପ୍ରାକୃତିକ ଦୃଶ୍ୟାବଳୀ (Natural phenomena) ଓ ସେଗୁଡ଼ିକର ବ୍ୟାଖ୍ୟା ସଂକ୍ରାନ୍ତରେ ଆମମାନଙ୍କର ଦୃଷ୍ଟି କୋଣକୁ ଅତି ବୈପ୍ଳବିକ ଭାବରେ ପରିବର୍ତ୍ତନ କରିବା ପାଇଁ ଏହା ସକ୍ଷମ ହୋଇଛି । ଆଧୁନିକ ବୈଜ୍ଞାନିକମାନେ ମଧ୍ୟ ଏହି ନୂତନ ପଦାର୍ଥ ବିଜ୍ଞାନକୁ ଓ ତତ୍‌ଜନିତ ପରିବର୍ତ୍ତିତ ଦୃଷ୍ଟି-କୋଣକୁ ହୃଦୟଙ୍ଗମ କରି ନିଜସ୍ୱ କରିବା ପାଇଁ ଯଥେଷ୍ଟ ସମୟ ପାଇ ନାହାନ୍ତି । ହେଲେ, ବିଜ୍ଞାନରାଜ୍ୟର ବିଭିନ୍ନ ସମସ୍ୟାବଳୀକୁ ଆୟତ୍ତ କରିବା ଦିଗରେ ଏହା ଯେଉଁ ଆଲୌକିକ ସଫଳତା ହାସଲ କରିଛି, ତାହା ହିଁ ପ୍ରତିପାଦନ-କରିଛି ଏ ବିଜ୍ଞାନର ଯଥାର୍ଥତା । ପରବର୍ତ୍ତୀକାଳୀନ ବୈଜ୍ଞାନିକମାନଙ୍କ ପକ୍ଷରେ, ଏହି ନୂତନ ବିଜ୍ଞାନ ପାଇଁ ଯେଉଁ ନୂତନ ଚିନ୍ତାଧାରା ଆବଶ୍ୟକ, ତାହା ଅଭ୍ୟାସଗତ ହୋଇଯିବ ବୋଲି ଆଶା କରାଯାଏ ।

 

ନୂତନ ପଦାର୍ଥ ବିଜ୍ଞାନରେ ଯେଉଁସବୁ ଚମତ୍କାର କୃତିତ୍ୱ ହାସଲ କରାଯାଇଛି, ସେ ସମ୍ବନ୍ଧରେ ପଦେ ଦି ପଦ ନ କହିଲେ, ବିଷୟ ପ୍ରତି ଯଥେଷ୍ଟ ନ୍ୟାୟ କରାଯାଉନି ବୋଲି ଆଶଙ୍କା ହୁଏ । ସାଧାରଣ ମୌଳିକ ବସ୍ତୁର କୃତ୍ରିମ ରୂପାନ୍ତର କରି ନୂତନ ମୌଳିକ ବସ୍ତୁ ସୃଷ୍ଟି କରିବା ହେଉଛି ନୂତନ ପଦାର୍ଥ ବିଜ୍ଞାନର ଏକ ପ୍ରଧାନ କୃତିତ୍ତ୍ୱ । ଲର୍ଡ଼ ରଦରଫୋର୍ଡ଼ଙ୍କ ଶେଷ ପୁସ୍ତିକା ‘ଦି ନିଉ ଆଲ୍‌କେମି’ (The New Alchemy) ନୂତନ ପଦାର୍ଥ ବିଜ୍ଞାନର ଏହି ଆଲୌକିକ ଅଗ୍ରଗତି କୌଣସି ଆକସ୍ମିକ ଆବିଷ୍କାରଦ୍ୱାରା ସମ୍ଭବ ହୋଇନାହିଁ; ପରନ୍ତୁ ଏହା ପରମାଣୁ ଓ ତାର ଗଠନକ୍ରମକୁ ଗଭୀର ଭାବରେ ପର୍ଯ୍ୟାଲୋଚନା କରିବାଦ୍ୱାରା ସମ୍ଭବ ହୋଇଛି । ପରମାଣୁର ରାସାୟନିକ ଚିହ୍ନ (Chemical identity)ଏହାର ଅଭ୍ୟନ୍ତରସ୍ଥ ଅତି କ୍ଷୁଦ୍ର କିନ୍ତୁ ଘନ ନିଉକ୍ଳିଅସ୍ (Nucleus)ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଦ୍ରୁତ ଆଣବିକ ପ୍ରକ୍ଷେପକ (Atomic Projectile) ସାହାଯ୍ୟରେ ପରମାଣୁକୁ ଆଘାତ କରି ନୂତନ ମୌଳିକ ବସ୍ତୁ ତେଜସ୍କ୍ରିୟ (Radioactive) ଗୁଣ ହାସଲ କରିଥାଏ । ଅର୍ଥାତ ସାଧାରଣ ପ୍ରାକୃତିକ ତେଜସ୍କ୍ରିୟ ବସ୍ତୁଭଳି ଅନବରତ ବିଦ୍ୟୁତ୍ ରଶ୍ମି ବିକରଣ କରି ଏହା ପୁଣି ନୂତନ ମୌଳିକ ବସ୍ତୁରେ ପରିଣତ ହୁଏ । ନୂତନ ମୌଳିକ ବସ୍ତୁର ସଂଶ୍ଳେଷଣ ନିମିତ୍ତ ଯେଉଁସବୁ ବେଗଗାମୀ ପ୍ରକ୍ଷେପକ ଦରକାର ପଡ଼େ, ସେଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ନୂଆ ନୂଆ ଯନ୍ତ୍ରପାତି ଉଦ୍‌ଭାବିତ ହୋଇଛି । ଏହିସବୁ ଯନ୍ତ୍ରମାନଙ୍କ ମଧ୍ୟରେ ଖୁବ୍ ବଡ଼ ବଡ଼ ବିଦ୍ୟୁତଚୁମ୍ବକ (electromagnetic) ଓ ସ୍ଥିତବିଦ୍ୟୁତ୍ (electrostatic) ଉତ୍ପାଦକ (generator) ବା ବିଦ୍ୟୁତ୍ ପରିବର୍ତ୍ତକ ପ୍ରଧାନ । ନାନାପ୍ରକାର କୌଶଳ ପ୍ରୟୋଗ କରି ଏହି ଯନ୍ତ୍ରଗୁଡ଼ିକ ପରମାଣୁ ପ୍ରକ୍ଷିପ୍ତ ବସ୍ତୁଗୁଡ଼ିକୁ କୋଟି କୋଟି ଇଲେକ୍‌ଟ୍ରନ୍ ଭଲ୍‍ଟ ଶକ୍ତି ଅନୁପାତରେ ବେଗଗାମୀ କରିଥାଏ । ଗତଥର ଯେତେବେଳେ ମୁଁ ଇଉରୋପ ରାସ୍ତରେ ଯାଇଥିଲି, ସେତେବେଳେ ପ୍ୟାରିସ୍ ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବିଜ୍ଞାନ ଅଧିବେଶନରେ ଯୋଗଦେଇ ଏହିଭଳି କେତକ ଅତ୍ୟାଧୁନିକ ଯନ୍ତ୍ରପାତି ଦେଖିବାର ସୁଯୋଗ ପାଇଥିଲି । ଏହି ନୂତନ ଯନ୍ତ୍ରପାତିଗୁଡ଼ିକ ଉପାଦେୟତା ଓ ନୂତନତ୍ୱ ଦୃଷ୍ଟିରୁ ଏହି ନୂତନ ପଦାର୍ଥ ବିଜ୍ଞାନର ତାତ୍‌ପର୍ଯ୍ୟକୁ ସଠିକ୍‌ରୂପେ ସୂଚାଇ ଦେଇଥାଏ ।

 

ଏହି ନୂତନ ପଦାର୍ଥ ବିଜ୍ଞାନ ନୂତନ ଜ୍ଞାନର ଏକ ବିରାଟ ଭଣ୍ଡାର ଖୋଲିବାଦ୍ୱାରା ପ୍ରକୃତିର ବିଭିନ୍ନ ଶକ୍ତିକୁ ମଣିଷର ଉପକାର ତଥା ଅପକାରାର୍ଥେ ବ୍ୟବହାର କରିବାର ବାଟ ଦେଖାଇଛି । ଆଧୁନିକ ଯୁଗରେ ପଦାର୍ଥ ବିଜ୍ଞାନ ଶତାଧିକ ବାଟରେ ମଣିଷ ଜୀବନ ତଥା କାର୍ଯ୍ୟକୁ ନିୟନ୍ତ୍ରିତ କରୁଛି । ତେବେ ବକ୍ତବ୍ୟ ଶେଷକଲା ପୂର୍ବରୁ ମୁଁ ଏତକ କହିବାକୁ ଭୁଲିବିନି ଯେ ବିଜ୍ଞାନରେ ସେହିମାନେ ହେଉଛନ୍ତି ଶ୍ରେଷ୍ଠ ନାୟକ, ଯେଉଁମାନଙ୍କର ଲକ୍ଷ୍ୟ ହେଉଛି ଜ୍ଞାନର ଅଭିବୃଦ୍ଧି ପାଇଁ ଜ୍ଞାନ ଆହରଣ ବା ଅନୁସନ୍ଧାନ କରିବା ।

Image

 

ସଂବାଦରେ ପଦାର୍ଥ ବିଜ୍ଞାନ

 

ବିଜ୍ଞାନ ଅଧ୍ୟୟନ ତଥା ଗବେଷଣାର ଏକ ପ୍ରଧାନ ଉଦ୍ଦେଶ୍ୟ ହେଉଛି ପ୍ରକୃତିର କ୍ରିୟା କଳାପ ସମ୍ବନ୍ଧରେ ଗଭୀର ଜ୍ଞାନ ଆହରଣ କରିବା । ପଦାର୍ଥ ବିଜ୍ଞାନବିତ୍‌ମାନଙ୍କର ଏକ ପ୍ରଧାନ ଦାୟିତ୍ୱ ହେଉଛି ବସ୍ତର ଅନ୍ତିମ ମାତ୍ର ବା ଏକକ ଆବିଷ୍କାର କରିବା ଓ ଯେଉଁଗୁଡ଼ିକ ପରସ୍ପର ସଂଯୁକ୍ତ ହୋଇ ଏହି ଜଡ଼-ଜଗତ ସୃଷ୍ଟି କରିଛନ୍ତି, ସେଗୁଡ଼ିକ ଓ ସେଥି ସହିତ ପ୍ରକୃତିକୁ ନିୟନ୍ତ୍ରିତ କରୁଥିବା ବିଭିନ୍ନ ତତ୍ତ୍ୱ ଆବିଷ୍କାର କରିବା । ଏହି ଅନ୍ୱଷଣ ପଦାର୍ଥ ବିଜ୍ଞାନବିତ୍‌ମାନଙ୍କୁ ପ୍ରତିବର୍ଷ ଦୂରକୁ ଦୂରକୁ ଘେନିଯାଏ ଓ ସେହି ଦୂରତ୍ୱର ଶେଷ କେଉଁଠି, ତାହାର ଆଭାଷ ଏ ପର୍ଯ୍ୟନ୍ତ କେହି ଦେଇ ନାହିଁ ବା ମିଳିନାହିଁ । ଏହି ଅଗ୍ରଗତି କାଳରେ ଜ୍ଞାନର ଯେଉଁ ଅପରିସୀମା ଭଣ୍ଡାର ସଂଗୃହୀତ ହୋଇଛି ତାହା ଖୁବ୍ ବିରାଟ । କୃପଣର ସିନ୍ଦୁକରେ ଅର୍ଥ ସଞ୍ଚିତ ହୋଇ ରହିଲାଭଳି ଜ୍ଞାନ କୌଣସି ଜଉମୁଦ ଦିଆ ଭଣ୍ଡାରରେ ଆବଦ୍ଧ ହୋଇ ରହିନାହିଁ । ଯେଉଁମାନେ ଏହାକୁ ଗ୍ରହଣ କରିବାକୁ ଇଚ୍ଛୁକ, ସେମାନଙ୍କ ଭିତରେ ଏହା ଅଯାଚିତ ଭାବରେ ବଣ୍ଟନ କରାଯାଇଛି । ପଦାର୍ଥବିଦ୍ୟାବିତ୍‌ମାନଙ୍କ ନୂତନ ଆବିଷ୍କାର ଓ ଉଦ୍ଭାବନ ଇନ୍‌ଜିନିୟର, ରସାୟନବିତ୍‌ ତଥା ଜୀବବିତ୍‌ମାନଙ୍କୁ କାର୍ଯ୍ୟକାରୀ ଶକ୍ତି ଯୋଗାଉଛି ଓ ସମୟର ସ୍ରୋତରେ ତାହା ମାନବଜାତିର ଧନ ଓ ମଙ୍ଗଳ ବୃଦ୍ଧିରେ ବିନିଯୁକ୍ତ ହୋଇଛି ।

 

ମୁଁ ଆଗରୁ କହିଛି ଯେ ପଦାର୍ଥବିଦ୍ୟାବିତ୍‌ମାନଙ୍କର ଗୋଟିଏ ଲକ୍ଷ୍ୟ ହେଉଛି ସେମାନେ ପଦାର୍ଥର ପ୍ରକୃତିକୁ ଅନୁଧ୍ୟାନ କରିବା ପାଇଁ ଖୁବ୍‍ ଗଭୀରକୁ ପ୍ରବେଶ କରନ୍ତି ଓ ଏହା କରିବା ଦ୍ୱାରା ସେମାନେ ଏଭଳି କାର୍ଯ୍ୟରେ ବ୍ୟସ୍ତ ରହନ୍ତି, ଯାହାକି ଅନୁରକ୍ତ ନଥିବା ଲୋକକୁ ଏକ ଅବାସ୍ତବ କାର୍ଯ୍ୟଭଳି ଜଣାପଡ଼େ । ଏ ସଂପର୍କରେ ଗୋଟିଏ ଉଦାହରଣ ଦେବାକୁ ଯାଇ ମୁଁ ଆଜି ସନ୍ଧ୍ୟାରେ ଆପଣମାନଙ୍କୁ ବିଶ୍ୱରଶ୍ମି ସମ୍ୱନ୍ଧରେ ଦି ଚାରିପଦ କହିବି । ଏହି ବିଶ୍ୱରଶ୍ମି (Cosmic Ray) ବିଷୟଟି ଆଜି ପୃଥିବୀର ବହୁ ବିଖ୍ୟାତ ପଦାର୍ଥବିତ୍‌ଙ୍କ ଦୃଷ୍ଟିକୁ ଆକର୍ଷଣ କରିଛି । ମୋ ଶ୍ରୋତାମାନଙ୍କର ମନେଥିବ ଯେ ଏଇ ଅଳ୍ପଦିନ ତଳେ, ଆମ ସହିତ ବାଙ୍ଗାଲୋର ସହରରେ ବାସ କରୁଥିଲେ ଜଣେ ବୈଜ୍ଞାନିକ, ତାଙ୍କ ନାମ ହେଉଛି ଆର.ଏ. ମିଲିକାନ୍ । ସେ ହେଉଛନ୍ତି ଏହି ବିଶ୍ୱରଶ୍ମି ଗବେଷଣାରେ ଏକ ମୁଖ୍ୟ ଗବେଷକ । ଅଧ୍ୟାପକ ମିଲିକାନ୍ ତାଙ୍କ ସହକାରୀମାନଙ୍କ ଗହଣରେ ଆସିଥିଲେ ଆମ ଦେଶକୁ, ଆମ ଅକ୍ଷାଂଶରେ ବିଶ୍ୱରାଶିର ପ୍ରଭାବ ସମ୍ୱନ୍ଧରେ ଗବେଷଣା କରିବା ପାଇଁ । ସେ ଏହି ଗବେଷଣାଦ୍ୱାରା ବିଶ୍ୱରଶ୍ମିର ଉତ୍ପତ୍ତି ସମ୍ବନ୍ଧୀୟ କେତେ ନୂତନ ତଥ୍ୟ ଆବିଷ୍କାର କରିବାର ଆଶା ବାନ୍ଧି ଆସିଥିଲେ । ବିଶ୍ୱରଶ୍ମି ଯଦିତ ପ୍ରଥମରୁ ଖୁବ୍ ପ୍ରହେଳିକାମୟ ଜଣାଯାଏ, ଏହାଦ୍ୱାରା ଯେଉଁ ସବୁ ପ୍ରଭାବ ପଡ଼େ, ତାକୁ ଅନୁଧ୍ୟାନ କରିବା ଦ୍ୱାରା ପଦାର୍ଥ ବିଜ୍ଞାନରେ ବହୁ ଉନ୍ନତି ସାଧିତ ହୁଏ । ବିଶ୍ୱରଶ୍ମିର ବିକିରଣ ଦେଇ ପୃଥିବୀ ଯେଉଁ ସାମୂହିକ ଶକ୍ତିପାଏ, ତାହା ନକ୍ଷତ୍ରମାନଙ୍କଠାରୁ ରାତିରେ ଆମଠାକୁ ଆସୁଥିବା ନକ୍ଷତ୍ରାଲୋକର ଶକ୍ତି ସହିତ ପ୍ରାୟ ସମାନ । ତେଣୁ ଶକ୍ତି ପ୍ରଦାନ ଦୃଷ୍ଟିରୁ ବିଶ୍ୱରଶ୍ମି ପ୍ରଥମରୁ ବିଶେଷ ତାତ୍ପର୍ଯ୍ୟ ବିଶିଷ୍ଟ ଜଣାଯାଇ ନପାରେ । କିନ୍ତୁ ଅନ୍ୟ ଏକ ଦୃଷ୍ଟି କୋଣରୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ରଶ୍ମିର ପ୍ରଭାବ ସ୍ୱରୂପ ଯେଉଁସବୁ ବିଚ୍ଛିନ୍ନ ଏକକ ସୃଷ୍ଟି ହୁଏ, ତାହାକୁ କୋଟି କୋଟି ଇଲେକ୍‍ଟ୍ରନ ଭଲ୍‌ଟ ଛଡ଼ା ଅନ୍ୟପ୍ରକାରେ ପ୍ରକାଶ କରିବା ସମ୍ଭବପର ନୁହେଁ । ଏହି ପରିମାଣ ପୁଣି ଏତେ ବୃହତ୍ ଯେ ଏତେ ପରିମାଣର ଶକ୍ତି ଆମ ବିଜ୍ଞାନାଗାରରେ ଖୁବ୍ ବଡ଼ ବଡ଼ ଯନ୍ତ୍ରପାତି ସାହାଯ୍ୟରେ ଉତ୍ପାଦନ କରିବା ଅତୀବ କଷ୍ଟକର । ଏହି ବିରାଟ ଶକ୍ତିର ଆବିର୍ଭାବ ହିଁ ବିଶ୍ୱରଶ୍ମି ଗବେଷଣା ଦିଗରେ ଆକୃଷ୍ଟ କରାଏ-। ଏହି ଗବେଷଣାଦ୍ୱାରା ଆମେ ଏଭଳି ଦୃଶ୍ୟାବଳୀ ପର୍ଯ୍ୟବେକ୍ଷଣ କରିବାର ସୁବିଧା ପାଉ, ଯାହା କି ଆମ ପକ୍ଷରେ ଗବେଷଣାଗାରରେ ଉତ୍ପାଦନ କରିବା ସମ୍ଭବପର ନୁହେଁ ।

 

ଯେତେବେଳେ ବିଶ୍ୱରଶ୍ମି ଆମର ବାୟୁମଣ୍ଡଳରେ ପ୍ରବେଶ କରେ ବା କୌଣସି ପଦାର୍ଥ ମଧ୍ୟଦେଇ ଗତିକରେ, ସେତେବେଳେ ତାହା କେତେକ ଗୌଣ କଣା (Secondary Particles)ର ସୃଷ୍ଟି କରେ । ଏହି ଗୌଣକଣା ଗୁଡ଼ିକ ଉଭୟ ଧନାତ୍ମକ ଓ ଋଣାତ୍ମକ ବିଦ୍ୟୁତ୍ କଣାର ସମ୍ମିଳନ ବ୍ୟତୀତ ଅନ୍ୟ କିଛି ନୁହେଁ । ଧନାତ୍ମକ ବିଦ୍ୟୁତ୍‍ କଣା ଯାହାକୁ ପଜିଟ୍ରନ(Positron) କହନ୍ତି, ତାହା ପ୍ରଥମେ ଆବିଷ୍କୃତ ହୋଇଥିଲା ବିଶ୍ୱରଶ୍ମି ଗବେଷଣା ସମୟରେ । ଏହି ଅଳ୍ପଦିନ ତଳେ ଚହଳ ପକାଇ ଦେଇଥିବା ଗୁରୁ ଇଲେକ୍‌ଟ୍ରନ (Heavy electron) ନାମଧେୟ ଏକ ଗୁରୁ କଣା (Heavy Particle), ଯାହାକି ମେସୋଟ୍ରନ ବା ମେସନ ନାମରେ ପରିଚିତ, ତାର ଅବସ୍ଥିତ ପ୍ରତିପାଦିତ ହୋଇଛି କେବଳ ବିଶ୍ୱରଶ୍ମି ଗବେଷଣାଦ୍ୱାରା । ଏହି ନବାବିଷ୍କୃତ କଣୀରେ ଗୋଟିଏ ପ୍ରକୃତି ହେଉଛି ଯେ ଏହା ଆପେ ଆପେ ସାଧାରଣ ବିଦ୍ୟୁତ୍‍ କଣାରେ ପରିଣତ ହୋଇଯାଏ । ଏହି ପ୍ରକୃତି ଯୋଗୁଁ ଏହାର ଜୀବନକାଳ ଦୀର୍ଘ ନୁହେଁ । ଜନୈକ ଇଂରେଜ ବୈଜ୍ଞାନିକ ଅଳ୍ପଦିନ ତଳେ ମେଘ ପ୍ରକୋଷ୍ଠ (cloud chamber) ଭିତରେ ଏହି ଗୁରୁ ଇଲେକ୍‌ଟ୍ରନର ଗତିପଥର ଚିତ୍ର ଉଠାଇବାକୁ ସମର୍ଥ ହୋଇଥିଲେ । ଏହି ଗୁରୁ ଇଲେକ୍‍ଟ୍ରନ ଯେଉଁ ମୁହୂର୍ତ୍ତରେ ସାଧାରଣ ଇଲେକ୍‍ଟ୍ରନରେ ପରିଣତ ହୁଏ, ଠିକ୍‍ ସେହି ମୁହୂର୍ତ୍ତରେ ସେ ଏହାର ଫଟୋ ଉଠାଇ ପାରିଥିଲେ ।

 

ବିଶ୍ୱରଶ୍ମି ବେଳେ ବେଳେ ସାଧାରଣ ପଦାର୍ଥରୁ ବିଦ୍ୟୁତ୍ ଶକ୍ତିଯୁକ୍ତ କଣିକା (charged particles) ସୃଷ୍ଟି କରାଇଥାଏ । ଏହି କଣିକାଗୁଡ଼ିକ ସାଧାରଣ ଇଲେକ୍‌ଟ୍ରନ ବା ମେସୋଟ୍ରନ ଅପେକ୍ଷା ଯଥେଷ୍ଟ ଭାରୀ । ଏହି ଭାରୀ କଣିକା (Heavy Particle) ଗୁଡ଼ିକ ପ୍ରକୃତରେ କଣ ସ୍ପଷ୍ଟ ଭାବରେ ଜଣାଯାଇ ନ ଥଲେ ହେଁ, କେତେକ କ୍ଷେତ୍ରରେ ସେଗୁଡ଼ିକ ପ୍ରୋଟନ୍ ବୋଲି ଜଣା ଯାଇଛି । ଏହି ପ୍ରୋଟନ୍ ପୁଣି ଇଲେକ୍‌ଟ୍ରନ୍‌ ବିଯୁକ୍ତ ଉଦ୍‌ଜାନ ପରମାଣୁ ବା ଉଦ୍‌ଯାନ ନିଉକ୍ଳିଅସ୍ । ବିଶ୍ୱରଶ୍ମି ଯେଉଁ ପରମାଣୁ ଦେଇ ଗତି କରେ ସେହି ବସ୍ତୁର ପରମାଣୁ ଅଭ୍ୟନ୍ତରରେ ଥିବା ନିଉକ୍ଳିଅସରୁ ଏହା ପ୍ରୋଟନ୍‌ (Proton) ଗୁଡ଼ିକୁ ଅଲଗାକରି ଟାଣିଆଣି ଥାଏ ।

ବିଶ୍ୱରଶ୍ମି ସମ୍ବନ୍ଧରେ ଗବେଷଣା କରିବାପାଇଁ ଆଜିକାଲି ନାନାପ୍ରକାର ଉଦ୍ଭାବନକ୍ଷମ ପଦ୍ଧତି ବ୍ୟବହୃତ ହେଲାଣି । ସେଥିମଧ୍ୟରୁ ଗୋଟିଏ ହେଉଛି ଏହି ଅଳ୍ପ ସମୟ ତଳେ କହିଥିବା ମେଘ-ପ୍ରକୋଷ୍ଠ-ପଦ୍ଧତି । ମେଘ-ପ୍ରକୋଷ୍ଠ ହେଉଛି ଗୋଟିଏ ପ୍ରକାର ଯନ୍ତ୍ର ଯେଉଁଥିରେ ଆର୍ଦ୍ର ବାୟୁ ପୂର୍ଣ୍ଣ କରାଯାଇଥାଏ । ଏହି ବାୟୁ ମଧ୍ୟ ଦେଇ ବିଶ୍ୱରଶ୍ମି ଗତି କଲାବେଳେ ବାୟୁ ଆପେ ଆପେ ବିସ୍ତାରିତ ହୋଇଥାଏ । ଫଳରେ ଏହା ଥଣ୍ଡା ହେବାକୁ ଲାଗେ । ଆର୍ଦ୍ରତାଯୁକ୍ତ ବାୟୁ ଥଣ୍ଡା ହେବାକ୍ଷଣି ଯେଉଁ ପଥ ଦେଇ ବିଶ୍ୱରଶ୍ମି ଗତି କରିଥାଏ, ସେହି ପଥରେ କ୍ଷୁଦ୍ର କ୍ଷୁଦ୍ର ଜଳକଣା ଘନୀଭୂତ ହୋଇ ସେହି ପଥକୁ ଚିହ୍ନିତ କରାଏ । ଆଲୋକ ରଶ୍ମିର ଏକ ଝଲକ ଭଳି, ଏହି ଗତିପଥର ଏକ ସ୍ପଷ୍ଟ ଆଲୋକ ଚିତ୍ର ଉଠାଇବା ସମ୍ଭବପର ହୁଏ ।

ଆଉ କେତେକ ଅଭିକ୍ରିୟା (experiment)ରେ ଏହି ମେଘ ପ୍ରକୋଷ୍ଠକୁ ଖୁବ୍ ଶକ୍ତିଶାଳୀ ବିଦ୍ୟୁତ୍ ଚୁମ୍ବକର ମେରୁଦ୍ୱୟ ମଧ୍ୟରେ ରଖାଯାଇଥାଏ । ବିଶ୍ୱରଶ୍ମିଦ୍ୱାରା ଯେଉଁ ଆବେଶଯୁକ୍ତ କଣିକା ଚୁମ୍ବକ କ୍ଷେତ୍ର ଭିତରେ ସୃଷ୍ଟି ହୁଏ, ସେହି କଣିକାର ଗତି ବଙ୍କେଇ ଯାଏ । ସେହି କଣିକାର ବକ୍ରଗତି ଓ ଗତିପଥର ଘନତାକୁ ମାପି ଓ ଗଣନା କରି ସେହି ଗଣନାରୁ ଆବେଶଯୁକ୍ତ କଣିକାର ପ୍ରକୃତି, ବିଦ୍ୟୁତ୍-ଆବେଶ ଓ ଶକ୍ତି ଆଦି ବାହାର କରି ହୁଏ । ଏହି ଅଳ୍ପଦିନ ତଳେ ଜନୈକ ମାର୍କିନ୍ ବୈଜ୍ଞାନିକ ଗୋଟିଏ ଉଡ଼ାଜାହାଜରେ ମେଘ ପ୍ରକୋଷ୍ଠ, ବିଦ୍ୟୁତ୍ ଚୁମ୍ବକ, ଫଟୋଉଠା କେମେରା ଆଦି ଧରି ପୃଥିବୀ ପୃଷ୍ଠଠାରୁ ୩୦,୦୦୦ ଫୁଟ ଉଚ୍ଚକୁ ଯାଇ ବିଭିନ୍ନ ପରମାଣୁ ଉପରେ ବିଶ୍ୱରଶ୍ମିର ସଂଘାତ ଫଳରେ ଯେଉଁ ବିସ୍ଫୋରଣ ଘଟେ, ତହିଁର ଫଟୋ ଉଠାଇବାକୁ ସମର୍ଥ ହୋଇଥିଲେ ।

ବିଶ୍ୱରଶ୍ମିର କଣିକାକୁ ଗଣିବାପାଇଁ ଆଉ ଏକ ଯନ୍ତ୍ର ଅଛି । ତାହା ଗାଇଗର କାଉଣ୍ଟର (Geiger Counter) ଭାବରେ ପରିଚିତ । ଏହି ଯନ୍ତ୍ରର ମୂଳତତ୍ତ୍ୱ ହେଉଛି ଯେ ଏଥିରେ ଗୋଟିଏ ଗ୍ୟାସ୍ ବା ବାଷ୍ପପୂର୍ଣ୍ଣ ନଳୀ ଥାଏ । ଏହି ଗ୍ୟାସ୍ ବା ବାଷ୍ପ ଉପରେ ବିଶ୍ୱରଶ୍ମି ପଡ଼ିଲାକ୍ଷଣି, ଏହା ସଙ୍ଗେ ସଙ୍ଗେ ବିଦ୍ୟୁତ୍ ପରିବାହୀ ହୋଇଯାଏ; ଫଳରେ ଏକ ବେଷ୍ଟନୀ ଭିତରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇ ଏକ ଯାନ୍ତ୍ରିକ ଗଣନାକରୀ ଯନ୍ତ୍ରକୁ ଚଳାଏ । ଏହିଭଳି ଦୁଇ ଚାରିଟି ନଳୀକୁ ଗୋଟିଏ ଧାଡ଼ିରେ ରଖି ସେଥିମଧ୍ୟରେ ଏଭଳି ବନ୍ଦୋବସ୍ତ କରାଯାଇଥାଏ ଯେ ଯେତେବେଳେ ତିନୋଟିଯାକ ଭିତରଦେଇ ଗୋଟିକ ପରେ ଗୋଟିଏ ବିଶ୍ୱରଶ୍ମି ଗତି କରିବ, ସେତେବେଳେ ଯାଇ ସେ ଯାନ୍ତ୍ରିକ ଗଣକଟି କାମ କରିବ । ଏହି ଉପାୟ ଅବଲମ୍ବନ କରି ସେହି ଯନ୍ତ୍ରଟିକୁ ବିଶ୍ୱରଶ୍ମି-ଦୂର-ବୀକ୍ଷଣଯନ୍ତ୍ର (Cosmic ray telescope) ଭାବରେ ବ୍ୟବହାର କରି ହେବ । ଏହି ଯନ୍ତ୍ର ଦ୍ୱାରା ବିଶ୍ୱରଶ୍ମି କେଉଁ ଦିଗରୁ ଆସେ, ନିର୍ଣ୍ଣୟ କରିହୁଏ ।

ବିଶ୍ୱରଶ୍ମିକୁ ଅନୁଧ୍ୟାନ କରିବାଦ୍ୱାରା ଯେଉଁ ନୂତନ ଜ୍ଞାନ ଆମେ ଦିନକୁ ଦିନ ଅବଗତ ହେଉଛୁ, ତାହା ପଦାର୍ଥବିଦ୍ୟାବତ୍‍ମାନଙ୍କ ଠାରେ ଖୁବ୍ ଆଦରଣୀୟ ହୋଇଛି । ଏହି ଜ୍ଞାନ ଯେ ଧୀରେ ଧୀରେ ମଣିଷଜାତିର ବୈଜ୍ଞାନିକ ଦୃଷ୍ଟି କୋଣକୁ ପୂରାପୂରି ପ୍ରଭାବିତ କରିବ ଓ ପରିଶେଷରେ ଏହା ମଣିଷ ସମାଜର ଯେ ଉପକାର କରିବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଦେଖଣାହାରୀମାନେ, ଯେଉଁମାନେ ପଦାର୍ଥ ବିଜ୍ଞାନର ଭିତିରି କଥା କିଛି ଜାଣନ୍ତି ନାହିଁ, ସେମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଉଚିତ ।

Image

 

ଶାମୁକା

 

ସମୁଦ୍ରକୂଳରେ ଶାମୁକା ଗୋଟାଇବା ପିଲାମାନଙ୍କର ହିଁ ଖେଳବୋଲି ଅନେକ ଆଜିକାଲି ଭାବନ୍ତି । ଆଜକୁ ପ୍ରାୟ ଶହେବର୍ଷତଳେ ଏହି ଶାମୁକା ଗୋଟାଇବା ଅନେକଙ୍କ ପକ୍ଷରେ ଏକ ଆଦରର ବିଷୟ ଥିଲା । ବହୁ ଶାମୁକାଗୋଟାଳୀ ଏହି ଶାମୁକା ଗୋଟାଇବା ପଛରେ ବିଶେଷତଃ ସୁନ୍ଦର ଓ ଦୁର୍ଲଭ ଶାମୁକା ପାଇବାପାଇଁ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ । ସେହି ସମୟରେ ଯେଉଁସବୁ ଶାମୁକା ଗୋଟାଯାଇଥିଲା ତାହା ମଧ୍ୟରୁ ଅଧିକାଂଶ ବିଭିନ୍ନ ଜାତୀୟ ପ୍ରତ୍ନତତ୍ତ୍ୱାଗାରକୁ ଦାନସ୍ୱରୂପ ଦିଆଯାଇଛି, ଯେଉଁଠାରେ କି ସେଗୁଡ଼ିକ ଏବେ ମଧ୍ୟ ବିଦ୍ୟମାନ । ସେ ସମ୍ପର୍କରେ ଅନୁଧ୍ୟାନ କରୁଥିବା ଛାତ୍ରମାନେ ଏବେସୁଦ୍ଧା ସେ ସବୁ ସ୍ଥାନକୁ ଯାଇ ସେଗୁଡ଼ିକୁ ଦେଖିପାରନ୍ତି । ମୁଁ ନିଜେ ଜଣେ ଶାମୁକାଗୋଟାଳୀ । ଯଦିଚ ମୁଁ ବେଶିକିଛି ସଂଗ୍ରହ କରି ପାରନି, ତଥାପି ମୁଁ ମୋ ଶ୍ରୋତାମାନଙ୍କୁ ଏହି ରୋଗରେ ସଂକ୍ରମିତ କରିବା ସଙ୍ଗେ ସଙ୍ଗେ ମୁଁ ମୋ ଅନୁଭୂତିରୁ ସେମାନଙ୍କୁ ଦୁଇ ଚାରି ପଦ ଶୁଣାଇବାକୁ ଚାହେଁ । ଶାମୁକା ଗୋଟାଇଲାବେଳେ ମୁଁ ଏତେ ଆହ୍ଲାଦ ପାଏଁ ଯେ ପ୍ରକୃତିରାଣୀର ଏହି ଅପରୂପ ସୃଷ୍ଟିରେ ମୁଁ ମୁଗ୍‌ଧ ହୋଇଯାଏ । ଆପଣମାନଙ୍କ ଭିତରୁ କେହି ଏହି ଶାମୁକା ଗୋଟାଇବା ଆଡ଼କୁ ମନ ବଳାଇଲେ ସେହିଭଳି ଆନନ୍ଦ ପାଇବେ ବୋଲି ମୋର ଆଶା । ଶାମୁକାଗୁଡ଼ିକ ଆପଣମାନଙ୍କର ବିଚିତ୍ର ସହଚର ହୋଇପାରନ୍ତି କିନ୍ତୁ ଏ ଭାଷଣୟପର୍ଯ୍ୟାୟରେ ଯେଉଁ ସାପକଥା କୁହାଯାଇଥିଲା, ସେଭଳି ଅପ୍ରିୟ ସହଚର ହେବନାହିଁ ବୋଲି ମୋର ବିଶ୍ୱାସ।

 

ଆପଣମାନେ ଯଦି କେଉଁଠି ଗୋଟିଏ ମଲା ଶାମୁକା ଦେଖନ୍ତି, ତେବେ ମନେ ରଖିବେ ଯେ ସେହି ଖୋଳଭିତରେ ଦିନେ ନା ଦିନେ ଗୋଟିଏ ସୃଜନଶୀଳ ଜୀବ ରହୁଥିଲା । ସେହି ଜୀବଟି ଜନ୍ମଦିନଠାରୁ ଯେଉଁ ଅନୁପାତରେ ବଢ଼ୁଥାଏ, ସେହି ଅନୁପାତରେ ଅଳ୍ପ ଅଳ୍ପ କରି ତା ଚାରିପାଖରେ ଏହି କଠିନ ଆବରଣଟି ନିଜକୁ ରକ୍ଷା କରିବା ପାଇଁ ତିଆରି କରି ନେଉଥିଲା । ଯେତେବେଳେ ଆମେ ଶାମୁକାକୁ ଏହି ପୃଥିବୀର ଏକ ଅତି ପୁରାତନ ଜୀବ ଭାବରେ ଅନୁଧ୍ୟାନ କରିବାକୁ ଚେଷ୍ଟାକରୁଁ, ସେତେବେଳେ ଶାମୁକା ସମ୍ବନ୍ଧୀୟ ଜ୍ଞାନ ଅର୍ଜ୍ଜନ ଖୁବ୍ ମୁଗ୍‍ଧକର ଜଣାପଡ଼େ । ଶାମୁକାର ରୂପ, ଆକାର, ରଙ୍ଗ ଏବଂ ସର୍ବୋପରି ଗଠନ ପ୍ରକୃତି ବିଭିନ୍ନ ପ୍ରକାରର ଓ ଅତି ମନୋମୁଗ୍‌ଧକର । କିନ୍ତୁ ଯେତେବେଳେ ଏହି ନିରୀହ ଓ କ୍ଷୁଦ୍ର ଶାମୁକା କେମିତି ଓ କିଭଳି ଏହି ସୌନ୍ଦର୍ଯ୍ୟର ଗନ୍ତାଘର ସୃଷ୍ଟିକରେ ବୋଲି ଆମେ ନିଜକୁ ପଚାରୁ, ସେତେବେଳେ ଏହାର ପ୍ରହେଳିକା ଓ ଏଥିପ୍ରତି ଆମର ଆଦର ବଢ଼ିଯାଏ ।

 

ତୁମେ ଯଦି ଶାମୁକା ସମ୍ବନ୍ଧରେ ଜାଣିବାକୁ ଆଗ୍ରହୀ ହୁଅ, ତେବେ ତୁମେ ପଢ଼ାପଢ଼ି କଲେ ଜାଣିବ ଯେ ଏହି ପୃଥିବୀରେ ଅସଂଖ୍ୟ ଜାତିର ଶାମୁକା ଅଛନ୍ତି । ସେଥିମଧ୍ୟରୁ କେତେକ ଜାତିର ଶାମୁକା ଭୂମିରେ ରହନ୍ତି, କେତେକ ମଧୁର ଜଳରେ ବାସ କରନ୍ତି ଓ କେତେକ ସମୁଦ୍ରରେ ବାସ କରନ୍ତି । ପ୍ରକୃତପକ୍ଷେ ବିଜ୍ଞାନ ଜଗତ ଲକ୍ଷ ଲକ୍ଷ ଜାତିର ଶାମୁକାର ପରିଚୟ ପାଇଛି । ସେମାନଙ୍କର ଆକୃତି ମଧ୍ୟ ବିଭିନ୍ନ । କେତେକଙ୍କର ଆକାର ଏତେ କ୍ଷୁଦ୍ର ଯେ ସେଗୁଡ଼ିକୁ ଅଣୁବୀକ୍ଷଣ ଯନ୍ତ୍ରବିନା ଦେଖିହୁଏ ନାହିଁ । ଆଉ କେତେକ ଏତେ ବିରାଟ ଯେ ଗୋଟି ଗୋଟିକର ଓଜନ ଚଉଦ ପନ୍ଦର ମହଣ ପର୍ଯ୍ୟନ୍ତ ହୋଇଥାଏ । ଏଗୁଡ଼ିକର ଆକାର ଏତେ ବିରାଟ ଯେ ସେଗୁଡ଼ିକର ଖୋଳ ବେଳେ ବେଳେ ଗାଧୁଆକୁଣ୍ଡ ଭାବରେ ବ୍ୟବହୃତ ହୁଏ । ଶାମୁକାଗୁଡ଼ିକର ଆକାର ଓ ବର୍ଣ୍ଣ ଏଡ଼େ ବିଚିତ୍ର ଧରଣର ଯେ ଅନ୍ୟ କୌଣସି ଜୀବର ସେଭଳି ବିଚିତ୍ରତା ଅଛି କି ନାହିଁ ସନ୍ଦେହ । ଏଇଥିପାଇଁ ସମ୍ଭବତଃ ଏହି ଶାମୁକାଆଡ଼କୁ ଲୋକେ ଆକୃଷ୍ଟହେବାର ଦେଖାଯାଏ-। ଶାମୁକାଗୁଡ଼ିକ ଯେ କେବଳ ସମୁଦ୍ର କିମ୍ବା ମହାସମୁଦ୍ରରେ ବାସକରନ୍ତି ତା ନୁହେଁ । ସେମାନେ ନଈ, ପୋଖରୀ ଓ ହ୍ରଦ ଆଦିରେ ମଧ୍ୟ ଦେଖାଯାନ୍ତି । ମଧୁର ଜଳରେ ବାସକରୁଥିବା ଶାମୁକାର ବିଚିତ୍ରତା ସାମୁଦ୍ରିକ ଶାମୁକାର ବିଚିତ୍ରତାଠାରୁ ଅପେକ୍ଷାକୃତ କମ୍ । ଏତଦ୍‌ବ୍ୟତୀତ କେତେ ଜାତିର ବାୟୁଗ୍ରାହୀ ଶାମୁକା ଅଛନ୍ତି । ସେଗୁଡ଼ିକ ଭୂମି ଉପରେ ବାସକରନ୍ତି । କେତେକ ଶାମୁକା ଗଛପତ୍ରରେ ରହନ୍ତି ତ ଆଉ କେତେକ ବଣବୁଦାରେ ଲୁଚି ରହନ୍ତି । ଏହି ଶାମୁକାଗୁଡ଼ିକ କେତେ ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି; ତାହା ଲକ୍ଷ୍ୟ କଲେ ବିସ୍ମୟସାଗରରେ ନିମତ୍ନ ହେବାକୁ ପଡ଼େ-। ଜଣେ ଆଗ୍ରହୀ ପର୍ଯ୍ୟବେକ୍ଷଣକାରୀ ଯେଉଁଠାରେ ରହିଲେ ବି ସେ ତାର ନିକଟବର୍ତ୍ତୀ ସ୍ଥାନରେ ଏତେ ପ୍ରକାରର ଶାମୁକା ଦେଖିବାକୁ ପାଇବ ଯେ ସେଗୁଡ଼ିକୁ ଅନୁଶୀଳନ କଲେ ସେ ତନ୍ମୟ ନ ହୋଇ ରହିପାରିବ ନାହିଁ ।

 

ଶମୁକାଗୁଡ଼ିକୁ ପ୍ରାଣୀତତ୍ତ୍ୱବିତ୍‌ମାନେ ପ୍ରଧାନତଃ ପାଞ୍ଚଶ୍ରେଣୀରେ ବିଭକ୍ତ କରନ୍ତି । ସେଥିମଧ୍ୟରୁ ଦୁଇଶ୍ରେଣୀର ଶାମୁକା ବହୁପରିମାଣରେ ଦେଖାଯାନ୍ତି । ଏ ଦୁଇ ଶ୍ରେଣୀକୁ ଯଥାକ୍ରମେ ଗେଷ୍ଟ୍ରୋପଡ଼ସ୍‌ ଓ ଲେମେଲିବ୍ରାଞ୍ଚସ୍‌ କହନ୍ତି । ଗେଷ୍ଟ୍ରୋପଡ଼ସ୍‌ ଶ୍ରେଣୀୟ ଶାମୁକାଗୁଡ଼ିକର ଖୋଳ ଖଣ୍ଡିକିଆ, କିନ୍ତୁ ଲେମେଲିବ୍ରାଞ୍ଚସ୍‌ ଶ୍ରେଣୀର ଶାମୁକା ଦୁଇଖଣ୍ଡିଆ–ମଝିରେ ଯୋଡ଼ା ହୋଇଥାଏ । ସେକ୍ ଟର୍ବୋ ଟ୍ରୋକସ୍‌ ଓ ହେଲିଅଟିସ୍ ଆଦି କେତେକ ଅର୍ଥକରୀ ଶାମୁକା ଗେଷ୍ଟ୍ରୋପଡ଼ସ୍ ଶ୍ରେଣୀର ଅନ୍ତର୍ଗତ । ଯେଉଁ ଶାମୁକାରେ ମୋତି ଥାଏ, ସେହି ଶାମୁକା ଓ ମଧୁର ଜଳରେ ବାସକରୁଥିବା ମସେଲଶାମୁକା ଲେମେଲିବ୍ରାଞ୍ଚସ୍ ଶ୍ରେଣୀର ଅନ୍ତର୍ଗତ । ଏତଦ୍‌ବ୍ୟତୀତ ଆଉ ଏକ ଜାତିର ଶାମୁକା ଅଛି, ଯାହାକି ଖୁବ୍ ପ୍ରସିଦ୍ଧ । ଏହି ଶ୍ରେଣୀରେ ଅକ୍ଟୋପସ୍ ବା ଅଷ୍ଟପଦୀ, କଟନ୍ ଫିସ୍ ସୁଇଡ଼ ଓ ଅତି ବିଖ୍ୟାତ ନଟିଲସ୍ ଅନ୍ତର୍ଗତ । ଏହି ନଟିଲସ୍‍ର ଉପରଖୋଳ ମୁକ୍ତାବାହୀ ଶାମୁକାର ଖୋଳଭଳି ଖୁବ୍‌ସୁନ୍ଦର ଓ ଏହା ଭିତରେ ମୂଲ୍ୟବାନ୍‌ ମୁକ୍ତା ଥାଏ ।

 

ଆପଣମାନଙ୍କ ମଧ୍ୟରୁ ଅନେକେ ସାମୁଦ୍ରିକ ଶାମୁକା ଗୋଟାହୋଇ ଗାଦିମରା ହୋଇଥିବାର ଦେଖିଥିବେ । ଏଗୁଡ଼ିକୁ ପୋଡ଼ି ସେଥିରୁ ଚୂନ ତିଆରି କରାଯାଏ । ଏହାକୁ ଦେଖିଲାକ୍ଷଣି ଆପଣମାନଙ୍କର ମନେପଡ଼ି ଯାଉଥିବ ଯେ ଶାମୁକାର ଖୋଳ କେଲସିୟମ୍ କାର୍ବୋନେଟ୍ ନାମକ ଏକ ପଦାର୍ଥରୁ ତିଆରି, ଯାହାକୁ ଦଗ୍‌ଧ କଲେ ତାହା ଚୂନ ବା କେଲସିୟମ୍ ଅକ୍‌ସାଇଡ଼ରେ ପରିଣତ ହୁଏ । ଶାମୁକା ଖୋଳର ଏହି ଯେଉଁ କେଲସିୟମ୍ କାର୍ବୋନେଟ ଅଂଶ ତାହା ଏହି ଜୀବର ପାର୍ଶ୍ୱରୁ ବାହାରୁଥିବା ଏକପ୍ରକାର କ୍ଷରଣରୁ ସୃଷ୍ଟି ହୋଇଥାଏ । ସେହି କ୍ଷରଣରେ କେଲସିୟମ୍ କାର୍ବୋନେଟ୍ ବ୍ୟତୀତ କିଛି ପରିମାଣରେ ଜୈବିକ ପଦାର୍ଥ (Organic material) ଥାଏ ଓ ଏହି ପଦାର୍ଥ କେଲସିୟମ କାର୍ବୋନେଟ୍‍କୁ ଖୁବ୍ ଟାଣଭାବରେ ବାନ୍ଧିରଖି ଖୋଳକୁ ଟାଣ ରଖିଥାଏ । କେତେକ ଶାମୁକାର ଖୋଳ ଏପରି ଭାବରେ ଗଢ଼ିଉଠିଥାଏ ଯେ ସେହି ଖୋଳ ଆଶାତୀତ ଭାବରେ ଟାଣ ହୋଇଥାଏ ଓ ଏହା ଉପରେ ମାଡ଼ ବସିଲେ ବି ଏହା ସହଜରେ ଭାଙ୍ଗି ଯାଏ ନାହିଁ । କୌଣସି କାରଣରୁ ଯଦି ଶାମୁକାର ଖୋଳ କେବେ ଭାଙ୍ଗି ଯାଏ, ତେବେ କେତେକ ଶାମୁକାର ଏହି ଫଟା ସ୍ଥାନରେ ନୂଆ ଚୂନପଥର ଜମାହୋଇ ସେହି ଫଟାକୁ ବାନ୍ଧି ଭଲ କରଦିଏ । ମୁଁ ନିଜେ ଏହିଭଳି ଏକ ନଟିଲସ୍ ଶାମୁକା ଦେଖିଛି ଯାହାକି ଭାଙ୍ଗିଯାଇ ପରେ ଯୋଡ଼ିହୋଇ ଯାଇଛି । ମୁଁ ଏଠାରେ ଗୋଟିଏ କଥା କହିପାରେ ଯେ କ୍ଷୁଦ୍ର କ୍ଷୁଦ୍ର ଜୀବନ୍ତ ଶାମୁକା ଚୂନପଥର ଗୋଟାଇ ସେମାନଙ୍କର ଶରୀର ଗଢ଼ିବାରେ ଯେଉଁ ପାରଦର୍ଶିତା ଦେଖାନ୍ତି ତାହାଦ୍ୱାରା ପ୍ରକୃତିର ଏକ ବିରାଟ ଉପକାର ସାଧିତହୁଏ । ସ୍ଥାନେ ସ୍ଥାନେ ଖଣିମାନଙ୍କରେ ଯେଉଁ ଚକ୍‌ଖଡ଼ି ଦେଖାଯାଏ, ସେହି ଖଡ଼ି ଏହିଭଳି କ୍ଷୁଦ୍ର କ୍ଷୁଦ୍ର ଅସଂଖ୍ୟ ଶାମୁକାର ଶରୀରକ୍ଷୟ ହେତୁ ସୃଷ୍ଟିହୋଇ ଥାଏ । ଏହି ଶାମୁକାର ଶରୀର ଯୁଗ ଯୁଗ ଧରି ଜଳମଧ୍ୟରେ ପଡ଼ିରହି ଶେଷରେ ଏହି ଚକ୍‌ଖଡ଼ିରେ ପରିଣତ ହୋଇଥାଏ ।

 

ଶାମୁକାସ୍ଥିତ ଏହି ଚୂନପଥର ଅଂଶର ରୂପ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ହୋଇଥାଏ । କେତେକ ଜାଗାରେ ଏହା ଚିନାମାଟି ବାସନଭଳି ଟାଣ ଓ ଧଳା । ଆଉ କେତେକ ସ୍ଥାନରେ ବିଶେଷତଃ ମୁକ୍ତାବାହୀ ଶାମୁକାର ଦେହାବରଣରେ ଏହା ବର୍ଣ୍ଣହୀନ ଓ ଘର୍ଷଣ କାଚଭଳି ଅର୍ଦ୍ଧସ୍ୱଚ୍ଛ । ଆଉ କେତେକ ସ୍ଥାନରେ ଶାମୁକା ଖୋଳର ମୋଟେଇ ଏତେ କମ୍ ଯେ ଏହା ଖୁବ୍ ସୁନ୍ଦର ଓ ଉଜ୍ଜ୍ୱଳ ଦିଶେ ଏବଂ ଏହା ଇନ୍ଦ୍ରଧନୁ ରଙ୍ଗର ବିଭିନ୍ନ ରଙ୍ଗରେ ରଞ୍ଜିତ ହେଲାଭଳି ଦିଶେ । ଏହାର ଏତାଦୃଶ ସୌନ୍ଦର୍ଯ୍ୟପାଇଁ ଏହା ଆଜିକାଲି ବିଭିନ୍ନ ସୁନ୍ଦର ସୁନ୍ଦର କାରିଗରୀ କାମରେ ବ୍ୟବହୃତ ହୁଏ । ଗୋଟିଏ ଜିନିଷ ବିଭିନ୍ନ ସ୍ଥାନରେ କିଭଳି ଏମିତି ଅଲଗା ଅଲଗା । ରୂପ ଧାରଣ କରିପାରେ, ବହୁଦିନଧରି ଆଲୋଚନାର ବିଷୟବସ୍ତୁ ହୋଇରହିଛି । ଏ ସମ୍ପର୍କରେ କି କି ନୂଆ କଥା ଜଣାଯାଇଛି ସେ ସମ୍ୱନ୍ଧରେ ମୁଁ ଦି ଚାରିପଦ କହେ ।

 

ପ୍ରାକୃତିକ ଚକ୍‌ଖଡ଼ି ଦେଖିବାକୁ ଦାନାଦର (Crystalline)। ଦାନାଯୁକ୍ତ ଚୂନପଥର ଖଣ୍ଡିଏ ଆଣି ଲକ୍ଷ୍ୟକଲେ ତୁମେ ଏହା ଦେଖିପାରିବ । ଏହି ଚୂନପଥର ରାସାୟନିକ ବିଜ୍ଞାନ ଦୃଷ୍ଟିରୁ ଚୂନ ଛଡ଼ା ଅନ୍ୟକିଛି ନୁହେଁ । ଖଣ୍ଡିଏ ଶଙ୍ଖ ମଲମଲ ପଥରକୁ ଭାଙ୍ଗି ପକାଅ ଓ ଭଙ୍ଗାପାଖକୁ ଲକ୍ଷ୍ୟକର, ତେବେ ଏହା ଦାନାଯୁକ୍ତ ଭଳି ଜଣାପଡ଼ିବ । ଯେତେବେଳେ ଚୂନପଥର ଏକାଠିହୋଇ ଶାମୁକାର ଖୋଳଉପରେ ବସିବାକୁ ଚେଷ୍ଟାକରେ ସେତେବେଳେ ଶାମୁକା ଦେହରେ ଥିବା ଜୈବିକପଦାର୍ଥ ଚୂନପଥରକୁ ବଡ଼ ବଡ଼ ଦାନା ଭାବରେ ବାନ୍ଧିବାକୁ ଦିଏ ନାହିଁ । ତାହା ସତ୍ତ୍ୱେ ବି ଏହା ଦାନା ବାନ୍ଧିବାକୁ ଚେଷ୍ଟାକରେ । ଏହି ଦାନା ଯେତେ ସ୍ୱଚ୍ଛ ହୁଏ ବା ଯେତେ ଶୃଙ୍ଖଳିତ ଭାବରେ ବାନ୍ଧେ, ଶାମୁକାର ଖୋଳ ସେତେ ସ୍ୱଚ୍ଛ ଦିଶେ । ‘ଉଇଣ୍ଡୋପେନ’ ଶାମୁକାଠାରେ ଠିକ୍ ଏଇଆ ଘଟିଥାଏ । ଏଠାରେ ଦାନାଗୁଡ଼ିକ ଖୁବ୍ ବଡ଼ ହୋଇଥାଏ । ସେଥିପାଇଁ ଏହି ଶାମୁକାର ଖୋଳ ଖୁବ୍ ସ୍ୱଚ୍ଛ ଦିଶେ ଓ ଝରକାକାଚକୁ ଚକ୍ ଚକ୍ କରିବାପାଇଁ କେତେକ ଦେଶରେ ଏହା ବ୍ୟବହୃତ ହୋଇଥାଏ ।

 

ଏଠାରେ ଆଉଗୋଟିଏ କଥା କହିବା ଆବଶ୍ୟକ । ପ୍ରକୃତପକ୍ଷେ ଦୁଇ ପ୍ରକାରର ଦାନାଯୁକ୍ତ ଚକ୍ ଅଛି । ସେ ଦୁଇ ଜାତି ରାସାୟନିକ ପ୍ରକୃତି ଦୃଷ୍ଟିରୁ ସମାନ ହେଲେ ହେଁ ବାହ୍ୟିକ ପ୍ରକୃତି ଦୃଷ୍ଟିରୁ ଦୁଇଟି ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ପରିଲକ୍ଷିତ ହୁଏ । ସେ ଦୁଇଟିର ନାମକରଣ ମଧ୍ୟ ବିଭିନ୍ନ । ଗୋଟିକୁ କୁହାଯାଏ କେଲସାଇଟ୍ ଓ ଅନ୍ୟଟିକୁ ଆରଗୋ ନାଇଟ୍ । ପ୍ରକୃତିରେ କେଲସାଇଟ୍ ଅପେକ୍ଷାକୃତ ଅଧିକ ପରିମାଣରେ ଦେଖିବାକୁ ମିଳେ । ଶାମୁକାଗୁଡ଼ିକରେ ଚୂନପଥର ସାଧାରଣତଃ ଏହି କେଲସାଇଟ୍ ରୂପରେ ଥାଏ । କେବଳ ମୁକ୍ତା ମାତୃକ ଶାମୁକା ଗୁଡ଼ିକରେ ହିଁ କେଲସାଇଟ୍ ପରିବର୍ତ୍ତରେ ଆରଗୋନାଇଟ୍ ବିଦ୍ୟମାନ । ମୁକ୍ତାବାହୀ ଶାମୁକାରେ ଯେଉଁ ଚକ୍ ବା ଚୂନପଥର ଥାଏ ତାହା ଏହି ଆରଗୋନାଇଟ୍ ଶ୍ରେଣୀର । ଆରଗୋନାଇଟ୍ ସାଧାରଣତଃ ଦାନାଯୁକ୍ତ ଭାବରେ ପରିଦୃଷ୍ଟହୁଏ । ଏହା ଏପରି ଏକ ଟାଣ ପଦାର୍ଥ ସହିତ ମିଶିକରି ଥାଏ ଯେ ଏହା ଖୁବ୍ ଟାଣ ଜଣାପଡ଼େ । ମିଶ୍ରିତାବସ୍ଥାରେ ଏହା ପରସ୍ତ ପରସ୍ତ ହୋଇ ଶାମୁକାର ଉପରପାର୍ଶ୍ୱ ସହିତ ସମାନ୍ତରାଳ ଭାବରେ ରହିଥାଏ । ଅଣୁବୀକ୍ଷଣ ଯନ୍ତ୍ରତଳେ ପରୀକ୍ଷାକରି ଦେଖାଯାଇଛି ଯେ ଏହି ପରସ୍ତର ସଂଖ୍ୟା ଇଞ୍ଚକୁ କୋଡ଼ିଏ ହଜାରରୁ ତିରିଶ ହଜାର ପର୍ଯ୍ୟନ୍ତ ଦେଖାଯାଏ । ମୁକ୍ତାବାହୀ ଶାମୁକାର ଅପୂର୍ବ ସୌନ୍ଦର୍ଯ୍ୟପାଇଁ ଏହି ଗଠନ ଅନେକାଂଶରେ ଦାୟୀ ଓ ଏହା ଯେଉଁ ଜୀବନ୍ତ ବର୍ଣ୍ଣ ବିକିରଣକରେ ତା ମୂଳରେ ମଧ୍ୟ ଏହି ଅପୂର୍ବ ଗଠନ କେତେକାଂଶରେ ନିହିତ । ମୁକ୍ତା ମାତୃକ ଶାମୁକାରେ (Mother of pearl)ରେ ଯେଉଁ ଟାଣୁଆ ପଦାର୍ଥ ବିଦ୍ୟମାନ, ତାରିଯୋଗୁଁ ଶାମୁକା ନିଜର କଠିନତା ବଜାୟରଖେ । ଏହାମଧ୍ୟ ମୁକ୍ତା ମାତୃକ ଶାମୁକାକୁ ଯଥେଷ୍ଟ ରାସାୟନିକ ପ୍ରତିରୋଧଶକ୍ତି ପ୍ରଦାନକରେ । ସାଧାରଣ ଚକ୍ ଖଡ଼ି ଲବଣାମ୍ଳରେ ଖୁବ୍ ଧୀରେ ଧୀରେ ଦ୍ରବୀଭୂତ ହୋଇଥିଲା ବେଳେ ମୁକ୍ତାମାତୃକ ଶାମୁକା ଲବଣାମ୍ଳରେ ଖୁବ୍ ଧୀରେ ଧୀରେ ଦ୍ରବୀଭୂତ ହୁଏ । ମୁଁ ଏଠାରେ ଉଲ୍ଲେଖ କରିପାରେ ଯେ ମୁକ୍ତାର ଗଠନ ପ୍ରକୃତି ମୁକ୍ତାମାତୃକ ଶାମୁକାର ଗଠନ ପ୍ରକୃତି ସହିତ ସମାନ । କେବଳ ତଫାତ୍ ହେଉଛି ଯେ ମୁକ୍ତାମାତୃକ ଶାମୁକାରେ ଆରଗୋନାଇଟ୍ ପରସ୍ତ ସମାନ୍ତରାଳ ହୋଇ ରହିଥାଏ । କିନ୍ତୁ ମୁକ୍ତାରେ ଏହା ଏକ କେନ୍ଦ୍ରୀୟ ବିନ୍ଦୁ ଚାରିପାଖରେ ଘନବୃତ୍ତାକାର ରୀତିରେ ବେଢ଼ିରହିଥାଏ । ମୁକ୍ତା ହେଉଛି ଏକପ୍ରକାର ଚକ୍‌ଖଡ଼ି, ଯେଉଁଥିରେ କିଛି କଠିଣ ବସ୍ତୁ ମିଶି ଏହାକୁ ଟାଣକରି ଥାଏ । କିନ୍ତୁ ଏହା ହେଲେ ବି ମୁକ୍ତାର ସୌନ୍ଦର୍ଯ୍ୟରେ କିଛି ଆଞ୍ଚ ଆସେନାହିଁ ଯେପରିକି ହୀରା ପୂରାପୂରି ଅଙ୍ଗାରରୁ ତିଆରି ହେଲେ ହେଁ, ଏହାର ଆଦରରେ କିଛି ବ୍ୟାଘାତ ଘଟେନାହିଁ ।

 

ଶାମୁକାର ଜ୍ୟାମିତିକ ଗଠନ ଓ ସେଗୁଡ଼ିକର ବାହ୍ୟ ଆକୃତି ଅତି ସୁନ୍ଦର । ଏହି ଗଠନ ଶାମୁକା ଜୀବନରେ କି ଭୂମିକା ଗ୍ରହଣକରେ ବା ଶାମୁକାର ଏହି ସୌନ୍ଦର୍ଯ୍ୟ ପ୍ରକୃତିର ସୃଜନକାରୀ ଶକ୍ତି ପ୍ରାଚୁର୍ଯ୍ୟର କି ପ୍ରମାଣ ଦିଏ କହିବା ମୋଭଳି ଜଣେ ପ୍ରାଣୀବିଜ୍ଞାନ ବିଷୟରେ ଅଭିଜ୍ଞତା ନଥିବା ଲୋକପକ୍ଷରେ ଅତୀବ କଷ୍ଟକର ।

 

ଶାମୁକା ବେଳେ ବେଳେ ଯେଉଁ ମନୋମୁଗ୍‌ଧକର ବର୍ଣ୍ଣ ପ୍ରଦର୍ଶନ କରେ ତାର କାରଣ କଣ, ସେ ସମ୍ବନ୍ଧରେ କହିବା ମୋ ପକ୍ଷରେ ମଧ୍ୟ ଅସମ୍ଭବ । ତେବେ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଶାମୁକାର ବାହ୍ୟିକ ଗଠନ ଓ ଅନ୍ତର୍ନିହିତ ବିନ୍ୟାସ ମଧ୍ୟରେ ଏକ ଗୂଢ଼ସମ୍ପର୍କ ବିଦ୍ୟମାନ । ବାସ୍ତବିକ୍‍ ଗେଷ୍ଟ୍ରୋପଡ଼ସ୍ ଓ ଲେମେଲିବ୍ରାଞ୍ଚସ୍ ଶ୍ରେଣୀର ମୁକ୍ତାମାତୃକ ଶାମୁକାକୁ ଅଣୁବୀକ୍ଷଣ ଯନ୍ତ୍ରତଳେ ପରୀକ୍ଷାକଲେ ଏହା ନଟିଲସ୍ ଶ୍ରେଣୀଭୁକ୍ତ ମୁକ୍ତାମାତୃକ ଶାମୁକାଠାରୁ ପୃଥକ୍ ପ୍ରକୃତି ପ୍ରଦର୍ଶନ କରେ । ଶାମୁକାର ବିଭିନ୍ନ ଶ୍ରେଣୀସହିତ ଏହାର ଗଠନ ପ୍ରକୃତିର କି ସଂପର୍କ ଅଛି ସେ ସମ୍ବନ୍ଧରେ ଗବେଷଣା କରିବା ପାଇଁ ଯଥେଷ୍ଟ କ୍ଷେତ୍ର ରହିଛି ବୋଲି ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ।

Image

 

ପ୍ରକୃତି ଓ ଜ୍ୟାମିତି

 

ସୌନ୍ଦର୍ଯ୍ୟ ଅନୁଭୂତିକୁ ସମ୍ୟକ୍‌ଭାବେ ବ୍ୟାଖ୍ୟା କରାଯାଇ ପାରେ ନାହିଁ, କେବଳ ଭୌତିକ ବିଚାରଦ୍ୱାରା ସୌନ୍ଦର୍ଯ୍ୟର ମୂଳ ଉପାଦାନଗୁଡ଼ିକ ନିର୍ଣ୍ଣୟ କରିହୁଏ । ପରିସାମ୍ୟ (Symmetry) ଓ ଅନୁପାତ ଭଳି ସେମାନଙ୍କର ମଧ୍ୟରୁ ଅନେକଙ୍କ ଧର୍ମ ଜ୍ୟାମିତିକ । ପ୍ରାଣୀମାନଙ୍କ ଆକୃତି ସବୁ ବିଶ୍ଳେଷଣ କଲେ ଦେଖାଯାଏ ଯେ ଏହିଭଳି ଜ୍ୟାମିତିକ ଧର୍ମ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଧାନ ଉପାଦାନ । ବାମ ଓ ଦକ୍ଷିଣ ମଧ୍ୟରେ ସମତା ଅଧିକାଂଶ ଜୀବନ୍ତ ପ୍ରାଣୀଙ୍କ ଆକୃତିରେ ଦେଖାଯାଇଥାଏ । ଏହି ଜ୍ୟାମିତିକ ଧର୍ମ, ବାହ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ବିଶିଷ୍ଟ ଓ ଆବଶ୍ୟକୀୟ ଅଙ୍ଗ । ଉଦ୍ଭିଦଜଗତରେ ଏହାଠାରୁ ଅଧିକଭାବରେ ବିକଶିତ ପରିସାମ୍ୟମାନ ଦେଖାଯାଇଥାଏ । ପରିସାମ୍ୟର ଏହି ପରିସଜ୍ଜା ହିଁ ପତ୍ରପୁଷ୍ପାଦିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ଅଣୁବୀକ୍ଷଣ ଯନ୍ତ୍ର ତଳେ ପ୍ରାଣୀ ଓ ଉଦ୍ଭିଦଜଗତର କ୍ଷୁଦ୍ରାଦ ପିକ୍ଷୁଦ୍ର ସଭ୍ୟମାନେ ମଧ୍ୟ ସେମାନଙ୍କ ଆକୃତିରେ ଅସଂଖ୍ୟ ପ୍ରକାର ପରିସାମ୍ୟ ଦେଖାଇଥାନ୍ତି । ସମୁଦ୍ରକୂଳରେ ଅବା ନଦୀଶଯ୍ୟାରେ ମିଳୁଥିବା ଶାମୁକାଜାତୀୟ ଜୀବମାନଙ୍କୁ ପ୍ରାଣୀ ଜଗତର ଖାଲି ନିରୀହତମ ସଭ୍ୟ କହିଲେ ହେବନାହିଁ । ଏମାନଙ୍କ ଶରୀର ଗଠନରେ ମଧ୍ୟ ଜ୍ୟାମିତିକ ଆକୃତିର ବିଶାଳ ବିଭବ ପରିଲକ୍ଷିତ ହୋଇଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ କେବଳ ପରିସାମ୍ୟ ବା ପରିସଜ୍ଜା କରି ଶେଷ ହୋଇନାହିଁ, ପତ୍ରପୁଷ୍ପର ସୌନ୍ଦର୍ଯ୍ୟ ଯେତେ ଆଳଙ୍କାରିକ ହେଉ ନା କାହିଁକି ଜଙ୍ଗଲର ସୌନ୍ଦର୍ଯ୍ୟ କେବଳ ଏହିମାନଙ୍କ ସୌନ୍ଦର୍ଯ୍ୟ ନେଇ ଉଦ୍ଭାସିତ ହୋଇ ନଥାଏ । ଦୀର୍ଘ ବୃକ୍ଷମାଳା, ବିସ୍ତୃତ ବୃକ୍ଷଚ୍ଛଦ ଓ ପରସ୍ପରକୁ ଆଲିଙ୍ଗନ କରୁଥିବା ଶାଖା ସମୁଦ୍ର ଜ୍ୟାମିତିକ ଆକୃତିର ଅନେକ ମୌଳିକ ଉପାଦାନକୁ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ ଦର୍ଶକ ପ୍ରାଣରେ ଅପୂର୍ବ ପୁଲକ ଆଣି ଦିଅନ୍ତି ।

 

ପ୍ରକୃତିର ଏହି ସୃଜନକାରୀ ଚେଷ୍ଟାକୁ ବୁଝିବାକୁ ହେଲେ, ଆମକୁ ଦୁଇଟି ଦିଗରୁ ବିଚାର କରିବାକୁ ପଡ଼ିବ । ପ୍ରଥମତଃ ଆମକୁ ଜୀବତାତ୍ତ୍ୱିକ ଦୃଷ୍ଟିରୁ ଅର୍ଥାତ୍ ସଫଳତା ସହିତ ଜୀବନ ଧାରଣ କରିବାପାଇଁ ଯେଉଁସବୁ ଆବଶ୍ୟକତା ରହିଛି, ସେହି ଦୃଷ୍ଟିରୁ ଆଲୋଚନା କରିବାକୁ ହେବ । ପ୍ରାଣୀ ବା ଉଦ୍ଭିଦର ଗଠନକ୍ରମ ସେମାନଙ୍କର କର୍ମ କୁଶଳତାକୁ ନିୟନ୍ତ୍ରଣ କରିଥାଏ । ତେଣୁ ଗଠନକ୍ରମରେ ଥିବା ଜ୍ୟାମିତିକ ଧର୍ମସମୂହ ଯେ କେତେକ ଜୀବତାତ୍ତ୍ୱିକ ଉଦ୍ଦେଶ୍ୟ ସାଧନ କରିଥାନ୍ତି ଏଥିରେ ସନ୍ଦେହର ଅବକାଶ ନାହିଁ । ଉଦାହରଣସ୍ୱରୁପ ସ୍ଥାନାନ୍ତର ଗଠନକ୍ରିୟାରେ ବାମ ଓ ଦକ୍ଷିଣ ମଧ୍ୟରେ ଥିବା ସମତା ବହୁପରିମାଣରେ ସାହାଯ୍ୟ କରେ । ସେଥି ଯୋଗୁଁ ପୃଥିବୀପୃଷ୍ଠରେ ବିଚରଣ କରୁଥିବା, ଆକାଶରେ ଉଡ଼ି ବୁଲୁଥିବା ଓ ଜଳତଳେ ସନ୍ତରଣ କରୁଥିବା ସମସ୍ତ ପ୍ରାଣୀମାନଙ୍କ ଅଙ୍ଗରେ ଏହି ସମତା ରହିଅଛି । ଶାମୁକା ଜାତୀୟ ଜୀବମାନଙ୍କର ଅଙ୍ଗରେ ଏହିପ୍ରକାର ସମତା ଦେଖାଯାଏନାହିଁ । କାରଣ ସେମାନେ ଅଧିକାଂଶ ସମୟରେ ଘନବସ୍ତୁମାନଙ୍କ ଉପରେ ଲାଗିକରି ରହିଥାନ୍ତି । ଅଧିକନ୍ତୁ ଏହି ଲାଗିକରି ରହିବାରେ ସାହାଯ୍ୟ କରବାପାଇଁ ସେମାନଙ୍କ ଅଙ୍ଗରେ ଏକ ଅଠାଳିଆ ପଦାର୍ଥ ରହିଥାଏ । ଏହିସବୁ ବିଚାରରୁ ଆମେ ନିଶ୍ଚିତଭାବରେ କହିପାରିବା ଯେ ଜ୍ୟାମିତିକ ଆକୃତିର ସୂକ୍ଷ୍ମ ଅଂଶମାନେ ମଧ୍ୟ ଜୀବନ କ୍ରିୟାକୁ ସଫଳତା ସହିତ ପରିଚାଳନା କରିବା ନିମିତ୍ତ ଉଦ୍ଦିଷ୍ଟ ।

 

ପଦାର୍ଥ ବିଜ୍ଞାନୀ ଓ ରସାୟନବିତ୍‌ମାନେ ଏହାକୁ ଅନ୍ୟ ଗୋଟିଏ ଦୃଷ୍ଟିକୋଣରୁ ବିଚାର କରନ୍ତି । କୌଣସି ଜୀବର ନିର୍ମାଣକାରୀ ବସ୍ତୁମାନଙ୍କ ପ୍ରକୃତି ସହିତ ଏହି ଜ୍ୟାମିତିକ ଆକୃତିର କି ସମ୍ପର୍କ ରହିଛି, ସେମାନେ ଏହି ସମ୍ବନ୍ଧୀୟ ଅନୁସନ୍ଧାନ ସହିତ ସଂପୃକ୍ତ । ନିର୍ମାଣକାରୀ ବସ୍ତୁ ମନୋନୟନ କରିବା ଉପରେ ଜୀବର ଗଠନକ୍ରମ ବହୁପରିମାଣରେ ନିର୍ଭର କରେ । ଏହି ମନୋନୟନ କ୍ରିୟା ମଧ୍ୟ ସୀମୀତ, ବିଶେଷତଃ ଆବଶ୍ୟକୀୟ ବସ୍ତୁର ସୁଲଭତା ଉପରେ ମନୋନୟନ କ୍ରିୟା ନିର୍ଭର କରିଥାଏ । ପ୍ରୋଟିନ୍ (protein) ନାମଧେୟ ଜଟିଳ ଜୈବ ପଦାର୍ଥ ଜୀବର ଏକାନ୍ତ ପ୍ରୟୋଜନୀୟ ବସ୍ତୁ । କିନ୍ତୁ ଏହା ଏତେ ସୂକ୍ଷ୍ମ ଓ ଏତେ ସହଜରେ ନଷ୍ଟ ହୋଇଥାଏ ଯେ କେତେକ ବିଶିଷ୍ଟ ପଦାର୍ଥକୁ ଛାଡ଼ିଦେଲେ ଅଧିକାଂଶ ଘନପଦାର୍ଥମାନଙ୍କ ନିର୍ମାଣ ପାଇଁ ଏହା ଏକାନ୍ତ ଅନୁପଯୋଗୀ । ଯେଉଁ ଦୃଢ଼ କଙ୍କାଳ ଚତୁଃପାର୍ଶ୍ୱରେ ପ୍ରାଣୀର ଜୀବନକ୍ରିୟା ସାଧିତ ହୋଇଥାଏ । ତାହା ସାଧାରଣତଃ କାଲ୍‌ସିଅମ୍ ଫସ୍‌ଫେଟ୍ (Calcium Phosphate) ବା କାଲ୍‌ସିଅମ୍‌ କାର୍ବୋନେଟ୍‍ (Calcium Carbonate) ଭଳି ଅଜୈବ ପଦାର୍ଥଦ୍ୱାରା ନିର୍ମିତ । ଏହି ଅଜୈବ ବସ୍ତୁମାନଙ୍କର ପ୍ରକୃତି ଓ ଧର୍ମ ଏବଂ ପ୍ରୋଟିନ୍ ସହିତ ଏମାନଙ୍କର ସଂଯୋଗ ଶୈଳୀ, ଜୀବନ୍ତ ପ୍ରାଣୀମାନଙ୍କର ଜ୍ୟାମିତିକ ଆକୃତି ନିରୂପଣ କରିବାରେ ବିଶିଷ୍ଟ ଅଂଶ ଗ୍ରହଣ କରିଥାନ୍ତି । ରୋମନ୍ଥକାରୀ ପ୍ରାଣୀମାନଙ୍କର ଶିଙ୍ଗ ଓ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଲୋମ ଓ କେଶ ପ୍ରଭୃତି କେତେକ ଅବୟବ ଶୀଘ୍ର ବଢ଼ିବାପାଇଁ ପ୍ରୋଟିନ୍ ଜାତୀୟ ପଦାର୍ଥର ଆବଶ୍ୟକ ହୋଇଥାଏ । ରମଣୀମାନଙ୍କର ଶିରଦେଶକୁ ଅଳଂକୃତ କରୁଥିବା ସୁନ୍ଦର ରେଶମୀ କେଶଗୁଚ୍ଛ, ଏହାର ଦୀର୍ଘ ଓ ଅବିଚ୍ଛିନ୍ନ ତନ୍ତୁଜନିତ ଜ୍ୟାମିତିକ ଧର୍ମ ପାଇଁ କେତେକ ନିର୍ଦ୍ଦଷ୍ଟ ପ୍ରକାର ପ୍ରୋଟିନ୍ ଅଣୁର ଗଠନକ୍ରମ ଉପରେ ନିର୍ଭର କରେ । ତେଣୁ ନାରୀକୁନ୍ତଳର ଅତୁଳନୀୟ ସୌନ୍ଦର୍ଯ୍ୟ ପ୍ରୋଟିନ୍ ସମ୍ବନ୍ଧୀୟ ରସାୟନ ବିଜ୍ଞାନରେ ପ୍ରକୃତିର ଏକ ବିଶିଷ୍ଟ ପ୍ରଚେଷ୍ଟାକୁ ରୂପାୟିତ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଅଳ୍ପଦିନ ତଳେ ମୁକ୍ତାମାତୃକ ଶାମୁକାମାନଙ୍କ ସମ୍ବନ୍ଧରେ ଅନୁସନ୍ଧାନ କଲାବେଳେ, ନିର୍ମାଣକାରୀ ବସ୍ତୁମାନଙ୍କର ବର୍ହିପ୍ରକୃତି ସହିତ ଅର୍ନ୍ତପ୍ରକୃତିର ଯେଉଁ ସଂପର୍କ ରହିଛି, ସେହି ସମ୍ବନ୍ଧରେ ମୁଁ କେତେକ ଉଦାହରଣ ପାଇଥିଲି । ଆଜି ଦିନର ବକ୍ତୃତାରେ ମୁଁ ସେ ସମ୍ବନ୍ଧରେ କିଛି ଉଲ୍ଲେଖ କରିବି । ଏହା ଭଲଭାବରେ ଜଣା ଯେ ଶାମୁକାଜାତୀୟ ଜୀବମାନଙ୍କୁ ଶାମୁକାର ଆକୃତି ନେଇ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ । ବିଭିନ୍ନ ଶ୍ରେଣୀର ଶାମୁକାମାନଙ୍କ ମଧ୍ୟରେ ଥିବା ମୁକ୍ତାଗୁଡ଼ିକ ଆଲୋକ ଓ ରଞ୍ଜନ ରଶ୍ମିଦ୍ୱାରା ପରୀକ୍ଷା କରି ଦେଖାଯାଇଛି ଯେ ସେମାନଙ୍କର ଅନ୍ତର୍ନିହିତ ଗଠନକ୍ରମରେ ମଧ୍ୟ ତାରତମ୍ୟ ରହିଛି । ବିଶେଷତଃ ଯେଉଁ ପ୍ରଣାଳୀରେ ଦାନାଯୁକ୍ତ ଚକ୍ (Crystalline chalk) ବା ଆର୍‌ଗୋନାଇଟ (Aragonite)ର ସୂକ୍ଷ୍ମଖଣ୍ଡମାନ ବିଭିନ୍ନ ଶ୍ରେଣୀର ମୁକ୍ତାମାନଙ୍କ ମଧ୍ୟରେ ସଜ୍ଜିତ ଓ ବାଣ୍ଟି ହୋଇଥାନ୍ତି, ସେହି ପ୍ରଣାଳୀମାନଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଲକ୍ଷ୍ୟ କରାଯାଇଛି । ବାସ୍ତବରେ ଏହି ତାରତମ୍ୟ ବିଭିନ୍ନ ଶ୍ରେଣୀର ମୁକ୍ତାମାନଙ୍କ ପ୍ରକୃତି ସହିତ ଏତେ ନିବିଡ଼ ଭାବରେ ସଂଯୁକ୍ତ ଯେ ସେମାନଙ୍କର ବାହ୍ୟ ଗଠନକ୍ରମ, ଅନ୍ତର୍ନିହିତ ଗଠନକ୍ରମ ଦ୍ୱାରା ନିୟନ୍ତ୍ରିତ ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ସେଲୁଲୋଜ୍ (Cellulose) ନାମକ ଏକ ରାସାୟନିକ ପଦାର୍ଥର ଭୌତିକଧର୍ମ ଉଦ୍ଭିଦ ଜୀବନର ଜ୍ୟାମିତିକ ଧର୍ମକୁ ନିୟନ୍ତ୍ରଣ କରିଥାଏ । ଚିନିଭଳି ଅଙ୍ଗାର, ଉଦ୍‌ଜାନ ଓ ଅମ୍ଳଜାନଦ୍ୱାରା ଏହି ପଦାର୍ଥ ନିର୍ମିତ; କିନ୍ତୁ ଏହାର ଧର୍ମ ଚିନିର ଧର୍ମଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଚିନି, ପାଣିରେ ଦ୍ରବୀଭୂତ ହୁଏ କିନ୍ତୁ ସେଲୁଲୋଜ୍ ଦ୍ରବୀଭୂତ ହୁଏ ନାହିଁ । ତା’ଛଡ଼ା ସେଲୁଲୋଜର ଅଣୁଗୁଡ଼ିକ ଏପରି ଭାବରେ ନିର୍ମିତ ଯେ ସେମାନେ ସହଜରେ ମଣ୍ଡଳୀ ବା ମାଇସେଲି (Micelle) କ୍ରମରେ ସଜ୍ଜିତ ହୋଇପାରନ୍ତି । ଏହି ମଣ୍ଡଳୀ ବା ମାଇସେଲି ପରସ୍ପର ସହିତ ସଂଯୁକ୍ତ ହେବା ଫଳରେ ଦୀର୍ଘାକୃତି ତନ୍ତୁର ସୃଷ୍ଟି ହୁଏ । ତତ୍ପରେ ଏହି ତନ୍ତୁଗୁଡ଼ିକ ଲିଗନିନ (Lignin) ନାମକ ଏକ ଅନିୟତାକାର (Amorphous) ଅଠାଳିଆ ବସ୍ତୁଦ୍ୱାରା ପରସ୍ପର ସହିତ ସଂଯୁକ୍ତ ହୋଇ ବୃକ୍ଷଲତାଦିର କାଷ୍ଠାଂଶକୁ ସୃଷ୍ଟି କରିଥାନ୍ତି । ତେଣୁ ଜଙ୍ଗଲରେ ବୃକ୍ଷମାନଙ୍କର ଦୀର୍ଘ ଅବୟବ ବା ସେମାନଙ୍କର ଶାଖା ଓ ପତ୍ରାଦିର ଜ୍ୟାମିତିକ ଶୈଳୀ ଦେଖି ଯେତେବେଳେ ଆମ୍ଭେମାନେ ପ୍ରଶଂସା କରୁ, ସେତେବେଳେ ଆମର ଭୁଲିଯିବା ଉଚିତ ନୁହେଁ ଯେ ସୌନ୍ଦର୍ଯ୍ୟର ଏହି ବିଶାଳ ବିଭବ, ସେଲୁଲୋଜ୍ ଅଣୁରେ ଥିବା ଜ୍ୟାମିତିକ ଧର୍ମଦ୍ୱାରା ହିଁ ସମ୍ଭବପର ହୋଇଛି ।

 

ଜୀବନ୍ତପ୍ରାଣୀମାନଙ୍କ ସହିତ ଆମ୍ଭେମାନେ ବିଶେଷଭାବେ ପରିଚିତ । ତେଣୁ ସେମାନଙ୍କର ଅବୟବରେ ଥିବା ଜ୍ୟାମିତିକ ପ୍ରକୃତି ବିଷୟରେ ପ୍ରଥମେ କହିବା ପାଇଁ ମୁଁ ସ୍ଥିର କରିଥିଲେ । କାର୍ଯ୍ୟତଃ ପ୍ରାଣୀମାନଙ୍କ ଗଠନକ୍ରମ ଓ ଜୀବନକ୍ରିୟାରେ ପ୍ରଧାନ ଅଂଶ ଗ୍ରହଣ କରୁଥିବା ଜଟିଳ ରାସାୟନିକ ପଦାର୍ଥଗୁଡ଼ିକର ପ୍ରକୃତି ଓ ଧର୍ମ ସମ୍ବନ୍ଧରେ ଆଲୋଚନା କଲି । ସୃଷ୍ଟିର ଚରମ ବସ୍ତୁକଣା (Ultimate particle)ଅଣୁ ଓ ପରମାଣୁମାନଙ୍କର ଅସ୍ତିତ୍ୱ ଯଦିଚ ଆମ୍ଭେମାନେ ପ୍ରତ୍ୟକ୍ଷ ଭାବରେ ଉପଲବ୍‌ଧି କରି ପାରୁ ନାହିଁ, ତଥାପି ସେମାନଙ୍କ ଗଠନକ୍ରମରେ ଥିବା ଜ୍ୟାମିତିକ ଧର୍ମ ସମ୍ବନ୍ଧରେ ଆମର ଯେତେ ଜ୍ଞାନ ଅଛି, ଜୀବନ୍ତ ପଦାର୍ଥମାନଙ୍କ ସମ୍ବନ୍ଧରେ ଆମର ସେତେ ଜ୍ଞାନ ଅଛି କି ନାହିଁ ସନ୍ଦେହ । ଗତ କୋଡ଼ିଏ ବର୍ଷ ମଧ୍ୟରେ ଅଭିକ୍ରିୟା ଓ ତଥ୍ୟଜନିତ ପଦାର୍ଥ ବିଜ୍ଞାନରେ ଯେଉଁ ଅଗ୍ରଗତି ହୋଇଛି ତାହା ପ୍ରାୟ ସମସ୍ତ ପରମାଣୁ ଓ କେତେକ ଅଣୁର ଗଠନକ୍ରମ ଓ ଜ୍ୟାମିତିକ ଆକୃତି ସମ୍ବନ୍ଧରେ ସଠିକ ଧାରଣା ଦେଇ ପାରିଛି ବୋଲି ବିଶ୍ୱାସ କରାଯାଏ । ଉଭୟ ତଥ୍ୟ ଓ ଅଭିକ୍ରିୟାରୁ ଜଣାଯାଏ ଯେ ବସ୍ତୁ ମଧ୍ୟରେ ଥିବା ପରମାଣୁଗୁଡ଼ିକ ଏକ ନିର୍ଦ୍ଦଷ୍ଟ ଜ୍ୟାମିତିକ ପ୍ରଣାଳୀରେ ସଜ୍ଜିତ । ଏଥିରେ ଧନ ଆବେଶଯୁକ୍ତ ନିଉକ୍ଳିଅସ ଇଲେକ୍‌ଟ୍ରନମାନଙ୍କଦ୍ୱାରା ପରିବେଷ୍ଟିତ ହୋଇଥାଏ । ଯେଉଁ ପ୍ରଣାଳୀରେ କେତେକ ପରମାଣୁ ପରସ୍ପର ସହିତ ସଂଯୁକ୍ତହୋଇ ଅଣୁ ସୃଷ୍ଟି କରନ୍ତି ସେହି ପ୍ରଣାଳୀ ମଧ୍ୟ ନିର୍ଦ୍ଦିଷ୍ଟ ଜ୍ୟାମିତିକ ନୀତି ଉପରେ ପ୍ରତିଷ୍ଠିତ । ଅଣୁମାନଙ୍କର ଆକୃତି ଓ ସେମାନଙ୍କ ଗଠନକ୍ରମରେ ଥିବା ପରିସୀମାକୁ ନିର୍ଣ୍ଣୟ ଓ ପ୍ରକାଶ କରିବା ପାଇଁ ଆଜିକାଲି ବିଭିନ୍ନ ଭୌତିକ ପଦ୍ଧତିମାନ ମିଳିଥାଏ । ଉଦାହରଣସ୍ୱରୂପ ଏହା ଦର୍ଶାଯାଇପାରେ ଯେ ଯେଉଁ ବେଞ୍ଜିନ୍ (Benzene) ଅନେକ ରାସାୟନିକ ବସ୍ତୁ ତିଆରି କରିବାରେ ମୂଳବସ୍ତୁ ହିସାବରେ ବ୍ୟବହୃତ ହୁଏ ସେହି ବେଞ୍ଜିନ୍‍ର ଗଠନକ୍ରମ ଗୋଟିଏ ସମଷଡ଼ଭୁଜ କ୍ଷେତ୍ରର ଗଠନକ୍ରମ ସହିତ ସମାନ ।

 

ଦାନାଦର ବସ୍ତୁଗୁଡ଼ିକୁ ପରୀକ୍ଷା କଲେ, ପ୍ରକୃତି ଓ ଜ୍ୟାମିତି ଭିତରେ ନିବିଡ଼ ସମ୍ପର୍କ ଅଧିକ ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ । ଆଜିର ବକ୍ତୃତା ଶେଷ କଲାପୂର୍ବରୁ ମୁଁ ସେ ସମ୍ବନ୍ଧରେ କିଛି କହିବି ବୋଲି ଇଚ୍ଛା କରୁଛି । କୌଣସି ଭୂତତ୍ତ୍ୱସମ୍ୱନ୍ଧୀୟ ଯାଦୁଘର (Geological museum)କୁ ପରିଦର୍ଶନ କରିବାପାଇଁ ଗଲେ ସେଠାରେ ପ୍ରାକୃତିକ ସ୍ଫଟିକର ବହୁବିଧ ନମୁନା ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ଅଷ୍ଟାଥ୍ରେଡ଼୍ରାଲ୍‌ (octahedral) ହୀରାଖଣ୍ଡ, ଷଷ୍ଠାନିକ ସ୍ତମ୍ଭାକାର (hexagonal columns) କ୍ୱାର୍ଜ, କ୍ରିପାର୍ଶ୍ୱୀୟ (cubic) ସୈନ୍ଧବଲବଣ, ତିର୍ଯ୍ୟକାୟିତଷଢ଼ାନିକ (rom bohed) କାଲକ୍‌ସ୍ପାର, ଦ୍ୱାଦଶାନିକ (dodecaheral) ଗାରନେଟ ଓ ଅଭ୍ରର ତ୍ରିପାର୍ଶ୍ୱୀୟ ଫଳକ ଆଦି ଉଲ୍ଲେଖଯୋଗ୍ୟ । ବାସ୍ତବିକ ପ୍ରାକୃତିକ ଉପାୟରେ ମିଳୁଥିବା ଓ କୃତ୍ରିମ ଉପାୟରେ ନିର୍ମିତ ହୋଇଥିବା ପ୍ରାୟ ସମସ୍ତ ଘନ ପଦାର୍ଥର ଦାନାଦାର ପ୍ରକୃତି ରହିଛି, ଅବଶ୍ୟ ଏ ସ୍ଫଟିକୀୟ ଗଠନକ୍ରମ ସବୁ କ୍ଷେତ୍ରରେ ବାହାରକୁ ଦେଖାଯାଏ ନାହିଁ । ଆଧୁନିକ ଗବେଷଣାରୁ ଜଣାଯାଏ ଯେ ସ୍ଫଟିକର ଅନ୍ତର୍ନିହିତ କାରୁକାର୍ଯ୍ୟରେ ଅଣୁ ଓ ପରମାଣୁଗୁଡ଼ିକ ସମାନ ବ୍ୟବଧାନରେ ନିର୍ଦ୍ଦିଷ୍ଟକ୍ରମରେ ସ୍ତର ସ୍ତର ହୋଇ ଓ ଧାଡ଼ି ଧାଡ଼ି ହୋଇ ସଜ୍ଜିତ ହୋଇ ରହିଥାନ୍ତି । ଜ୍ୟାମିତିକ ଉପପାଦ୍ୟ ସାହାଯ୍ୟରେ ସ୍ଫଟିକଗୁଡ଼ିକ ସେମାନଙ୍କର ବାହ୍ୟ ପରିସାମ୍ୟ ଦୃଷ୍ଟିରୁ ଓ ଅନ୍ତର୍ନିହିତ ଅଣୁପରମାଣୁମାନଙ୍କର ମଣ୍ଡଳୀ କରଣ ଦୃଷ୍ଟିରୁ, ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଉକ୍ତ ବିଚାରରୁ ଜଣାଯାଏ ଯେ ସର୍ବମୋଟ ବତିଶ ପ୍ରକାର ସ୍ଫଟିକ ସମ୍ଭବପର ଓ ଏମାନଙ୍କ ମଧ୍ୟରେ ଥିବା ବସ୍ତୁକଣାମାନଙ୍କର ମଣ୍ଡଳୀକରଣ ଦୁଇଶହ ତିରିଶ ପ୍ରକାରର ହୋଇପାରେ । ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଅଭିକ୍ରିୟା ଜନିତ ଗବେଷଣାଦ୍ୱାରା ଘନବସ୍ତୁମାନଙ୍କର ଠିକ୍ ଏହି ସଂଖ୍ୟକ ସ୍ଫଟିକ ଶ୍ରେଣୀ ଓ ପରମାଣୁ ମଣ୍ଡଳୀକରଣ (Grouping) ଥିବାର ଦେଖାଯାଇଛି ।

Image

 

ଆଲୋକ, ରଙ୍ଗ ଓ ପ୍ରକୃତି

 

ପ୍ରକୃତି ଦେବୀଙ୍କ ମୁଖମଣ୍ଡଳରେ ଅନନ୍ତ ପରିବର୍ତ୍ତନ ଲାଗି ରହିଥାଏ । ଯେଉଁମାନେ ପ୍ରକୃତି ଦେବୀଙ୍କର ଭକ୍ତ, ସେମାନଙ୍କ ନିକଟରେ ଏହି ପରିବର୍ତ୍ତନଶୀଳ ମୁଖମଣ୍ଡଳ ଚିରନ୍ତନ ସୌନ୍ଦର୍ଯ୍ୟ ଓ ପ୍ରୀତିର ଅବତାରଣା କରିଥାଏ । ଆକାଶର ନୀଳିମା, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଚିତ୍ତାକର୍ଷକ ରୂପସମ୍ଭାର, ମେଘମାଳାର ପରିବର୍ତ୍ତନଶୀଳ ପରିଦୃଶ୍ୟ, ବନାନୀ ଓ ପ୍ରାନ୍ତରର ବିଭିନ୍ନ ବର୍ଣ୍ଣପଟ, ରଜନୀର ତାରକାଖଚିତ ଆକାଶ–ଏହିଭଳି ଅଗଣିତ ସୌନ୍ଦର୍ଯ୍ୟ, ନିତ୍ୟ ଆମ୍ଭମାନଙ୍କର ଦୃଷ୍ଟି ପଥାରୂଢ଼ ହୋଇ ଅନ୍ତର୍ହିତ ହୋଇଯାନ୍ତି । ଆମ୍ଭମାନଙ୍କର ମନୋରଞ୍ଜନ କରିବା ପାଇଁ ପ୍ରକୃତି ଦେବୀ ଆଲୋକ ଓ ରଙ୍ଗର ଯେଉଁ ଅସରନ୍ତି ନାଟକ ଉପସ୍ଥାପିତ କରିଛନ୍ତି, ଉପରୋକ୍ତ ଦୃଶ୍ୟାବଳୀ ସେହି ନାଟକରେ ଯେ ଗୋଟିଏ ଗୋଟିଏ ପଟ୍ଟଦୃଶ୍ୟ, ଏଥିରେ ସନ୍ଦେହର ଅବକାଶ ନାହିଁ । ଜ୍ଞାନଲାଭ କରିବାର ପିପାସା ନେଇ ବୈଜ୍ଞାନିକ ପ୍ରକୃତି ଦେବୀଙ୍କୁ ପର୍ଯ୍ୟବେକ୍ଷଣ କରେ । ତଥାପି ତା ନିକଟରେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଯଥେଷ୍ଟ ତାତ୍ପର୍ଯ୍ୟ ଥାଏ । ଯାହା ସୁନ୍ଦର ଓ ଯାହା ଚିତ୍ତାକର୍ଷକ, ତାକୁ ଦେଖିବାରେ ଓ ସମ୍ୟକ୍‌ଭାବେ ଉପଲବ୍‌ଧି କରିବାରେ ଉପରୋକ୍ତ ଜ୍ଞାନ ବହୁଳଭାବରେ ସାହାଯ୍ୟ କରିଥାଏ । ବହୁକ୍ଷେତ୍ରରେ ପ୍ରାକୃତିକ ଘଟଣାବଳୀର ଏହିପ୍ରକାର ଅନୁସନ୍ଧାନ, ଜ୍ଞାନର ନୂତନମାର୍ଗ ଉନ୍ମୋଚନ କରିଛି । ଉଦାହରଣସ୍ୱରୂପ ବିଦ୍ୟୁତ୍ ଝଲକ (Lightening) କଥା ବିଚାର କରାଯାଉ । ଏହାରି ମାଧ୍ୟମରେ ପ୍ରକୃତି ଦେବୀ ଦର୍ଶାଇଥାନ୍ତି ଯେ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍‍ଶକ୍ତି ଗତିକଲେ, ଆଲୋକର ସୃଷ୍ଟି ହୁଏ । କହିବା ବାହୁଲ୍ୟ ଯେ ଆଧୁନିକ ବିଦ୍ୟୁତ୍‍ଶିଳ୍ପରେ ଏହି ତଥ୍ୟ ବହୁଳଭାବେ ବ୍ୟବହୃତ ହୋଇ ମାନବ ସମାଜର ଅପାର କଲ୍ୟାଣ ସାଧନ କରୁଛି ।

 

ଏ ବିଷୟରେ ଆହୁରି ଗୋଟିଏ ଉଦାହରଣ ଦିଆଯାଇପାରେ । କୃଷ୍ଣପକ୍ଷ ରଜନୀରେ ଆକାଶକୁ ଲକ୍ଷ୍ୟକଲେ, ବିଭିନ୍ନ ରଙ୍ଗ ଓ ଉଜ୍ଜ୍ୱଳତାବିଶିଷ୍ଟ ଅସଂଖ୍ୟ ଜ୍ୟୋତିଷ୍କ ଆମର ଦୃଷ୍ଟି ପଥାରୂଢ଼ ହୁଅନ୍ତି । ଏଗୁଡ଼ିକୁ ଆମେ ନକ୍ଷତ୍ର ବୋଲି କହିଥାଉଁ । ଏହି ନକ୍ଷତ୍ରମାନଙ୍କର ବିକିରିତ ଆଲୋକକୁ ବର୍ଣ୍ଣାଳୀ-ବୀକ୍ଷଣ ଯନ୍ତ୍ର (Spectroscope) ଦ୍ୱାରା ପରୀକ୍ଷା କଲେ ଦେଖାଯାଏ ଯେ ଏମାନଙ୍କର ବର୍ଣ୍ଣପଟ (Spectrum) ସୂର୍ଯ୍ୟାଲୋକର ବର୍ଣ୍ଣପଟ ସହିତ ସମାନ । ତା’ଛଡ଼ା ସୂର୍ଯ୍ୟ ଓ ତାରାମାନଙ୍କ ବର୍ଣ୍ଣପଟରେ ରଙ୍ଗ ଓ ଉଜ୍ଜ୍ୱଳତା ନେଇ ଯେଉଁ ପରିବର୍ତ୍ତନ ଦେଖାଯାଇଥାଏ, ତାହା ମଧ୍ୟ ପରସ୍ପର ସହିତ ସମାନ । ପ୍ରଧାନତଃ ଏହିସବୁ ତଥ୍ୟ ସାହାଯ୍ୟରେ ସୂର୍ଯ୍ୟଙ୍କର ନକ୍ଷତ୍ର ପ୍ରକୃତି (Stellar nature) ବା ଦୂରସ୍ଥ ତାରାମାନଙ୍କର ସୌର (Solar) ପ୍ରକୃତି ଆମ୍ଭମାନଙ୍କର ବୋଧଗମ୍ୟ ହୋଇଥାଏ । ସମୁଦାୟ ବିଶ୍ୱର ବିଭିନ୍ନ ଅଂଶରେ ଯେଉଁ ଆବଶ୍ୟକୀୟ ଏକତା ରହିଛି, ସେହି ଏକତାକୁ ପ୍ରତିପାଦନ କରିବା ପାଇଁ ଓ ନକ୍ଷତ୍ର ବିବର୍ତ୍ତନର (Stellar evolution) ଅନୁସନ୍ଧାନ କରିବାପାଇଁ ଉପରୋକ୍ତ ତଥ୍ୟ ଆମ୍ଭମାନଙ୍କୁ ବହୁ ପରିମାଣରେ ସାହାଯ୍ୟ କରେ ।

 

ଯେଉଁ ବିଭିନ୍ନ ପ୍ରାକୃତିକ ପଦାର୍ଥଗୁଡ଼ିକ ସହିତ ଆମେ ପରିଚିତ, ସେଗୁଡ଼ିକର ରଙ୍ଗ କିପରି ଉତ୍ପତ୍ତି ହୋଇଛି, ଏହି ପ୍ରଶ୍ନ ଗବେଷକ ନିକଟରେ ଏକ କୌତୂହଳପୂର୍ଣ୍ଣ ସମସ୍ୟାରୂପେ ଦେଖା ଦେଇଥାଏ । ବର୍ତ୍ତମାନ ସେ ସମ୍ବନ୍ଧରେ କେତେକ ପ୍ରଶ୍ନ ଆମେ ବିଚାର କରିବା ।

 

ଗୋଟିଏ ବିଷୟରେ ଆମର ସ୍ପଷ୍ଟ ଧାରଣ ରହିବା ଉଚିତ । ତାହା ହେଉଛି, କୌଣସି ପଦାର୍ଥର ରଙ୍ଗ କହିଲେ ଆମେ କ’ଣ ବୁଝୁ ? ଏହା କ’ଣ ବସ୍ତୁର ଉପରିଭାଗ ଦ୍ୱାରା ପ୍ରତିଫଳିତ ଆଲୋକର ରଙ୍ଗ ନା ବସ୍ତୁର ଅଭ୍ୟନ୍ତରଦେଇ ବାହାରି ଆସୁଥିବା ଆଲୋକର ରଙ୍ଗ ? ଆଉ ଗୋଟିଏ ସମ୍ଭାବନା ଅଛି, ତା ହେଉଛି ହୁଏତ ଏହି ରଙ୍ଗ ବସ୍ତୁର ଅଭ୍ୟନ୍ତରରେ ବିଚ୍ଛୁରିତହୋଇ ବାହାରି ଆସୁଥିବା ଆଲୋକର ରଙ୍ଗ ହୋଇପାରେ । ଆପାତତଃ ଗୋଟିଏ ସରଳ ସମସ୍ୟାକୁ ବୁଝିବାକୁ ଯାଇ, ଏତେଗୁଡ଼ିଏ ପ୍ରଶ୍ନ ବା ସମ୍ଭାବନାର ଅବତାରଣା କରିବା ପ୍ରଥମତଃ ଅବାନ୍ତର ବୋଲି ମନେହୁଏ । କିନ୍ତୁ ଏହି ତିନୋଟି ବିଭିନ୍ନ ପ୍ରଣାଳୀରେ ଉତ୍ପନ୍ନ ହେଲେ, ଆଲୋକର ରଙ୍ଗ ଯେ ବିଭିନ୍ନ ହେବ, ଏଥିରେ ସନ୍ଦେହ କରିବାର କିଛି ନାହିଁ । ଜଳର ରଙ୍ଗ ଏ ସମ୍ପର୍କରେ ଗୋଟିଏ ଉପଯୁକ୍ତ ଉଦାହରଣ । ଏହାର ଉପରିଭାଗଦ୍ୱାରା ପ୍ରତିଫଳିତ ହେଉଥିବା ଆଲୋକର ରଙ୍ଗ, ଏହା ଉପରେ ନିପତିତ ଆଲୋକର ରଙ୍ଗ ସହିତ ସମାନ । ଉଦାହରଣସ୍ୱରୂପ ଯଦି ସୂର୍ଯ୍ୟାଲୋକ ଜଳ ଉପରେ ପଡ଼େ ତା’ହେଲେ ପ୍ରତିଫଳିତ ଆଲୋକର ରଙ୍ଗ ସୂର୍ଯ୍ୟାଲୋକର ରଙ୍ଗ ସହିତ ସମାନ ହେବ । କିନ୍ତୁ ଏହି ଶୁଭ୍ର ସୂର୍ଯ୍ୟାଲୋକ ଯଦି କୌଣସି ବୃହତ୍ ଜଳସ୍ତମ୍ଭ ଅତିକ୍ରମ କରିଯାଏ, ତା’ହେଲେ ଏହାର ଗତିପଥରେ ବର୍ଣ୍ଣାଳୀର (Spectrum) ବିଭିନ୍ନ ଅଂଶମାନ ଅବଶୋଷିତ ହୋଇଥାନ୍ତି । ତେଣୁ ଜଳରୁ ବାହାରି ଆସୁଥିବା ଆଲୋକର ରଙ୍ଗ ଏହି ଅବଶୋଷଣ ଦ୍ୱାରା ପ୍ରଭାବିତ ହୋଇଥାଏ । ବିଶୁଦ୍ଧ ଜଳମଧ୍ୟ ବର୍ଣ୍ଣାଳୀର ଲୋହିତ ଓ ହରିଦ୍ରା ଅଂଶକୁ ଅବଶୋଷିତ କରେ । ତେଣୁ ସୂର୍ଯ୍ୟାଲୋକ ଦୀର୍ଘ ଜଳସ୍ତମ୍ଭ ଅତିକ୍ରମ କରି ଗଲାପରେ, ଏଥିରେ ସବୁଜ ରଙ୍ଗର ଆଭା ଦେଖା ଯାଇଥାଏ । ଏତଦ୍ ବ୍ୟତୀତ ଆଲୋକ ରଶ୍ମି ଜଳ ମଧ୍ୟଦେଇ ଗତି କଲାବେଳେ, ଜଳରେ ଭାସୁଥିବା କ୍ଷୁଦ୍ର କ୍ଷୁଦ୍ର ବସ୍ତୁକଣା ତଥା ଜଳର ଅଣୁମାନଙ୍କଦ୍ୱାରା ବିଚ୍ଛୁରିତ ହୋଇଥାଏ । ଯଦି ଜଳରେ ଖୁବ୍ ଅଳ୍ପ ସଂଖ୍ୟକ ବସ୍ତୁକଣା ଥାଏ, ତା’ ହେଲେ ଏହା ଆଲୋକ ବିଚ୍ଛୁରଣରେ ବିଶେଷ ପ୍ରଭାବ ପକାଏ ନାହିଁ । ତେଣୁ କେବଳ ଜଳର ଅଣୁମାନେ ଆଲୋକ ବିଚ୍ଛୁରଣ କରୁଥିବାରୁ, ବାହାରି ଆସୁଥିବା ଆଲୋକର ରଙ୍ଗ ଆକାଶର ନୀଳରଙ୍ଗ ଭଳି ଦେଖାଯାଏ ।

 

ଉପରୋକ୍ତ ବିଚାରରୁ ଜଣାଯାଏ ଯେ କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଜଳର ରଙ୍ଗ, ପ୍ରଧାନତଃ ଏହାର ଉପରିଭାଗ ଦ୍ୱାରା ଆଲୋକ ପ୍ରତିଫଳନ, ଏହାର ଅଭ୍ୟନ୍ତର ଦେଇ ଗତିକଲାବେଳେ ବର୍ଣ୍ଣପଟର ଲୋହିତ ଓ ହରିଦ୍ରା ଅଂଶର ଅବଶୋଷଣ ଓ ପରିଶେଷରେ ଏହାର ଅଭ୍ୟନ୍ତରରେ ଘଟୁଥିବା ଆଲୋକ ବିଚ୍ଛୁରଣ ଉପରେ ନିର୍ଭର କରେ । ତେଣୁ ବିଭିନ୍ନ ପରିସ୍ଥିତିରେ ବିଶୁଦ୍ଧ ଜଳର ରଙ୍ଗ ଯେ ବିଭିନ୍ନ ହେବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତଳକୁ ସିଧାକରି ଚାହିଁଲେ ଜଳ ଉପରିସ୍ଥ ଆଲୋକ ପ୍ରତିଫଳନକୁ ସହଜରେ ଦୂର କରାଯାଇପାରେ । ଏହି ପରିସ୍ଥିତିରେ ବିଶୁଦ୍ଧ ଓ ଗଭୀର ଜଳଖଣ୍ଡର ରଙ୍ଗ ଅଣୁମାନଙ୍କଦ୍ୱାରା ଶୋଷଣ (Absorption), ବିଚ୍ଛୁରଣ (Dispersion) କ୍ରିୟାର ସମ୍ମିଳିତ ପ୍ରଭାବଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି ରଙ୍ଗ ନିର୍ମଳ ଆକାଶର ନୀଳରଙ୍ଗ ଅପେକ୍ଷା ଅଧିକ ଗାଢ଼ ଦେଖାଯାଏ । ମନ୍ଥନ କରି ଜଳକୁ ବୁଦ୍‌ବୁଦ୍‌ ପୂର୍ଣ୍ଣ କଲେ ବା ଗୋଟିଏ ଅଗଭୀର ପାତ୍ରରେ ଜଳ ନେଲେ, ଆଲୋକକୁ ଅଳ୍ପ ସାମାନ୍ୟ ଗଭୀରତା ଦେଇ ଗତି କରିବାକୁ ହୋଇଥାଏ । ଏହି ଅବସ୍ଥାରେ ବିଚ୍ଛୁରଣର ପ୍ରଭାବ ଏତେ କମ୍ ଯେ ତାହା ସହଜରେ ଅବହେଳା କରାଯାଇପାରେ । ତେଣୁ କେବଳ ଅବଶୋଷଣଦ୍ୱାରା ପ୍ରଭାବିତ ହେଉଥିବାରୁ, ଏହି ପରିସ୍ଥିତିରେ ଜଳର ରଙ୍ଗ ସବୁଜ ବା ନୀଳ ସବୁଜ ଦେଖା ଯାଇଥାଏ ।

 

ଆଲୋକ ଓ ରଙ୍ଗ ସମ୍ବନ୍ଧୀୟ ସାଧାରଣ ନୀତିଗୁଡ଼ିକୁ ଦର୍ଶାଇବା ପାଇଁ ଉପରେ ଜଳର ରଙ୍ଗ ସମ୍ବନ୍ଧରେ ବିଶଦ୍‌ଭାବରେ ଆଲୋଚନା କରାଯାଇଛି । କୌଣସି ପଦାର୍ଥ ଗୋଟିଏ ପରିସ୍ଥିତିରେ ହୁଏତ ଖୁବ୍‍ ରଙ୍ଗିନ୍‍ ଦେଖାଯାଇପାରେ, କିନ୍ତୁ ଅନ୍ୟ ପରିସ୍ଥିତିରେ ଏହା ମଧ୍ୟ ଦେଇ ଯାଉଥିବା ଆଲୋକରଶ୍ମି ଆଦୌ ଅବଶୋଷିତ ହୁଏ ନାହିଁ । ଫଳତଃ ଏହାକୁ ରଙ୍ଗହୀନ ବୋଲି କୁହାଯାଇଥାଏ । ସାଧାରଣତଃ ଛୋଟ ଛୋଟ ବସ୍ତୁକଣା ବା ଅଣୁମାନେ ସୌର-ବର୍ଣ୍ଣାଳୀର ନାତି-ଦୀର୍ଘ-ତରଙ୍ଗ ଅଂଶକୁ ବିଚ୍ଛୁରଣ କରି ଗାଢ଼ରଙ୍ଗ ସୃଷ୍ଟି କରିଥାନ୍ତି । ଆକାଶର ଗାଢ଼ ନୀଳରଙ୍ଗ ଓ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟରେ ଆକାଶ ତଥା ମେଘମାଳାର ଚିତ୍ତାକର୍ଷକ ରଙ୍ଗାବଳୀ, ଉପରୋକ୍ତ ତଥ୍ୟକୁ ଦର୍ଶାଇଥାଏ । ବିଚ୍ଛୁରିତ ହେଉଥିବା ଆଲୋକର ରଙ୍ଗ ନୀଳ; କିନ୍ତୁ ବିଚ୍ଛୁରଣରୁ ବଞ୍ଚିତ ହୋଇ ଯେଉଁ ଆଲୋକ ଆମ୍ଭମାନଙ୍କର ଦୃଷ୍ଟି ପଥାରୂଢ଼ ହୋଇଥାଏ, ସେହି ଆଲୋକର ରଙ୍ଗ ସୌର-ବର୍ଣ୍ଣାଳୀର ସୁଦୀର୍ଘ ତରଙ୍ଗମାନଙ୍କ ଦ୍ୱାରା ନିୟତ୍ରିତ ହୋଇଥାଏ । ତେଣୁ ଗୋଧୂଳି ଆକାଶରେ ସାଧାରଣତଃ ହଳଦୀ, ନାରଙ୍ଗୀ ବା ଲୋହିତ ବର୍ଣ୍ଣର ଆଭା ଦେଖା ଯାଇଥାଏ ।

 

ବାୟୁ ମଧ୍ୟଦେଇ ଆଲୋକ ଗତି କଲାବେଳେ, ଏହା ମଧ୍ୟସ୍ଥ ଭାସମାନ ଧୂଳିକଣା ତଥା ଅମ୍ଳଜାନ ପ୍ରଭୃତି ଗ୍ୟାସ ଅଣୁଦ୍ୱାରା ଆଲୋକ ବିଚ୍ଛୁରିତ ହୋଇଥାଏ । ଏହି ବିଚ୍ଛୁରଣ ସ୍ଥଳଭାଗର ଦୃଶ୍ୟ, ବିଶେଷତଃ ଦୂର ଦିଗ୍‌ବଳୟର ସାଧାରଣ ପରିଦୃଶ୍ୟକୁ ବହୁଳ ଭାବରେ ପ୍ରଭାବିତ କରେ । ଦୂରରେ ଥିବା କୌଣସି ପଦାର୍ଥକୁ ଚାହିଁଲେ, ଯେଉଁ ଆଲୋକ ଚକ୍ଷୁ ମଧ୍ୟରେ ପ୍ରବେଶ କରେ ତା’ର ପ୍ରଧାନ ଅଂଶ ଏହି ବସ୍ତୁଦ୍ୱାରା ପ୍ରେରିତ ଆଲୋକ ନୁହେଁ; ତାହା ମଧ୍ୟସ୍ଥିତ ବାୟୁମଣ୍ଡଳଦ୍ୱାରା ବିଚ୍ଛୁରିତ ଆଲୋକ । ଏହି ବିଚ୍ଛୁରିତ ଆଲୋକକୁ ଦୂର କରି ପାରିଲେ, ପଦାର୍ଥଗୁଡ଼ିକ ଆହୁରି ପରିଷ୍କାର ଦେଖାଯାନ୍ତି । ଚକ୍ଷୁ ସମ୍ମୁଖରେ ଗୋଟିଏ ନିକୋଲ (Nicole) ବା ଧ୍ରୁବକ (Polaroid) ରଖି ବିଚ୍ଛୁରିତ ଆଲୋକକୁ ଦୂର କରାଯାଇପାରେ । ଏହାଦ୍ୱାରା ବିଚ୍ଛୁରିତ ହେଉଥିବା ଅଧିକାଂଶ ଆଲୋକ ଅବଶୋଷିତ ହୋଇଥାଏ । ତେଣୁ ଦୂରସ୍ଥ ପଦାର୍ଥ ଅଧିକ ପରିଷ୍କାର ଦେଖାଯାଏ । ଆଖି ଆଗରେ ବା ଆଲୋକଚିତ୍ର କ୍ୟାମେରାର ଲେନ୍‌ସ (lens) ଆଗରେ ଗୋଟିଏ ଗାଢ଼ ଲୋହିତ ବା ତଥାକଥିତ ଅବଲୋହିତ (infra-red) ଶୋଧକ (filter) ବ୍ୟବହାର କଲେ, ଉପରୋକ୍ତ ଫଳ ଅଧିକ ଦକ୍ଷତା ସହିତ କରାଯାଇପାରେ । ବାସ୍ତବରେ ଏହି ଉପାୟ ଅବଲମ୍ବନ କରି ଦୂର ଦିଗ୍‌ବଳୟରେ ଥିବା ପଦାର୍ଥଗୁଡ଼ିକୁ ଅତି ପରିଷ୍କାର ଭାବରେ ଦେଖି ହୋଇଥାଏ ।

 

ବରଫ ସ୍ରୋତରେ ବା ହିମଶୈଳ (Ice berg)ରେ ଭାସୁଥିବା ବରଫ ଖଣ୍ଡର ରଙ୍ଗ ଓ ଜଳରଙ୍ଗ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ଥାଏ । ଗବେଷଣାଗାରରେ ପରୀକ୍ଷାକରି ଦେଖାଯାଇଛି ଯେ ଯଦି ସୌରରଶ୍ମି ନିର୍ମଳ ବରଫ ମଧ୍ୟ ଦେଇ ପ୍ରବେଶ କରେ ତେବେ ଏହା ବିଚ୍ଛୁରିତ ହୋଇଥାଏ । ଫଳତଃ ବରଫ ମଧ୍ୟରେ ଆଲୋକ ପଥର ରଙ୍ଗ ଆକାଶର ନୀଳରଙ୍ଗ ଭଳି ଦେଖାଯାଇଥାଏ । ବିଶୁଦ୍ଧ ଜଳ ଯେପରି ସୌର ବର୍ଣ୍ଣାଳୀର ହରିଦ୍ରା ଓ ଲୋହିତ ଅଂଶକୁ ଶୋଷଣ କରେ, ବରଫ ସମ୍ଭବତଃ ସେହି ପ୍ରକାର ଶୋଷଣ କ୍ରିୟାରେ ଭାଗ ନେଇଥାଏ । ତେଣୁ ବିଚ୍ଛୁରଣ ଓ ଶୋଷଣର ମିଳିତ ପ୍ରଭାବରେ ବରଫର ରଙ୍ଗ ବିଭିନ୍ନ ହୋଇଥାଏ । ବିଶେଷତଃ ବରଫ ଖଣ୍ଡର ବୋଧ ଓ ନିର୍ମଳତା ଭେଦରେ ଏହାର ରଙ୍ଗ କ୍ଷୀଣ ସବୁଜଠାରୁ ଗାଢ଼ନୀଳ ପର୍ଯ୍ୟନ୍ତ ବିଭିନ୍ନ ହେବାର ଦେଖାଯାଏ ।

Image

 

ଆଲୋକ ଓ ବର୍ଣ୍ଣର ସଂବେଦନା

 

ଆମ ଚତୁଃପାର୍ଶ୍ୱସ୍ଥ ପଦାର୍ଥ ସମ୍ବନ୍ଧରେ ସଚେତନ ହେବା ପାଇଁ ପ୍ରକୃତି ଯେଉଁ ସବୁ ବାଟ ଖଞ୍ଜିଛି, ସେଥି ମଧ୍ୟରେ ଆଲୋକ ଓ ବର୍ଣ୍ଣର ସଂବେଦନା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଦିନରେ ସୂର୍ଯ୍ୟ ଓ ରାତ୍ରିରେ ନକ୍ଷତ୍ରମାନେ ହିଁ ଆମ ଚତୁଃପାର୍ଶ୍ୱକୁ ଆଲୋକିତ କରୁଥିବା କିରଣ ସ୍ରୋତର ଉତ୍ପତ୍ତି ସ୍ଥଳ । ପ୍ରକୃତିର ଏହି ସୃଷ୍ଟିରେ ସନ୍ତୁଷ୍ଟ ନ ହୋଇ ମନୁଷ୍ୟ ନିଜର ବୁଦ୍ଧି ଖର୍ଚ୍ଚ କରି କୃତ୍ରିମ ଆଲୋକ ଉତ୍ସ ଆବିଷ୍କାରଦ୍ୱାରା ରାତିକୁ ଦିନରେ ପରିଣତ କରିବା ପାଇଁ ଅନବରତ ଲାଗିପଡ଼ିଛି । ସୂର୍ଯ୍ୟରୁ ଆସୁଥିବା ରଶ୍ମି ଆମକୁ କେବଳ ଆମ ଚତୁଃପାର୍ଶ୍ୱକୁ ଦେଖିବାରେ ସାହାଯ୍ୟ କରିବା ବ୍ୟତୀତ ଆହୁରି ଅଧିକ କାମ କରେ । କିନ୍ତୁ ବର୍ତ୍ତମାନ ମୁଁ ସେ ସମ୍ପର୍କରେ କିଛି କହିବାକୁ ଯାଉନି । ସୃଷ୍ଟିର ପ୍ରାରମ୍ଭରୁ ଶକ୍ତିର ଏହି ଅସରନ୍ତି ଉତ୍ସ ମାନବ ସମାଜକୁ ଭକ୍ତି ସମନ୍ୱିତ ଭୟରେ ପୂର୍ଣ୍ଣ କରିଛି ଓ ଏହାକୁ ଆରାଧନାର ଏକ ବିଷୟବସ୍ତୁ ଭାବରେ ପରିଣତ କରିଛି । ଏହି ସବୁ ଶକ୍ତିର ଉତ୍ସ ବିଜ୍ଞାନ ରାଜ୍ୟର ଏକ ପ୍ରଧାନ ସମସ୍ୟା ହୋଇ ରହି ଆସିଛି ।

 

ଆଲୋକର ପ୍ରକୃତିକୁ ଉପଲବ୍‌ଧି କରିବାପାଇଁ ସର୍ବପ୍ରଥମ ଚେଷ୍ଟା କରାଗଲା, ଯେତେବେଳେ ଆଲୋକକୁ ଆମେ ବର୍ଣ୍ଣାଳୀବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବିଶ୍ଳେଷଣ କରିବାକୁ ଚେଷ୍ଟା କଲୁଁ । ଏହି ଯନ୍ତ୍ରଟି ସୌରରଶ୍ମିକୁ ସୂକ୍ଷ୍ମ କୃଷ୍ଣରେଖାଯୁକ୍ତ ବର୍ଣ୍ଣପଟ୍ଟୀରେ ବିଭକ୍ତ କରେ । ଏହି ବର୍ଣ୍ଣପଟ୍ଟୀରେ ଥିବା ବର୍ଣ୍ଣ-ଆଲୋକ-ପଟ୍ଟୀ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ଭିତରେ କ୍ରମାଗତ ଭାବରେ ବଦଳୁଥାଏ । ସୌର ବର୍ଣ୍ଣାଳୀର ବାଇଗଣୀ ପାର୍ଶ୍ୱରୁ ଲାଲ ଆଲୋକ ପାର୍ଶ୍ୱ ପର୍ଯ୍ୟନ୍ତ ଆଖି ବୁଲାଇ ଆଣିଲେ ଖୁବ୍ ଦକ୍ଷ ଚକ୍ଷୁ ଏହି ବର୍ଣ୍ଣପଟ୍ଟୀରେ ପଚାଶ କି ଶହେ ପର୍ଯ୍ୟନ୍ତ ବିଭିନ୍ନ ବର୍ଣ୍ଣ ଦେଖିବାକୁ ପାଏ ।

 

ବର୍ଣ୍ଣାଳୀ ବୀକ୍ଷଣ ଯନ୍ତ୍ର (Spectroscope) ଆମକୁ ଶିକ୍ଷା ଦିଏ ଯେ ଆମେ ଯାହାକୁ ଅବିଭକ୍ତ ଶ୍ୱେତ ଆଲୋକ ରଶ୍ମି ବୋଲି ଭାବୁ, ତାହା ପ୍ରକୃତରେ ବିଭିନ୍ନ ବର୍ଣ୍ଣର ଆଲୋକ ରଶ୍ମିର ମିଶ୍ରଣ ବ୍ୟତୀତ ଅନ୍ୟ କିଛି ନୁହେଁ । ଆଲୋକର ପ୍ରକୃତିକୁ ବୁଝାଇବାକୁ ହେଲେ ଆମକୁ ବର୍ଣ୍ଣାଳୀର ସବୁଠାରୁ ସୂକ୍ଷ୍ମରେଖାକୁ ବିଚାରକୁ ନେବାକୁ ପଡ଼ିବ । ଏହାକୁ ଆମେ ଏକ ବର୍ଣ୍ଣଗତ ଆଲୋକରଶ୍ମି ବୋଲି କହୁଁ । ଏହି ଆଲୋକରଶ୍ମି ସାଧାରଣତଃ ବିଭିନ୍ନ ପ୍ରକାର ଗ୍ୟାସ ବା ଧାତବ ବାଷ୍ପରୁ ବିଦ୍ୟୁତ୍‍ବୀକ୍ଷଣଦ୍ୱାରା ଉତ୍ତେଜିତ ହେଲେ ସେଥି ମଧ୍ୟରୁ ନିର୍ଗତ ହୁଏ । ସୋଡ଼ିୟମ୍‌ ବାଷ୍ପ ଆଲୋକ ବ୍ୟତୀତ ପାରଦ ବାଷ୍ପବତୀ (Mercury vapour lamp) ଯାହାକି ଆଜିକାଲି ବଡ଼ ବଡ଼ ସହରର ରାସ୍ତାଘାଟକୁ ଆଲୋକିତ କରିବାରେ ସାହାଯ୍ୟ କରେ ସେଗୁଡ଼ିକର ଆଲୋକରଶ୍ମିକୁ ବର୍ଣ୍ଣାଳୀବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କଲେ ଦେଖାଯାଏ ଯେ ସେଗୁଡ଼ିକରେ ଅଳ୍ପ କେତୋଟି ଏକ ବର୍ଣ୍ଣଗତ ରଶ୍ମି ଅଛି ।

 

ବିଭିନ୍ନ ପ୍ରକାର ସରଳ ଭୌତିକ ପରୀକ୍ଷାରୁ ପ୍ରମାଣ ମିଳେ ଯେ ଏକ ବର୍ଣ୍ଣଗତ ରଶ୍ମି ମହାଶୂନ୍ୟ ଦେଇ ଗତି କଲାବେଳେ ଏକ ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟ (Wavelength) ଓ କମ୍ପନାଙ୍କ (Frequency) ବିଶିଷ୍ଟ ତରଙ୍ଗ ରୂପ ନେଇଥାଏ, ଯାହାକୁ ଧାରାଣ କରିବା ବିଶେଷ କିଛି କଷ୍ଟକର ନୁହେଁ । ମହାଶୂନ୍ୟ ମଧ୍ୟରେ ଆଲୋକର ବେଗ ବେତାର ଷ୍ଟେସନରୁ ଆସୁଥିବା ତଡ଼ିତ୍‌ ଚୁମ୍ବକ ତରଙ୍ଗର ବେଗ ସହିତ ସମାନ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଆମେ ଯାହାକୁ ଆଲୋକତରଙ୍ଗ ବୋଲି କହୁଁ ତାହା ପ୍ରକୃତରେ ଏକ ତଡ଼ିତ୍‌ ଚୁମ୍ବକତରଙ୍ଗ । ଏହାର ତରଙ୍ଗ ଦୈର୍ଘ ବର୍ଣ୍ଣାଳୀବୀକ୍ଷଣ ଯନ୍ତ୍ରର ଗୋଟିଏ ବିନ୍ଦୁଠାରୁ ଆଉ ଏକ ବିନ୍ଦୁ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ । ବେତାର ବାର୍ତ୍ତା ପ୍ରେରଣରେ ବ୍ୟବହୃତ ହେଉଥିବା କ୍ଷୁଦ୍ରତମ ତରଙ୍ଗର ତରଙ୍ଗଦୈର୍ଘ୍ୟଠାରୁ ଆଲୋକରଶ୍ମିର ତରଙ୍ଗଦୈର୍ଘ୍ୟ ଢେର କମ୍‌ । ବର୍ଣ୍ଣାଳୀରେ ଥିବା ବିଭିନ୍ନ ଏକ ବର୍ଣ୍ଣଗତ ରଶ୍ମିର ତରଙ୍ଗ ଦୈର୍ଘ୍ୟ ଓ କମ୍ପାନୀଙ୍କର ପାର୍ଥକ୍ୟଦ୍ୱାରା ବିଭିନ୍ନ ବର୍ଣ୍ଣର ଭୌତିକ ପାର୍ଥକ୍ୟ ସୂଚିତ ହୁଏ । ଦୃଶ୍ୟମାନ ଆଲୋକ ରଶ୍ମିର ତରଙ୍ଗ ଦୈର୍ଘ୍ୟ ୭୦୦୦ ଏଙ୍ଗଷ୍ଟ୍ରମ୍ ଏକକଠାରୁ ୪୦୦୦ ଏଙ୍ଗଷ୍ଟ୍ରମ୍ ଏକକ ପର୍ଯ୍ୟନ୍ତ ବିସ୍ତୃତ ଓ ଆମେ ବର୍ଣ୍ଣାଳୀର ଲାଲବର୍ଣ୍ଣଠାରୁ ବାଇଗଣି ବର୍ଣ୍ଣ ପର୍ଯ୍ୟନ୍ତ ଗଲାବେଳେ ଏହି ଦୃଶ୍ୟରଶ୍ମିର ତରଙ୍ଗଦୈର୍ଘ୍ୟ କମି କମି ଯାଏ । ଗୋଟିଏ ଏଙ୍ଗଷ୍ଟ୍ରମ୍ ଏକକ ହେଉଛି ଏକ ସେଣ୍ଟିମିଟରର ଦଶକୋଟି ଭାଗରୁ ଏକଭାଗ ମାତ୍ର ।

 

ତଡ଼ିତ୍ ଚୁମ୍ବକ ବିକିରଣ (Electromagnetic radiation)ର ପ୍ରଶସ୍ତ ବିସ୍ତାରର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ଭାବରେ ଆଲୋକ ଆମକୁ ପ୍ରତୀୟମାନ ହୁଏ । ସେଥି ସଙ୍ଗେ ସଙ୍ଗେ ସ୍ୱତଃ ପୁଣି ମନକୁ ଆସେ ଯେ ତଡ଼ିତ୍ ଚୁମ୍ବକ ବର୍ଣ୍ଣାଳୀର ଏକ ଅତି କ୍ଷୁଦ୍ର ଅଂଶକୁ ଆମେ କାହିଁକି ଉପଲବ୍‌ଧି କରିପାରୁ ? ମୋ ମତରେ ଏହି ପ୍ରଶ୍ନର ଉତ୍ତର ମିଳିବ ଯଦି ଆମେ ସୌରରଶ୍ମିର ବିକିରଣକୁ ପର୍ଯ୍ୟାଲୋଚନା କରୁ । ସୂର୍ଯ୍ୟ କିରଣକୁ ପରୀକ୍ଷା କଲେ ଦେଖାଯାଏ ଯେ ଏହାର ବର୍ଣ୍ଣାଳୀ ଦୃଶ୍ୟମାନ ବର୍ଣ୍ଣାଳୀର ଦୁଇ ପାର୍ଶ୍ୱକୁ ବିସ୍ତାର କରିଛି । ପୁନଶ୍ଚ ଏହି ବିସ୍ତାର ପୃଥିବୀ ବାୟୁମଣ୍ଡଳର ଅବଶୋଷଣ ଦ୍ୱାରା ସଂକୁଚିତ ହୋଇପଡ଼ିଛି । ଏହି ବର୍ଣ୍ଣାଳୀ ଭିତରେ ସୌରଶକ୍ତିର ବଣ୍ଟନ ସୂର୍ଯ୍ୟପୃଷ୍ଠର ୫୫୦୦ ଡିଗ୍ରୀ ସେଣ୍ଟିଗ୍ରେଡ଼୍‌ ତାପକ୍ରମ (Temperature)ଦ୍ୱାରା ନିୟନ୍ତ୍ରିତ ହୁଏ । ଯଦି କେହି ସୂର୍ଯ୍ୟ ଉତ୍ତାପର ସମଉତ୍ତାପୀ ପଦାର୍ଥଠାରୁ ନିର୍ଗତ ହେଉଥିବାର ବିକିରଣର ଶକ୍ତିବକ୍ରରେଖା (energy curve) କୁ ଅଙ୍କନ କରେ, ତେବେ ସେ ଦେଖିବାକୁ ପାଇବ ଯେ ତରଙ୍ଗ ଦୈର୍ଘ୍ୟ ଯେତେ କମି କମି ଯିବ, ଏହି ବକ୍ରରେଖା ସେତେ ଉପର ଆଡ଼କୁ ଉଠି ଉଠି ଯାଏ ଓ ୫୫୦୦ ଏଙ୍ଗଷ୍ଟ୍ରମ୍ ତରଙ୍ଗ ଦୈର୍ଘ୍ୟରେ ଏହା ସବୁଠାରୁ ଉଚ୍ଚସ୍ଥାନ ଦଖଲ କରି ରହେ ଓ ତାପରେ କ୍ଷୁଦ୍ରତର ତରଙ୍ଗ ଦୈର୍ଘ୍ୟ ପାଇଁ ଏହା କମିବାକୁ ଆରମ୍ଭ କରେ । ପୁନଶ୍ଚ ଯଦି କେହି ମଣିଷ ଆଖିର ସୁବେଦିତା (Sensitiveness)କୁ ନେଇ ଆଖି ଉପରେ ପଡ଼ୁଥିବା ଆଲୋକଶକ୍ତିର ତରଙ୍ଗ ଦୈର୍ଘ୍ୟ ସହିତ ଏକ ବକ୍ରରେଖା ଅଙ୍କନ କରେ, ତେବେ ସେ ଦେଖିବ ଯେ ଆଖିର ସବୁଠାରୁ ଅଧିକ ସୁବେଦୀଶକ୍ତି ସାଧାରଣତଃ ୫୫୦୦ ଏଙ୍ଗଷ୍ଟ୍ରମ୍ ତରଙ୍ଗ ଦୈର୍ଘ୍ୟଯୁକ୍ତ ପାଖାପାଖି ତରଙ୍ଗଠାରେ ପଡ଼େ । ମଣିଷ ଚକ୍ଷୁର ସର୍ବାଧିକ ସୂକ୍ଷ୍ମ ଚେତନତା ଓ ସୌରବର୍ଣ୍ଣାଳୀର ସର୍ବାଧିକ ଶକ୍ତି ମଧ୍ୟରେ ଏହି ଯେଉଁ ମେଳ ତାହା ପୂରାପୂରି ଆକସ୍ମିକ ବୋଲି ଧରାଯାଇପାରେ । ଏହି ମିଳନ ଆକସ୍ମିକ ହେଲେ ହେଁ ଏହା ଯେ ଅତୀବ ବିସ୍ମୟକର ଏହା ନିଃସନ୍ଦେହରେ କୁହାଯାଇପାରେ । ଜୀବବିବର୍ତ୍ତନର ବହୁକାଳ ମଧ୍ୟରେ ଆମର ଦୃଷ୍ଟିଶକ୍ତିର ବିବର୍ତ୍ତନ ଏଭଳି ହୋଇଛି ଯେ ସୌରକିରଣଦ୍ୱାରା ସ୍ପଷ୍ଟ ଆଲୋକ ବାତାବରଣକୁ ପୂରାପୂରି ବ୍ୟବହାର କରିପାରିଲାଭଳି ଶକ୍ତି ଏହାର ଅଛି ବୋଲି ଭାବିବା ଅଯୌକ୍ତିକ ନୁହେଁ ।

 

ଆମେ ଯେ ଖାଲି ଆଲୋକ ବିଷୟରେ ସଚେତନ ତା ନୁହେଁ । ଆମେ ଆମ ଦୃଷ୍ଟି ଶକ୍ତିଦ୍ୱାରା ଆମ ଚତୁଃପାର୍ଶ୍ୱକୁ ନିର୍ଭୁଲ ଭାବରେ ଜାଣିପାରୁ । ଆଉ ଗୋଟିଏ କଥା ହେଉଛି ଯେ ଆମେ ଦୃଷ୍ଟି ଶକ୍ତିଦ୍ୱାରା ଆମ ଚତୁଃପାର୍ଶ୍ୱର ଏକତ୍ରି ପରିସରଯୁକ୍ତ (Three dimensional) ଚିତ୍ର ପାଉଁ । ଏତଦ୍‌ବ୍ୟତୀତ ଦୂରରେ ବା ପାଖରେ ଥିବା ଯେ କୌଣସି ପଦାର୍ଥ ଉପରେ ଆମେ ଆମ ଦୃଷ୍ଟିକୁ ନିବିଦ୍ଧ କରେ । ଆମ ଆଖି ହେଉଛି ଏଭଳି ଗୋଟିଏ ଆଲୋକ ଯନ୍ତ୍ର ଯାହାକି ଏହା ପଛଆଡ଼େ ଥିବା ଅକ୍ଷିପଟ (retina) ନାମକ ଏକ ସଚେତନ ପରଦା ଉପରେ ଆଖିକୁ ଦିଶୁଥିବା ପଦାର୍ଥର ଏକ ଚିତ୍ର ପକାଏ । ଆମ୍ଭର ତ୍ରି-ପରିସର ଦୃଷ୍ଟି ସମ୍ଭବପର ହେବାର କାରଣ ହେଉଛି ଆମର ଦୁଇଟି ଆଖି ଓ ଦୁଇଟିଯାକ ଆଖିର ଅକ୍ଷିପଟ ଉପରେ ପଡ଼ୁଥିବା ପ୍ରତିବିମ୍ବ ପରସ୍ପରଠାରୁ କିୟତ୍ ପରିମାଣରେ ଅଲଗା । ଆମକୁ ଆହୁରି ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଆମେ ଭାବୁ ଯେ ଆମ ଆଖିକୁ ଦିଶୁଥିବା ବାହ୍ୟଜଗତର ଦୁଇଟି ଅଲଗା ଅଲଗା ଦୃଶ୍ୟ ଦେଖିବା ପରିବର୍ତ୍ତରେ ଆମେ ଗୋଟିଏ ମାତ୍ର ଦୃଶ୍ୟ ଦେଖୁ । ତାଛଡ଼ା ଆମେ ଯେଭଳି ଭାବରେ ଦୂର ବା ନିକଟ ପଦାର୍ଥ ଉପରେ ଆମ ଦୃଷ୍ଟିକୁ ନିବିଦ୍ଧ କରିପାରୁ, ତାହା ଆମ ଚକ୍ଷୁର ବିଚିତ୍ର ଗଠନ ଓ ସେଥିସହ ଏହା କିପରି ସହଜରେ ବିଭିନ୍ନ ଅବସ୍ଥା ସହିତ ଅଭିଯୋଜିତ (adjusted) ହୋଇପାରେ, ତାହାର ସାକ୍ଷ୍ୟ ଦିଏ-

 

ଆମ ଦୃଷ୍ଟିଶକ୍ତିର ଆଉ ଏକ ବିଶେଷତ୍ୱ ହେଉଛି ଯେ ଆମ ଚତୁଃପାର୍ଶ୍ୱସ୍ଥ ବିଭିନ୍ନ ଉଜ୍ଜ୍ୱଳତାକୁ ଏହା ଦକ୍ଷତାର ସହିତ ଅଭିଯୋଜିତ କରିପାରେ । ଆମେ ଯେତେବେଳେ ଖୁବ୍ ଉଜ୍ଜ୍ୱଳ ଆଲୋକରୁ ଏପରି ଅଳ୍ପ ଆଲୋକ ବିଶିଷ୍ଟ ଘର ଭିତରକୁ ଯାଉଁ, ଯେଉଁଠାରେ କି ଆଲୋକର ଉଜ୍ଜ୍ୱଳତା ଦଶଲକ୍ଷ ଭାଗରୁ ଏକଭାଗକୁ କମିଆସେ ସେତେବେଳେ ଆମ ଆଖି ପ୍ରଥମତଃ କିଛି ଅସୁବିଧାର ସମ୍ମୁଖୀନ ହେଉଥିଲେ ହେ, ଅଳ୍ପ ସମୟ ମଧ୍ୟରେ ଏହା ବେଶ୍ ଦକ୍ଷଭାବରେ ନିଜକୁ ଅଭିଯୋଜିତ କରିନେଇ ସେହି ଅଳ୍ପ ଆଲୋକରେ ଦେଖିପାରେ । ମଣିଷ ଚକ୍ଷୁର ଏତାଦୃଶ ଆଲୋକ ସଚେତନତା ବେଶ୍ ବିସ୍ମୟକର ।

 

ଆମେ ଯେଉଁ ପୃଥିବୀରେ ବସବାସକରୁ ତାହା ଯଦି ଧଳା, ଧୂସର କିମ୍ବା କଳାରଙ୍ଗ ପଦାର୍ଥରେ ତିଆରି ହୋଇଥାନ୍ତା ତେବେ ଏହା ଖୁବ୍ ଅସୁନ୍ଦର ଦିଶନ୍ତା । ବିଭିନ୍ନ ବର୍ଣ୍ଣ ଭିତରେ ଥିବା ପାର୍ଥକ୍ୟକୁ ଆମେ ଯେଭଳି ଭାବରେ ଉପଲବ୍‌ଧି କରିପାରୁ, ତାହା ଆମ ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟ ଉପଲବ୍‌ଧିରେ କମ୍‌ ସାହାଯ୍ୟ କରେ ନାହିଁ । ପୂର୍ବରୁ କୁହାଯାଇଛି ଯେ ସୌରବର୍ଣ୍ଣାଳୀର ବିଭିନ୍ନ ଅଂଶର ତରଙ୍ଗ-ଦୈର୍ଘ୍ୟ (wave length) ପାର୍ଥକ୍ୟ ଉପରେ ବର୍ଣ୍ଣଭେଦ ନୀତି ପ୍ରତିଷ୍ଠିତ । ବର୍ତ୍ତମାନ ଆଉ ଏକ ପ୍ରଶ୍ନ ହେଉଛି ଯେ ତରଙ୍ଗ ଦୈର୍ଘ୍ୟ ବା କମ୍ପାନୀଙ୍କର (frequency) ଖୁବ୍ ଅଳ୍ପ ତାରତମ୍ୟରେ ମଣିଷ ଚକ୍ଷୁରେ ବିଭିନ୍ନ ବର୍ଣ୍ଣର ଆଭାସ ସୃଷ୍ଟ ହୁଏ କିପରି । ଶରୀର ବିଜ୍ଞାନର ତଥ୍ୟ ଅନୁସାରେ ଆମ ଚକ୍ଷୁର ସେଭଳି ପାର୍ଥକ୍ୟକୁ ଉପଲବ୍‌ଧି କରିବାର ଶକ୍ତି ଅଛି । ଏ ସଂକ୍ରାନ୍ତରେ ଆଉ ଏକ କଥା କୁହାଯାଇପାରେ । ତାହା ହେଉଛି ଆମେ ପ୍ରକୃତକ୍ଷେତ୍ରରେ ଏକ ବର୍ଣ୍ଣଗତ ଆଲୋକ ରଶ୍ମି ସଂସ୍ପର୍ଶରେ ଆସୁ ନ ଥାଇଁ । ଗୋଟିଏ ପଦାର୍ଥ ଖୁବ୍ ଗାଢ଼ବର୍ଣ୍ଣଯୁକ୍ତ ଜଣା ଯାଇପାରେ; କିନ୍ତୁ ବର୍ଣ୍ଣାଳୀବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କଲେ ଏଥିରେ ସବୁଯାକ ବର୍ଣ୍ଣ ଥିବାର ପ୍ରମାଣ ମିଳିବ । ଆକାଶର ନୀଳରଙ୍ଗ ଏହାର ପ୍ରକୃଷ୍ଟ ଉଦାହରଣ ।

 

ବର୍ଣ୍ଣ ସମ୍ପର୍କୀୟ ଆଲୋଚନା ଶରୀର ସମ୍ବନ୍ଧୀୟ ଏକ ଚେତନା (physiological sensation) ଭାବରେ ପରିଗଣିତ ହୁଏ । ଏହା ମଧ୍ୟ ଖୁବ୍ ଆକର୍ଷଣୀୟ ବିଷୟ ବସ୍ତୁ । ବର୍ଣ୍ଣ ସମ୍ବନ୍ଧୀୟ ଆଲୋଚନା କଲାବେଳେ ଆମେ ଯେଉଁ ସବୁ ନୂଆ ନୂଆ ତଥ୍ୟ ସଂପର୍କରେ ଆସୁ, ସେଥି ମଧ୍ୟରେ ନିମ୍ନଲିଖିତ କେତୋଟି ପ୍ରଧାନ । ହଳଦିଆ ରଶ୍ମିର ବର୍ଣ୍ଣ, ବର୍ଣ୍ଣପଟର ଲାଲ ଓ ସବୁଜ ରଶ୍ମିକୁ ମିଶାଇ କୃତ୍ରିମ ଉପାୟରେ ସୃଷ୍ଟି କରାଯାଇପାରେ । ବର୍ଣ୍ଣାଳୀର ହଳଦିଆ ଓ ବାଇଗଣି ରଙ୍ଗକୁ ଯଥାକ୍ରମେ ଶହେଭାଗରେ ଏକଭାଗ ମିଶାଇ ଧଳା ଆଲୋକ ସୃଷ୍ଟି କରାଯାଇପାରେ । ପ୍ରତ୍ୟେକ ଜଣାଥିବା ରଙ୍ଗ ଏହି ଭଳି ମୂଳ ତ୍ରିରଙ୍ଗ ଯଥା :–ଲାଲ, ହଳଦିଆ ଓ ନୀଳରଙ୍ଗର ମିଶ୍ରଣଦ୍ୱାରା ସୃଷ୍ଟି କରାଯାଇପାରେ । ମୂଳ ତ୍ରିରଙ୍ଗ ବୋଲାଉଥିବା ରଶ୍ମିର ତରଙ୍ଗ ଦୈର୍ଘ୍ୟକୁ ଅଧିକ ପରିସର ଭିତରେ ବଦଳାଯାଇପାରେ ଓ ସେଗୁଡ଼ିକ ଏକବର୍ଣ୍ଣବିଶିଷ୍ଟ ରଶ୍ମି ନ ହୋଇ ଦୀର୍ଘ ବର୍ଣ୍ଣାଳୀପଟ୍ଟ ହୋଇ ପାରନ୍ତି-

 

ଆଲୋକ ଓ ବର୍ଣ୍ଣ ସମ୍ବନ୍ଧୀୟ କୌଣସି ଆଲୋଚନା ସମ୍ପୂର୍ଣ୍ଣ ହେବନାହିଁ, ଯେ ପର୍ଯ୍ୟନ୍ତ ଆମେ ଦୃଷ୍ଟିଭ୍ରମ (illusion) ଓ ଦୃଷ୍ଟି ଅବସନ୍ନତା (visual fatigue) ସମ୍ପର୍କରେ ଆଲୋଚନା ନ କରିଛୁ । ବିଭିନ୍ନ ଉଜ୍ଜ୍ୱଳ ଓ ବର୍ଣ୍ଣଯୁକ୍ତ ପଦାର୍ଥଉପରେ ଦୃଷ୍ଟି ନିବିଦ୍ଧ କଲେ ଆମେ ଯେଉଁ ଅନୁଭୂତି ପାଉଁ ସେଥିରେ ଏ ଦୁଇଟି ପ୍ରଧାନ ଭୂମିକା ଗ୍ରହଣ କରନ୍ତି । ବିଭିନ୍ନ ବର୍ଣ୍ଣ ପାଖକୁପାଖ ଲଗାଲଗି ହୋଇ ରଖାଗଲେ ଯେଉଁ ସବୁ ପ୍ରଭାବ, ଯଥା–ବୈଷମ୍ୟ ପ୍ରଦର୍ଶନ (contrast), ଦୃଷ୍ଟି ସମାନୁପାତ (visual harmony) ବା ସଂଘର୍ଷ ଆଦି ସୃଷ୍ଟି ହୁଏ, ସେ ସବୁର ପ୍ରଭାବ ନିର୍ଣ୍ଣୟରେ ଏଗୁଡ଼ିକ ବିଶିଷ୍ଟ ଭୂମିକା ଗ୍ରହଣ କରିଥାନ୍ତି ।

 

ଏସବୁକୁ ଛାଡ଼ି ଏଠାରେ ବର୍ଣ୍ଣାନ୍ଧତା (colour blindness) ସମ୍ବନ୍ଧରେ ବିଚାର ପଦ ନ କହିଲେ ନଚଳେ । ଆଖିର ଏହି ଦୋଷଟି ଥିଲେ ଲୋକମାନେ ଭିନ୍ନ ଭିନ୍ନ ରଙ୍ଗକୁ ଚିହ୍ନିବାକୁ ଅକ୍ଷମ ହୁଅନ୍ତି । ବିଭିନ୍ନ ପ୍ରକାରର ଚାକିରିରେ ଏହି ଦୋଷଟି ବେଳେ ବେଳେ ଖୁବ୍ ବିପଜ୍ଜନକ ହୋଇଥାଏ । ଏହି କାରଣ ପାଇଁ ଏ ସମ୍ବନ୍ଧୀୟ ଆଲୋଚନା ଆଜିକାଲି ଖୁବ୍ ଗୁରୁତ୍ୱ ଲାଭ କରିଛି ଓ ସାଧାରଣ ବର୍ଣ୍ଣ ଦୃଷ୍ଟି ଉପରେ ଏହା ଯଥେଷ୍ଟ ଆଲୋକପାତ କରିପାରିଛି ।

 

ଏହି ଅଳ୍ପଦିନ ଭିତରେ ଆଲୋକ ସହିତ ଚକ୍ଷୁର କ୍ରିୟାସମ୍ବନ୍ଧରେ ବହୁ ଗବେଷଣା କରାଯାଇଛି । ବିଶେଷତଃ ସାଧାରଣ ଦୃଷ୍ଟିକୁ ଦୃଷ୍ଟି ପଦ୍ଧତି (visual processes) ଓ ଦୃଷ୍ଟି ଅନୁଭୂତି ତଥ୍ୟକୁ ରୂପାନ୍ତରୀତ କରିବାପାଇଁ ଚେଷ୍ଟା କରାଯାଇଛି । ଏହି ତଥ୍ୟ ଗୁଡ଼ିକ ଅକ୍ଷିପଟର ଜଣାଶୁଣା ଗଠନ ଉପରେ ନିର୍ଭର କରେ ଓ ଏଥିରେ କେତେଗୁଡ଼ିଏ କାଳ୍ପନିକ ବର୍ଣ୍ଣଶୋଷୀ ପଦାର୍ଥର ଉପସ୍ଥିତ କଳ୍ପନା କରାଯାଇପାରେ । ଏହି ପଦାର୍ଥର ଉପସ୍ଥିତ କଳ୍ପନା କରାଯାଇପାରେ । ଏହି ପଦାର୍ଥ ଗୁଡ଼ିକ ଉପରେ ଆଲୋକରଶ୍ମି ପତିତ ହେଲେ ଏହା ସେହି ଆଲୋକକୁ ଶୋଷଣକରି ଏକ ଅସ୍ଥାୟୀ ରସାୟନିକ ପରିବର୍ତ୍ତନର ଆଧାର ହୁଏ । ବାସ୍ତବିକ ଉଚ୍ଚଶ୍ରେଣୀ ପ୍ରାଣୀମାନଙ୍କ ଅକ୍ଷିପଟରୁ ଏବେ ଦୃଷ୍ଟି-ନୀଳ-ଲୋହିତ (visual purple) ନାମକ ଏକ ପଦାର୍ଥ ଅଲଗା କରାଯାଇଛି, ଯାହା ଉପରେ ଉଜ୍ଜଳ ଆଲୋକରଶ୍ମି ପଡ଼ିଲା କ୍ଷଣି ତାହା ଆପେ ଆପେ ଉଭେଇଯାଏ । ଏହି ବିଷୟଟି ହିଁ ଆଧୁନିକ ଶରୀର ଆଲୋକ ବିଜ୍ଞାନରେ ନୂଆ ନୂଆ ତଥ୍ୟର ପ୍ରାରମ୍ଭ ମାତ୍ର ।

Image

 

ବିଜ୍ଞାନ ଓ ଶିଳ୍ପରେ ଆଲୋକ ଓ ବର୍ଣ୍ଣ

 

ପ୍ରାତଃକାଳରେ ବିଛଣାରୁ ଉଠିବା ଓ ଦିନସାରା କାମ କରି ସନ୍ଧ୍ୟା ସମୟରେ ପକ୍ଷୀମାନେ ବସାକୁ ଫେରିଲା ଭଳି ଘରକୁ ଯିବା ମଣିଷ ଜୀବନରେ ଏକ କ୍ରମାଗତ କାର୍ଯ୍ୟ ହୋଇପାରେ । କିନ୍ତୁ ମୋର ସନ୍ଦେହ ହୁଏ, ଦୁନିଆର ଯେ ସବୁଠାରୁ ନିର୍ଦ୍ଦୟ ଏକଛତ୍ର ଶାସକ, ସେ ମଧ୍ୟ ଏଭଳି ଜୀବନ ଯାପନକୁ ଲୋକଙ୍କ ଭିତରେ ବାଧ୍ୟ କରି ପୂରାଇବାକୁ ଇଚ୍ଛା କରିବ ନାହିଁ । ଯେଉଁମାନେ ଗ୍ରୀଷ୍ମ-ମଣ୍ଡଳୀୟ ଦେଶରେ ବାସ କରନ୍ତି, ସେମାନଙ୍କ ପକ୍ଷରେ ଏଭଳି ଜୀବନଯାପନ ସମ୍ଭବପର ହୋଇପାରେ, କିନ୍ତୁ ଯେଉଁମାନେ ବିଷୁବ ରେଖାଠାରୁ ଦୂରରେ ରହନ୍ତି, ସେମାନଙ୍କ ପକ୍ଷରେ ଏହା ସମ୍ଭବ ହେବ ନାହିଁ । କାରଣ ମେରୁମଣ୍ଡଳ ଭଳି ସ୍ଥାନରେ ସୂର୍ଯ୍ୟ କ୍ରମାଗତ ସମାସ ଧରି ଲୋକମାନଙ୍କୁ ଦେଖାଦିଅନ୍ତି ନାହିଁ । କେବଳ ମେରୁପ୍ରଭାର ଆଲୋକ (auroral light) ବଳରେ ସେ ସ୍ଥାନର ଲୋକେ ଘନ ଅନ୍ଧାକାରରୁ ନିଜକୁ ବଞ୍ଚାଇ ରଖନ୍ତି । ଭଲପାଇଁ ହେଉ ବା ଖରାପ ପାଇଁ ହେଉ, ମଣିଷ ନିଜପାଇଁ ବିଭିନ୍ନ ଆଲୋକ ସୃଷ୍ଟି କରି ରଖଛି । ଏହାବଳରେ ସେ ତାହାର ନିଜର କାର୍ଯ୍ୟ କରିବା ସମୟକୁ ଇଚ୍ଛାମୁତାବକ ବଢ଼ାଇ ପାରିଛି । ଆମେ ଯେତେ ଆଲୋକଉତ୍ସ ସଂପର୍କରେ ଆସୁଁ, ସେ ସବୁ ମଧ୍ୟରେ ସବୁଠାରୁ ପୁରୁଣା ହେଉଛି ନିଆଁ ବା ଜଳନ୍ତା କାଠ ।

 

ଥଣ୍ଡା ଦେଶମାନଙ୍କରେ ଆଲୋକ ସହିତ ତାପର ଯେଉଁ ଆବିର୍ଭାବ ଘଟେ, ତାହାକୁ ଲୋକମାନେ ଅଧିକ ଆଦର କରନ୍ତି । ଅଗ୍ନିପୂଜା ଯାହାକି ଆର୍ଯ୍ୟଧର୍ମର ଏକ ପ୍ରଦାନ ଅଙ୍ଗ, ତାହା ସମ୍ଭବତଃ ଆର୍ଯ୍ୟମାନଙ୍କ ପୂର୍ବ ପୁରୁଷମାନେ ଉତ୍ତରାଞ୍ଚଳର ବରଫାବୃତ ସ୍ଥାନରେ ରହିଥିଲା ବେଳରୁ ଆରମ୍ଭ ।

 

ମଣିଷ ତିଆରି ଆଲୋକ ବତି ପରବର୍ତ୍ତୀ କାଳରେ ବହୁ ଉନ୍ନତ ସ୍ତର ଦେଇ ଗତି କରିଛି-। ଆମେ ଭାରତ ବର୍ଷରେ ଆମ୍ଭମାନଙ୍କର ଅତି ପରିଚିତ କଂସାରୁ ତିଆରି ଜଡ଼ାତେଲ ପ୍ରଦୀପ ସହିତ ପରିଚିତ । କିନ୍ତୁ ସମୟର ଗତିରେ ତାହା ଅତି ପୁରୁଣା ବୋଲି ବିବେଚିତ ହୋଇ କେଉଁ ଅନ୍ଧକାର କୋଣରେ ଆଶ୍ରୟ ନେଲାଣି । ପୁରୁଣା କାଳିଆ ନୀତି ବଦଳି ଯାଇ ତା ସ୍ଥାନରେ ନୂଆ ନୂଆ କଥା ସ୍ଥାନ ନେଇଛି । ଯାହା ଫଳରେ ଆଜିକାଲି କିରୋସିନି ତେଲ ପ୍ରଦୀପ, ଗେସ୍‌ ମେଣ୍ଟାଲ୍‌ ପ୍ରଦୀପ, ଧାତୁ ଫିଲାମେଣ୍ଟ (filament) ପ୍ରଦୀପ, ଅଙ୍ଗାର ଫିଲାମେଣ୍ଟ ପ୍ରଦୀପ, ଗ୍ୟାସ ପୂର୍ଣ୍ଣ ପ୍ରଦୀପ, ଲଘୁ ଓ ଗୁରୁଚାପ ବିଶିଷ୍ଟ ପାରଦ ଶାଖା ପ୍ରଦୀପ, ସୋଡ଼ିୟମ୍ (Sodium) ପ୍ରଦୀପ ଆଜି ବିଶେଷ ଭାବରେ ସ୍ଥାନ ଅଧିକାର କରି ବସିଛି ।

 

ଆଲୋକ ଉତ୍ସର ଉପକାରିତା ବିଷୟରେ ବହୁ କଥା କୁହାଯାଇପାରେ । ନିଜ ରୂପ ଓ ପୋଷକ ପତ୍ର ଆଦି କୃତ୍ରିମାଲୋକରେ ଦିନାଲୋକ ଅପେକ୍ଷା ବେଳେ ବେଳେ ଯଥେଷ୍ଟ ପୃଥକ୍ ଦିଶେ । ଏହା ସବୁବେଳେ ଅସୁବିଧାଜନକ ନୁହେଁ । କାରଣ ପ୍ରତ୍ୟେକ ଯୁବତୀ ଏହାକୁ ଜାଣେ । କିନ୍ତୁ ବ୍ୟାବହାରିକ ଦୃଷ୍ଟିରୁ ସେହି କୃତ୍ରିମାଲୋକ ସବୁଠାରୁ ଅଧିକ ଉପଯୋଗୀ, ଯାହାକି ଦିବାଲୋକ ଭଳି ଆଲୋକ ପ୍ରଦାନ କରିପାରେ । ପୁନଶ୍ଚ କୃତ୍ରିମ ଆଲୋକ ଦିବାଲୋକ ଭଳି ଯେତେ ବିଚ୍ଛୁରିତ ହେବ, ଏହା ସେତେ ଆରାମପ୍ରଦ ହେବ । ଗୋଟିଏ ଖୁବ୍ ଉଜ୍ଜ୍ୱଳ ଓ ଝଲସୁଥିବା କୋଠରି ଭିତରକୁ ପଶିଗଲେ କେତେ ଆଶ୍ୱସ୍ତି ଲାଗେ, ତାହା (dome shade) ଓ ଅନ୍ୟାନ୍ୟ ପଦ୍ଧତି ପ୍ରୟୋଗ କରି ବିଚ୍ଛୁରିତ ଆଲୋକ ସୃଷ୍ଟି କରିବାର କୌଶଳ ଆଜିକାଲି ଖୁବ୍ ଆଦୃତ ହୋଇଛି । ଆଲୋକ ବତିର ବିଭିନ୍ନ ପ୍ରକାର ବର୍ଣ୍ଣର ଉପଯୋଗ, କୃତ୍ରିମ ଆଲୋକ ବତିର ସୌନ୍ଦର୍ଯ୍ୟ ଉପରେ ଯଥେଷ୍ଟ ପ୍ରଭାବ ପକାଏ ।

 

ପୁରାକାଳର ଆଲୋକ ଉତ୍ପାଦନ ପଦ୍ଧତିରେ ଆଲୋକ ସଙ୍ଗେ ସଙ୍ଗେ ତାପ ଶକ୍ତି ମଧ୍ୟ ଉତ୍ପାଦିତ ହୋଇଥାଏ । ଏହା ଅବଶ୍ୟ ଏକ କ୍ଷତିକାରକ ପଦ୍ଧତି, ଆମେ କେତେକ ପଦାର୍ଥକୁ ଉଚ୍ଚ ଉତ୍ତାପକୁ ଉତ୍ତପ୍ତ କରି ସେଥିରୁ ଆଲୋକ ଉତ୍ପାଦନ କରିପାରୁ । ପଦାର୍ଥର ଉତ୍ତାପ ଯେତେ ବେଶି ହେବ, ଏହା ସେତେ ଅଧିକ ଆଲୋକ ଓ ସେଥିସହ ତାପ ଉତ୍ପାଦନ କରି ପାରିବ । ଉତ୍ତାପ ଯେତେ ଅଧିକ ହୁଏ, ଆଲୋକ ଓ ତାପର ଅନୁପାତ ସେତେ ବଢ଼ିବାକୁ ଲାଗେ । ଯେଉଁ ବତିରେ ଉତ୍ପନ୍ନ ହେଉଥିବା ଶକ୍ତି ପୂରାପୂରି ଆଲୋକ ଶକ୍ତିରେ ପରିଣତ ହୁଏ, ତାହାହିଁ ଏକ ଆଦର୍ଶ ବତି ଭାବରେ ପରିଗଣିତ ହୁଏ । ସେହି ବତିରେ ତାପ ସୃଷ୍ଟି ହୋଇ, ଶକ୍ତିର ଅଯଥା କ୍ଷୟ ଘଟାଏ ନାହିଁ । ଅନେକେ ମତ ଦିଅନ୍ତି ଯେ ବିଜୁଳୀ ପୋକ (fire-fly)ର ଆଲୋକ ପ୍ରକୃତି ପକ୍ଷେ ଏକ ଆଦର୍ଶ ଆଲୋକ, କାରଣ ଏଥିରେ ତାପ ସୃଷ୍ଟି ହୋଇ ଶକ୍ତିର ଅଯଥା ଅପଚୟ ଘଟେ ନାହିଁ । ପ୍ରକୃତିରେ ଏହିଭଳି ଆହୁରି କେତେକ ଜୀବ ଅଛନ୍ତି, ଯେଉଁମାନେ କି ନିଜ ନିଜର ଆଲୋକଦ୍ୱାରା ନିଜ ଦେହ ତଥା ଚତୁଃପାର୍ଶ୍ୱକୁ ଆଲୋକିତ କରନ୍ତି । ଆମ ସମୁଦ୍ର ଜଳରେ ଆହୁରି କେତେ ପ୍ରକାର ଜଳଚର ଜୀବ ବାସ କରନ୍ତି, ଯେଉଁମାନଙ୍କର ନିଜର ଆଲୋକ ଅଛି ଓ ଏହି ଆଲୋକକୁ ଲୋକେ ଜୀବନ୍ତ ଆଲୋକ ଆଖ୍ୟା ଦିଅନ୍ତି । ଏହି ଜୀବମାନଙ୍କର ଆଲୋକ କିପରି ବିକିରତ ହୁଏ, ସେ ସମ୍ବନ୍ଧରେ ଆଧୁନିକ ବୈଜ୍ଞାନିକମାନେ ନାନା ଗବେଷଣା ଚଳାଇଛନ୍ତି । ଆଉ କିଛିଦିନ ଭିତରେ ଆମର ବୈଜ୍ଞାନିକମାନେ ସାଗର ତଳର ମାଛମାନଙ୍କ ସହ ପ୍ରତିଯୋଗିତା କରି ସେହିଭଳି ଆଲୋକ ରାସାୟନିକ ଉପାୟରେ ଉତ୍ପାଦନ କରି ଆମକୁ ଯୋଗାଇ ପାରିବେ । ପ୍ରକୃତ ପକ୍ଷେ ଆଜିକାଲି ଆମେ କେତେ ପ୍ରକ୍ରିୟା ଜାଣୁ ଯେଉଁ ପ୍ରକ୍ରିୟାରେ ତାପଶକ୍ତି ଉତ୍ପନ୍ନ ନ ହୋଇ କେବଳ ଆଲୋକ ଶକ୍ତି ଉତ୍ପନ୍ନ ହୁଏ ।

 

ସେହିଭଳି ଆଲୋକର ପାଖାପାଖି ଏକ ଆଦର୍ଶ ଆଲୋକ ସଂଦୀପ୍ତ-ପଦ୍ଧତି (Lumini-scence) ରେ ମିଳେ । ବୋଲନା ସହରର ଜନୈକ ମୋତି ଆବିଷ୍କାର କରିଥିଲା ଯେ ଜିପସ୍‌ମ (Gypsum) ନାମକ ଏକ ପ୍ରକାର ଖଣିଜ ପଦାର୍ଥକୁ ଉତ୍ତପ୍ତ କଲେ, ତାହା ଏପରି ଏକ ପଦାର୍ଥରେ ପରିଣତ ହୁଏ, ଯେଉଁ ପଦାର୍ଥଟି ଅନ୍ଧକାରରେ ଆଲୋକ ବିକିରଣ କରିବାର ଅଦ୍ଭୁତ ଶକ୍ତି ହାସଲ କରେ । ଏହି ପ୍ରାକୃତିକ ଦୃଶ୍ୟଟି ବହୁଦିନ ଧରି ବୈଜ୍ଞାନିକମାନଙ୍କର କୌତୂହଳ ଉଦ୍ଦୀପକ ବିଷୟବସ୍ତୁ ଭାବରେ ରହି ଆସିଛି ଓ ସେଥିପାଇଁ ଏହି ବିଷୟଟି ଉପରେ ବହୁ ଗବେଷଣା ସମ୍ଭବପର ହୋଇଛି । ଏହିସବୁ ଗବେଷଣା ଆମକୁ ସଂଦୀପ୍ତ ପ୍ରଭା (Lumini-scence) ସମ୍ବନ୍ଧରେ ବହୁ ଜ୍ଞାନ ପ୍ରଦାନ କରିଛି ଓ ଏହାକୁ କିପରି ଉତ୍ପାଦନ କରି ହେବ, ତାହାମଧ୍ୟ ଜଣାଯାଇଛି । ଗୋଟିଏ ପଦାର୍ଥକୁ ସଂଦୀପ୍ତ (lumini-scent) ବୋଲାଯାଏ, ଯେତେବେଳେ ପଦାର୍ଥଟି ବର୍ଣ୍ଣାଳୀର ନିର୍ଦ୍ଦିଷ୍ଟ ପରିସର ଭିତରେ ଯଥେଷ୍ଟ ଆଲୋକ ପ୍ରଦାନ କରେ ଓ ତାହା ପଦାର୍ଥଟିକୁ ଉତ୍ତପ୍ତ କରିବାଦ୍ୱାରା ପ୍ରାପ୍ତ ଆଲୋକଠାରୁ ଅଧିକ ହୁଏ । ସଂଦୀପ୍ତ ପ୍ରଭା ବିଭିନ୍ନ ପ୍ରକାରରେ ଉତ୍ପାଦିତ ହୋଇପାରେ । ସବୁଠାରୁ ଅଧିକ ଜଣାଶୁଣା ପଦ୍ଧତି ହେଉଛି ଅତି ବାଇଗଣୀ (ultraviolet) ରଶ୍ମିର ଉତ୍ତେଜନାଦ୍ୱାରା ଅଦୃଶ୍ୟ ଅତି ବାଇଗଣୀ (ultraviolet) ରଶ୍ମି ଭିତରେ ରହି ଅତିଉଜ୍ଜ୍ୱଳ ଦିଶେ । ମୋ ପାଖରେ ଏପରି ଖଣ୍ଡିଏ ହୀରା ଅଛି, ଯାହାକି ଅନ୍ଧକାର ଗୃହରେ ଗାଢ଼ ଅତି ବାଇଗଣୀ ରଶ୍ମିର ପ୍ରଭାବରେ ଏତେ ଆଲୋକ ଅଦୃଶ୍ୟ ବିକିରଣ କରେ, ଯେଉଁ ଆଲୋକରେ ଜଣେ ଲୋକ ଖଣ୍ଡିଏ ଖବର କାଗଜ ପଢ଼ି ପାରିବ ।

 

ଏତଦ୍‌ବ୍ୟତୀତ ଆହୁରି କେତେକ ପ୍ରକାରର ଉତ୍ତେଜନାମୂଳକ ସଂଦୀପ୍ତ ପ୍ରଭା ଅଛି । ସେଥିମଧ୍ୟରୁ ଗୋଟିଏ ସୃଷ୍ଟି ହୁଏ, ଇଲେକ୍‌ଟ୍ରନ୍‌ ସ୍ରୋତ ବା କେଥୋଡ଼ ରଶ୍ମିର ଆଘାତରୁ । ରଞ୍ଜନ ରଶ୍ମିର ଆଘାତରେ ସେହିଭଳି କେତେକ ପ୍ରଭା ସୃଷ୍ଟି ହେବାର ଜଣାଯାଏ କେତେକ କଠିନ ପଦାର୍ଥକୁ ତେଜସ୍କ୍ରିୟ ରଶ୍ମିଦ୍ୱାରା ଆଘାତ କଲେ, ସଂଦୀପ୍ତ ପ୍ରଭାସୃଷ୍ଟି ହୁଏ । ଜିଙ୍କ୍ ସଲଫାଇଡ୍‍ (Zinc Sulphide) ଏହିଭଳି ଏକ କଠିନ ପଦାର୍ଥ ଭିତରୁ ଗୋଟିଏ ।

 

ସଂଦୀପ୍ତ ପ୍ରଭା (Luminiscence) ପୁଣି ଦୁଇ ଜାତିର । ଗୋଟିଏ ହେଉଛି ଉତ୍ତେଜନା (excitement) ଦ୍ୱାରା ଆଲୋକ ଉତ୍ପାଦନ । ତାହାକୁ କହନ୍ତି ପ୍ରତିପ୍ରଭ (fluorescence) । ଉତ୍ତେଜନା ଅନୁପସ୍ଥିତିରେ ଯେଉଁ ପଦାର୍ଥ ଆଲୋକ ବିକିରଣ କରେ ତାହା ହେଉଛି ଦ୍ୱିତୀୟ ଜାତିର । ଏହାକୁ ପ୍ରସ୍ଫୁରଣ (Phosphorescence) କହନ୍ତି । ଏହି ଶେଷୋକ୍ତ ପ୍ରକୃତିଟି ପଦାର୍ଥକୁ ଅନ୍ଧାରରେ ମଧ୍ୟ ଉଜ୍ଜ୍ୱଳତା ରକ୍ଷା କରିବା ଦିଗରେ ସାହାଯ୍ୟ କରେ । ଏହି ପଦାର୍ଥଟି ପୂର୍ବ ଉତ୍ତେଜନାରୁ ଯେଉଁ ଶକ୍ତି ସଞ୍ଚୟ କରି ଥାଏ, ତାହା ଏହି ଅନ୍ଧକାରରେ ଆଲୋକ ରୂପରେ ବିକିରଣ କରି ଉଜ୍ଜ୍ୱଳ ଦିଶେ । ବହୁ ସମୟ ବିତିଗଲେ ପ୍ରତ୍ୟେକ ପ୍ରତିପ୍ରଭ ପଦାର୍ଥ ପୁନଃ ଉତ୍ତେଜିତ ହେବା ପର୍ଯ୍ୟନ୍ତ ଆଲୋକ ବିକିରଣରୁ ବିରତ ହୁଅନ୍ତି ।

 

ଗତ କୋଡ଼ିଏ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ଭିତରେ ସଂଦୀପ୍ତ ପ୍ରଭା ବ୍ୟାବହାରିକ ବିଜ୍ଞାନ ଦୃଷ୍ଟିରୁ ଯଥେଷ୍ଟ ଉପରକୁ ଉଠି ପାରିଛି, ବିଶେଷତଃ ପ୍ରତି-ପ୍ରଭ ବତିର ଉନ୍ନତି ତଥା ବ୍ୟବହାର ଫଳରେ । ଏହି ବତିଗୁଡ଼ିକ ଗୋଟିଏ ପ୍ରକାର କାଚ ନଳୀରୁ ତିଆରି । ଏହି ନଳୀର ଭିତର ପାଖରେ ସଂଦୀପ୍ତ ପ୍ରଭା ପ୍ରକୃତିବିଶିଷ୍ଟ ରାସାୟନିକ ପଦାର୍ଥର ଏକ ପତଳା ସ୍ୱଛ ଆବରଣ ବା ଲେପ ଦିଆ ଯାଇଥିବାରୁ ଏହି ନଳୀ ଭିତରେ ବିଦ୍ୟୁତ୍‍ କ୍ଷରଣ ହେଲେ ଖୁବ୍‌ ଉଜ୍ଜ୍ୱଳ ଆଲୋକ ଉତ୍ପନ୍ନ ହୁଏ ।

 

ଅଦୃଶ୍ୟ ଅତି ବାଇଗଣୀରଶ୍ମି ବିଦ୍ୟୁତ୍‍କ୍ଷରଣଦ୍ୱାରା ଉତ୍ପନ୍ନ ହୋଇ ଏହି ଆବରଣଦ୍ୱାରା ଦୃଶ୍ୟାଲୋକରେ ପରିଣତ ହୁଏ । ଏହି ଧରଣର ଆଲୋକବତି ଆଜିକାଲି ବହୁସ୍ଥାନରେ ବ୍ୟବହୃତ ହେଉଛି । ଯଦିଚ ସେହି ସବୁ ବତିର ନାନା ଦୋଷତ୍ରୁଟି ରହିଛି, ତଥାପି ସେଗୁଡ଼ିକର ଆଲୋକ ବିକିରଣ ଦକ୍ଷତା ଖୁବ୍‌ ଉଚ୍ଚରେ ଥିବାରୁ ସେ ଗୁଡ଼ିକର ପ୍ରସାର ଦିନକୁ ଦିନ ବଢ଼ିବ ବୋଲି ଆଶା ।

 

କେଥୋଡ଼୍‌ ରଶ୍ମି (Cathodary) ବା ଇଲେକ୍‌ଟ୍ରନ୍‌ ସଂଘାତଦ୍ୱାରା ଉତ୍ତେଜିତ ସଂଦୀପ୍ତ ପ୍ରଭାର ବ୍ୟାବହାରିକ କ୍ଷେତ୍ରରେ ବହୁ ଉପଯୋଗ ଥିବାର ଆଜିକାଲି ଦେଖିବାକୁ ମିଳେ । କେଥୋଡ଼୍‍-ରେ-ଅସିଲୋଗ୍ରାଫଯନ୍ତ୍ର, (Oscillograph), ଟେଲିଭିଜନ ଓ ଇଲେକଟ୍ରନ୍‌ ଅଣୁବୀକ୍ଷଣ ଯନ୍ତ୍ରରେ ଏହି ଧରଣ ପ୍ରଭାର ବ୍ୟବହାର ଦେଖିବାକୁ ମିଳେ । ଏହି ଯନ୍ତ୍ରମାନଙ୍କରେ ଯେଉଁ ପ୍ରତିପ୍ରଭ ପରଦା ବ୍ୟବହୃତ ହୁଏ, ସେହି ପରଦା ଖୁବ୍‌ଦକ୍ଷତାର ସହିତ ତିଆରି ହୋଇପାରିଛି-। ଟେଲିଭିଜନ୍‌ର କ୍ରମାଗତ ଉନ୍ନତି ଫଳରେ ଏହି ପଦ୍ଧତିରେ ଆହୁରି ଉନ୍ନତି ଆଶା କରିବା ସମୀଚୀନ ।

 

ଆଜିକାଲି ଯେଉଁ ସଂଦୀପ୍ତ ପ୍ରଭାଯୁକ୍ତ ରଙ୍ଗ ଆବିଷ୍କୃତ ହୋଇଛି ତା କଥା ଅନେକେ ଅଳ୍ପ ବହୁତ ଜାଣନ୍ତି । ସେହି ରଙ୍ଗର ବହୁଳ ବ୍ୟବହାର ଆଜିକାଲି ଦେଖାଯାଉଅଛି । ଏହି ରଙ୍ଗ ପୁଣି ଦୁଇ ପ୍ରକାରର । ଗୋଟିଏ ହେଉଛି ପ୍ରତିପ୍ରଭ-ଯୁକ୍ତ ରଙ୍ଗ ଓ ଅନ୍ୟଟି ପ୍ରସ୍ଫୁରଣ-ଯୁକ୍ତ ରଙ୍ଗ । ନାନା ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ, ବିଶେଷତଃ ଦୁଆର, ପାହାଚ ଓ ବିପଦସଂକୁଳ ସ୍ଥାନମାନଙ୍କରେ ଏହି ରଙ୍ଗକୁ ଲେପଦେଇ, ସେଗୁଡ଼ିକୁ ଅନ୍ଧକାରରେ ବା ଅଳ୍ପାଲୋକରେ ବେଶ୍‌ ଉଜ୍ଜ୍ୱଳ କରିହୁଏ ।

 

ଏପରି କେତେକ ବିଶୁଦ୍ଧ ରାସାୟନିକ ପଦାର୍ଥ ଅଛି, ଯାହାକି ଖୁବ୍‌ ସହଜରେ ଉତ୍ତେଜିତ ହୋଇ ସଂଦୀପ୍ତ ପ୍ରଭା ହାସଲ କରେ । ଏତଦ୍‌ବ୍ୟତୀତ ବହୁ କଠିନ ପଦାର୍ଥରେ ନାନା ପ୍ରକାର ଅପଦ୍ରବ(Impurity)ର ଉପସ୍ଥିତିରେ ସଂଦୀପ୍ତ ପ୍ରଭାର ବିକାଶ ଘଟିଥାଏ । ଅନେକ ସମୟରେ ଏହି ଅପଦ୍ରବର ପରିମାଣ ଆଶାତୀତ ଭାବରେ କମ୍‌ ଥାଏ । ଏହାର ଗୋଟିଏ ପ୍ରଧାନ ଉଦାହରଣ ହେଉଛି ମରକତି-ମଣି (Ruby) । ମରକତ ମଣିର ଗାଢ଼ ରକ୍ତିମ ସଂଦୀପ୍ତ ପ୍ରଭା ମରକତ ମଣିର ଭିତରେ ଥିବା ଦାନାଯୁକ୍ତ ଏଲୁମିନା (Alumina) ମଧ୍ୟରେ ଖୁବ୍‌ କମ୍‌ ପରିମାଣରେ କ୍ରୋମିକ-ଅକ୍‌ସାଇଡ଼୍‌(Chromic oxide) ଖେଳାଇ ହୋଇ ରହିଥିବା ଯୋଗୁଁ ଘଟିଥାଏ । ଅପଦ୍ରବର ପ୍ରକୃତି ଓ ପରିମାଣର ପରିବର୍ତ୍ତନ ଅନୁଯାୟୀ ସଂଦୀପ୍ତ ପ୍ରଭାର ବର୍ଣ୍ଣ ଓ ଉଜ୍ଜ୍ୱଳତାକୁ ନିୟନ୍ତ୍ରଣ କରିହୁଏ । ଏଠାରେ ଏକ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ଯେ ଖୁବ୍‌ କମ୍‌ ପରିମାଣର ନିକେଲ ଧାତୁ ଅପଦ୍ରବ ଭାବରେ ଥାଇ କୌଣସି ପଦାର୍ଥର ପ୍ରସ୍ଫୁରଣ ଶକ୍ତିକୁ ପୂରାପୂରି ବିନିଷ୍ଟ କରିପାରେ, ଯଦିଚ ଏହା ପ୍ରତିପ୍ରଭ ପ୍ରକୃତିକୁ ନଷ୍ଟକରିପାରେ ନାହିଁ । ବିଜ୍ଞାନ ରାଜ୍ୟରେ ଏହି ବିଷୟଟି ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ବହୁକ୍ଷେତ୍ରରେ ବିଶେଷତଃ ଟେଲିଭିଜନ୍‌ ସଂଗ୍ରାହକ ଯନ୍ତ୍ରରେ କେଥୋଡ଼୍‍-ରଶ୍ମି-ଆଘାତଦ୍ୱାରା ଖୁବ୍‌ ଉଜ୍ଜ୍ୱଳ ପ୍ରତିପ୍ରଭ ଆଲୋକ ଦରକାର ହୁଏ, କିନ୍ତୁ ପ୍ରସ୍ଫୁରଣ ପ୍ରଭା ଦରକାର ହୁଏ ନାହିଁ । ସଂଦୀପ୍ତ ପ୍ରଭା ଏହିଭଳି ଭାବରେ ବିଜ୍ଞାନ ଜଗତରେ ନାନା ଗବେଷଣାରେ ସାହାଯ୍ୟକାରୀ ହୋଇ ବିଜ୍ଞାନକୁ ଆଗେଇ ନେବାରେ ଯଥେଷ୍ଟ ସାହାଯ୍ୟ କରିଛି ।

 

ଅନ୍ୟାନ୍ୟ ସୁଖ ସୁବିଧା ଭଳି ଆଲୋକ ଉତ୍ପାଦନରେ ଯଥେଷ୍ଟ ବ୍ୟୟ କରିବାକୁ ପଡ଼ିଥାଏ । ତେଣୁ ଏହାର ମାପ ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଭୌତିକ (Physical) ତଥା ଶରୀରତତ୍ତ୍ୱ (Physiology) ଦୃଷ୍ଟିରୁ, ଆଲୋକର ଉଜ୍ଜ୍ୱଳତାକୁ ମାପିବା ପାଇଁ ଯନ୍ତ୍ରପାତି ଆବିଷ୍କାର କରିବା ଦିଗରେ ବହୁ ଉନ୍ନତି ସାଧିତ ହୋଇଯାଉଛି । ଏ ଦିଗରେ ସବୁଠାରୁ ଉପକାରୀ ଓ ଉପଯୋଗୀ ଯନ୍ତ୍ର ହେଉଛି ବିଦ୍ୟୁତଚାଳିତ ଏକପ୍ରକାର ଆଲୋକ ମାପକ ଯନ୍ତ୍ର । ଯେତେବେଳେ ଆଲୋକରଶ୍ମି ବିଦ୍ୟୁତ୍‍ ଅର୍ଦ୍ଧପରିବାହୀ (Semi-Conductor) ସେଲିବିୟମ୍‌ ବା କିଉପ୍ରସ୍‌ ଅକ୍‌ସାଇଡ୍‍ (Cuprous Oxide) ଉପରେ ପଡ଼େ, ସେତେବେଳେ ବିଦ୍ୟୁତ୍‍ ସ୍ରୋତ ଉତ୍ପନ୍ନ ହୁଏ ଓ ଏହା ବିଦ୍ୟୁତ୍‍ ସଂଚାୟକ କୋଷ ନଥାଇ ଏକ ଆବଦ୍ଧ ବେଷ୍ଟନୀ ଭିତରେ (Closed Circuit) ଗତିକରେ ଓ ଏହି ଭଳି ଗତି କରିବାଦ୍ୱାରା ଏହା ଆଲୋକ ମାପକ ଯନ୍ତ୍ର ଭାବରେ କାର୍ଯ୍ୟକରେ । ଏହି ପଦ୍ଧତି ସାହାଯ୍ୟରେ ଆଲୋକ-ତଡ଼ିତ କୋଷ (Photo Cell) ବା ସୂକ୍ଷ୍ମ ବିଦ୍ୟୁତ୍‍ ମାପକ ଯନ୍ତ୍ର କାର୍ଯ୍ୟକରେ । ଏହି ଯନ୍ତ୍ର ଦୁଇଟିକୁ ସଂଯୋଗ କରାଯାଇ ଏକ ସୁନ୍ଦର ଯନ୍ତ୍ର ତିଆରି କରାଯାଇପାରେ ।

 

ବର୍ଣ୍ଣମାପ ପ୍ରଣାଳୀ ସାଧାରଣ ଆଲୋକ ମାପକ ଯନ୍ତ୍ରଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ । ବିଭିନ୍ନ ଶବ୍ଦର ଗୁଣ ଓ ତାନ ଭିତରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ଧରିବା ଯେପରି ଜଣେ ସୁଦକ୍ଷ ଗାୟକ ପକ୍ଷରେ ସମ୍ଭବପର, ସେହିଭଳି ବିଭିନ୍ନ ବର୍ଣ୍ଣର ଗାଢ଼ତା ଭିତରେ ଥିବା ପାର୍ଥକ୍ୟକୁ ଧରି ପାରିବା ଏଥିରେ ଜଣେ ବିଶେଷଜ୍ଞ ପକ୍ଷରେ ସମ୍ଭବପର । ସଂଗୀତ ବିଦ୍ୟାରେ ଯେପରି ଆମର ଚେତନା ଶକ୍ତିକୁ ବିଶ୍ଳେଷଣ କରାଯାଇ ମୂଳ ପଦାର୍ଥଠାରେ ପହଞ୍ଚି ହୁଏ, ସେହିଭଳି ବର୍ଣ୍ଣକୁ ବିଶ୍ଳେଷଣ କରାଯାଇ ମୂଳ ବର୍ଣ୍ଣଠାରେ ପହଞ୍ଚି ହୁଏ । ଆଜିକାଲି ଏପରି କେତେକ ଦକ୍ଷ ଆଲୋକ ଯନ୍ତ୍ରପାତି ଉଦ୍ଭାବିତ ହେଲାଣି, ଯାହା ଦ୍ୱାରା ଏପରି ଅନେକ କାର୍ଯ୍ୟ ଦକ୍ଷତାର ସହିତ କରିହୁଏ, ଯାହାକୁ କି ବର୍ଣ୍ଣ ବିଷୟରେ ବିଶେଷଜ୍ଞ ଜଣେ ଲୋକ ପକ୍ଷରେ ବିନା ଯନ୍ତ୍ରପାତି ସାହାଯ୍ୟରେ କରିବା ଅସମ୍ଭବ ।

Image

 

ପୁରପଲ୍ଲୀର ପଦାର୍ଥବିଜ୍ଞାନ (ମାଟି)

 

ସବୁ ଚାଷ ତଥା ମାନବିକ ସଭ୍ୟତାର ମୂଳ ହେଉଛି ପୃଥିବୀ ପୃଷ୍ଠସ୍ଥ ମାଟି । ମାଟିର ପ୍ରକୃତି ଓ ଧର୍ମର ଅନୁଧ୍ୟାନ ଓ ବିଭିନ୍ନ ଚାଷପ୍ରଣାଳୀ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ଜ୍ଞାନାର୍ଜ୍ଜନ କରିବା ଏକ ପ୍ରିୟ ବସ୍ତୁ ହୋଇଛି ।

 

ଭୌତିକ ତଥା ରାସାୟନିକ ବିଜ୍ଞାନ ଦୃଷ୍ଟିରୁ ମାଟି ଏକ ଜଟିଳ ଓ ପରିବର୍ତ୍ତନଶୀଳ ପ୍ରକୃତିବିଶିଷ୍ଟ ଏକ ପଦାର୍ଥ ବା ବସ୍ତୁ ଭାବରେ ପରିଗଣିତ ହୁଏ । ଆମେ ଯେତେବେଳେ ମାଟିର ମୂଳ ପ୍ରକୃତି ତଥା ମଣିଷଦ୍ୱାରା ଏହାର ଯେଉଁ କ୍ରମପରିବର୍ତ୍ତନ ଘଟିଛି, ସେ ସମ୍ବନ୍ଧରେ ଆଲୋଚନା କରୁ, ସେତେବେଳେ ଆମେ ଆଶ୍ଚର୍ଯ୍ୟାନ୍ୱିତ ନହୋଇ ରହିପାରୁନାହିଁ । ସାଧାରଣ ଚାଷ ଜମିର ମୃତ୍ତିକାକୁ ପରୀକ୍ଷା କଲେ ଏହା ବିଭିନ୍ନ ଜାତି ତଥା ଆକାର ବିଶିଷ୍ଟ ଖଣିଜ-ପଦାର୍ଥକଣିକା (Mineral Particles)ର ସମଷ୍ଟି ଭାବରେ ଜଣାପଡ଼େ । ଏହି କଣିକାର ଆକାର ବେଳେ ବେଳେ ବାଲିଗରଡ଼ା ଭଳି ବଡ଼ ବଡ଼ ଓ ବେଳେବେଳେ ଏତେ ଛୋଟ ଯେ ଆଖିକୁ ଦିଶିବା ତ ଦୂରର କଥା, ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ରତଳେ ମଧ୍ୟ ସେଗୁଡ଼ିକୁ ଦେଖି ହୁଏନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ସାଧାରଣ ମାଟିରେ ଏହି କଣିକାଗୁଡ଼ିକର ସଂଖ୍ୟା ମାଟିର ଓଜନ ତୁଳନାରେ ଯଥେଷ୍ଟ ବେଶି । କୌଣସି ମୃତ୍ତିକାର ପ୍ରକୃତି ମୃତ୍ତିକାରେ ଥିବା କଣିକାର ଆକାର ଉପରେ ନିର୍ଭର କରେ । ତେଣୁ ମୃତ୍ତିକାର ବୈଜ୍ଞାନିକ ଆଲୋଚନା ପାଇଁ ମାଟିର ଯାନ୍ତ୍ରିକ (Mechanical) ବିଶ୍ଳେଷଣ ପ୍ରତି ଅଧିକ ଧ୍ୟାନ ଦିଆଯାଏ । ଏଥିପାଇଁ ମାଟିରେ ଥିବା ବିଭିନ୍ନ କଣିକାର ଆକୃତି ଦୃଷ୍ଟିରୁ ତାହାକୁ ଅଲଗା ଅଲଗା ଶ୍ରେଣୀରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ଶ୍ରେଣୀରେ ସେଗୁଡ଼ିକର ପରିମାଣ ନିର୍ଣ୍ଣୟ କରାଯାଏ । ସେଥିପାଇଁ ଯେଉଁ ପଦ୍ଧତି ଆବିଷ୍କୃତ ହୋଇଛି ସେଥିରେ ମାଟି ସହିତ ଜଳ ମିଶାଇ ଗୋଳାଯାଏ ଓ ପରେ ତାକୁ ଏକ ସ୍ତମ୍ଭାକାର ପାତ୍ରରେ ବସିବାକୁ ଦିଆଯାଏ । ଏପରି କଲେ ବିଭିନ୍ନ ଆକାରର କଣିକା ଯେଉଁ ବେଗରେ ତଳେ ବସିଯାଏ, ସେଥିରୁ ସେହି କଣିକାଗୁଡ଼ିକର ପ୍ରକୃତି ନିର୍ଣ୍ଣୟ କରାଯାଏ । ସରୁ ବାଲି ଗରଡ଼ା, ମୋଟାବାଲି, ପତଳାବାଲି, ପଟୁ, ଚିକିଟାମାଟି ଆଦି ବିଭିନ୍ନ ନାମକରଣ କଣିକାର ଆକାର ଦୃଷ୍ଟିରୁ କରାଯାଇଛି ।

 

ଯେଉଁ ମାଟି ଆର୍ଦ୍ରତା (Moisture) ଧରି ରଖିପାରେ ନାହିଁ, ସେହି ମାଟି ବିଶେଷ କାମରେ ଆସେ ନାହିଁ । ତେଣୁ ମୃତ୍ତିକାର ଆର୍ଦ୍ରତା ମାପ ଓ ମାଟି ଭିତରେ ଜଳର ଗତାଗତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଗରୁ ଲୋକମାନଙ୍କର ଧାରଣା ଥିଲା ଯେ କୈଶିକ (Capillary) ନଳୀ ଭିତରେ ଜଳ ଯେପରି ପ୍ରକୃତି ଦେଖାଏ ଅର୍ଥାତ୍‌ ନଳୀ ଯେତେ ସରୁ ହୁଏ, ଜଳ ସେତେ ଉପରକୁ ଉଠେ; ମାଟି ଭିତରେ ଜଳ ସେହିଭଳି ପ୍ରକୃତି ଦେଖାଇଥାଏ । ଏହି ସରଳ ତତ୍ତ୍ୱଟି ମରୁଡ଼ି ସୁଲଭ ମୋଟା ଗଡ଼ଗଡ଼ିଆ ବା ବାଲିଆ ମାଟି ଓ ମରୁଡ଼ିରୋଧୀ ମାଟିଆଳ ବା ଚିକିଟା ମାଟିର ପ୍ରକୃତି ଭିତରେ ତାରତମ୍ୟ ସୂଚାଏ । କିନ୍ତୁ ସାବଧାନତାସହ କରା ଯାଇଥିବା ଯାନ୍ତ୍ରିକ ବିଶ୍ଳେଷଣ (Mechanical analysis)ରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, କୈଶିକ ଆକର୍ଷଣର ସରଳ ବ୍ୟାଖ୍ୟା ମୃତ୍ତିକାର କେତୋଟି ଦୃଶ୍ୟମାନ ପ୍ରକୃତିକୁ ସମ୍ୟକ୍‌ ଭାବରେ ବ୍ୟାଖ୍ୟା କରିପାରେ ନାହିଁ । ବାସ୍ତବ ପକ୍ଷେ ମୃତ୍ତିକା ଅଭ୍ୟନ୍ତରସ୍ଥ ନଳୀ ତନ୍ତୁ ଭିତରର ନଳୀ ଭଳି ଓ ଏହି ନଳୀଗୁଡ଼ିକ ପରସ୍ପର ସହିତ ଆହୁରି ସରୁ ନଳୀଦ୍ୱାରା ସଂଯୁକ୍ତ । ଏହି ନଳୀ ଭିତରେ ଥିବା କୋଷ ଆଦିରେ ଜଳ ଏପରି ଭାବରେ ଖେଳେଇ ହୋଇଥାଏ ଯେ, ଏହାର ମୁକ୍ତ ଉପରିଭାଗକୁ ଏହା ଯଥେଷ୍ଟ କମାଇ ଦିଏ । ମୃତ୍ତିକାର ବିଭିନ୍ନ କଣିକା ଭିତରେ ଥିବା ବ୍ୟବଧାନ ମାଟି ଭିତରେ ଜଳର ଗତାଗତ ଉପରେ ଯଥେଷ୍ଟ ପ୍ରଭାବ ପକାଏ । ଏହା ଏକ ସ୍ପଷ୍ଟ କଥା ଯେ ପ୍ରଶସ୍ତ ନଳୀ ଭିତରେ ଜଳକୁ ଗତି କରାଇବା ପାଇଁ, ଜଳ ଚାପର କମ୍‌ ତାରତମ୍ୟ ଦରକାର । କିନ୍ତୁ ସରୁନଳୀ ଭିତରେ ଜଳକୁ ଗତି କରାଇବାକୁ ହେଲେ ଏହି ତାରତମ୍ୟ ଖୁବ୍‌ ଅଧିକ ହେବା ଦରକାର । ପୁନଶ୍ଚ ଏହି କାରଣ ଯୋଗୁଁ, କମ୍‌ ବ୍ୟବଧାନ ବିଶିଷ୍ଟ ସ୍ଥାନରୁ ଅଧିକ ବ୍ୟବଧାନ ବିଶିଷ୍ଟ ସ୍ଥାନ ଭିତରେ ଜଳ ଖୁବ୍‌ ଦ୍ରୁତ ବେଗରେ ଗତି କରିପାରେ । କିନ୍ତୁ ବିପରୀତ ଦିଗରେ ଗତି କରିବା ପାଇଁ ଅଧିକ ବାଧା ପାଏ ଓ ବେଳେ ବେଳେ ସମ୍ଭବପର ହୁଏ ନାହିଁ ।

 

ଏହି ପରିସ୍ଥିତିରେ ଜଳ ଅଭ୍ୟନ୍ତରସ୍ଥ ନଳୀକୁ ଜଳଦ୍ୱାରା ପୂର୍ଣ୍ଣ ତଥା ଶୂନ୍ୟ କରିବା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା । ଏହା ଏକ କ୍ରମାଗତ ପଦ୍ଧତିରେ ନ ହୋଇ ଥର ଥରକେ ହୁଏ । ସେଥିପାଇଁ ମୃତ୍ତିକାର ପ୍ରକୃତି ଏହା ଭିତରେ ଥିବା ଜଳର ପରିମାଣର ବୃଦ୍ଧି ବା ହ୍ରାସଦ୍ୱାରା ପ୍ରଭାବିତ ହୁଏ । ମୃତ୍ତିକାର ଏହି ପ୍ରକୃତିକୁ ପରୀକ୍ଷାଗାରରେ କେତେଗୁଡ଼ିଏ କାଚ ଗୁଲି ବା ବାଲି ସାହାଯ୍ୟରେ କରାଇ ଦେଖାଇ ହେବ । ଏହାର ଏକ ବ୍ୟାବହାରିକ ଫଳ ହେଉଛି ଯେ ମୃତ୍ତିକାରେ ଥିବା ଜଳ ମୃତ୍ତିକାର ପରିବର୍ତ୍ତନକୁ ବାଧା ଦିଏ । ଏହି ପରିବର୍ତ୍ତନଦ୍ୱାରା ମୃତ୍ତିକାର ଜଳୀୟଅଂଶର ପରିମାଣ ବେଶି ହେଉ ବା କମ୍‌ ହେଉ ସେ ଆଡ଼କୁ ଦୃଷ୍ଟି ନ ଦେଇ ଜଳ ଏହି ପରିସ୍ଥିତିରେ ଅଧିକ ଜଳୀୟଅଂଶ ଥିବା ସ୍ଥାନରୁ କମ୍‌ ଜଳୀୟଅଂଶ ଥିବା ସ୍ଥାନକୁ ଯିବା ପରିବର୍ତ୍ତେ ଜଳ ଅଭ୍ୟନ୍ତରସ୍ଥ ଫମ୍ପାସ୍ଥାନ ଭିତରେ ଜଳର ଆଭ୍ୟନ୍ତରୀଣ ବଣ୍ଟନର ପରିବର୍ତ୍ତନ କରି ଶୋଷକମାନ (Suction gradient) ସହିତ ଅଭିଯୋଜିତ କରେ ।

 

ଉଭିଦର ମୂଳକୁ ଜଳ କିଭଳି ଭାବରେ ଆପେ ଆପେ ଯୋଗାଇ ହୋଇଯାଏ, ଏହା ତାହାର ଏକ ଉଦାହରଣ । କୈଶିକ ତଥ୍ୟ ଆମକୁ ସୂଚାଇ ଦିଏ ଯେ ଚେରଦ୍ୱାରା ଜଳ ଶୋଷି ହୋଇ ମୃତ୍ତିକା ଭିତରେ ଯେଉଁ ଶୁଷ୍କ ସ୍ଥାନ ସୃଷ୍ଟି କରେ, ଜଳୀୟଅଂଶଥିବା ସ୍ଥାନରୁ ଜଳ କୈଶିକ ନଳୀରେ ଯାଇ ସେହି ଶୁଷ୍କ ସ୍ଥାନର ଶୁଷ୍କତାକୁ ନଷ୍ଟ କରେ । କିନ୍ତୁ ଏହାର ପ୍ରକୃତ କାରଣ ଏହାଠାରୁ ଢେର ଅଲଗା । ଗଛର ଚେର ମାଟି ଭିତରେ ଖେଳେଇ ହୋଇ ରହି ଜଳ ଅନ୍ୱେଷଣରେ ସର୍ବଦା ବ୍ୟସ୍ତ ଥାଏ ।

 

ମୃତ୍ତିକା ଓ ଜଳୀୟଅଂଶ ସମ୍ପର୍କ ସମ୍ବନ୍ଧୀୟ ସମ୍ୟକ୍‌ ଧାରଣା, ଭୂମି ଉପରେ ପତିତ ବୃଷ୍ଟି ଜଳର ଅବସ୍ଥା କଣ ହୁଏ ତାହା ବୁଝିବାରେ ସାହାଯ୍ୟ କରେ । ମୃତ୍ତିକା ପ୍ରକୃତରେ କେତେଗୁଡ଼ିଏ ଯୌଗିକ ପଦାର୍ଥର ଏକ ମିଳନାତ୍ମକ (Synthetic) ମିଶ୍ରଣ ଓ ଏହା କ୍ରମ୍ବ (Crumb) ବା ଯୌଗିକ କଣା ଭାବରେ ପରିଚିତ । ଏହି କ୍ରମ୍ବ ଖୁବ୍‌ ସରୁ ସରୁ ମୃତ୍ତିକା କଣାଦ୍ୱାରା ସୃଷ୍ଟି ହୋଇଥାଏ ଓ ମୃତ୍ତିକାର କାଦୁଅ ଅଂଶ ଯାହାକି ଏକତ୍ରୀକରଣର କେତେକ ପ୍ରକୃତି ଦେଖାଏ, ତାହା ଏହି ସରୁ ସରୁ ମୃତ୍ତିକାକଣାରୁ ତିଆରି । କ୍ରମ୍ବ ଭେଦ କରି ଯାଇଥିବା କଣା କ୍ରମ୍ବ ଅଭ୍ୟନ୍ତରରେ ଥିବା କଣାଠାରୁ ଢେର୍‍ ଛୋଟ । ମୃତ୍ତିକା ଯଦି ଖୁବ୍‌ ଶୁଖିଲା ଥାଏ ଓ ତାହା ଉପରେ ବୃଷ୍ଟି ଜଳ ପଡ଼େ, ଏହା ଉପର ଭାଗରେ ଥିବା କ୍ରମ୍ବ ଅଭ୍ୟନ୍ତରସ୍ଥ କଣା ଭିତରେ ପ୍ରବେଶ କରେ । ଅଧିକା ଜଳ ମୃତ୍ତିକା ଅଭ୍ୟନ୍ତରସ୍ଥ କୋଷ ସଦୃଶ କଣା ମଧ୍ୟଦେଇ ତଳକୁ ବହିଯାଏ । କ୍ରମ୍ବର ପରିମାଣ ଓ ମୃତ୍ତିକାର ଆର୍ଦ୍ରତା ଉପରେ ବୃଷ୍ଟିଜଳର ଭବିଷ୍ୟତ୍‌ ନିର୍ଭର କରେ । ମୃତ୍ତିକାର ଉପର ସ୍ତରରେ ଏହା ଅବସ୍ଥାନ କରିବ କି ଏହା ମୃତ୍ତିକାରେ ଥିବା ଜଳକୁ ସ୍ଥାନଚ୍ୟୁତ କରି ସେହି ଜଳକୁ ଅଧୋଗାମୀ କରାଇ ଜଳଭଣ୍ଡାରଠାରେ ପହଞ୍ଚାଇବ, ତାହା ଏହାରି ଉପରେ ନିର୍ଭର କରେ । ପ୍ରତ୍ୟେକ କ୍ରମ୍ବ ମୃତ୍ତିକା ଭିତରେ ଗୋଟିଏ ଗୋଟିଏ କ୍ଷୁଦ୍ର ଜଳ ଭଣ୍ଡାରର କାର୍ଯ୍ୟ କରେ ଓ ଉଦ୍ଭିଦ ଚେରର ମୂଳ-ଲୋମ ମାଟି ଭିତରେ ଖୋଜି ଖୋଜି ଏହି ଜଳଭଣ୍ଡାରର ସନ୍ଧାନ କରେ ।

 

ହଳ ଲଙ୍ଗଳ ହେଉଛି ସବୁ ପ୍ରକାର ଚାଷର ପ୍ରତୀକ । ଚାଷର ଏକ ପ୍ରଧାନ ଅଙ୍ଗ ହେଉଛି ଯାନ୍ତ୍ରିକ ଉପାୟରେ ମୃତ୍ତିକାର ଗଠନକୁ ବିଭିନ୍ନ ପ୍ରକାର ଚାଷ ସରଞ୍ଜାମ ଓ ଯନ୍ତ୍ରପାତି ସାହାଯ୍ୟରେ ଭାଙ୍ଗିବା । ମୃତ୍ତିକାର ଯାନ୍ତ୍ରିକ ପ୍ରକୃତି ଚାଷରେ କେତେ ଶ୍ରମ ଖରଚ ହୁଏ, ତହିଁର ପରିମାଣ ନିର୍ଦ୍ଧାରଣ କରେ । ଭିନ୍ନ ଭିନ୍ନ ଅବସ୍ଥାରେ ଏହି କାର୍ଯ୍ୟ ବିଭିନ୍ନ ଉଦ୍ଦେଶ୍ୟ ସାଧନ ନିମିତ୍ତ କରାଯାଇଥାଏ ଓ ସେଥିପାଇଁ ଏହା ବିଭିନ୍ନ ରୂପ ନେଇଥାଏ । ସେହି ସବୁ ମଧ୍ୟରେ ଜମିକୁ ପ୍ରଥମତଃ ହଳ କରି ଜମିକୁ ଭାଙ୍ଗିବା ଓ ଏହା ଉପରେ ଯେଉଁ ସବୁ ଅନାବନା ଗଛ ଉଠିଥାଏ, ସେଗୁଡ଼ିକୁ ଦୂର କରିବା, ଜମିରେ ବିହନ ବୁଣିବା ପାଇଁ ଜମିକୁ ସମତଳ କରିବା ଓ ପରି ଶେଷରେ ଆଉ ଯାହାକିଛି ଅଗଛା ଥାଏ ତାକୁ ଦୂର କରିବା ହେଉଛି ଚାଷର ପ୍ରଧାନ କାମ । ଶେଷୋକ୍ତଟିକୁ ନ କଲେ ଏହି ଅଗଛା (Weed) ଗୁଡ଼ିକ ଚାଷ କରାଯାଉଥିବା ଗଛ ସହିତ ବଢ଼ି ସେହିସବୁ ଗଛର ନାନା କ୍ଷତି ଘଟାଏ । ଭୂମିକୁ କର୍ଷଣ କରିବା ଓ ସେଥିସହ ଅଗଛାଗୁଡ଼ିକୁ ବାହାରକରି ଦେବାରେ ଚାଷର ଅଧିକାଂଶ ମୂଳଧନ ଖରଚ ହୋଇଥାଏ । ତେଣୁ ଏଥିପାଇଁ ଯେଉଁ ସବୁ ପଦ୍ଧତିର ପ୍ରୟୋଗ କରାଯାଏ, ସେ ସମ୍ବନ୍ଧୀୟ ଆଲୋଚନା ମୃତ୍ତିକା ବଜ୍ଞାନର ଏକ ପ୍ରଧାନ ଅଂଗ ଭାବରେ ପରିଗଣିତ ହୁଏ ।

 

ଭୂମିକୁ ଲଙ୍ଗଳ ସାହାଯ୍ୟରେ ହଳ କଲାବେଳେ ଯେଉଁ ବାଧା ଜନ୍ମେ, ସେହି ବାଧା ଗୋଟିଏ ଜମିରୁ ଆଉ ଗୋଟିଏ ଜମି ବେଳକୁ ବଦଳି ଯାଇଥାଏ । ଏହା ଅବଶ୍ୟ ମୃତ୍ତିକାର ପ୍ରକୃତି ଉପରେ ନିର୍ଭର କରେ । ଯେଉଁ ଜମି ଅନାବୃଷ୍ଟି ଯୋଗୁଁ ଟାଣ ହୋଇ ଯାଇଥାଏ, ସେହି ଜମିକୁ ହଳ କରିବା କଷ୍ଟକର । ତେଣୁ ସେ ପରିସ୍ଥିତିରେ ଜମିକୁ ପ୍ରଥମ ବର୍ଷା ନ ଖୁଆଇ ହଳ କରିବା ଉଚିତ୍‌ ନୁହେଁ । ଭୂମିକୁ ଚଷିଲା ବେଳେ ଭୂମିର କେତେ ଗଭୀରକୁ ଲଙ୍ଗଳ ଗଲା, ତାହା ବେଳେ ବେଳେ କର୍ଷିତ ଜମି ଉପରେ ପ୍ରଭାବ ପକାଏ । ଖୁବ୍‌ ଉନ୍ନତଧରଣର ଲଙ୍ଗଳ, ଯେଉଁ ଗୁଡ଼ିକ ବିଭିନ୍ନ ପ୍ରକାର ମୃତ୍ତିକାକୁ ବିଭିନ୍ନ ଗଭୀରତାକୁ କର୍ଷଣ କରିବା ପାଇଁ ଉପଯୁକ୍ତ, ସେହିଭଳି ଲଙ୍ଗଳ ତିଆରି ଦିଗରେ ବହୁ ସମୟ ଓ ବୁଦ୍ଧି ଖରଚ କରାଯାଇଅଛି । ଏହି ଲଙ୍ଗଳ ତିଆରି, ଟଣା ହେବା ବାହକର ସାମର୍ଥ୍ୟ ଉପରେ ମଧ୍ୟ ନିର୍ଭର କରେ । ଯାନ୍ତ୍ରିକ କୃଷିରେ ଶେଷୋକ୍ତଟିର ସାମର୍ଥ୍ୟରେ କିଛି ନିର୍ଦ୍ଦିଷ୍ଟତା ନ ଥାଏ-। କିନ୍ତୁ ଯେତେବେଳେ ପ୍ରାଣୀଦ୍ୱାରା ଲଙ୍ଗଳ ଟଣାଯାଏ, ସେତେବେଳେ ଅବସ୍ଥା ଅନ୍ୟ ରୂପ ଧାରଣ କରେ । ସେ ପରିସ୍ଥିତିରେ ପ୍ରାଣୀର ଦୈହିକ ସାମର୍ଥ୍ୟ ଓ ସେଗୁଡ଼ିକର ସଂଖ୍ୟା କର୍ଷଣର ପ୍ରକୃତି ନିର୍ଦ୍ଧାରଣରେ ସାହାଯ୍ୟ କରିଥାଏ । ଭୂଇଁକୁ ଚିରିବାରେ ସାହାଯ୍ୟ କରୁଥିବା ଲଙ୍ଗଳର ଫାଳ ବ୍ୟତୀତ ଲଙ୍ଗଳରେ ଯେଉଁ ମୁଣ୍ଡିଆ ଥାଏ, ତାହାମଧ୍ୟ ଚାଷ ସମୟରେ କେତେକ ସାହାଯ୍ୟ କରେ । ଏହାର କାମ ହେଉଛି ଏହା ଚିରା ହେଉଥିବା ଅଂଶରୁ ମାଟିକୁ ବାହାର କରିଆଣି ନଳୀ (ଚିରା ହୋଇଥିବା ଜମି)ର ଦୁଇପାଖରେ ପକାଇ ଦିଏ, ଫଳରେ ନଳୀଟି ପରିଷ୍କାର ଦିଶେ । ଏହି ମୁଣ୍ଡିଆର ଆକାର କେମିତି ହେବା ଉଚିତ୍‌, ସେ ସଂପର୍କୀୟ ନାନା ଆଲୋଚନା ଓ ପରୀକ୍ଷା ହୋଇ ଯାଇଛି ।

 

ମୃତ୍ତିକା ଛିଦ୍ରଯୁକ୍ତ ଥିବାରୁ ତାହା ଭିତରେ ବାୟୁ ତଥା ନାନାଦି ଗ୍ୟାସ ଥିବା ସ୍ୱାଭାବିକ । ଏହି ଆବଦ୍ଧ ବାୟୁର ବିଭିନ୍ନ ଉପାଦାନର ପରିମାଣ ନାନାଦି କାରଣ ଯୋଗୁଁ ପ୍ରଭାବିତ ହେବା ସମ୍ଭପର ଓ ଉଦ୍ଭିଦର ଚେରରେ ଥିବା ବୀଜାଣୁ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡ଼ୁଥିବା ଯୋଗୁଁ ଏହି ଆବଦ୍ଧ ବାୟୁର ଉପାଦାନ ସତତ ପରିବର୍ତ୍ତିତ ହେଉଥାଏ । ଏହି ଆବଦ୍ଧ ବାୟୁର ଅଙ୍ଗାରକାମ୍ଳ ଗ୍ୟାସ ଯେଉଁ ବେଗରେ ବାୟୁମଣ୍ଡଳ ସହିତ ମିଶିଥାଏ ଓ ବାୟୁରୁ ଅମ୍ଳଜାନ ଆସି ଅଙ୍ଗାରକାମ୍ଳ ଗ୍ୟାସର ସ୍ଥାନ ଦଖଲ କରୁଥାଏ, ତାରି ଉପରେ ଏହି ପରିବର୍ତ୍ତନ ନିର୍ଭର କରେ । ମୃତ୍ତିକାର ତାପକ୍ରମର ହ୍ରାସ ବୃଦ୍ଧି ନେଇ ବାୟୁର ଆୟତନରେ ଯେଉଁ ହ୍ରାସବୃଦ୍ଧି ଓ ବୃଷ୍ଟି, ଜଳସେଚନ, ମୃତ୍ତିକାର ଜଳୀୟ ଅଂଶ ବାଷ୍ପୀକରଣ, ପବନ ଓ ବାୟୁଚାପ ପରିବର୍ତ୍ତନ ହେତୁ ମୃତ୍ତିକାର ଛିଦ୍ରରେ ଯେଉଁ ପରିବର୍ତ୍ତନ ହେଉଥାଏ, ସେ ସବୁ ଏଠାରେ ବିଚାର୍ଯ୍ୟ । ମାଟି ଭିତରକୁ ଯଥେଷ୍ଟ ପବନ ଯାଆସ କରିବା ଉଦ୍ଭିଦର ସମ୍ୟକ ଅଭିବୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ ।

 

ମୃତ୍ତିକାର ତାପକ୍ରମରେ ପରିବର୍ତ୍ତନ ମୃତ୍ତିକା ପଦାର୍ଥବିଜ୍ଞାନ (Soil physics)ରେ ପ୍ରଧାନ ଭୂମିକାର ଅଭିନୟ କରିଥାଏ । ଉଦ୍ଭିଦର ଅଭିବୃଦ୍ଧି ଉପରେ ଏହାର ଯଥେଷ୍ଟ ପ୍ରଭାବ ଥିବାରୁ ଏହାର ଗୁରୁତ୍ୱ ସର୍ବାଦୌ ହୃଦୟଙ୍ଗମ କରିବା ଉଚିତ୍‍ । ବିଭିନ୍ନ ଉତ୍ସରୁ ତାପଶକ୍ତି ଆହରଣ ତଥା ବିକିରଣ ପରେ ଯେଉଁ ତାପଶକ୍ତି ବଳି ପଡ଼େ, ତାହା ମୃତ୍ତିକାରେ ରହିଯାଏ ଓ ଏହି ମୃତ୍ତିକା ଭିତରେ ସେହି ତାପଶକ୍ତି ଯେଉଁ ବେଗରେ ଗତିକରେ, ତାହା ସର୍ବ ଶେଷରେ ମୃତ୍ତିକାର ତାପକ୍ରମକୁ (Temperature gradient) ନିୟନ୍ତ୍ରଣ କରେ । ଯାହାହେଉ ମୃତ୍ତିକାର ଏତାଦୃଶ୍ୟ ଆଲୋଚନା ଆଉ ଅଧିକ ନ କରି ସେଥିରୁ ବିରତ ହେବା ମୋ ପକ୍ଷରେ ବାଞ୍ଛନୀୟ ।

Image

 

Unknown

ପୁରପଲ୍ଲୀର ପଦାର୍ଥ ବିଜ୍ଞାନ (ଜଳ)

 

ଯୁଗ ଯୁଗ ଧରି ମଣିଷ ବ୍ୟର୍ଥରେ ଖୋଜି ଆସିଛି ଜୀବନର କପୋଳକଳ୍ପିତ ମହୌଷଧି, ସ୍ୱର୍ଗର ଅମୃତ । ଏଥିରୁ ବୁନ୍ଦାଏ ପିଇ ସେ ଅମର ହେବ, ଏ ଆଶା ତାର ବିଫଳ ହୋଇଛି । କିନ୍ତୁ ଏ ମହୌଷଧି ଯେ ଚିରଦିନ ତାର ଅତି ନିକଟରେ, ହାତପାଖରେ ରହିଆସିଛି ତାହା ସେ ହୁଏତ ଜାଣିନାହିଁ । ତରଳ ପଦାର୍ଥଗୁଡ଼ିକ ମଧ୍ୟରେ ସବୁଠାରୁ ସହଜ ଲବ୍‌ଧ ଜଳ ହେଉଛି ଏହି ଅମୃତର ପାର୍ଥିବ ରୂପାନ୍ତର । ମନେଅଛି, ଦିନେ ମୁଁ ମିଶର ଦେଶର ନୀଳନଦୀ ଉପତ୍ୟକାଠାରୁ ଆବିସିନିଆର ମରୁଭୂମିକୁ ବିଚ୍ଛିନ୍ନ କରୁଥିବା ସୀମାରେଖା ଉପରେ ଦଣ୍ଡାୟମାନ ହୋଇ ଲକ୍ଷ୍ୟ କରିଥିଲି–ଏକପାଖରେ ତରୁଲତା ହୀନ ତରଙ୍ଗାୟିତ ବାଲୁକାର ଅନନ୍ତ ସମୁଦ୍ର, ଜୀବନ୍ତ ପ୍ରଣୀର ସତ୍ତା ନାହିଁ, ଅନ୍ୟ ପାର୍ଶ୍ୱରେ ପୃଥିବୀର ସବୁଠାରୁ ସବୁଜ, ଉର୍ବରତମ ଓ ଜନାକୀର୍ଣ୍ଣ, ବିସ୍ତୀର୍ଣ୍ଣ ଅଞ୍ଚଳ, ପ୍ରାଣୀ ଓ ଉଦ୍ଭିଦ ଜୀବନରେ ପରିପୂର୍ଣ୍ଣ । ସେତେବେଳେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଏ ବିସ୍ମୟକାରୀ ତାରତମ୍ୟର ସ୍ରଷ୍ଟା କିଏ ? ଆଉ ଏ ପ୍ରଶ୍ନର ଉତ୍ତର ଦିଏ ଦୁଇହଜାର ମାଇଲ ଦୂରସ୍ଥ ଉତ୍ପତ୍ତିସ୍ଥଳରୁ ବହିଆସି ଭୂମଧ୍ୟସାଗରରେ ବିଲୀନ ହୋଇଥିବା ନୀଳନଦୀର ଜଳ । ବାସ୍ତବରେ ଜଳର ସୁଲଭତା ହିଁ ଏହି ତାରତମ୍ୟ ପାଇଁ ଦାୟୀ । ଭୂତତ୍ୱବିତ୍‌ମାନେ କହନ୍ତି ଯେ ନୀଳନଦୀ ଉପତ୍ୟକାର ସମସ୍ତ ମୃତ୍ତିକା ଏହି ନଦୀ ଦ୍ୱାରାହିଁ ସୃଷ୍ଟି ହୋଇଛି । ଆବିସିନିଆ ଓ ମଧ୍ୟ-ଆଫ୍ରିକାର ମାଳଭୂମିରୁ ନୀଳନଦୀର ବନ୍ୟା ଅତି ସୂକ୍ଷ୍ମ ପଟୁମାଟି ବହିଆଣି ଏହାର ଶଯ୍ୟାସ୍ଥ ଗହ୍ୱରକୁ ବର୍ଷ ବର୍ଷ ଧରି ପୂର୍ଣ୍ଣ କରି ଆସିଛି । ବାସ୍ତବରେ ମିଶର ଦେଶ, ତାର ନୀଳନଦୀଦ୍ୱାରା ହିଁ ସୃଷ୍ଟ । ଏ ଦେଶର ପୁରାତନ ସଭ୍ୟତା ମଧ୍ୟ ବର୍ଷ ବର୍ଷ ଧରି ନିୟମିତ ଭାବରେ ବହି ଆସୁଥିବା ନୀଳନଦୀର ଜଳଦ୍ୱାରା ସୃଷ୍ଟ ଓ ସଂରକ୍ଷିତ ।

 

ଦୈନନ୍ଦିନ ଜୀବନର ଅତି ସାଧାରଣ ଏହି ଜଳ, ଯାହାକୁ ଅତି ମାମୁଲି ବୋଲି ଆମେ ହେୟଜ୍ଞାନ କରୁ ତାହା ଯେ ଅତ୍ୟନ୍ତ ଶକ୍ତିଶାଳୀ ଓ ବିସ୍ମୟକାରୀ, ଉପରୋକ୍ତ ଉଦାହରଣ ତାକୁ ସ୍ପଷ୍ଟ ପ୍ରତିପାଦନ କରୁଛି । ପୃଥିବୀର ଇତିହାସକୁ ରୂପଦେବାରେ ଜଳ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଛି । ଆଜି ମଧ୍ୟ ଏହି ଗ୍ରହରେ ହେଉଥିବା ଜୀବନ ନାଟକରେ, ଜଳ ହେଉଛି ପ୍ରଧାନ ଅଭିନେତା-

 

ପାହାଡ଼ ଉପରେ ଛୋଟ ଝରଣାଟିଏ ହେଉ ବା ଗୋଧୂଳିରେ ତୃଷାର୍ତ୍ତ ଗୋଗୋଷ୍ଠକୁ ଜଳଦାନ କରୁଥିବା ଜଳାଶୟଟିଏ ହେଉ, ସେଗୁଡ଼ିକର ଜଳ ଯେପରି ଗ୍ରାମ୍ୟ ସୌନ୍ଦର୍ଯ୍ୟର ଅଭିବୃଦ୍ଧିରେ ସାହାଯ୍ୟ କରେ ଅନ୍ୟ କୌଣସି ପଦାର୍ଥ ସେପରି କରି ପାରିବ ନାହିଁ । ଦକ୍ଷିଣ ଭାରତର ବର୍ଷାପୁଷ୍ଟ ଜଳାଶୟମାନ, ଯେଉଁଗୁଡ଼ିକ ଆଜି ଅତି ନିର୍ଦ୍ଦୟଭାବେ ଅବହେଳିତ, ସେଗୁଡ଼ିକ ପରିପୂର୍ଣ୍ଣ ଅବସ୍ଥାରେ ଥିଲାବେଳେ ଚିତ୍ତାକର୍ଷକ ସୌନ୍ଦର୍ଯ୍ୟର ଅବତାରଣା କରିଥାନ୍ତି । ଅବଶ୍ୟ ଏହି ଜଳାଶୟଗୁଡ଼ିକ ଅଗଭୀର । ସେଗୁଡ଼ିକର ଜଳ ସର୍ବଦା ପଟୁମାଟି ସହିତ ମିଶିଥିବାରୁ ଆଲୋକରଶ୍ମିକୁ ପ୍ରତିଫଳିତ କରିଥାଏ । ତେଣୁ ସେଗୁଡ଼ିକର ନିମ୍ନଦେଶ ଆଦୌ ଦୃଷ୍ଟିଗୋଚର ହୁଏ ନାହିଁ । ଦକ୍ଷିଣଭାରତର କୃଷିକାର୍ଯ୍ୟରେ ଏହି ପୁଷ୍କରିଣୀଗୁଡ଼ିକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥାନ୍ତି । ଉଦାହରଣସ୍ୱରୂପ ମହୀଶୂରରେ ଅଧିକାଂଶ ଧାନଚାଷ ଏହି ପୁଷ୍କରିଣୀ ଜଳ ସାହାଯ୍ୟରେ ହୋଇଥାଏ । ଏ ଗୁଡ଼ିକ ମଧ୍ୟରୁ ଅନେକଙ୍କ ଆୟତନ ଖୁବ୍‌ ବଡ଼ । ଏମାନଙ୍କର ଗର୍ଭରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପର୍ଯ୍ୟବେକ୍ଷଣ କରିବା ଅତ୍ୟନ୍ତ ଆନନ୍ଦପ୍ରଦ ହୋଇଥାଏ । ମଣିଷ ମୁଖମଣ୍ଡଳରେ ଥିବା ଚକ୍ଷୁ ସହିତ ଦିଗନ୍ତ ବିସ୍ତୃତ ପ୍ରକୃତି ବକ୍ଷରେ ଥିବା ଜଳକୁ ତୁଳନା କରାଯାଇପାରେ । ଏହା ପ୍ରତି ମୁହୂର୍ତ୍ତରେ ପ୍ରକୃତିର ମନୋଭାବ ପ୍ରଦର୍ଶନ କରେ । ଉଜ୍ଜ୍ୱଳ ସୂର୍ଯ୍ୟ କିରଣରେ ଏହା ପ୍ରଫୁଲ୍ଲ ଓ ପ୍ରଦୀପ୍ତ ଦେଖାଯାଏ । ଆକାଶ ମେଘମାଳାରେ ଆବୃତ ହେଲାମାତ୍ରେ ଏହା ମିଳନ ଓ ବିମର୍ଷ ଦିଶେ ।

 

ଜଳସମ୍ବନ୍ଧରେ ସବୁଠାରୁ ଲକ୍ଷ୍ୟ କରିବାର ବିଷୟ ହେଉଛି ତାର ପଟୁ ବା ସୂକ୍ଷ୍ମ ମୃତ୍ତିକାକଣାକୁ ଭାସମାନ ଅବସ୍ଥାରେ ପରିବହନ କରିବା ଶକ୍ତି ।

 

ଏହି ଯୋଗୁଁ ବର୍ଷାପୁଷ୍ଟ ଜଳାଶୟଗୁଡ଼ିକର ଜଳ ମାଟିଆ ଦେଖାଯାଏ । ବର୍ଷାପରେ ପରେ ପରେ ଏହି ରଙ୍ଗ ସ୍ପଷ୍ଟ ଭାବରେ ଜଣାପଡ଼େ । ଅତି ଦ୍ରୁତଗତିରେ ଧାବମାନ ଜଳ ବେଶ୍‌ ବଡ଼ ଓ ଓଜନିଆ ମୃତ୍ତିକା କଣାଗୁଡ଼ିକ ବହନ କରିନିଏ । ସୂକ୍ଷ୍ମତମ ମୃତ୍ତିକାକଣାଗୁଡ଼ିକର ଘନତା ଯଦିଚ ସବୁଠାରୁ ଅଧିକ ତଥାପି ସେମାନେ ଜଳରେ ଭାସମାନ ଅବସ୍ଥାରେ ରହନ୍ତି ଓ ବହୁଦୂରକୁ ପରିବାହିତ ହୋଇଯାଆନ୍ତି । ଏହି ମୃତ୍ତିକାକଣାଗୁଡ଼ିକ ଅତି କ୍ଷୁଦ୍ର, ତଥାପି ସେ ଗୁଡ଼ିକର ସଂଖ୍ୟା ଏତେ ବେଶି ଯେ ବିଶ୍ୱାସ କରି ନ ପାରିଲା ଭଳି ବହୁପରିମାଣର ମୃତ୍ତିକା ଏହି ସୂତ୍ରରେ ଦୂରକୁ ପରିବାହିତ ହୋଇଥାଏ । ଯେତେବେଳେ ଏହି ପଟୁ ମାଟି ମିଶା ଜଳ ସମୁଦ୍ରର ଲୁଣିଆ ଜଳ ସହିତ ମିଶେ ସେତେବେଳେ ଏହି ପଟୁମାଟିର ଅବକ୍ଷେପଣ (Precipitation) ହୋଇଥାଏ । କୌଣସି ବଡ଼ ନଦୀ ଉପରେ ଷ୍ଟିମର୍‌ଦ୍ୱାରା ସମୁଦ୍ର ଆଡ଼କୁ ଯାଉଥିଲାବେଳେ ଏହି ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଏ । ପାଣି ପ୍ରଥମେ ଗୋଳିଆ ନାଲି ବା ବାଦାମୀରଙ୍ଗ ଦେଖାଯାଏ । ତାପରେ ସବୁଜ ଓ ହଳଦିଆ ଭଳି ବିଭିନ୍ନ ପରିବର୍ତ୍ତନ ହୋଇ ଶେଷରେ ଗଭୀର ସାଗରର ନୀଳରଙ୍ଗ ଧାରଣ କରେ । ନଦୀ ଉପତ୍ୟକାଗୁଡ଼ିକର ମୃତ୍ତିକାକୁ ପରୀକ୍ଷା କଲେ ଜଣାଯାଏ ଯେ ଯୁଗ ଯୁଗ ଧରି ପଟୁମାଟି ଜମା ହେବାଫଳରେ ବିସ୍ତୀର୍ଣ୍ଣ ସ୍ଥଳଭାଗ ସୃଷ୍ଟି ହୋଇଥାଏ । ଅତି କ୍ଷୁଦ୍ର ବସ୍ତୁକଣାମାନଙ୍କଦ୍ୱାରା ଗଠିତ ହୋଇଥିବାରୁ ଏହି ସ୍ଥଳଭାଗଗୁଡ଼ିକ ଅତିଶୟ ଉର୍ବର ହୋଇଥାନ୍ତି ।

 

ଯେଉଁ ଭୂତତ୍ତ୍ୱ ବୈଜ୍ଞାନିକ ପ୍ରଣାଳୀରେ ପାହାଡ଼ଗୁଡ଼ିକର କଠିନ ବହିରାବଣ ଧୋଇ ହୋଇ ମୃତ୍ତିକାରେ ପରିଣତ ହୁଏ, ସେହି ପ୍ରଣାଳୀରେ ଜଳସ୍ରୋତ ଯେ ଏକ ହିତକାରୀ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥାଏ ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ପ୍ରକୃତିର ଏହି ପ୍ରଭୂତ ଶକ୍ତି ସ୍ଥଳବିଶେଷରେ କୃଷିର ମୂଳପିଣ୍ଡ ମୃତ୍ତିକାକୁ ଧୋଇନେଇ ମାନବ ସମାଜର ଯଥେଷ୍ଟ କ୍ଷତି କରିଥାଏ । ଉପଯୁକ୍ତ ଭାବରେ ନିୟନ୍ତ୍ରିତ ହୋଇ ନ ପାରିଲେ ଏହିଶକ୍ତି ବନ୍ୟାର ତାଣ୍ଡବଲୀଳା ସୃଷ୍ଟିକରି ଦେଶ ଓ ଜାତି ଜୀବନରେ ଶୋଚନୀୟ ପରିସ୍ଥିତି ଆଣେ । ପୃଥିବୀର ବହୁଦେଶରେ ବିଶେଷତଃ ଭାରତବର୍ଷରେ ମୃର୍ତ୍ତିକାକ୍ଷୟ (Soil erosion) ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାରୂପେ ଦେଖାଦେଇଛି । ତେଣୁ କେଉଁ ଉପାୟରେ ଏ କ୍ଷୟ ସଂଘଟିତ ହୋଇଥାଏ ଓ କିପରି ଏହାକୁ ପ୍ରତିରୋଧ କରାଯିବ ସେ ବିଷୟରେ ଅଧ୍ୟୟନ କରିବା ଅତ୍ୟନ୍ତ ଆବଶ୍ୟକ । ସାଧାରଣତଃ ମୃତ୍ତିକାକ୍ଷୟ ବିଭିନ୍ନ ସ୍ତରରେ ଘଟିଥାଏ । ପ୍ରାଥମିକ ସ୍ତରଗୁଡ଼ିକ ଆମର ଦୃଷ୍ଟି ପଥାରୂଢ଼ ହୁଏନାହିଁ । ପରବର୍ତ୍ତୀ ସ୍ତରରେ ଭୂମି ଧୋଇ ହୋଇଯିବା ଫଳରେ ଅନେକ ଗହ୍ୱର ଓ ଖାଇ ସୃଷ୍ଟି ହୋଇ ମଣିଷ ମନରେ ଗଭୀର ଦୁଃଖ ଆଣିଥାଏ । ଏକକାଳୀନ ବହୁତ ବର୍ଷାହେବା ଫଳରେ ଉଦ୍‌ବୃତ୍ତ ଜଳରାଶି ମହାବେଗରେ ଗତିକରେ ଓ ଦ୍ରୁତଗତି ହିଁ ମୃତ୍ତିକାକ୍ଷୟ ପାଇଁ ମୁଖ୍ୟତଃ ଦାୟୀ । ଭୂମିର କ୍ରମନିମ୍ନତା, ଭୂମିପୃଷ୍ଠରୁ ବଣ, ଜଙ୍ଗଲ ଇତ୍ୟାଦି ପ୍ରାକୃତିକ ଆବରଣର ଉଚ୍ଛେଦନ ଭୂମି ଉପରେ ନାଳୀର ଅବସ୍ଥିତ (ଯାହାମଧ୍ୟରେ ଜଳ ଅଧିକରୁ ଅଧିକତର ବେଗରେ ଗତି କରିଥାଏ) ଓ ସର୍ବୋପରି ଜଳସ୍ରୋତକୁ ଅବରୋଧ କରିବାପାଇଁ କୌଣସିପ୍ରକାର ବନ୍ଦୋବସ୍ତର ଅଭାବ, ମୃତ୍ତିକାକ୍ଷୟର ବିଭିନ୍ନ କାରଣ ଭାବରେ ଉଲ୍ଲେଖଯୋଗ୍ୟ । ଏହି ପରିସ୍ଥିତିରେ ବିଶ୍ୱାସ କରି ନ ପାରିଲା ଭଳି ବହୁ ପରିମାଣରେ ମୃତ୍ତିକା ଧୋଇ ହୋଇ ଯାଇଥାଏ । ଅତି ଦୁଃଖର ବିଷୟ ଯେ ଅଧିକାଂଶ ସ୍ଥାନରେ ଏଭଳି ପରିସ୍ଥିତି ରହିଛି ଓ ବହୁପରିମାଣରେ ମୃତ୍ତିକା କ୍ଷୟ ହୋଇ ଚାଲିଛି । ଫଳତଃ ଭାରତର ଅନେକ ଅଂଶରେ ମୃତ୍ତିକାକ୍ଷୟ ସଫଳ କୃଷି କାର୍ଯ୍ୟର ବିରୋଧ କରୁଛି ଓ ସ୍ଥାନେ ସ୍ଥାନେ ଅବସ୍ଥା ଅତି ଭୟଙ୍କର ହୋଇ ଉଠିଛି । ଏ ବିଷୟରେ ଧ୍ୟାନଦେବା ଓ ଏହାକୁ ପ୍ରତିରୋଧ କଲାଭଳି ଉପାୟମାନ ଅବଲମ୍ବନ କରିବା ଏକ ଜରୁରୀ ସମସ୍ୟା । ଏହି ଉପାୟଗୁଡ଼ିକ ମଧ୍ୟରୁ ଭୂମିର ସମତଳିକରଣ, ଜଳସ୍ରୋତକୁ ବାଧାଦେବା ପାଇଁ ବନ୍ଧବାଡ଼ ନିର୍ମାଣ, ପରିସୀମାଚାଷ (Contour cultivation) ଓ ଉପଯୁକ୍ତ ବୃକ୍ଷଲତାଦି ରୋପଣ ଉଲ୍ଲେଖଯୋଗ୍ୟ । ଏହିସବୁ ପ୍ରଣାଳୀଗୁଡ଼ିକର ଲକ୍ଷ୍ୟ ହେଉଛି ଜଳ ସ୍ରୋତକୁ ବେଗ ଓ ତତ୍‌ଜନିତ ଧ୍ୱଂସକାରୀ ଶକ୍ତି ସଂଗ୍ରହ କଲାପୂର୍ବରୁ ବାଧାଦେବା ।

 

ଜଳ ସବୁପ୍ରକାର ଜୀବଶକ୍ତିର ମୂଳଭିତ୍ତି । ପ୍ରତ୍ୟେକ ଉଦ୍ଭିଦ ଓ ପ୍ରତ୍ୟେକ ପ୍ରାଣୀ ନିଜ ଅବୟବରେ ମୁକ୍ତଭାବରେ ହେଉ ବା ସଂଯୁକ୍ତ ଭାବରେ ହେଉ, ବହୁ ପରିମାଣରେ ଜଳ ଧରି ରଖିଥାଏ । ଏପରି କୌଣସି ଶରୀରତତ୍ତ୍ୱ ଜନିତ ପ୍ରକ୍ରିୟା ଦେଖାଯାଏନି ଯେଉଁଥିରେ ଜଳ ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରି ନ ଥାଏ । ପ୍ରାଣୀ ଜୀବନରେ ଯେପରି ବହୁପରିମାଣର ଜଳର ଆବଶ୍ୟକତା ଥାଏ, ଗଛ ଲତାମାନଙ୍କର ଜୀବନଧାରଣ ଓ ଅଭିବୃଦ୍ଧି ନିମିତ୍ତ ସେହିପରି ମୃତ୍ତିକା ଭିତରେ ବହୁପରିମାଣ ଜଳ ଲୋଡ଼ା । ପ୍ରସ୍ରବଣ ଜଳ ବ୍ୟତୀତ ଅନ୍ୟ ସବୁ ପ୍ରକାର ଜଳ ବର୍ଷା ବା ତୁଷାରପାତଦ୍ୱାରା ସମ୍ଭବ ହୋଇଥାଏ । ଭାରତର ଅଧିକାଂଶ ଚାଷକାର୍ଯ୍ୟ ଋତୁକାଳୀନ ବର୍ଷା ଉପରେ ନିର୍ଭର କରେ, ତେଣୁ ବର୍ଷାର ଅଭାବ ଓ ଅସମୟ ବର୍ଷା ଉଭୟେ ଫସଲର କ୍ଷତି କରିଥାନ୍ତି-। ମୃତ୍ତିକାକ୍ଷୟ ସମସ୍ୟା ଅସମୟ ବା ସ୍ୱଳ୍ପବର୍ଷା ସହିତ ସଂପୃକ୍ତ । ମୃତ୍ତିକାକ୍ଷୟକୁ ପ୍ରତିରୋଧ କରିବା ପାଇଁ ଯେଉଁ ପ୍ରଣାଳୀମାନ ଅବଲମ୍ବନ କରାଯାଇଥାଏ ସେହି ପ୍ରଣାଳୀରେ ଆବଶ୍ୟକୀୟ ମୁତାବକ ଜଳ ମୃତ୍ତିକାର ଉପରିଭାଗରେ ଓ ଅଭ୍ୟନ୍ତରରେ ସଞ୍ଚିତ ହୋଇ ରହିଥାଏ । ତେଣୁ ଉପରୋକ୍ତ ପ୍ରଣାଳୀଗୁଡ଼ିକ ଏକାବେଳକେ ଦୁଇଟି ଉଦ୍ଦେଶ୍ୟ ସାଧନ କରନ୍ତି । ଯେଉଁ ଦେଶରେ ସାମୟିକ ଭାବରେ ବର୍ଷା ହୋଇଥାଏ ସେ ଦେଶରେ ଅଧିକାଂଶ ଜଳ ଅତିଶୀଘ୍ର ନିଷ୍କାସିତ ହୋଇଥାଏ । ତେଣୁ ଜଳକୁ ସଂଗ୍ରହ କରି ରଖି ବ୍ୟବହାରରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ-। ଅଧିକାଂଶ ଜଳ ଝରଣା ବା ନଦୀ ମଧ୍ୟଦେଇ ସମୁଦ୍ରରେ ବିଲୀନ ହୋଇଯିବାରୁ, ଦେଶ ଏହି ମୂଲ୍ୟବାନ ତରଳ ପଦାର୍ଥ ଉପଭୋଗ କରିବାରୁ ବଞ୍ଚିତ ହୁଏ । ନଦୀମାନଙ୍କର ନଷ୍ଟ ହେଉଥିବା ଏହି ବିଶାଳ ଜଳରାଶିକୁ ବ୍ୟବହାରରେ ଲଗାଇବା ଏକ ଜାତୀୟ ସମସ୍ୟା ଓ ଜାତୀୟ ଭିତ୍ତିରେହିଁ ଏହାର ବିଚାର ଓ ସମାଧାନ ଆବଶ୍ୟକ । ଯେଉଁ ବିସ୍ତୀର୍ଣ୍ଣ ଅଞ୍ଚଳମାନ ବର୍ତ୍ତମାନ ଖାଲି ଛୋଟ ଛୋଟ ବୁଦାଳିଆ ଜଙ୍ଗଲରେ ପରିପୂର୍ଣ୍ଣ ସେମାନଙ୍କ ଉପରେ ସୁଚିନ୍ତିତ କାର୍ଯ୍ୟାନୁଷ୍ଠାନ କଲେ, ସେମାନେ ଅକ୍ଳେଶରେ ଶସ୍ୟଶ୍ୟାମଳା ହୋଇପାରିବେ । ଜଳଯୋଗାଣ ସଂସ୍ଥା ସହିତ ବୃକ୍ଷରୋପଣ କ୍ରିୟା ନିବିଡ଼ ଭାବରେ ସଂଯୁକ୍ତ । ଭାରତବର୍ଷର ଗୋଟିଏ ଜରୁରୀ ସମସ୍ୟା ହେଉଛି ଯେ ପ୍ରତ୍ୟେକ ସ୍ଥାନରେ ଯେଉଁଠି କୌଣସି ବୃକ୍ଷରୋପଣ ସମ୍ଭବ ସେଠି ଉପଯୁକ୍ତ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା । ଆପେ ଆପେ ବଢ଼ି ଉଠିଥିବା ଅଯତ୍ନପାଳିତ ଜଙ୍ଗଲଠାରୁ ଉପରୋକ୍ତ ପ୍ରକାର ଜଙ୍ଗଲ ସମ୍ପୂର୍ଣ୍ଣ ତଫାତ୍‍ । ଏହି କୃତ୍ରିମ ଜଙ୍ଗଲ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦେଶର ସମୃଦ୍ଧି ସାଧନ କରେ-। ଏହି ମୃତ୍ତିକାକ୍ଷୟକୁ ପ୍ରତିରୋଧ କରିବା ସଙ୍ଗେ ସଙ୍ଗେ ବର୍ଷାଜଳକୁ ଅଯଥା ନଷ୍ଟ ହେବାରୁ ରକ୍ଷା କରେ ଓ ଲୋକମାନଙ୍କୁ ଆବଶ୍ୟକୀୟ ଜାଳେଣି କାଠ ଯୋଗାଇ ଦେଇଥାଏ । ଫଳତଃ ଗୋବର ଜାଳେଣୀରୂପେ ବ୍ୟବହୃତ ହେବାରୁ ରକ୍ଷା ପାଏ ଓ ଚାଷ କ୍ଷେତଗୁଡ଼ିକରେ ସାର ରୂପେ ବ୍ୟବହୃତ ହୋଇ ଚାଷ କାର୍ଯ୍ୟରେ ବହୁତ ଉନ୍ନତି କରେ ।

 

ଜଳସ୍ରୋତକୁ ନିୟନ୍ତ୍ରିତ କରିବାପାଇଁ ଓ ଜଳକୁ ସଂଗ୍ରହ କରି ରଖିବାପାଇଁ ଯେଉଁ ଉପାୟମାନ ଅବଲମ୍ବନ କରାଯାଇଥାଏ, ସେ ସବୁ ଗ୍ରାମ୍ୟ ଜୀବନର ଅନେକ ଗୌଣ ଉଦ୍ଦେଶ୍ୟ ସାଧନ କରିଥାନ୍ତି । ଗ୍ରାମମାନଙ୍କରେ ଅନ୍ତର୍ଦ୍ଦେଶୀୟ ଯାତାୟତ ପାଇଁ ନୌକା ଓ ବଜରା ବହୁଳଭାବରେ ବ୍ୟବହୃତ ହୋଇଥାଏ । ବର୍ତ୍ତମାନ ଭାରତର ସାଧାରଣ ରାସ୍ତା ଓ ରେଳପଥମାନଙ୍କର ବିକାଶ ପାଇଁ ଅନେକ ପରିକଳ୍ପନା କରାଯାଉଥିବା ସତ୍ତ୍ୱେ ଅନ୍ତର୍ଦ୍ଦେଶୀୟ ଜଳପଥଗୁଡ଼ିକର ବିକାଶପାଇଁ ବିଶେଷ କିଛି କରାଯାଉନାହିଁ । ଜଳଯୋଗାଣ କାର୍ଯ୍ୟାନୁଷ୍ଠାନ ସହିତ ଜଳବିଦ୍ୟୁତ୍‍ର ବିକାଶ ମଧ୍ୟ ସମ୍ଭବ ହୋଇଥାଏ । ବିଦ୍ୟୁତ୍‍ ଶକ୍ତି ସହଜରେ ମିଳିଲେ ଗ୍ରାମ୍ୟ ଜୀବନର ରୂପ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଓ ଏହାର ଆର୍ଥିକ ଅବସ୍ଥାରେ ବହୁ ପରିମାଣରେ ଉନ୍ନତି ଘଟିବ । ବିଶେଷତଃ ଭୂତଳସ୍ଥିତ ଜଳକୁ ବ୍ୟବହାରରେ ଲଗାଇବା ଦିଗରେ ଏହା ବହୁତ ସାହାଯ୍ୟ କରିବ । ଫଳତଃ ଅସମୟ ବର୍ଷା କିମ୍ବା ବର୍ଷାର ଅଭାବଜନିତ ସମସ୍ୟା ଅତି ସହଜରେ ଦୂରୀଭୂତ ହୋଇ ପାରିବ ।

 

ଗୋଟିଏ ଦୃଷ୍ଟିରୁ ଜଳ ସବୁଠାରୁ ସାଧାରଣ ବା ସହଜଲବ୍‌ଧ ପଦାର୍ଥ, ଅନ୍ୟଦୃଷ୍ଟିରୁ ଏହା ସମସ୍ତ ତରଳ ପଦାର୍ଥମାନଙ୍କ ମଧ୍ୟରେ ଅସାଧାରଣ । କାରଣ ପ୍ରାଣୀ ଓ ଉଦ୍ଭିଦ ଜଗତକୁ ଧରି ରଖିବା ପାଇଁ ଯେଉଁ ଅସାଧାରଣ ଧର୍ମ ଆବଶ୍ୟକ, ସେହି ଧର୍ମ କେବଳ ଜଳରେ ହିଁ ଅଛି । ତେଣୁ ବୈଜ୍ଞାନିକ ସ୍ୱାର୍ଥ ଦୃଷ୍ଟିରୁ ଏହାର ପ୍ରକୃତି ଓ ଧର୍ମ ସମ୍ବନ୍ଧରେ ଗବେଷଣା କରିବା ଏକାନ୍ତ ଆବଶ୍ୟକ ଓ ଏ ଦିଗରେ ଗବେଷଣା କରିବାପାଇଁ ଏବେ ମଧ୍ୟ ବିସ୍ତୀର୍ଣ୍ଣ କ୍ଷେତ୍ର ପଡ଼ିରହିଛି ।

Image

 

ପୁରପଲ୍ଲୀର ପଦାର୍ଥବିଜ୍ଞାନ (ପାଣିପାଗ)

 

ସହରବାସୀ ପକ୍ଷରେ ପାଣିପାଗର ବିଶେଷ ଗୁରୁତ୍ୱ ନ ଥିଲେ ହେଁ ବେଳେବେଳେ ତାକୁ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅବଶ୍ୟ ସେ ଯଦି ଟିକେ ଦୂରଦୃଷ୍ଟି ସହିତ ବାଡ଼ି ପରିବର୍ତ୍ତରେ ଛତାନେଇ ବାହାରକୁ ବାହାରିଯାଏ ତାହାହେଲେ ଏହି ଅସୁବିଧା ବହୁ ପରିମାଣରେ କମିଯାଏ । ବାସ୍ତବିକ୍‌ କୌଣସି ଦୁରବସ୍ଥାରେ ନ ପଡ଼ିଲା ପର୍ଯ୍ୟନ୍ତ ସାଧାରଣ ସହରବାସୀ ପାଣିପାଗ ବିଷୟରେ ଆଦୌ ସଚେତ ହୁଏ ନାହିଁ । ଏହା ଏକ ସତକଥା ଯେ ଆକାଶର ପରିବର୍ତ୍ତନଶୀଳ ସୌନ୍ଦର୍ଯ୍ୟ, ସୂର୍ଯ୍ୟୋଦୟର ଚିତ୍ତାକର୍ଷକ ଦୃଶ୍ୟ କେବେ ସହରବାସୀର ଦୃଷ୍ଟି ପଥାରୂଢ଼ ହୁଏନାହିଁ । ସେ ଖାଲି ଦେଖେ ଧାଡ଼ି ଧାଡ଼ି ଶସ୍ତା ବାସଗୃହ । ଆକାଶରେ ଯେଉଁ କ୍ଷୁଦ୍ର ଅଂଶ ସବୁ ଏଠିସେଠି ଦେଖାଯାନ୍ତି ଟେଲିଫୋନ୍‌ ତାରଦ୍ୱାରା ସେଗୁଡ଼ିକ ବିଶେଷ ଭାବରେ ଖଣ୍ଡବିଖଣ୍ଡିତ ହୋଇଥାନ୍ତି । ତେଣୁ ସହରବାସୀ ଯଦି କେବେ ତାରା ଦେଖେ, ତେବେ ଏହା ମୁକ୍ତ ଆକାଶରେ ନୁହେଁ, ଚଳଚ୍ଚିତ୍ରର ରୂପେଲି ପର୍ଦ୍ଦା ଉପରେ । ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଅଛନ୍ତି ବୋଲି ସେ ଜାଣେ କିନ୍ତୁ ସେମାନେ ଆପେ ଆପେ ତାର ଦୃଷ୍ଟି ପଥାରୂଢ଼ ନ ହେଲା ପର୍ଯ୍ୟନ୍ତ ସେ କେବେ ତାଙ୍କର ଅସ୍ତିତ୍ୱ ଅନୁଭବ କରେନାହିଁ । ଅନ୍ୟପକ୍ଷରେ ଗ୍ରାମ୍ୟଜୀବନରେ ପାଣିପାଗ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥାଏ । ଯେଉଁମାନେ ଚିରଦିନ ମୁକ୍ତ ଆବହାଓ୍ୱାରେ ବାସ କରନ୍ତି ସେମାନେ ଆକାଶକୁ ପର୍ଯ୍ୟବେକ୍ଷଣ କରି ପାଣିପାଗ ବିଷୟରେ ସମ୍ୟକ୍‌ ଜ୍ଞାନ ଲାଭ କରିଥାଆନ୍ତି । ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ସେମାନଙ୍କର ସମୃଦ୍ଧି ସେମାନଙ୍କର ଜୀବିକା, ମୋଟ ଉପରେ ଆକାଶର ଅବସ୍ଥା ଉପରେ ନିର୍ଭର କରେ । କାଳିଦାସଙ୍କ ଋତୁସମ୍ଭାରରେ ଋତୁଚକ୍ରର ଲଳିତ ବର୍ଣ୍ଣନା ଭାରତର ପୁରପଲ୍ଲୀରେ ଜୀବନଚକ୍ରର ପରିବର୍ତ୍ତନକୁ ପ୍ରକାଶ କରେ । ଯଦି ଓ୍ୱାଶିଂଟନ ଆଇରଭିଙ୍ଗ (Washington Irving)ଙ୍କ ଗଳ୍ପରେ ଥିବା ରିପ୍‍ଭାନ୍‌ ଉଇନ୍‌କିଲ (Rip Van Winkle) ପରି ଜଣେ ଲୋକ ସମୟର ଗତିପ୍ରତି ଦୃଷ୍ଟି ନ ଦେଇ ଦୀର୍ଘକାଳ ଶୋଇଲା ପରେ ହଠାତ୍‌ ଉଠି ପାଖରେ ଥିବା ଚାଷକ୍ଷେତକୁ ଲକ୍ଷ୍ୟକରି, ସେଦିନ କେତେ ତାରିଖ ବୋଲି ସ୍ଥିର କରେ, ତାହେଲେ ତାର ଏ ନିର୍ଦ୍ଧାରଣ ସପ୍ତାହେ କିମ୍ୱା ଦୁଇ ସପ୍ତାହରୁ ଅଧିକ ଭୁଲ ହେବ ନାହିଁ । ଆମ ଦେଶରେ ଅନେକ ବିସ୍ତୀର୍ଣ୍ଣ ଅଞ୍ଚଳ ରହିଛି ଯେଉଁଠି କୌଣସିପ୍ରକାର ଫସଲ ଉତ୍ପାଦନ କରିବାପାଇଁ ଚାହିଁଲେ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼େ । ଏହି ଅଞ୍ଚଳର ଚାଷୀ ଜୀବନରେ ଆକାଶର ଜଳଦ୍ୱାର (Sluice-gate) ଖୋଲିବା ଓ ବନ୍ଦକରିବା ଯେ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା, ଏଥିରେ ସନ୍ଦେହ ନାହିଁ ।

 

ଥରେ ଭାରତ ସରକାରଙ୍କର କୌଣସି ଅର୍ଥ ବିଭାଗୀୟ ସଭ୍ୟ କହିଥିଲେ ଯେ ଲୋକସଭାରେ ବର୍ଷକୁ ସେ ଯେଉଁ ବଜେଟ ଉପସ୍ଥାପିତ କରନ୍ତି, ତାକୁ ବର୍ଷା ସହିତ ଏକ ଜୁଆଖେଳ ବୋଲି କହିଲେ କିଛି ଭୁଲ ହେବ ନାହିଁ । ଏହି ଉକ୍ତି ସ୍ପଷ୍ଟ ଭାବରେ ଜଣାଇଦିଏ ଯେ ଭାରତର ଅର୍ଥନୈତିକ ଅବସ୍ଥା, କୃଷ ଓ କୃଷିକୁ ନିୟନ୍ତ୍ରଣ କରୁଥିବା ପାଣିପାଗ ଉପରେ ବିଶେଷ ଭାବରେ ନିର୍ଭର କରେ ।

 

ଜନସାଧାରଣଙ୍କର ଅର୍ଥନୈତିକ ଅବସ୍ଥା ଉପରେ ପାଣିପାଗର ବହୁଳ ପ୍ରଭାବ ଥିବାରୁ, ସରକାର ଗତ ଶତାବ୍ଦୀରେ ଗୋଟିଏ ପାଣିପାଗ ଦପ୍ତର ପ୍ରତିଷ୍ଠା କରିଥିଲେ । ଏହି ଦପ୍ତରରୁ ପାଣିପାଗ ବିଷୟରେ, ବିଶେଷତଃ ଉପକୂଳ ଅଞ୍ଚଳରେ ଆଗାମୀ ଝଡ଼ ସମ୍ୱନ୍ଧରେ ସଠିକ ବିବରଣୀ ମିଳିଥାଏ । ସମୁଦ୍ରକୂଳରେ ଜାହାଜ ଚଳାଚଳ ଦୃଷ୍ଟିରୁ ଓ ପ୍ରଳୟଙ୍କରୀ ବନ୍ୟାବିତ୍ପାତର ସମ୍ଭାବନା ଦୃଷ୍ଟିରୁ, ଝଡ଼ ବିଷୟରେ ଏହି ପୂର୍ବ ସୂଚନା ଅତି ଗୁରୁତ୍ୱପୂର୍ଣ୍ଣ । ଯଦି ଦୀର୍ଘକାଳ ପୂର୍ବରୁ ସାମୟିକ ମୌସୁମୀ ବର୍ଷାର ପରିମାଣ ଓ ବିଭିନ୍ନ ଅଞ୍ଚଳରେ ଏହାର ପରିବଣ୍ଟନ ସମ୍ୱନ୍ଧୀୟ ତଥ୍ୟମାନ ପ୍ରକାଶ କରି ହୁଅନ୍ତା, ତା’ହେଲେ ସାଧାରଣ ଲୋକେ ବହୁଳ ଭାବରେ ଉପକୃତ ହୁଏନ୍ତେ । ଉପରୋକ୍ତ ପ୍ରକାର ଉଦ୍ଦେଶ୍ୟ ନେଇ ପ୍ରଥମେ ପାଣିପାଗ ଦପ୍ତର ପ୍ରତିଷ୍ଠା କରାଯାଇଥିଲା । ବ୍ୟୋମଜାନଦ୍ୱାରା ଯାତାୟାତ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପାଣିପାଗର ସଠିକ ବିବରଣୀ, ବିଶେଷତଃ ଅଳ୍ପ ସମୟ ପୂର୍ବରୁ ସ୍ଥାନୀୟ ପାଣିପାଗ ସମ୍ୱନ୍ଧରେ ନିର୍ଭରଯୋଗ୍ୟ ସୂଚନା ଦେବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଲା । ତେଣୁ ପାଣିପାଗ ଦପ୍ତରକୁ ଆବଶ୍ୟକ ମୁତାବକ ବଢ଼ାଇ ଦିଆ ଯାଇଥିଲା ।

 

ପରେ ଯୁଦ୍ଧକାଳୀନ ଆବଶ୍ୟକତା ଯୋଗୁଁ ଏହି ଦପ୍ତରର କର୍ମଚାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି କରାଯାଇଥିଲା ଓ ବେତାରଦ୍ୱାରା ପ୍ରଚାରିତ ପାଣିପାଗ ସମ୍ୱନ୍ଧୀୟ ଖବର ଉପରେ କଟକଣା ଜାରୀ କରାଯାଇଥିଲା । ବର୍ତ୍ତମାନ ଏହି ଦପ୍ତରରେ ‘କୃଷି ସମ୍ୱନ୍ଧୀୟ ପାଣିପାଗ’ ନାମକ ଏକ ନୂତନ ବିଭାଗ ଖୋଲାଯାଇଛି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ କୃଷି ପ୍ରତି ତଥା ଅତୀତରେ ନିଜର ଅଭିଜ୍ଞତା ଓ ପାଣିପାଗ ଚେତନା ଉପରେ ନିର୍ଭର କରୁଥିବା କୃଷକ ପ୍ରତି ଏ ଦପ୍ତରରେ ଯେ ଦାୟିତ୍ୱ ରହିଛି, ସେ ବିଷୟରେ କର୍ତ୍ତୃପକ୍ଷ ବେଶ୍‌ ସଚେତ ।

 

ଭାରତବର୍ଷପରି ଗୋଟିଏ କୃଷିପ୍ରଧାନ ଦେଶ ପକ୍ଷରେ ପାଣିପାଗ ସମ୍ୱନ୍ଧୀୟ ଜ୍ଞାନର ଯେ ବହୁଳ ଗୁରୁତ୍ୱ ରହିଛି, ଏ ଉକ୍ତି ବାରମ୍ୱାର ପୁନରାବୃତ୍ତି କରାଯାଇପାରେ । ଦୁଃଖର ସହିତ ଉଲ୍ଲେଖ କରିବାକୁ ପଡ଼େ ଯେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ଏ ବିଷୟରେ ଶିକ୍ଷା ଦେବାକୁ ବ୍ୟବସ୍ଥା କରିନାହାନ୍ତି । ଶିକ୍ଷାବିଭାଗୀୟ କାର୍ଯ୍ୟକଳାପ ଓ ଦେଶର ପ୍ରକୃତ ଆବଶ୍ୟକତା ମଧ୍ୟରେ ଯେ କୌଣସି ପ୍ରକାର ସହଯୋଗ ନାହିଁ, ଉପରୋକ୍ତ ଅଭାବ ତାର ଅନ୍ୟତମ ଉଦାହରଣ । ମୋର ମନେହୁଏ ଯେ ଭାରତୀୟ ପାଣିପାଗ ସମ୍ୱନ୍ଧରେ ଗଭୀର ଅଧ୍ୟୟନ ଓ ଗବେଷଣା କରିବା ସଙ୍ଗେ ସଙ୍ଗେ, ତତ୍‌ଜନିତ ଜ୍ଞାନର ବହୁଳ ପ୍ରଚାର କରିବା ନିତାନ୍ତ ଆବଶ୍ୟକ ଓ ଏ ବିଷୟରେ ପ୍ରତ୍ୟେକ ଭାରତୀୟ ବିଶ୍ୱବିଦ୍ୟାଳୟ କଛିନାକିଛି କରିବା ଉଚିତ୍‌ । ଏପରିକି ଏ ବିଷୟରେ ଯଦି ବିଶେଷ ଜ୍ଞାନ ଲାଭ କରିବା ପାଇଁ ଓ ଶିକ୍ଷାଦେବା ପାଇଁ ଜଣେ ସହକାରୀ ଅଧ୍ୟାପକ ନିଯୁକ୍ତି କରାଯାଏ, ତା’ହେଲେ ମଧ୍ୟ ଏ ଦିଗରେ କିଛି କାର୍ଯ୍ୟ ହେଉଛି ବୋଲି ଜଣାଯିବ । ପୂର୍ବରୁ ସମସ୍ତଙ୍କର ଧାରଣା ଅଛି ଯେ ସରକାରଙ୍କର ପୃଷ୍ଠପୋଷକତା ବିନା ପାଣିପାଗ ସମ୍ୱନ୍ଧରେ କୌଣସି କାର୍ଯ୍ୟ କରାଯାଇ ପାରିବ ନାହିଁ । ମୋ ମତରେ ଏଭଳି ଏକ ଧାରଣା ପଛରେ କୌଣସି ନ୍ୟାୟସଂଗତ ଯୁକ୍ତି ନାହିଁ । ବେସରକାରୀ ଅନୁଷ୍ଠାନ କିମ୍ୱା ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଜ୍ଞାନାନୁଧ୍ୟାୟୀ ବୈଜ୍ଞାନିକମାନେ ଯେ ଅନେକ ମୂଲ୍ୟବାନ୍‌ କାର୍ଯ୍ୟ କରିପାରିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତା’ଛଡ଼ା ଏହି ଗବେଷଣା ମଧ୍ୟରେ ଯଦି ସରକାରୀ ଦପ୍ତରରୁ କୌଣସି ପ୍ରକାର ସାହାଯ୍ୟ ବା ସହଯୋଗ ଆବଶ୍ୟକ ହୁଏ, ସେଭଳି ସାହାଯ୍ୟ ବା ସହଯୋଗ ଯେ ଅନତିବିଳମ୍ୱେ ମିଳିବ, ସେ ବିଷୟରେ ମୋର ଦୃଢ଼ ବିଶ୍ୱାସ ରହିଛି ।

 

ଭାରତୀୟ ପାଣିପାଗକୁ ଗୋଟିଏ ପୃଥକ ବିଷୟ ବୋଲି ଚର୍ଚ୍ଚା କରିବାରେ ଅନେକ ତାତ୍ପର୍ଯ୍ୟ ରହିଛି । ଭାରତର ଭୌଗାଳିକ ଅବସ୍ଥିତି ଏକ ବିଶିଷ୍ଟ ଧରଣର । ଉତ୍ତରରେ ହିମାଳୟର ତୁଙ୍ଗ ପର୍ବତଶ୍ରେଣୀ ଏହାକୁ ତିବ୍ବତ୍‌ ମାଳଭୂମିରୁ ବିଚ୍ଛିନ୍ନ କରୁଛି । ଦକ୍ଷିଣରେ ଆରବସାଗର ଓ ବଙ୍ଗୋପସାଗର ମଧ୍ୟରେ ବନ୍ଦୀ ଦାକ୍ଷିଣାତ୍ୟ ମାଳଭୂମି; ଦୁଇଧାରରେ ପଶ୍ଚିମ ଓ ପୂର୍ବଘାଟ ପର୍ବତମାଳା ନେଇ ବିରାଜିତ । ଭାରତର ଏହି ବିଶିଷ୍ଟ ପ୍ରକୃତି କେବଳ ଯେ ଏହାର ରାଜନୈତିକ ଇତିହାସକୁ ପ୍ରଭାବିତ କରିଛି ତା ନୁହେଁ, ଏହାର ପାଣିପାଗ ମଧ୍ୟ ଏହି ପରିସ୍ଥିତିଦ୍ୱାରା ନିୟନ୍ତ୍ରିତ ହୋଇ ଆସିଛି । ଆଞ୍ଚଳିକ ପାଣିପାଗ ଓ ଋତୁ ଅନୁବର୍ତ୍ତୀ ପାଣିପାଗର ବିଶିଷ୍ଟ ଲକ୍ଷଣମାନ ନିର୍ଦ୍ଧାରଣ କରିବା ଦିଗରେ ଭାରତର ଏକ ଅସାଧାରଣ ଭୌଗୋଳିକ ଅବସ୍ଥିତି ବହୁ ପରିମାଣରେ ଦାୟୀ । ଅବଶ୍ୟ ଏହା ଭୁଲିଯିବା ଉଚିତ୍‍ ନୁହେଁ ଯେ ଭାରତୀୟ ପାଣିପାଗ ବିଶ୍ୱ ପାଣିପାଗର ଏକ ନିର୍ଦ୍ଦିଷ୍ଟ ଅଂଶମାତ୍ର । ତେଣୁ ଏହାର ଅଧ୍ୟୟନ, ବିଶ୍ୱ ପାଣିପାଗର ଅଧ୍ୟୟନ ସହିତ ସମନ୍ୱୟ ରଖି କରିବାକୁ ହେବ ।

 

ବାୟୁମଣ୍ଡଳୀୟ ଚାପ, ତାପ ଓ ଆର୍ଦ୍ରତା ପ୍ରଭୃତି କାରଣମାନ ପୃଥିବୀପୃଷ୍ଠସ୍ଥ ବାୟୁମଣ୍ଡଳର ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ । ତେଣୁ ଏଗୁଡ଼ିକ ପାଣିପାଗବଜ୍ଞାନୀର ଦୃଷ୍ଟି ଆକର୍ଷଣ କରିବା ସ୍ୱଭାବିକ । ପୃଥିବୀପୃଷ୍ଠସ୍ଥ ବାୟୁଚାପର ବଣ୍ଟନ ଯଦି ସମାବସ୍ଥାରେ (Equilibrium State) ଥିବା ବାୟୁଚାପର ବଣ୍ଟନଠାରୁ ପୃଥକ ହୁଏ, ତା’ହେଲେ ବାୟୁ ଭୂମିକୁ ସମାନ୍ତରାଳ କରି ଗତି କରେ, ଏହାକୁ ବାୟୁପ୍ରଭାହ ବୋଲି କୁହାଯାଇଥାଏ । ବାୟୁ ଯଦି ଅବିରାମ ଭାବରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରନ୍ତା, ତା’ହେଲେ ପୂର୍ବୋକ୍ତ ସ୍ଥାନଟି ବାୟୁଶୂନ୍ୟ ହେବା ସଙ୍ଗେ ସଙ୍ଗେ ଶେଷୋକ୍ତ ସ୍ଥାନଟି ବାୟୁଦ୍ୱାରା ପୂର୍ଣ୍ଣ ହୋଇଯାନ୍ତା । ଏଭଳି ପରିସ୍ଥିତି ଆଦୌ ସମ୍ଭବପର ନୁହେଁ, ତେଣୁ ଅନ୍ୟ କୌଣସି ସ୍ଥାନରୁ ବାୟୁ ଆସି ପୂର୍ବୋକ୍ତ ସ୍ଥାନକୁ ସ୍ୱଭାବିକ ରୀତିରେ ବାୟୁ ପୂର୍ଣ୍ଣ କରେ । ସାଧାରଣତଃ ପୃଥିବୀର ଉପର ସ୍ତରରୁ ଏହିଭଳି ବାୟୁ ପ୍ରଭାହ ଆସିଥାଏ । ଏହି ସରଳ ବିଚାରରୁ ସ୍ପଷ୍ଟ ଅନୁମିତ ହୁଏ ଯେ ପାଣିପାଗ ସମ୍ୱନ୍ଧୀୟ ବିଜ୍ଞାନ ଉପରେ ଗବେଷଣା କରିବାକୁ ହେଲେ ଉପରିସ୍ଥ ବାୟୁମଣ୍ଡଳର ଅବସ୍ଥା ଓ ସେଠାରେ ହେଉଥିବା ବାୟୁ ପ୍ରବାହ ବିଷୟରେ ସମ୍ୟକ୍‌ ଜ୍ଞାନଲାଭ କରିବା ଆବଶ୍ୟକ । ବାସ୍ତବିକ ପୃଥିବୀ ପୃଷ୍ଠରେ କଣ ଘଟୁଛି ବୁଝିବାକୁ ହେଲେ ଏହାର ଉପରିସ୍ଥ ବାୟୁମଣ୍ଡଳ ସମ୍ୱନ୍ଧରେ ଆମର ପ୍ରଥମେ ଜାଣିବା ଉଚିତ୍‍ ଓ ତତ୍ପରେ ଉଭୟ ଘଟଣାବଳୀ ମଧ୍ୟରେ ସମ୍ପର୍କ ସ୍ଥାପନା କରିବା ବାଞ୍ଛନୀୟ । ଏହି ଦୃଷ୍ଟିରୁ ବାୟୁମଣ୍ଡଳର ଉପର ସ୍ତରକୁ ବେଲୁନ୍‍ ଛାଡ଼ି ସେଠାରେ ବେଲୁନ୍‍ର ଗତିପଥ ପର୍ଯ୍ୟବେକ୍ଷଣ କରିବା ପାଣିପାଗ ବିଜ୍ଞାନରେ ଏକ ସାଧାରଣ ଅଭିକ୍ରିୟା ବୋଲି ବିବେଚିତ ହୁଏ । ଅନେକ ସମୟରେ ଏହି ବେଲୁନ୍‍ମାନଙ୍କରେ ଏପରି ଯନ୍ତ୍ରପାତି ଖଞ୍ଜି ଦିଆଯାଇଥାଏ ଯେ ବାୟୁମଣ୍ଡଳର ଅବସ୍ଥା ଆପେ ଆପେ ଲିପିବଦ୍ଧ ହୋଇଯାଏ ଅଥବା ସେ ସମ୍ବନ୍ଧୀୟ ଖବର ସବୁ ବେତାରବାର୍ତ୍ତା ସାହାଯ୍ୟରେ ପର୍ଯ୍ୟବେକ୍ଷକ ନିକଟକୁ ପଠାଇ ଦିଆଯାଇଥାଏ ।

 

ଭାରତୀୟ ପାଣିପାଗ ସମ୍ୱନ୍ଧୀୟ ସମୟାନୁବର୍ତ୍ତିତାକୁ ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପୂର୍ବ ମୌସୁମୀବାୟୁ ସହିତ ସଂପୃକ୍ତ କରାଯାଏ । ଏହି ବାୟୁ ବର୍ଷାର ପରିମାଣ ଓ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିବଣ୍ଟନ ନିର୍ଣ୍ଣୟ କରିଥାଏ । ଫଳତଃ କୃଷିଜନିତ ଅର୍ଥନୀତି ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ଏହା ଏକ ଜଣାଶୁଣା କଥା ଯେ ମୌସୁମୀବାୟୁ ବହୁଥିଲା ସମୟରେ ମଧ୍ୟ ଅନବରତ ବର୍ଷା ହୁଏ ନାହିଁ । ମଝିରେ ମଝିରେ ସମୁଦ୍ରରେ ଲଘୁଚାପ ସୃଷ୍ଟିହୋଇଥାଏ ଓ ଏହି ଲଘୁଚାପ ଆବଶ୍ୟକୀୟ ଜଳୀୟବାଷ୍ପ ଓ ବର୍ଷା ନେଇ ସ୍ଥଳଭାଗକୁ ପ୍ରବେଶ କରେ, ତେଣୁ ସ୍ଥଳଭାଗରେ ମଝିରେ ମଝିରେ ବର୍ଷା ହୁଏ । ଆବଶ୍ୟକ ମୁତାବକ ସମୟ ବ୍ୟବଧାନ ପରେ ନିୟମିତ ଭାବରେ ଏହିଭଳି ଲଘୁଚାପର ସୃଷ୍ଟି ଓ ତଦ୍‌ଜନିତ ବର୍ଷାର ପରିମାଣ ଉପରେ ଭାରତୀୟ କୃଷିକାର୍ଯ୍ୟ ବହୁପରିମାଣରେ ନିର୍ଭର କରେ । ତେଣୁ ଏହିଭଳି ଏକ ଲଘୁଚାପର ସୃଷ୍ଟି ଓ ତା’ର ସ୍ଥଳଭାଗ ଆଡ଼କୁ ଗତି ଭାରତୀୟ ପାଣିପାଗ ବିଜ୍ଞାନରେ ନୂତନ ନୂତନ ସମସ୍ୟା ଉପସ୍ଥାପିତ କରିଥାଏ ।

 

ଭାରତର ବିଭିନ୍ନ ଅଞ୍ଚଳର ପାଣିପାଗ ଚିତ୍ରକୁ ପୁଂଖାନୁପୁଂଖ ଆଲୋଚନା କଲେ ବହୁବିଧି ବିଚିତ୍ରତାର ସମ୍ମୁଖୀନ ହେବାକୁ ପଡ଼େ । ପାଣିପାଗ ସମ୍ୱନ୍ଧୀୟ ବିଭିନ୍ନ ପ୍ରକାର ରୀତି ଭାରତର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳେ । ଉଦାହରଣସ୍ୱରୂପ ବୃଷ୍ଟିପାତ କଥା ବିଚାର କରାଯାଉ । ଚେରାପୁଞ୍ଜିରେ ପ୍ରବଳବର୍ଷା ବଙ୍ଗଳା ଓ ପଶ୍ଚିମଘାଟ ଅଞ୍ଚଳରେ ଅଧିକ ବର୍ଷା ଦାକ୍ଷିଣାତ୍ୟ ଉପତ୍ୟକାର ଦକ୍ଷିଣପୂର୍ବାଂଶରେ ମଧ୍ୟମଭଳି ବର୍ଷା ହେଉଥିବାବେଳେ ଦେଶର ଅଭ୍ୟନ୍ତର ଅଞ୍ଚଳମାନଙ୍କରେ ବିଶେଷତଃ ରାଜପୁତନା ମରୁଭୂମିରେ ବର୍ଷାର ପରିମାଣ ଅତି କମ୍‌ । ଉତ୍ତର ଭାରତର କେତକେ ଅଞ୍ଚଳରେ ତୁଷାର (frost) ଓ ବରଫ ପଡ଼ିବାର ଦେଖାଯାଏ । କିନ୍ତୁ ଦକ୍ଷିଣ ଭାରତର ଉଚ୍ଚତମ ଅଞ୍ଚଳମାନଙ୍କରେ କେବେହେଲେ ତୁଷାର ପଡ଼େନାହିଁ ।

 

ଭାରତର ବିଭିନ୍ନ ଅଞ୍ଚଳର ଜଳବାୟୁରେ ଯଥେଷ୍ଟ ତାରତମ୍ୟ ଦେଖାଯାଏ । ଉଦାହରଣସ୍ୱରୂପ ତ୍ରିବାଙ୍କୁଡ଼ର ଜଳବାୟୁ ବର୍ଷସାରା ଆର୍ଦ୍ର ଓ ଉଷ୍ମ ଥାଏ । କିନ୍ତୁ ଉତ୍ତରଭାରତର ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳରେ ଗ୍ରୀଷ୍ମଋତୁରେ ଅତିବେଶି ଗରମ ଓ ଶୀତଋତୁରେ ଅତିବେଶି ଥଣ୍ଡା ହୋଇଥାଏ । ଅବଶ୍ୟ ଶୀତଦିନରେ ଉଜ୍ଜ୍ୱଳ ସୂର୍ଯ୍ୟଲୋକ ମିଳେ ତେଣୁ ଶୀତର ପ୍ରକୋପ ବହୁପରିମାଣରେ କମିଯାଇଥାଏ । ଏହିସବୁ ବିଚାର କଲେ ଜଣାଯାଏ ଯେ ଭାରତୀୟ ପାଣିପାଗରେ ଯଥେଷ୍ଟ ସ୍ୱତନ୍ତ୍ରତା ରହିଛି ଓ ଏହି ସ୍ୱତନ୍ତ୍ରତା ସ୍ଥାନୀୟ ପ୍ରାଣୀ ଓ ଉଦ୍ଭିଦ ଜୀବନ ଉପରେ ଯଥେଷ୍ଟ ପ୍ରଭାବ ପକାଉଛି ।

 

ବକ୍ତୃତା ଶେଷ କଲା ପୂର୍ବରୁ ମୁଁ ପୁଣିଥରେ ଦୃଢ଼ତାର ସହିତ କହିବାକୁ ଚାହେଁ ଯେ ଆମଦେଶରେ ପାଣିପାଗ ସମ୍ୱନ୍ଧରେ ଅଧ୍ୟୟନ ଓ ଗବେଷଣା କରିବାପାଇଁ ଯଥେଷ୍ଟ ଆଗ୍ରହ ବଢ଼ିବା ଆବଶ୍ୟକ । ବିଶେଷତଃ ବିଶ୍ୱବିଦ୍ୟାଳୟର ଶିକ୍ଷିକ ଓ ଛାତ୍ରମାନେ ଏ ବିଷୟରେ ବିଶେଷ ମନଯୋଗ ଦେବା ଉଚିତ୍‍ । ମୁଁ ଅନୁଭବ କରୁଛି ଯେ ଏ ବିଷୟରେ ଅଧ୍ୟୟନ ଓ ଅନୁସନ୍ଧାନ କଲେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ଓ ଏହା ଭାରତର ସର୍ବପ୍ରଧାନ ବ୍ୟବସାୟ କୃଷିର ପ୍ରଭୂତ ଉପକାର ସାଧନ କରିବ ।

Image

 

କାଚର ରହସ୍ୟ

 

ଭାରତବର୍ଷରେ ଶିଳ୍ପଗୁଡ଼ିକର ବିକାଶ ବର୍ତ୍ତମାନ ବିଶେଷଭାବରେ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଛି । ତେଣୁ ଆଜି ରାତ୍ରିର ବକ୍ତୃତାରେ ମୁଁ ଗୋଟିଏ ପୁସ୍ତକର ସମାଲୋଚନା କରିବି, ଯେଉଁଥିରେ ବିଜ୍ଞାନ ଓ ଶିଳ୍ପ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଶେଷଭାବରେ ଆଲୋଚିତ ଓ ପରିଦର୍ଶିତ ହୋଇଛି । ପୁସ୍ତକଟିର ନାମ ହେଉଛି କାଚର ଧର୍ମ (Properties of Glass) ଓ ଏହାକୁ ଲେଖିଛନ୍ତି ଜି.ଡବ୍‌ଲିଉ (G. W. Morey) । ଶ୍ରୀଯୁକ୍ତ ମୋରେ ଓ୍ୟାଶିଂଟନରେ ଥିବା କାର୍ନେଗି ପ୍ରତିଷ୍ଠାନର ଭୂପଦାର୍ଥ-ବିଦ୍ୟା-ଗବେଷଣାଗାରରେ ଚାକିରି କରନ୍ତି । ଏ ପୁସ୍ତକଟିର ପୃଷ୍ଠା ସଂଖ୍ୟା ପାଞ୍ଚଶ ଷାଠିଏ । ଆମେରିକାନ୍‌-ରସାୟନ ସଂସଦ (American Chemical Society) ପ୍ରକାଶ କରୁଥିବା ବୈଜ୍ଞାନିକ ଓ ଶିଳ୍ପ ସମ୍ବନ୍ଧୀୟ ପୁସ୍ତିକାମାଳାରେ ଏହାର ସ୍ଥାନ ସତସ୍ତରିତମ । ଏ ବହିଟି ନ୍ୟୁୟର୍କର ‘ରାଇନହୋଲଡ ପ୍ରକାଶନୀ’ ପ୍ରକାଶ କରିଛନ୍ତି । ଏହାର ମୂଲ୍ୟ ସାଢ଼େ ବାର ଡଲାର ଆମେରିକାନ୍‌ ମୁଦ୍ରା ବା ପାଖାପାଖି ଷାଠିଏ ଟଙ୍କା ।

 

ଶ୍ରୀଯୁକ୍ତ ମୋରେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ମାନବସଭ୍ୟତାର ଅୟଆରମ୍ଭ ଦିନରୁ କାଚ ଶିଳ୍ପର ଆରମ୍ଭ ହୋଇଛି । ଆବସିଡିଆନ୍‌(obsidian) ନାମକ ଖଣିଜ ପଦାର୍ଥରେ କାଚ ପ୍ରାକୃତିକ ଅବସ୍ଥାରେ ମିଳିଥାଏ । ଆଦିମାନବ ନିଜର ଅଭିଜ୍ଞତାରୁ ଜାଣିଥିଲା ଯେ ଏହି ପଦାର୍ଥ ସହଜରେ ଭାଙ୍ଗି ଯାଇଁ ତୀକ୍ଷ୍‌ଣ ଦୀର୍ଘାକୃତି ଖଣ୍ଡରେ ପରିଣତ ହୁଏ । ସେ ଏଗୁଡ଼ିକ ନେଇ ତାର ନିତ୍ୟ ବ୍ୟବହାର୍ଯ୍ୟ ଶର, ବର୍ଚ୍ଛା ଓ କାତି ପ୍ରଭୃତି ବିଭିନ୍ନ ଅସ୍ତ୍ର ଶସ୍ତ୍ର ତିଆରି କରୁଥିଲା । ପଥରଯୁଗର ସଭ୍ୟତାରେ ଆବସିଡିଆନ୍‌ କାଚ ଯେ ବହୁଳଭାବରେ ବ୍ୟବହୃତ ହେଉଥିଲା, ଏହାର ଯଥେଷ୍ଟ ପ୍ରମାଣ ଅଛି । କୃତ୍ରିମ ଉପାୟରେ ମଧ୍ୟ କାଚ ତିଆରି କରିବା ମାନବ ଇତିହାସର ବହୁ ପୁରାତନ କାଳରୁ ଆରମ୍ଭ ହୋଇଛି । ଚୀନ, ମେସୋପଟାମିଆ ଓ ମିଶର ପ୍ରଭୃତି ଦେଶମାନେ ପ୍ରଥମେ କାଚ ତିଆରି କରିବା ପ୍ରଣାଳୀ ଆବିଷ୍କାର କରିଥିଲେ । ରୋମାନ୍‌ ସାମ୍ରାଜ୍ୟର ପ୍ରାରମ୍ଭକାଳରୁ କାଚର ବାସନକୁସନ ତିଆାରି ଶିଳ୍ପ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଥିଲା । ଏ ସମୟରେ ବ୍ୟବହୃତ ହେଉଥିବା ଗୃହ ଉପକରଣମାନଙ୍କ ମଧ୍ୟରେ କାଚ ଗୋଟିଏ ଅତି ସାଧାରଣ ପଦାର୍ଥ ଥିଲା । ମଧ୍ୟଯୁଗରେ ଭେନିସ୍ ଥିଲା କାଚଶିଳ୍ପର ଗୋଟିଏ ପ୍ରଧାନ କେନ୍ଦ୍ର । କାରୁକାର୍ଯ୍ୟର କୁଶଳତା ଓ ସୁନ୍ଦର ପରିକଳ୍ପନା ପାଇଁ ସେତେବେଳେ ଭେନିସ୍ ସହର ଯେଉଁ ଖ୍ୟାତି ଅର୍ଜ୍ଜନ କରିଥିଲା ତାହା ଆଜିପର୍ଯ୍ୟନ୍ତ ରହିଆସିଛି ।

 

ଊନବିଂଶ ଶତାବ୍ଦୀରେ ଆଲୋକ ସମ୍ବନ୍ଧୀ କାଚ (Optical Glass) ନାମକ ଏକ ନିର୍ଦ୍ଦିଷ୍ଟ ପ୍ରକାର କାଚ ବୈଜ୍ଞାନିକ ଗବେଷଣା ପାଇଁ ବହୁଳଭାବରେ ଆବଶ୍ୟକ ହେବାରୁ, କାର୍ଯ୍ୟତଃ କାଚଶିଳ୍ପର ବହୁତ ଉନ୍ନତି ସାଧିତ ହେଲା । ଆଲୋକଯନ୍ତ୍ର ବା ବୀକ୍ଷଣଯନ୍ତ୍ରମାନ ତିଆରି କରିବାପାଇଁ ଯେଉଁ କାଚ ବ୍ୟବହୃତ ହୁଏ, ତାହା ଉତ୍ପାଦିତ ହେଉଥିବା ସମୁଦାୟ କାଚର ଏକ କ୍ଷୁଦ୍ର ଅଂଶ ମାତ୍ର । ତଥାପି ଏହି କାଚର ନିର୍ଦ୍ଧାରିତ ଆବଶ୍ୟକତା ମୁତାବକ ବିଶିଷ୍ଟ ଧର୍ମମାନ ରହିବା ଦରକାର । ଆଲୋକକାଚ ଅଗଳିତ ବସ୍ତୁକଣା ଓ ବାୟୁ ବୁଦ୍‌ବୁଦ୍‌ରୁ ସମ୍ପୂର୍ଣ୍ଣଭାବେ ମୁକ୍ତ ହେବା ଆବଶ୍ୟକ । ତାହାଛଡ଼ା ଏହା ସମ୍ପୂର୍ଣ୍ଣଭାବେ ସମାଙ୍ଗ ଓ ବର୍ଣ୍ଣହୀନ ହେବା ଉଚିତ୍‍ । ଏହାର ପୂର୍ବନିର୍ଦ୍ଦିଷ୍ଟ ଏକ ପ୍ରତିସରଣାଙ୍କ (Refractive index) ଓ ଆଲୋକ ବିଚ୍ଛୁରଣ (dispersion) ଶକ୍ତି ରହିବା ଦରକାର । ଏହିଭଳି ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରୁଥିବା କାଚଗୁଡ଼ିକ ତିଆରି କରି ଏହି ଶିଳ୍ପ ସମ୍ବନ୍ଧରେ ଯେଉଁ ଜ୍ଞାନଲାଭ ହୋଇଛି କାର୍ଯ୍ୟତଃ ତାହା କାଚଶିଳ୍ପର ଯଥେଷ୍ଟ ଉନ୍ନତି ସାଧନ କରିଛି । ଏହି ଅଗ୍ରଗତି ପାଇଁ ଜର୍ମାନୀର ‘ଜେନା’ ସହରସ୍ଥ ସ୍କଟ (Scott) ଓ ଆବେ (Abbe)ଙ୍କର ମିଳିତ ଦାନ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ଗବେଷକମାନେ ବିଶିଷ୍ଟ ଆଲୋକଧର୍ମ ଥିବା ନୂଆ ନୂଆ ପ୍ରକାର କାଚ ତିଆରି କରି ଆଲୋକ ଶିଳ୍ପରେ ଆଣିଥିଲେ ଏକ ବିରାଟ ବିପ୍ଳବ । ଫଳତଃ ସେମାନଙ୍କର ଏହି ନୂତନ ଜ୍ଞାନ ସମୁଦାୟ କାଚଶିଳ୍ପର ବିଶେଷ ଉନ୍ନତି ସାଧନ କଲା ।

 

ପୂର୍ବେ ବହୁ ପରିଶ୍ରମ ଓ କୌଶଳ ସ୍ୱୀକାର କରି କାଚ ହାତ କାରିଗରୀଦ୍ୱାରା ତିଆରି ହେଉଥିଲା । ସେହି ସମୟରେ ଏହାକୁ ମୂଲ୍ୟବାନ ମନେ କରି ଅଳଙ୍କାର ଭାବରେ ବ୍ୟବହାର କରିବା ସ୍ୱାଭାବିକ । କାଚର ଏହି ପୁରାତନ ବ୍ୟବହାର ଆଜିପର୍ଯ୍ୟନ୍ତ ରହିଆସିଛି । କିନ୍ତୁ ବର୍ତ୍ତମାନ ଯେତେ ପରିମାଣରେ କାଚ ବହୁବିଧ କ୍ଷେତ୍ରରେ ବ୍ୟବହୃତ ହେଉଛି, ତା ତୁଳନାରେ ଅଳଙ୍କାରାଦି କ୍ଷେତ୍ରରେ ବ୍ୟବହୃତ ହେଉଥିବା କାଚର ପରିମାଣ ବହୁତ କମ୍‌ । ଯନ୍ତ୍ରଶିଳ୍ପ, ହସ୍ତଶିଳ୍ପର ସ୍ଥାନ ପୂରଣ କଲାପରେ ଏ ଶତାବ୍ଦୀରେ କାଚର ବ୍ୟବହାର ବହୁଗୁଣରେ ବୃଦ୍ଧି ପାଇଛି । ବର୍ତ୍ତମାନ ବହୁ ସଂଖ୍ୟକ ବୋତଲ, ଭାଣ୍ଡ, ଜଳଭାଣ୍ଡ, ଧୂଆଁନଳୀ, ଗୋଲକ, ବଲବ୍ ଓ ବେତାରନଳୀ ପ୍ରଭୃତି ବିଭିନ୍ନ କାଚଦ୍ରବ୍ୟ ଯନ୍ତ୍ର ସାହାଯ୍ୟରେ ଉତ୍ପାଦନ କରାଯାଉଛି । କାଚର ବଡ଼ ବଡ଼ ଓଜନିଆ ପଦାର୍ଥମାନ ସ୍ୱୟଂ ପୃଷ୍ଟ (Automatically fed) ଛାଞ୍ଚମାନଙ୍କରେ ଢଳେଇକରି ତିଆରି କରାଯାଉଛି । ଆଜିକାଲି ଗବେଷଣାଗାରର ପ୍ରାମାଣିକ (Standard) କାଚ ଯନ୍ତ୍ରମାନ ମଧ୍ୟ କାରଖାନାରେ ତିଆରି ହୋଇ ପାରୁଛି ।

 

ବର୍ତ୍ତମାନ କାଚକୁ ଯେଉଁ ବହୁବିଧ ବ୍ୟବହାରରେ ଲଗାଯାଇଛି ତାହା କେବଳ ସମ୍ଭବ ହୋଇଛି କାଚରେ ଥିବା କେତେକ ବିଶିଷ୍ଟ ଯାନ୍ତ୍ରିକ (Mechanical) ଧର୍ମ ଯୋଗୁଁ । ଉଦାହରଣସ୍ୱରୂପ କାଚ ଏପରି ଗୋଟିଏ ପଦାର୍ଥ ଯେ ଏହାକୁ ଉତ୍ତାପରେ ତରଳାଇ ସହଜରେ ବିଭିନ୍ନ ଆକୃତିରେ ପରିଣତ କରାଯାଇପାରେ । ଥଣ୍ଡା ହୋଇଗଲା ପରେ ତାହାର ଏ ଆକୃତି ଅକ୍ଷୁଣ୍ଣ ରହିଯାଏ । ଗ୍ୟାସ୍‌ ବା ତରଳ ପଦାର୍ଥ ଏହା ମଧ୍ୟକୁ ପ୍ରବେଶ କରିପାରେ ନାହିଁ । ବାୟୁ, ଜଳ ବା କ୍ଷୟକାରକ ରସାୟନ ପଦାର୍ଥଦ୍ୱାରା ଏହା ନଷ୍ଟ ହୁଏ ନାହିଁ । ଏହାର ସ୍ଥିତିସ୍ଥାପକ (elastic) ଓ ଯାନ୍ତ୍ରିକ ବଳ ମଧ୍ୟ ବିଶିଷ୍ଟ ଧରଣର । ବିଦ୍ୟୁତ୍ ଏହାମଧ୍ୟ ଦେଇ ପରିବାହିତ ହୁଏ ନାହିଁ । ତା’ଛଡ଼ା କାଚର ଆଉ ଗୋଟିଏ ବିଶେଷତ୍ୱ ହେଉଛି ଯେ ଏହାକୁ ସହଜରେ ବିଭିନ୍ନ ରଙ୍ଗରେ ରଞ୍ଜିତ କରାଯାଇପାରେ । ବୈଜ୍ଞାନିକ ଗବେଷଣାଦ୍ୱାରା ଦେଖାଯାଇଛି ଯେ ଉପରୋକ୍ତ ସମସ୍ତ ଧର୍ମ କାଚର ରାସାୟନିକ ସଂଯୋଜନା ଉପରେ ନିର୍ଭର କରେ । ତେଣୁ ଏହି ସଂଯୋଜନାକୁ ବିଭିନ୍ନ ଭାବରେ ପରିବର୍ତ୍ତନ କରି ଉପରୋକ୍ତ ଧର୍ମମାନଙ୍କର ପରିସର ଯଥେଷ୍ଟ ଭାବରେ ବଢ଼ାଇ ଦିଆଯାଇପାରେ । ଏ ସମ୍ପର୍କରେ ଆମେରିକାର ‘‘କର୍ଣ୍ଣିଙ୍ଗ (Corning) କାଚ କମ୍ପାନୀ’’ର ନାମ ଉଲ୍ଲେଖଯୋଗ୍ୟ । ସେଠାରେ ହୋଇଥିବା ଅଭିକ୍ରିୟା ଓ ରାସାୟନିକ କ୍ଷୟକୁ ପ୍ରତିରୋଧ କରିବା ଯାନ୍ତ୍ରିକ ବଳ, ତାପସହିବା ଶକ୍ତି ଓ ରାସାୟନିକ କ୍ଷୟକୁ ପ୍ରତିରୋଧ କରିବା ଶକ୍ତି ବହୁପରିମାଣରେ ବୃଦ୍ଧି କରାଯାଇପାରିଛି । ଏହିଭଳି ଉନ୍ନତ ପାଇରେକ୍‌ସ କାଚର ବ୍ୟବହାର ସହିତ ଆଜିକାଲି ପ୍ରାୟ ସମସ୍ତେ ପରିଚିତ । କର୍ଣ୍ଣିଙ୍ଗ କାଚ କାରଖାନା କାଲିଫର୍ଣ୍ଣିଆର ମାଉଣ୍ଟ-ପାଲମୋର ପର୍ଯ୍ୟବେକ୍ଷଣାଗାରରେ ଥିବା ପୃଥିବୀର ବୃହତ୍ତମ ଦୂରବୀକ୍ଷଣ ଯନ୍ତ୍ର ଦୁଇଶହ ଇଞ୍ଚ ବ୍ୟାସର ବଡ଼ ଦର୍ପଣଟିକୁ ଛାଞ୍ଚରେ ଢଳେଇ କରି ଓ ସଂଯତଭାବରେ ଶୀତଳ କରି ବିରାଟ କୃତିତ୍ୱ ହାସଲ କରିଛି-

 

ଶ୍ରୀଯୁକ୍ତ ମୋରେ କେବଳ କାଚ ଉତ୍ପାଦକମାନଙ୍କ ଦୃଷ୍ଟିକୋଣ ସହିତ ପରିଚିତ ନୁହନ୍ତି, ସେ ଏ ବିଷୟରେ ବେଶ୍‌ ସଂଶ୍ଳିଷ୍ଟ । ସେ ତାଙ୍କର ପୁସ୍ତକରେ କାଚର ବିଭିନ୍ନ ଧର୍ମ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଶୃଙ୍ଖଳିତ ଭାବରେ ଲିପିବଦ୍ଧ କରିଛନ୍ତି । ବିଭିନ୍ନ ଅଧ୍ୟାୟରେ ବ୍ୟାବହାରିକ ଗୁରୁତ୍ୱ ଥିବା ପ୍ରାୟ କୋଡ଼ିଏଟି ଧର୍ମ ସମ୍ବନ୍ଧରେ ସେ ଆଲୋଚନା କରିଛନ୍ତି । ଉପରୋକ୍ତ ଆଲୋଚନା କେବଳ କାରଖାନାରେ ତିଆରି କାଚ ସହିତ ସଂପୃକ୍ତ ନୁହେଁ । ବିଭିନ୍ନ ବୈଜ୍ଞାନିକ ନୀତିକୁ ବିଶ୍ଳେଷଣ କରିବାପାଇଁ ସହଜ ସଂଯୋଜନା ଥାଇ ଯେଉଁ କାଚ ସବୁ ଗବେଷଣାଗାରରେ ପ୍ରସ୍ତୁତ ହୋଇଥାଏ, ସେ ସବୁ ମଧ୍ୟ ଉପରୋକ୍ତ ଆଲୋଚନାରେ ସ୍ଥାନ ପାଇଛି । ଉଲ୍ଲିଖିତ ତଥ୍ୟଗୁଡ଼ିକ ମଧ୍ୟରୁ ଅଧିକାଂଶ ଲେଖକ ନିଜେ ବା ତାଙ୍କର ସହକର୍ମୀମାନେ ୱାଶିଂଟନର ଭୂପଦାର୍ଥ-ବିଦ୍ୟା-ଗବେଷଣାଗାରରେ ନିର୍ଣ୍ଣୟ କରିଥିଲେ । ଏ ବହିଟି ଲେଖିବା ପାଇଁ ଚଉଦବର୍ଷ କାଳ କଠିନ ପରିଶ୍ରମ କରିଥିଲେ ବୋଲି ଲେଖକ ଏହି ପୁସ୍ତକର ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି । ଥରେ ବହିଟିକୁ ଆମୂଳଚୂଳ ପଢ଼ିସାରିଲା ପରେ ମୋରେଙ୍କର ଉପରୋକ୍ତ ଉକ୍ତିକୁ ସ୍ୱୀକାର ନ କରି ରହି ହୁଏ ନାହିଁ ।

 

ଏହି ପୁସ୍ତକର ଶେଷ ଅଧ୍ୟାୟରେ ସେ କାଚର ଗଠନକ୍ରମ ସମ୍ବନ୍ଧରେ ଲେଖିଛନ୍ତି । ଏ ଅଧ୍ୟାୟଟି ଅପେକ୍ଷାକୃତ ଛୋଟ ହେଲେ ମଧ୍ୟ ଅତ୍ୟନ୍ତ କୌତୂହଳପ୍ରଦ । ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଗତ କୋଡ଼ିଏ ବର୍ଷ ଧରି ବହୁଳଭାବେ ଗବେଷଣା କରାଯାଉଥିଲେ ମଧ୍ୟ, କାଚର ମୌଳିକ ପ୍ରକୃତି ବିଷୟରେ ଏ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ କିଛି ଜଣାଯାଇ ନାହିଁ । ପ୍ରାକୃତିକ ଅବସ୍ଥାରେ ମିଳୁଥିବା ଗ୍ରାନାଇଟ୍‍ ଓ ଆବସିଡିଆନ୍‌ ନାମକ ଖଣିଜ ପଦାର୍ଥଦ୍ୱୟକୁ ତୁଳନା କଲେ, କାଚର ସାଧାରଣ ପ୍ରକୃତି ସମ୍ବନ୍ଧରେ କେତେକ ଧାରଣା ମିଳିଥାଏ । ରାସାୟନିକ ଦୃଷ୍ଟିରୁ ଉଭୟ ପଦାର୍ଥର ସଂଯୋଜନା ସମାନ । କିନ୍ତୁ ଗଠନ ପ୍ରଣାଳୀ ଓ ଯାନ୍ତ୍ରିକ ଧର୍ମ ନେଇ ଉଭୟ ପରସ୍ପରଠାରୁ ପୃଥକ । ଏହା ଭଲଭାବରେ ଜଣା ଯେ ଗ୍ରାନାଇଟ୍‌ ଗୋଟିଏ ସ୍ଫଟିକୀୟ ପଦାର୍ଥ । ଖାଲି ଆଖିରେ ଦେଖିଲେ ଏହା କ୍ୱାର୍ଜ୍ଜ, ଫେଲସ୍ପାର ଓ ଅଭ୍ରକଦ୍ୱାରା ନିର୍ମିତ ହୋଇଛି ବୋଲି ସ୍ପଷ୍ଟ ଜଣାପଡ଼େ । ଅନ୍ୟପକ୍ଷରେ ଆବସିଡିଆନ୍‌ର ନିର୍ଦ୍ଦିଷ୍ଟ ଗଠନକ୍ରମ ନାହିଁ, ଏହା ଗୋଟିଏ ଅନିୟତାକାର (amorphous) ପଦାର୍ଥ ।

 

ଫେଲସ୍ପାରା, ଅଭ୍ର ଓ କ୍ୱାର୍ଜ୍ଜ ସ୍ଫଟିକରେ ପରମାଣୁଗୁଡ଼ିକ ଯେ ଜ୍ୟାମିତିକ ଶୃଙ୍ଖଳାରେ ସଜ୍ଜିତ, ଏ ତଥ୍ୟ ରଞ୍ଜନ ରଶ୍ମି ଗବେଷଣାଦ୍ୱାରା ପ୍ରତିପାଦିତ କରାଯାଇଛି । ଅନ୍ୟପକ୍ଷରେ କାଚ ଭଳି ଅନିୟତାକାର ପଦାର୍ଥର ପରମାଣୁଗୁଡ଼ିକ ଏପରିଭାବରେ ସଜା ହୋଇଥାନ୍ତି ଯେ ସେଗୁଡ଼ିକର ରଞ୍ଜନ-ରଶ୍ମି-ଚିତ୍ର ତରଳପଦାର୍ଥର ରଞ୍ଜନ-ରଶ୍ମି-ଚିତ୍ର ସହିତ ସମାନ । କାଚର ଗଠନକ୍ରମ ବିଷୟରେ ଏବେ କୁହାଯାଇଛି ଯେ କାଚରେ ଥିବା ସିଲିକନ୍‌ ଓ ଅମ୍ଳଜାନ ପରମାଣୁଗୁଡ଼ିକ ପରସ୍ପର ସହିତ ସଂଲଗ୍ନ ହୋଇ ଗୋଟିଏ ଅନିୟମିତ ଜାଲ (network) ତିଆରି କରିଥାନ୍ତି । ଉପରୋକ୍ତ ଜାଲ ଖରାପଭାବରେ ବୁଣା ହୋଇଥିବା ଏକ ତ୍ରିପରିସର (three-dimension) ଯୁକ୍ତମଶାରୀ ଭଳି ଦେଖାଯାଏ । ଏ ଜାଲାକାର ରୂପର ବିଭିନ୍ନ ଗର୍ତ୍ତରେ ସୋଡ଼ିୟମ୍‌ ଓ କାଲସିୟମ ପ୍ରଭୃତି ଧାତୁର ପରମାଣୁ ସ୍ଥାନ ପାଇଥାନ୍ତି । ଏହି ଗଠନକ୍ରମରେ କୌଣସି ଶୃଙ୍ଖଳିତ ପରିସଜ୍ଜା ନ ଥିବାରୁ ଏହା ଅନିୟତାକାର ହୋଇଥାଏ । କାଚର ଉପରୋକ୍ତ ଚିତ୍ରରୁ ଜଣାଯାଏ ଯେ ଯଦିଚ ଏହାର ଗଠନକ୍ରମ ନିତାନ୍ତ ଅବୋଧ୍ୟ ନୁହେଁ ତଥାପି ଏହା ଅତି ବିଶୃଙ୍ଖଳିତ, ସେଥିଯୋଗୁଁ କାଚର ରାସାୟନିକ ସଂଯୋଜନା ନିର୍ଦ୍ଦିଷ୍ଟ ନୁହେଁ । ଅନ୍ୟତ୍ର ଏହା ଭଲଭାବରେ ଜଣା ଯେ କାଚର ରାସାୟନିକ ରଚନାକୁ ବହୁମାତ୍ରାରେ ପରିବର୍ତ୍ତନ କରାଯାଇପାରେ । ସବୁଠାରୁ ଉତ୍କୃଷ୍ଟତମ କାଚ ହେଉଛି ସିଲିକନ ଡାଇଅକ୍‌ସାଇଡ଼ କାଚ । ଏହା ଗଳିତ କ୍ୱାର୍ଜ୍ଜ ବା କାଚାଭ (vitreous) ବାଲି ଦ୍ୱାରା ନିର୍ମିତ । ଦୁର୍ଭାଗବ୍ୟଶତଃ ଏ ଭଳି କାଚ ତିଆରି କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ତେଣୁ ଏହା କେବଳ ବିଶିଷ୍ଟ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

 

ଶ୍ରୀ ମୋରେଙ୍କ ପୁସ୍ତକ ଯେ ଅତ୍ୟନ୍ତ ମୂଲ୍ୟବାନ୍‌ ଓ ପାଣ୍ଡିତ୍ୟପୂର୍ଣ୍ଣ ଏହାକୁ ପ୍ରତିପାଦନ କରିବାପାଇଁ ମୁଁ ଯଥେଷ୍ଟ କହି ସାରିଲାଣି । ଯେଉଁ ପୁସ୍ତିକମାଳାରେ ଏହା ପ୍ରକାଶିତ ହୋଇଛି, ସେହି ପୁସ୍ତିକାମାଳାର (series) ମର୍ଯ୍ୟାଦା ରଖିବା ପାଇଁ ଯେ ଏହା ବେଶ୍‌ ସକ୍ଷମ ଏଥିରେ ସନ୍ଦେହର ଅବକାଶ ନାହିଁ । ଅବଶ୍ୟ ଏହା ଏକ ଉତ୍ତେଜକ ବା ଚମକପ୍ରଦ ପୁସ୍ତକ ନୁହେଁ । ଏହିଭଳି ଶିଳ୍ପ-ସମ୍ବନ୍ଧୀୟ-ପୁସ୍ତକ କେବେ ଉତ୍ତେଜକ ବା ଚମକପ୍ରଦ ହୋଇପାରେ ନାହିଁ । ଏହି ପୁସ୍ତକଟି ପାଠକଲାପରେ ଗୋଟିଏ ଅନୁସିଦ୍ଧାନ୍ତ ମିଳେ ଯେ କୌଣସିପ୍ରକାର ଶିଳ୍ପର ଉନ୍ନତି ପାଇଁ ବୈଜ୍ଞାନିକ-ଗବେଷଣା-ମନୋଭାବଦ୍ୱାରା ସଂରକ୍ଷିତ ଓ ସୁପରିଚାଳିତ ପରିଶ୍ରମ ନିତାନ୍ତ ଆବଶ୍ୟକ, ଏଣୁତେଣୁକରି ବିଶୃଙ୍ଖଳ ଚେଷ୍ଟାଦ୍ୱାରା କିଛି ହୋଇପାରେ ନାହିଁ ।

Image

 

ବାୟୁମଣ୍ଡଳୀୟ ବିଦ୍ୟୁତ୍‍

 

ଆରବ୍ୟ ଉପନ୍ୟାସର ଗୋଟିଏ ଗଳ୍ପରୁ ଜଣାଯାଏ ଯେ ଥରେ ଜଣେ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରେ ଜାଲ ପକାଇ ପିତଳର ଏକ ଓଜନିଆ ବୋତଲଟିଏ ପାଏ । ବୋତଲ ମୁହଁରେ ଗୋଟିଏ ଓଜନିଆ ଶିଶାଠିପି ଓ ଉପରେ ରାଜା ସୋଲମନ (Salmon)ଙ୍କର ମୁଦ୍ରାଙ୍କ ଥାଏ । ଏହା ଭିତରେ କଣ ଅଛି ଜାଣିବାପାଇଁ ଯେତେବେଳେ ମତ୍ସ୍ୟଜୀବୀ ଠିପିଟିକୁ ଖୋଲିଦିଏ ସେତେବେଳେ ତା’ ଆଗରେ ଲମ୍ଫମାରି ଛିଡ଼ା ହୁଏ ଏକ ବିଶାଳକାୟ ଭୂତ । ଏହି ଭୂତର ପାଦ ଭୂଇଁ ଛୁଉଁଥିଲାବେଳେ ଶିର ଲାଗିଥାଏ ଆକାଶକୁ । ସେ ସେହି ମୁହୂର୍ତ୍ତରେ ମତ୍ସ୍ୟଜୀବୀକୁ ନିଷ୍ଠୁରଭାବରେ ହତ୍ୟା କରିବାର ଧମକ ଦିଏ । କିନ୍ତୁ କୌଶଳୀ ମତ୍ସ୍ୟଜୀବୀ କୌଣସି ଉପାୟରେ ତାକୁ ବୋତଲରେ ପୂରାଇ, ବୋତଲର ମୁହଁ ବନ୍ଦକରେ ଓ ନିଜେ ନିରାପଦ ହୁଏ । ସେହି ମୁହୂର୍ତ୍ତରୁ ଏହି ଦୁର୍ଦ୍ଧର୍ଷ ଭୂତ ବାଧ୍ୟହୋଇ ମତ୍ସ୍ୟଜୀବୀର ଆଦେଶ ପାଳନ କରେ ।

 

ପ୍ରାକୃତିକ ଶକ୍ତିଗୁଡ଼ିକ ଉପରେ ମନୁଷ୍ୟ ଯେପରି ଆଧିପତ୍ୟ ବିସ୍ତାର କରିଛି, ମତ୍ସ୍ୟଜୀବୀ ଓ ଭୂତର ଉପରୋକ୍ତ ନୀତିଗଳ୍ପ ସହିତ ତା’ର ବହୁତ ସାମଞ୍ଜସ୍ୟ ଅଛି । ଆୟତ୍ତ କରି ନ ପାରିଲେ ଏହି ଶକ୍ତିମାନେ ବିପଦ ଓ ଧ୍ୱଂସ ସଂଘଟିତ କରନ୍ତି, କିନ୍ତୁ ଆୟତ୍ତାଧୀନ ହେଲାପରେ ସେମାନେ ମନୁଷ୍ୟର ଇଚ୍ଛାମୁତାବକ କାର୍ଯ୍ୟ କରିଥାନ୍ତି । ଉଦାହରଣସ୍ୱରୂପ ଦୁର୍ଦ୍ଧର୍ଷ ବିଦ୍ୟୁତ୍‍ ଶକ୍ତି ଆଜି ମନୁଷ୍ୟର ନିରୀହତମ ଭୃତ୍ୟ । ଅସମ୍ଭବପ୍ରକାର ଦକ୍ଷତା ନେଇ ଏହା ହଜାର ହଜାର କାର୍ଯ୍ୟ ସମ୍ପନ୍ନ କରିପାରୁଛି । ଏହି ଯେଉଁ ଅଲୌକିକଶକ୍ତି ସମ୍ବନ୍ଧରେ ଆମେ କେବେ ଆଶ୍ଚର୍ଯ୍ୟ ପ୍ରକାଶ ନ କରି ଦୈନନ୍ଦିନ ଜୀବନର ଗୋଟିଏ ମାମୁଲି ଘଟଣା ବୋଲି ଧରିନେଇଥାଉ, ତାହା କେବଳ ସମ୍ଭବ ହୋଇଛି ଅନେକ ବୈଜ୍ଞାନିକ ଅଗ୍ରଣୀମାନଙ୍କର ଅକାତର ପରିଶ୍ରମ ଫଳରେ । ନିଜର ଜୀବନକୁ ବିପଦାପନ୍ନ କରି ଅଜ୍ଞାନ ଗର୍ଭରେ ଜାଲ ପକାଇ ସେମାନେ ଆବିଷ୍କାର କରିଛନ୍ତି ଜ୍ଞାନର ନୂତନ ଅପରିଚିତ ରତ୍ନ ।

 

ଆଧୁନିକ ବିଦ୍ୟତ୍‌ ବିଜ୍ଞାନର ଇତିହାସ ଅତି ଚମତ୍କାର । ଏହାର ଏକ ପ୍ରଧାନ ଅଧ୍ୟାୟ ଆମେରିକାର ଦାର୍ଶନିକ ଓ ରାଜନୀତିଜ୍ଞ ଫ୍ରାଙ୍କଲିନ୍‌ଙ୍କ ଗବେଷଣା ନେଇ ଲିଖିତ । ସତରଶ ଛୟାଳିଶ ମସିହାରେ ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ପ୍ରଥମେ ବିଦ୍ୟୁତ୍‍ ବିଜ୍ଞାନରେ ମନୋନିବେଶ କଲେ । ସେତେବେଳକୁ ତାଙ୍କର ବୟସ ମାତ୍ର ୪୦ ବର୍ଷ । ବିଦ୍ୟୁତ୍‍ ବିଜ୍ଞାନରେ ସେ ଅନେକ ଅଭିକ୍ରିୟା ସମ୍ପନ୍ନ କରିଥିଲେ । ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷାହେଲାବେଳେ ସେ ଏକ ଗୁଡ଼ି ଉଡ଼େଇ, ସେଇ ସୂତାରେ ଲାଗିଥିବା ଚାବିରୁ ଏକ ସ୍ଫୁଲିଙ୍ଗ ପାଇ ପାରିଥିଲେ, ଏହା ହେଉଛି ତାଙ୍କର ସବୁଠାରୁ ପ୍ରସିଦ୍ଧ ଅଭିକ୍ରିୟା । ଏହା ଆଗରୁ ସେ କହିଥିଲେ ଯେ ତଡ଼ିତ୍‌ (Lightening) ବୈଦ୍ୟୁତିକ ବିସର୍ଗ (discharge) ଯୋଗୁଁ ସମ୍ଭବ ହୋଇଥାଏ । ବିଜ୍ଞାନାଗାରରେ ଛୋଟ ଆକାରରେ ଘଟୁଥିବା ବୈଦ୍ୟୁତିକ ବିସର୍ଗ ବା ତଡ଼ିତ୍‌ ଜନିତ ବିସର୍ଗର ସାଧାରଣ ପ୍ରକୃତି ସହିତ ଏହାର ଦୁଇଟି ପ୍ରକୃତି ସମାନ । ବେଞ୍ଜାମିନ୍‌ଙ୍କର ଉପରୋକ୍ତ ଅଭିକ୍ରିୟା ତାଙ୍କର ଏ ମତକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କଲା । ସେହି ଦିନଠାରୁ ବାୟୁମଣ୍ଡଳୀୟ ବିଦ୍ୟୁତ୍‍ ଶକ୍ତି ଉପରେ ପଦାର୍ଥବିତ୍‌ମାନେ ଯୁଗ ଯୁଗ ଧରି ଅପ୍ରଶମିତ ଶକ୍ତି ଓ ଉତ୍ସାହ ନେଇ ପରୀକ୍ଷା ଚଳାଇ ଆସିଛନ୍ତି । ଦୁଇଶହ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ବିଷୟଟି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଏବେ ମଧ୍ୟ କହିହେବ ନାହିଁ । ବଜ୍ରବିଦ୍ୟୁତ୍‍ ସହ ବର୍ଷା ହେଉଥିଲାବେଳେ ବିଦ୍ୟୁତ୍‍-ଶକ୍ତିର ଯେଉଁ ତୀକ୍ଷ୍‍ଣ ପ୍ରକାଶ ଦେଖାଯାଏ, ତା କି ପ୍ରଣାଳୀରେ ସଂଘଟିତ ହେଉଛି ସେ ବିଷୟରେ ଏବେ ମଧ୍ୟ ନାନା ଆଲୋଚନା ଓ ଗବେଷଣା କରାଯାଉଛି ।

 

ବୈଜ୍ଞାନିକ ଓ ବ୍ୟାବହାରିକ ଉଭୟ ଦୃଷ୍ଟି କୋଣରୁ ତଡ଼ିତ୍‌ ସମ୍ବନ୍ଧରେ ଅଧ୍ୟୟନ କରିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହାର ଧ୍ୱଂସକାରୀ ପ୍ରକୃତି ବେଶ୍‍ ସୁବିଦିତ । ଗୃହଗୁଡ଼ିକୁ ବଜ୍ରପାତରୁ ରକ୍ଷା କରିବା ନିମିତ୍ତ ତୀକ୍ଷ୍‌ଣାଗ୍ର ଧାତୁ ଦଣ୍ଡ ବ୍ୟବହାର କରିବାପାଇଁ ଫ୍ରାଙ୍କଲିନ୍‌ ପ୍ରଥମେ ଉପଦେଶ ଦେଇଥିଲେ । ବ୍ୟାବହାରିକ ବିଜ୍ଞାନକୁ ତାଙ୍କର ଏହି ସୁପ୍ରସିଦ୍ଧ ଦାନ ବହୁଦିନ ହେଲା ବ୍ୟବହାରରେ ଲାଗି ଆସୁଛି । ତା’ଛଡ଼ା ବିଦ୍ୟୁତ୍‍ ସରବରାହ କାର୍ଯ୍ୟ ଓ ବେତାର ବାର୍ତ୍ତା ପ୍ରେରଣରେ ବଜ୍ର ଅନେକ ବ୍ୟାଘାତ ସୃଷ୍ଟିକରେ । ଏହି ଦୃଷ୍ଟିରୁ ଓ ସାଧାରଣ ଭାବରେ ବାୟୁବିଜ୍ଞାନ ତଥା ବାୟୁମଣ୍ଡଳର ବୈଦ୍ୟୁତିକ୍‍ ଅବସ୍ଥା ସହିତ ସମ୍ପର୍କ ଥିବାରୁ, ତଡ଼ିତ୍‌ ସମ୍ବନ୍ଧରେ ଜ୍ଞାନ ଲାଭ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

 

ବିଜ୍ଞାନାଗାରରେ ସଂଘଟିତ ହେଉଥିବା ବୈଦ୍ୟୁତିକ୍‍ ବିସର୍ଗ ସହିତ ପ୍ରାକୃତିକ ଉପାୟରେ ଘଟୁଥିବା ତଡ଼ିତ୍‌ ବିସର୍ଗକୁ ତୁଳନା କଲାବେଳେ ଉଭୟଙ୍କ ଆକାର ବ୍ୟବଧାନ ବିଷୟରେ ଆମର ସ୍ପଷ୍ଟ ଧାରଣା ରହିବା ଉଚିତ୍‌ । ଲକ୍ଷ ଲକ୍ଷ ଭୋଲ୍‌ଟର ବୈଦ୍ୟୁତିକ ଶକ୍ତି ଓ ସୁଦୀର୍ଘ ବୈଦ୍ୟୁତିକ୍‍ ସ୍ଫୁଲିଙ୍ଗ (spark) ସୃଷ୍ଟି କଲାଭଳି ଯନ୍ତ୍ରମାନ ଅନେକ ପଦାର୍ଥ ବିଜ୍ଞାନାଗାରାରେ ସ୍ଥାପିତ ହୋଇ ଏବେ ବ୍ୟବହୃତ ହେଉଛି କିନ୍ତୁ ପ୍ରାକୃତିକ ବଜ୍ର ସ୍ଫୁଲିଙ୍ଗ ଏପର୍ଯ୍ୟନ୍ତ ଗବେଷଣାଗାରରେ ସମ୍ଭୂତ ସର୍ବଦୀର୍ଘ ବୈଦ୍ୟୁତିକ ସ୍ଫୁଲିଙ୍ଗର ସହସ୍ର ଗୁଣରୁ ଅଧିକ ଲମ୍ବ । ତେଣୁ ଘଡ଼ଘଡ଼ି ସହ ବର୍ଷାହେଲାବେଳେ ମେଘ ମଧ୍ୟରେ ଯେ କି ବୃହତ୍‌ ବୈଦ୍ୟୁତିକ ଶକ୍ତି ସଂଚାରିତ ହୋଇଥାଏ, ସେ କଥା ଭାବିଲେ ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏନାହିଁ ।

 

ଯେଉଁ ମେଘ ସମୂହରେ ବଜ୍ର ସ୍ଫୁଲିଙ୍ଗ ସୃଷ୍ଟି ହୋଇଥାଏ ସେଗୁଡ଼ିକୁ ପର୍ଯ୍ୟବେକ୍ଷଣ କଲେ ଦେଖାଯାଏ ଯେ ବାୟୁମଣ୍ଡଳର ଉର୍ଦ୍ଧ୍ୱଗତି ସହିତ ସେମାନେ ସଂଶ୍ଳିଷ୍ଟ । ବାୟୁର ଏହି ପ୍ରକାର ଦ୍ରୁତ ଉର୍ଦ୍ଧ୍ୱଗତି ବଜ୍ର-ସମେତ-ଝଡ଼ର (Thunder storm) ଏକ ପ୍ରଧାନ ଲକ୍ଷଣ । ତେଣୁ ମେଘମାଳାର ବିଭିନ୍ନ ଅଂଶରେ ବୈଦ୍ୟୁତିକ୍‍ ବ୍ୟବଧାନ ସୃଷ୍ଟି କରିବାପାଇଁ ଯେଉଁ ଶକ୍ତି ଆବଶ୍ୟକ, ବାୟୁର ଏହି ଊର୍ଦ୍ଧ୍ୱଗତି ତାହା ପୂରଣ କରେ । କୌଣସି କାରଣରୁ ଉପରକୁ ଯାଉଥିବା ବାୟୁପ୍ରବାହ ଯଦି ନିଜ ହିତ ଏକପ୍ରକାର ବୈଦ୍ୟୁତିକ୍‍ ଆବେଶ ବହୁ ପରିମାଣରେ ପରିବହନ କରେ ତେବେ ବିପରୀତଧର୍ମୀ ବୈଦ୍ୟୁତିକ ଆବେଶ ନିମ୍ନରେ ରହି ଯାଉଥିବା ମେଘ ସହିତ ଜଡ଼ିତ ହୋଇ ରହିଯାଏ । ବିଦ୍ୟୁତରେ ଏହିଭଳି ବ୍ୟବଧାନ ଓ ପରିବହନ ଫଳରେ ମେଘସମୂହର ଦୁଇ ଅଂଶ ବିପରୀତ ଧର୍ମୀ ବୈଦ୍ୟୁତିକ୍‍ ଆବେଶ (Charge)ରେ ଜଡ଼ିତ ହୁଏ ଓ ବୈଦ୍ୟୁତିକ ବିତତ (Tension) ବଢ଼ିଚାଲେ । ଶେଷରେ ଯେତେବେଳେ ଏହି ବିତତ ବାୟୁମଣ୍ଡଳର ପ୍ରତିରୋଧ କରିବା ଶକ୍ତିକୁ ବଳିଯାଏ, ସେତେବେଳେ ମେଘ ଭିତରେ ବୈଦ୍ୟୁତିକ ବିସର୍ଗ ଦେଖାଦିଏ ।

 

ବାୟୁ ମଧ୍ୟରେ ବଡ଼ ବଡ଼ ଜଳବିନ୍ଦୁ ଛୋଟ ଛୋଟ ଜଳବିନ୍ଦୁ ଅପେକ୍ଷା ଅଧିକ ଦ୍ରୁତଗତିରେ ନିମ୍ନଦେଶକୁ ଗତି କରନ୍ତି । ଯଦି ଜଳବିନ୍ଦୁଗୁଡ଼ିକ ଯଥେଷ୍ଟ କ୍ଷୁଦ୍ର ହୁଅନ୍ତି ତାହା ହେଲେ ସେମାନେ ନିମ୍ନକୁ ନ ଆସି ଉପରକୁ ଗତି କରନ୍ତି । ଏହି କଥା ସ୍ମରଣ କଲାମାତ୍ରେ ବଜ୍ରସମେତ ବର୍ଷାରେ ଯେଉଁ ପ୍ରଣାଳୀରେ ବିଦ୍ୟୁତ୍ ପରିବାହିତ ହୁଏ, ତାହା ସହଜରେ ଜଣାପଡ଼େ । ଯଦି କୌଣସି କାରଣରୁ ବଡ଼ ବଡ଼ ଜଳବିନ୍ଦୁଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ବୈଦ୍ୟୁତିକ ଆବେଶ ଅଧିକ ପରିମାଣରେ ଧାରଣ କରନ୍ତି ତା’ହେଲେ ସେମାନଙ୍କ ନିମ୍ନଗତିଦ୍ୱାରା ଉପରୋକ୍ତ ଧର୍ମୀ ବିଦ୍ୟୁତ୍‍ ନିମ୍ନଦେଶକୁ ପରିବାହିତ ହେବ । ସେହିପରି ଛୋଟ ଛୋଟ ଜଳବିନ୍ଦୁଗୁଡ଼ିକ ଯଦି ବିପରୀତ ଧର୍ମୀ ବିଦ୍ୟୁତ୍‍ ଆବେଶରେ ଜଡ଼ିତ ହୁଅନ୍ତି, ତା’ହେଲେ ସେମାନଙ୍କର ଊର୍ଦ୍ଧ୍ୱଗତି ବୈଦ୍ୟୁତିକ ବ୍ୟବଧାନ ଘଟାଇବାରେ ସାହାଯ୍ୟ କରିଥାଏ ।

 

ଏ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ଦୁଇଟି ତଥ୍ୟ ଉପସ୍ଥାପିତ ହୋଇଛି । ଗୋଟିଏ ସାର୍‌ ଜର୍ଜ ସିମ୍ପସନ୍‌(George Simpson)ଙ୍କଦ୍ୱାରା ଓ ଅନ୍ୟଟି ସି.ଟି.ଆର. ଉଇଲ୍‌ସନ (C.T.R. Wilson)ଙ୍କଦ୍ୱାରା । ଉଭୟ ତଥ୍ୟ ଅନେକ ହୃଦୟଗ୍ରାହୀ ପରୀକ୍ଷାଦ୍ୱାରା ସମର୍ଥିତ । ବଜ୍ରତଡ଼ିତ୍‌ ସହ ବର୍ଷା ମଧ୍ୟରେ ଯେଉଁ ପରିସ୍ଥିତି ଦେଖାଦିଏ ସେହି ପରିସ୍ଥିତିରେ କିପରି ବିପରୀତ ଦିଗଗାମୀ ଜଳକଣାଗୁଡ଼ିକ ବିପରୀତ ଧର୍ମୀ ବୈଦ୍ୟୁତିକ ଆବେଶ ସଂଗ୍ରହ କରନ୍ତି ଏବଂ ଏହି ବୈଦ୍ୟୁତିକ ଆବେଶର ଧର୍ମ କିପରି ଜଳବିନ୍ଦୁର ଆକାର ଓ ପରିବହନର ଦିଗ ଉପରେ ନିର୍ଭର କରେ, ଉପରୋକ୍ତ ଉଭୟ ତଥ୍ୟ ଏହିସବୁ ପ୍ରକୃତତ୍ତ୍ୱକୁ ପ୍ରତିପାଦନ କରନ୍ତି । ଏହି ଦୁଇଟିଯାକ ତଥ୍ୟ ଏହି ବକ୍ତୃତାର ପରିସର ବାହାରେ, ତେଣୁ ଏଠାରେ ସେମାନଙ୍କର ପୁଂଖାନୁପୁଂଖ ଆଲୋଚନା କରାଯିବ ନାହିଁ, କେବଳ ଏତିକି କୁହାଯାଇପାରେ ଯେ ପରସ୍ପର ବିରୋଧୀ ଏହି ଉଭୟ ତଥ୍ୟ ଏ ପର୍ଯ୍ୟନ୍ତ ରହି ଆସିଛନ୍ତି । ସେହି ଦୁଇଟି ସମ୍ଭାବନାରୁ ଗୋଟିକୁ ସ୍ଥିର କରିବା ପାଇଁ ଗବେଷଣାଗାରରେ ଓ ପ୍ରତ୍ୟକ୍ଷ କ୍ଷେତ୍ରରେ ବହୁ ସଂଖ୍ୟକ ଅଭିକ୍ରିୟା ହୋଇ ଯାଇଛି । ତା’ଛଡ଼ା ତଡ଼ିତ୍‌ପାତ ସମୟରେ ମେଘ ଭିତରେ ସୃଷ୍ଟି ହେଉଥିବା ବୈଦ୍ୟୁତିକ ବ୍ୟବଧାନ ଓ ମେଘ ଭିତରେ ଓ ବାହାରେ ଥିବା ବିଦ୍ୟୁତ୍‍ କ୍ଷେତ୍ରର ଘନତା ମାପିବା ପାଇଁ ମଧ୍ୟ ଶୃଙ୍ଖଳିତ ଚେଷ୍ଟା କରାଯାଇଛି ।

 

ନିକଟରେ ମେଘଭିତରେ ବିଦ୍ୟୁତ୍‍ ବିସର୍ଗ ଓ ବିସର୍ଗ ପରିସୀମା ମଧ୍ୟରେ ଘଟୁଥିବା ସୂକ୍ଷ୍ମପ୍ରଣାଳୀଗୁଡ଼ିକର ପ୍ରକୃତି ଓ ସ୍ଥିତିକାଳ (Duration) ସମ୍ବନ୍ଧରେ ବହୁ କୌତୂହଳପ୍ରଦ ଗବେଷଣା ହୋଇଅଛି । ଏଥିପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରଣାଳୀ ମଧ୍ୟରୁ ଅତିବେଗଗାମୀ ଫିଲ୍ମଦ୍ୱାରା ତଡ଼ିତ୍‌ର ଫଟୋନେବା ସର୍ବପ୍ରଧାନ । ଏହି ଉପାୟରେ ଗୋଟିଏ ମାର୍ଗରେ ଘଟୁଥିବା ସ୍ୱତନ୍ତ୍ର ବୈଦ୍ୟୁତିକ ବିସର୍ଗଗୁଡ଼ିକୁ ସହଜରେ ପୃଥକ୍‍ କରିହୁଏ । ତା’ଛଡ଼ା ଯଦି ଫଟୋଗ୍ରାଫିକ୍‌ ଫିଲ୍ମର ବେଗ ଅତି ଦ୍ରୁତ ହୋଇଥାଏ ତା’ହେଲେ ପ୍ରତ୍ୟେକ ସ୍ଫୁଲିଙ୍ଗର ବିକାଶ ଓ ପର୍ଯ୍ୟାୟକ୍ରମିକଶାଖା କରଣ (sequence of branching)ର ସମୟ ବ୍ୟବଧାନ, ଏହି ଉପାୟଦ୍ୱାରା ସ୍ଥିର କରାଯାଇଥାଏ । ଯେଉଁ ବିଷୟର ଅଗ୍ରଗତିଦ୍ୱାରା ବଜ୍ରତଡ଼ିତ୍‌ ସମ୍ଭବ ହୋଇଥାଏ, ସେ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ଯାହା ଜଣା ଯାଇଥିଲା ଉପରୋକ୍ତ ଅନୁସନ୍ଧାନଦ୍ୱାରା ତା’ ଅପେକ୍ଷା ଅଧିକ ଜ୍ଞାନ ସଂଗୃହୀତ ହୋଇଛି । ବିଦ୍ୟୁତ୍‍କୁ ଫଟୋଗ୍ରାଫି ସାହାଯ୍ୟରେ ଅନୁକରଣ କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ବୈଦ୍ୟୁତିକ୍‍ କ୍ଷେତ୍ରକୁ କ୍ୟାଥେଡ଼୍‌-ରେ-ଅସିଲୋଗ୍ରାଫ ସାହାଯ୍ୟରେ ମାପ, ବିସର୍ଗ ମଧ୍ୟରେ ଘଟୁଥିବା ସୂକ୍ଷ୍ମପ୍ରଣାଳୀଗୁଡ଼ିକର ସମୟକ୍ରମ ସମ୍ବନ୍ଧରେ ବିଶେଷ ଜ୍ଞାନ ଲାଭ କରାଯାଇଛି ।

 

ଅଧ୍ୟାପକ ସି.ଟି.ଆର. ଉଇଲସନ୍‌ ପ୍ରଥମେ ପ୍ରକାଶ କରିଥିଲେ ଯେ ଭଲ ପାଗରେ ମଧ୍ୟ ପୃଥିବୀର ବାୟୁମଣ୍ଡଳରେ ବୈଦ୍ୟୁତିକ କ୍ଷେତ୍ର ରହିଥାଏ । ଯଦିଚ ଏହାର ଘନତା ଅତ୍ୟନ୍ତ ବେଶି, ତଥାପି ଆମେ ଏହା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥାଉ । ପୃଥିବୀର ବିଭିନ୍ନ ସ୍ଥାନରେ ବଜ୍ରପାତ ହେଉଥିବା ଫଳରେ ଏହି ବୈଦ୍ୟୁତିକ କ୍ଷେତ୍ର ସଂରକ୍ଷିତ ହୋଇଥାଏ । ତାଙ୍କର ଏହି ମତକୁ ସ୍ୱୀକାର କଲେ, ବଜ୍ରପାତ ବା ତଡ଼ିତ୍‌ ବିଷୟ ଅଧିକ କୌତୂହଳପ୍ରଦ ମନେ ହୁଏ । ବାୟୁମଣ୍ଡଳର ନିମ୍ନସ୍ତରରେ ବଜ୍ରପାତ ସଂଘଟିତ ହେଉଥିବାରୁ, ଏହାର ଅବସ୍ଥା ଏହାର ଉପରିସ୍ଥ ବିଦ୍ୟୁତ୍‍ ପରିବାହକ ସ୍ତରର ଅବସ୍ଥାକୁ ପ୍ରଭାବିତ କରିବାର ଦେଖାଯାଏ ।

 

ଗୋଟିଏ ସାଧାରଣ ବଜ୍ରପାତରେ ଯେତିକି ବୈଦ୍ୟୁତିକ ଶକ୍ତିର କ୍ଷୟ ହୋଇଥାଏ ତାହାର ପରିମାଣ ଅତି ବେଶି । ପୃଥିବୀର ସବୁଠାରୁ ବଡ଼ ବୈଦ୍ୟୁତିକ ଶକ୍ତି ଉତ୍ପାଦନ କେନ୍ଦ୍ର (Power station)ରେ ଯେତେ ବୈଦ୍ୟୁତ୍‍ଶକ୍ତି ଉତ୍ପାଦିତ ହୋଇପାରେ ଏହି ଶକ୍ତି ତା ଅପେକ୍ଷା ଯଥେଷ୍ଟ ବେଶି । କିନ୍ତୁ ବଜ୍ରପାତକୁ କେହି କେବେ ଇଚ୍ଛା କରି ଘଟାଇ ପାରିବ ନାହିଁ । ତା’ଛଡ଼ା ବଜ୍ରପାତଜନିତ ବୈଦ୍ୟୁତିକ ଶକ୍ତିର ବ୍ୟବହାର କରିବାକୁ ଚେଷ୍ଟା କରିବା, ବାଘକୁ ଠେଙ୍ଗାଦ୍ୱାରା ଶିକାର କଲା ଭଳି ଗୋଟିଏ ଅପଚେଷ୍ଟାରେ ପରିଗଣିତ ହେବ । ଥରେ ଜଣେ ଉତ୍ସାହୀ ଯୁବକ ଆଲପସ ଉପତ୍ୟକାରେ ତଡ଼ିତ୍‍ଜନିତ ବୈଦ୍ୟୁତିକ ଶକ୍ତିର ଅନୁସନ୍ଧାନ କରିବାକୁ ଯାଇ ଯେଉଁ ପରିଣାମ ଭୋଗିଥିଲେ ସେ କଥା ଏବେ ବି ମୋର ମନେପଡ଼େ । ତାଙ୍କର ଅନୁସନ୍ଧାନ ସଫଳ ହେଲା, କିନ୍ତୁ ଯେଉଁ ପ୍ରବନ୍ଧରେ ତାଙ୍କର ଅନୁସନ୍ଧାନର ଫଳାଫଳ ପ୍ରକାଶିତ ହୋଇଥିଲା, ସେହି ପ୍ରବନ୍ଧର ନିମ୍ନଦେଶରେ ତାଙ୍କର ମୃତ୍ୟୁ ସମ୍ବାଦ ଉଲ୍ଲେଖ କରାଯାଇଥିଲା । ଏହିଭଳି ଗବେଷଣା କରି ସେ ହେଲେ ବିଜ୍ଞାନ କ୍ଷେତ୍ରରେ ଶହୀଦ । ଭଲ ପାଗରେ ବାୟୁମଣ୍ଡଳରେ ଯେଉଁ ବୈଦ୍ୟୁତିକ କ୍ଷେତ୍ର ରହିଥାଏ, ତାକୁ ବ୍ୟବହାରରେ ଲଗାଇବାପାଇଁ ବହୁ ଚେଷ୍ଟା କରାଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଲାଭ ହୋଇନାହିଁ । ତା’ଛଡ଼ା ବାୟୁମଣ୍ଡଳର ବିଦ୍ୟୁତ୍‍ଶକ୍ତିକୁ ବ୍ୟବହାରରେ ଲଗାଇବାର ଆଶା ଯେ ସଫଳକାମ ହେବ ଏହାର ବିଶେଷ ସମ୍ଭାବନା ଅଛି ବୋଲି କହିହେବ ନାହିଁ ।

Image

 

ପଦାର୍ଥ ବିଜ୍ଞାନରେ ଆଧୁନିକ ଧାରଣା
(ସ୍ଫଟିକର ଗଠନ ବିନ୍ୟାସ)

 

ବିଜ୍ଞାନର ବିଭିନ୍ନ ବିଭାଗ ମଧ୍ୟରେ ଯେଉଁ ଏକତା ରହିଛି, ସ୍ଫଟିକ ସମ୍ବନ୍ଧରେ ଜ୍ଞାନ ଅର୍ଜ୍ଜନ ତାର ଏକ ଜ୍ୱଳନ୍ତ ଉଦାହରଣ । କାରଣ ଏହି ଜ୍ଞାନଲାଭ ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଥିବା ବହୁ ଗବେଷକଙ୍କ ପରିଶ୍ରମ ଫଳରେ ସମ୍ଭବ ହୋଇଛି । ବିଶେଷତଃ ଭୂତତ୍ତ୍ୱବିଦ୍‌ ଓ ଆବିଷ୍କାରକମାନଙ୍କ ନିକଟରେ ଏହି ବିଜ୍ଞାନ ବିଶେଷ ଭାବରେ ଋଣୀ । ସେମାନେ ବିଭିନ୍ନ ଖଣିଜ ପଦାର୍ଥର ପ୍ରାକୃତିକ ଅବସ୍ଥାନକୁ ଆବିଷ୍କାର କରି, ସୁଗଠିତ ସ୍ଫଟିକମାନ ସଂଗ୍ରହକରି ଓ ସେଗୁଡ଼ିକୁ ଅନ୍ୟମାନଙ୍କଦ୍ୱାରା ଅଧ୍ୟୁଷିତ ହେବାପାଇଁ ଯୋଗାଇଦେଇ ଏ ବିଷୟରେ ବହୁତ ସାହାଯ୍ୟ କରିଛନ୍ତି-। ସ୍ଫଟିକତତ୍ତ୍ୱବିଦ୍‌ ସାଧାରଣତଃ ସ୍ଫଟିକର ଆକୃତି ସମ୍ବନ୍ଧରେ ଅନୁସନ୍ଧାନ କରେ । ତେଣୁ ବହୁତ ସମୟ ତାକୁ ଏହି ଭୂତତ୍ତ୍ୱବିଦ୍‌ ଓ ଆବିଷ୍କାରକଙ୍କ ଉପରେ ନିର୍ଭର କରିବାକୁ ପଡ଼େ । ଧାତୁବିଜ୍ଞାନବିତ୍‌ମାନଙ୍କର ଭାଟି ବା ମୂଷାଧାରରେ (Crucible) ଓ ରସାୟନବିଦ୍‌ମାନଙ୍କର ସ୍ଫଟିକୀକରଣ କୁଣ୍ଡରେ (Crystallising vats) ଅନେକ ସମୟରେ ସ୍ଫଟିକୀକୃତ ଘନପଦାର୍ଥର ସୁନ୍ଦର ନମୁନା ମିଳିଥାଏ । ଯେଉଁ ପଦାର୍ଥ ସବୁ ସାଧାରଣତଃ ସ୍ଫଟିକ ଆକାରରେ ମିଳେନାହିଁ, ସେଗୁଡ଼ିକୁ ଅଧ୍ୟୟନ କରିବାକୁ ହେଲେ ଉପରୋକ୍ତ ଉପାୟମାନଙ୍କର ସାହାଯ୍ୟ ନେବା ବ୍ୟତୀତ ଗବେଷକକୁ ନିଜେ ମଧ୍ୟ ବହୁତ ଚେଷ୍ଟା କରିବାକୁ ପଡ଼ିଥାଏ । ଆବଶ୍ୟକୀୟ ଆକୃତିର ସ୍ଫଟିକଖଣ୍ଡ ପାଇବା ପାଇଁ ଗଳିତ ପଦାର୍ଥର ମନ୍ଥର ଘନୀକରଣ, ଦ୍ରବଣର ଆୟତ୍ତାଧୀନ ସ୍ଫଟିକୀକରଣ (Crystallisation) ଓ ବହୁ ସ୍ଫଟିକୀକୃତ (Polycrystalline) ବସ୍ତୁଗୁଡ଼ିକର ଉତ୍ତାପ ପରିବେଷଣ ପ୍ରଭୃତି କୌଶଳମାନ ବ୍ୟବହାର କରାଯାଇଥାଏ ।

 

ଯେଉଁ ସ୍ଫଟିକଗୁଡ଼ିକର ପାର୍ଶ୍ୱ ସୁଷମଭାବରେ ବିକଶିତ ହୋଇଥାଏ ସେଗୁଡ଼ିକର ପାର୍ଶ୍ୱ ଅନ୍ତର୍ବର୍ତ୍ତୀ କୋଣମାନଙ୍କର ମାପଦ୍ୱାରା ଓ ଆବଶ୍ୟକ ହେଲେ, ବିଶେଷ ପ୍ରକାର ଅଭିକ୍ରିୟାଦ୍ୱାରା ସ୍ଫଟିକତତ୍ତ୍ୱବିଦ୍‌ ସ୍ଫଟିକଗୁଡ଼ିକର ଶ୍ରେଣୀ ନିରୂପଣ କରେ । ତଥ୍ୟ ଅନୁଯାୟୀ ମାତ୍ର ବତିଶ୍‌ଟି ପ୍ରତିସାମ୍ୟ (Symmetry) ଶ୍ରେଣୀ ସମ୍ଭବ । ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଏହି ବତିଶ ଶ୍ରେଣୀର ସ୍ଫଟିକ ଦେଖାଯାଏ; ଏହି ବତିଶଟି ପ୍ରତିସାମ୍ୟ ଶ୍ରେଣୀକୁ ପୁଣି ଛ ସାତଟି ସଂହତିରେ (System) ବିଭକ୍ତ କରାଯାଇପାରେ । ଉଦାହରଣସ୍ୱରୂପ ଘନାକାର ସଂହତିରେ (Cubical system) ପାଞ୍ଚୋଟି ବିଭିନ୍ନ ପ୍ରକାର ପ୍ରତିସାମ୍ୟ ଶ୍ରେଣୀ ରହିଛି । ଏହି ବିଭିନ୍ନ ଶ୍ରେଣୀର ସ୍ଫଟିକମାନଙ୍କ ମଧ୍ୟରେ ପରିସାମ୍ୟ ସଂଖ୍ୟାନେଇ ପାର୍ଥକ୍ୟ ଥାଏ । ଘନାକାର ସ୍ଫଟିକପକ୍ଷରେ ଯେତେପ୍ରକାର ପରିସାମ୍ୟ ସମ୍ଭବ କେବଳ ଗୋଟିଏ ଶ୍ରେଣୀର ସ୍ଫଟିକମାନଙ୍କୁ ଛାଡ଼ିଦେଲେ ଅନ୍ୟଶ୍ରେଣୀର ସ୍ଫଟିକଗୁଡ଼ିକ ଏତେପ୍ରକାର ପରିସାମ୍ୟ ଦେଖାନ୍ତି ନାହିଁ, ସେଗୁଡ଼ିକର ପରିସାମ୍ୟ ସଂଖ୍ୟା ଅପେକ୍ଷାକୃତ କମ୍‌ । ସ୍ଫଟିକର ପାର୍ଶ୍ୱ ସଂଖ୍ୟା ଓ ପାର୍ଶର ପ୍ରକାର ଭେଦ ଉପରେ ପରିସାମ୍ୟ ନିର୍ଭର କରେ । ଉଦାହରଣ ସ୍ୱରୂପ ଘନାକାର ସଂହତିର ସବୁଠାରୁ ଗରିଷ୍ଠ-ପ୍ରତିସାମ୍ୟ ଶ୍ରେଣୀ ଅନ୍ତର୍ଭୁକ୍ତ ହେବାକୁ ହେଲେ ସ୍ଫଟିକର ଅଠଚାଳିଶଟି ସମାନ ପାର୍ଶ୍ୱ ରହିବା ଆବଶ୍ୟକ । କିନ୍ତୁ ଲଘୁପରିସାମ୍ୟ ଶ୍ରେଣୀ ଅନ୍ତର୍ଭୁକ୍ତ ହେବାକୁ ହେଲେ ବାରଟି ବା ଚବିଶଟି ସମାନ ପାର୍ଶ୍ୱ ଯଥେଷ୍ଟ ହୁଏ । ଘନାକାର ସ୍ଫଟିକର ତିନୋଟି ଅକ୍ଷସହିତ ବିଭିନ୍ନ କୋଣକରି ଆନତ ହୋଇଥିବା ସାଧାରଣ ପାର୍ଶ୍ୱମାନଙ୍କ ମଧ୍ୟରେ ଉପରୋକ୍ତ ପ୍ରକାର ବହୁସଂଖ୍ୟକ ସମାନ ପାର୍ଶ୍ୱ ଦେଖାଯାଏ ।

 

ସ୍ଫଟିକର ପତିସାମ୍ୟ ଶ୍ରେଣୀ ଏହାର ଅନ୍ତର୍ନିହିତ ଗଠନକ୍ରମର (structure) ସୂଚକ-। ସ୍ଫଟିକର ଭୌତିକ ପ୍ରକୃତି ମଧ୍ୟ ଏହି ପ୍ରତିସାମ୍ୟ ଶ୍ରେଣୀ ଉପରେ ନିର୍ଭର କରେ । ତେଣୁ କୌଣସି ସ୍ଫଟିକକୁ ତାର ଉପଯୁକ୍ତ ଶ୍ରେଣୀ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦୃଷ୍ଟିରୁ ଜ୍ୟାମିତିକ ସ୍ଫଟିକତତ୍ତ୍ୱବିଦ୍‌(Geometrical Crystallographer)ର କାର୍ଯ୍ୟ ପଦାର୍ଥବିତ୍‌ ଓ ରସାୟନବିତ୍‌ ଉଭୟଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ । ବତିଶଟି ପ୍ରତିସାମ୍ୟ ଶ୍ରେଣୀର ସ୍ଫଟିକଗୁଡ଼ିକ ଯେ ବତିଶ ପ୍ରକାର ଭୌତିକ ଧର୍ମ ଦେଖାଇବେ ଏଭଳି ବିଶ୍ୱାସ କରିବାର କୌଣସି ଯଥାର୍ଥତା ନାହିଁ । ଘନାକାର ସଂହତି ଅନ୍ତର୍ଭୁକ୍ତ ସ୍ଫଟିକଗୁଡ଼ିକର ଗଠନକ୍ରମକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେମାନଙ୍କୁ ପାଞ୍ଚୋଟି ପ୍ରତିସାମ୍ୟ ଶ୍ରେଣୀରେ ବାଣ୍ଟି ଦିଆଯାଇଛି; କିନ୍ତୁ ସେମାନଙ୍କର ତାପ–ପ୍ରସାରଣ (thermal expansion) ଓ ତାପ ଚାଳନ ଧର୍ମ ସମାନ । ଯେ କୌଣସି ଭୌତିକ ଧର୍ମଦ୍ୱାରା ଗୋଟିକ ସ୍ଫଟିକକୁ ସମ୍ପୂର୍ଣ୍ଣରୂପେ ବର୍ଣ୍ଣନା କରାଯାଇପାରେ । ତେଣୁ କୌଣସି ଭୌତିକ ଧର୍ମ ନେଇ ବିଚାର କଲେ ବତିଶଟି ପ୍ରତିସାମ୍ୟ ଶ୍ରେଣୀର ସ୍ଫଟିକଗୁଡ଼ିକ ଅଳ୍ପସଂଖ୍ୟକ ସଂହତିରେ ବିଭକ୍ତ ହୋଇଥାନ୍ତି । ଉଦାହରଣସ୍ୱରୂପ ସ୍ଥିତିସ୍ଥାପକ ଧର୍ମ (Elastic properties) ନେଇ ସ୍ଫଟିକମାନଙ୍କୁ ମାତ୍ର ୯ଟି ଶ୍ରେଣୀରେ ଏବଂ ତାପ ପ୍ରସାରଣ ଓ ତାପ ପରିଚାଳନ ଧର୍ମ ଅନୁଯାୟୀ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଏହିପରି ଅନ୍ୟାନ୍ୟ ଭୌତିକ ପ୍ରକୃତି ନେଇ ସ୍ଫଟିକମାନଙ୍କର ଶ୍ରେଣୀ ନିର୍ଣ୍ଣୟ କରାଯାଇପାରେ ।

 

ଏହି ବତିଶଟି ପ୍ରତିସାମ୍ୟ ଶ୍ରେଣୀ ମଧ୍ୟରୁ ଏଗାରଟି ଶ୍ରେଣୀର ସ୍ଫଟିକଗୁଡ଼ିକ ପ୍ରତିସାମ୍ୟ କେନ୍ଦ୍ର ଦେଖାଇଥାନ୍ତି । ଅବଶିଷ୍ଟ ୨୧ଟି ଶ୍ରେଣୀ ମଧ୍ୟରୁ ଛଅଟି ଶ୍ରେଣୀର ସ୍ଫଟିକ ବାମ ଓ ଦକ୍ଷିଣ ପର୍ଯ୍ୟାୟକ୍ରମ ଦେଖାଇଥାନ୍ତି । ଅନ୍ୟ ପନ୍ଦରଟି ଶ୍ରେଣୀର ସ୍ଫଟିକ ସେପରି କିଛି ପାର୍ଶ୍ୱକ୍ରମ ଦେଖାନ୍ତି ନାହିଁ । ସ୍ଫଟିକଗୁଡ଼ିକର ଗଠନଶୈଳୀରେ ଏହି ପରିପାଟୀର ଗୁରୁତ୍ୱପୂର୍ଣ୍ଣ ଭୌତିକ ତାତ୍ପର୍ଯ୍ୟ ରହିଛି । ଚତୁର୍ନିକ (Tetrahedral) ଏବଂ ଅଷ୍ଠାନିକ (Octahedral)ର ତୁଳନା କଲେ ପ୍ରତିସାମ୍ୟ କେନ୍ଦ୍ରର ଅର୍ଥ ସ୍ପଷ୍ଟ ଭାବରେ ବୁଝି ହୁଏ । ଚତୁର୍ନିକର ଯେତୋଟି ପାର୍ଶ୍ୱ ଅଛି ଅଷ୍ଟାନିକର ତାର ଦୁଇଗୁଣ ପାର୍ଶ୍ୱ ଅଛି । କିନ୍ତୁ ଅଷ୍ଟାନିକ ଚିତ୍ରରେ ଗୋଟିଏ ପରିସାମ୍ୟ କେନ୍ଦ୍ର ଥାଏ । ଚତୁର୍ନିକରେ ତା ନ ଥାଏ । ବାମ ଓ ଦକ୍ଷିଣ ପାର୍ଶ୍ୱକ୍ରମର ଅର୍ଥ ବେଶ୍‌ ସୁସ୍ପଷ୍ଟ, ତେଣୁ ତାକୁ ବିଷଦଭାବରେ ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ । ଯେଉଁ ସ୍ଫଟିକର ଉପରୋକ୍ତ ଧର୍ମ ଥାଏ, ସେ ସବୁ ସ୍ଫଟିକର ଗଠନ ବିନ୍ୟାସରେ ପରମାଣୁଗୁଡ଼ିକ ବାମ ବା ଦକ୍ଷିଣ ଭାବେ କୁଣ୍ଡଳିତ ପେଚକଣ୍ଟା ଓ କୁଣ୍ଡଳାକାର ପାହାଚଭଳି ସଜ୍ଜା ହୋଇଥାନ୍ତି ।

 

ସ୍ଫଟିକର ଗଠନକ୍ରମରେ ଏହି ବାମ ଓ ଦକ୍ଷିଣପାର୍ଶ୍ୱକ୍ରମ ଯୋଗୁଁ ଆଲୋକ ପ୍ରକ୍ରିୟା (Optical Activity) ନାମକ ଏକ ଭୌତିକ ଧର୍ମର ଉତ୍ପତ୍ତି ହୋଇଥାଏ । ଚିନି ଦ୍ରବଣ ମଧ୍ୟଦେଇ ଆଲୋକ ପ୍ରବେଶ କରାଇଲେ, ତାର ଧ୍ରୁବନତଳ ଘୂର୍ଣ୍ଣିତ ହୋଇଥାଏ । ସ୍ଫଟିକର ଆଲୋକପ୍ରକ୍ରିୟା ଧର୍ମ ଚିନି ଦ୍ରବଣର ଉପରୋକ୍ତ ପ୍ରସିଦ୍ଧ ଆଲୋକପ୍ରକ୍ରିୟା ଧର୍ମ ସହିତ ପ୍ରାୟ ସମାନ । ଯେଉଁ ସ୍ଫଟିକଗୁଡ଼ିକ ଘନାକାର ସ୍ଫଟିକଶ୍ରେଣୀର ଅନ୍ତର୍ଭୁକ୍ତ ନୁହନ୍ତି, ସେମାନେ ଦ୍ୱିପ୍ରତିସରଣ ଧର୍ମ (Double Refraction) ଦେଖାଇଥାନ୍ତି । ଏହି ଦ୍ୱିପ୍ରତିସରଣ ଧର୍ମ ଆଲୋକପ୍ରକ୍ରିୟା ଧର୍ମକୁ ଜଟିଳ କରିପକାଏ । ତଥାପି ସ୍ଫଟିକକୁ ଆବଶ୍ୟକ ମୁତାବିକ କାଟି ସେହି ସ୍ଫଟିକଖଣ୍ଡ ସାହାଯ୍ୟରେ ଧ୍ରୁବନତଳ (plane of polarisation)ର ଘୂର୍ଣ୍ଣନ କ୍ରିୟା ଲକ୍ଷ୍ୟ କରାଯାଇପାରେ । ବହୁମାତ୍ରାରେ ଆଲୋକପ୍ରକ୍ରିୟା ଧର୍ମ ଦେଖାଉଥିବା ସ୍ଫଟିକମାନଙ୍କ ମଧ୍ୟରୁ କ୍ୱାର୍ଜ ଗୋଟିଏ ସୁପରିଚିତ ନମୁନା ।

 

ଯଦି କୌଣସି ସ୍ଫଟିକର ପିଜୋବିଦ୍ୟୁତ୍‍ (Piezo Electricity) ବା ପାଇରୋ ବିଦ୍ୟୁତ୍‍ (Pyro Electricity) ଭଳି ଗୁରୁତ୍ୱପୂର୍ଣ୍ଣ କୌତୂହଳପ୍ରଦ ଧର୍ମ ଥାଏ ତା’ହେଲେ ବୁଝିବାକୁ ହେବ ଯେ ସେମାନଙ୍କ ଗଠନକ୍ରମରେ ପ୍ରତିସାମ୍ୟ କେନ୍ଦ୍ର ନାହିଁ । କ୍ୱାର୍ଜ ବାଟୁରମାଲିନଭଳି ପିଜୋବୈଦ୍ୟୁତିକ ସ୍ଫଟିକମାନଙ୍କର ଏକ ଫଳକ ଉପରେ ଯଦି ଯାନ୍ତ୍ରିକ ଚାପ ଦିଆଯାଏ ତା’ହେଲେ ତାର ଉପରିଭାଗରେ ବୈଦ୍ୟୁତିକ ଆବେଶର ସୃଷ୍ଟି ହୁଏ । ବିପରୀତ ଦିଗରୁ ବିଚାର କଲେ ଜଣାଯିବ ଯେ କୌଣସି ପିଜୋ ବା ପାଇରୋ ବୈଦ୍ୟୁତିକ ସ୍ଫଟିକ ଫଳକର ବିପରୀତ ପାର୍ଶ୍ୱକୁ ବୈଦ୍ୟୁତିକ ଆବେଶଦ୍ୱାରା ଜଡ଼ିତ କଲେ, ଏହି ଫଳକର ଭୌତିକ ବିକୃତି (Physical deformation) ଘଟିଥାଏ । ଯଦି ସ୍ୱୀକାର କରାଯାଏ ଯେ ସ୍ଫଟିକର ପରମାଣୁଗୁଡ଼ିକ ବୈଦ୍ୟୁତିକ ଆବେଶଯୁକ୍ତ ଓ ସ୍ଥାନଭେଦରେ ସେମାନେ ବିପରୀତ ଧର୍ମୀ ବା ଋଣଧର୍ମୀ ଆବେଶଦ୍ୱାରା ଜଡ଼ିତ, ତା’ହେଲେ ପ୍ରସାରଣ ଜନିତ ବିକୃତ ଫଳରେ ପରମାଣୁଗୁଡ଼ିକ ସ୍ଥାନଚ୍ୟୁତ ହୋଇ ସ୍ଫଟିକ ଫଳକର ଉଭୟପାର୍ଶ୍ୱରେ ଅପେକ୍ଷାକୃତ ଅଧିକ ପରିମାଣରେ ବିପରୀତ ଧର୍ମୀ ଆବେଶ ଜମାଇଥାଆନ୍ତି ଓ ବୈଦ୍ୟୁତିକ ଧ୍ରୁବନ(polarisation) ସୃଷ୍ଟି କରିଥାନ୍ତି । ଉପରୋକ୍ତ ସ୍ୱୀକାର ଅତି ଗୁରୁତ୍ୱପୂର୍ଣ୍ଣ ଓ ଏହା ଏକାନ୍ତ ସତ୍ୟ ବୋଲି କହି ହେବ ନାହିଁ । ପରନ୍ତୁ ଏହା ଜୋର ଦେଇ କହି ହେବ ଯେ ଉପରୋକ୍ତ ତଥ୍ୟର ବିପରୀତ ବିଚାର; ଯଥା–ପ୍ରତିସମ କେନ୍ଦ୍ର ବିହୀନ ପ୍ରତ୍ୟେକ ସ୍ଫଟିକ ପିଜୋବୈଦ୍ୟୁତିକ ବା ପାଇରୋ ବୈଦ୍ୟୁତିକ ଏହା ଏକ ନିରାଟ ସତ୍ୟ ନୁହେଁ ।

 

ବର୍ଣ୍ଣାଳୀବୀକ୍ଷଣ ଯନ୍ତ୍ର (Spectroscope) ଦ୍ୱାରା ନିର୍ଣ୍ଣୟ କରାଯାଉଥିବା ଧର୍ମଗୁଡ଼ିକୁ ପରୀକ୍ଷା କଲେ ସ୍ଫଟିକ ଗଠନକ୍ରମରେ ପ୍ରତିସାମ୍ୟ କେନ୍ଦ୍ର ଅଛି କି ନାହିଁ ନିଶ୍ଚିତଭାବରେ ଜଣାଯାଇଥାଏ । ଉଦ୍‌ଜାନ, ଅମ୍ଳଜାନ ଓ ଯବକ୍ଷାରଜାନ ଭଳି ଦୁଇଟି ପରମାଣୁ ବିଶିଷ୍ଟ ଅଣୁଗୁଡ଼ିକର କମ୍ପନ ଫଳରେ ଅବଲୋହିତ (infrared) ଅଞ୍ଚଳରେ ଆଲୋକର ଶୋଷଣ ରେଖା ଦେଖାଯାଏ ନାହିଁ । ଅନ୍ୟପକ୍ଷରେ ଏହି ପଦାର୍ଥମାନଙ୍କଦ୍ୱାରା ବିକ୍ଷିପ୍ତ ଏକବର୍ଣ୍ଣୀୟ ଆଲୋକର ବର୍ଣ୍ଣାଳୀରେ ଅଣୁମାନଙ୍କର କମ୍ପନ ସ୍ପଷ୍ଟ ଭାବରେ ଜଣାପଡ଼େ ।

 

ଉପରୋକ୍ତ ଅଣୁମାନଙ୍କର ଏହିପ୍ରକାର ବ୍ୟବହାର ପ୍ରତିସାମ୍ୟ କେନ୍ଦ୍ର ଯୋଗୁଁ ସମ୍ଭବ ବୋଲି କୁହା ଯାଇଥାଏ । ପ୍ରତିସାମ୍ୟ ବିଶିଷ୍ଟ ସ୍ଫଟିକ ଶ୍ରେଣୀରେ ମଧ୍ୟ ଠିକ୍‌ ଏହିଭଳି ପରିସ୍ଥିତି ଦେଖା ଯାଇଥାଏ । ଯଦି ପରମାଣୁ ବିନ୍ୟାସ (Atomic Structure) ଜନିତ ଏକ ନିର୍ଦ୍ଦିଷ୍ଟ କମ୍ପନ ଅବଲୋହିତ ଅଞ୍ଚଳରେ ଦେଖାଯାଏ ତେବେ ଏହା ବିକ୍ଷିପ୍ତ ବର୍ଣ୍ଣପଟରେ ଦେଖାଯାଏ ନାହିଁ । ଏହାର ବିପରୀତ ବାକ୍ୟ, ଯଥା–ଯଦି କୌଣସି କମ୍ପନ ବିକ୍ଷିପ୍ତ ବର୍ଣ୍ଣପଟରେ ଦେଖାଯାଏ ତେବେ ତାହା ଅବଲୋହିତ ଅଞ୍ଚଳରେ ଦେଖାଯାଏ ନାହିଁ । କିନ୍ତୁ ଯେଉଁ ସ୍ଫଟିକଗୁଡ଼ିକର ପ୍ରତିସାମ୍ୟ କେନ୍ଦ୍ର ନଥାଏ, ସେଗୁଡ଼ିକର କମ୍ପନ (Vibration) ଫଳରେ ଉଭୟ ଅବଲୋହିତ ଅଞ୍ଚଳରେ ଓ ବିକ୍ଷିପ୍ତ ବର୍ଣ୍ଣପଟରେ ଶୋଷଣ ଦେଖାଯାଏ । କେତେକ ବିଶିଷ୍ଟ ସ୍ଫଟିକକୁ ଛାଡ଼ିଦେଲେ ଅନ୍ୟ ସ୍ଫଟିକଗୁଡ଼ିକ ଅବଲୋହିତ ଅଞ୍ଚଳରେ ଓ ବିକ୍ଷିପ୍ତ ବର୍ଣ୍ଣପଟରେ ଏକପ୍ରକାର ଶୋଷଣ ଦେଖାନ୍ତି ନାହିଁ ।

 

ଘନାକାର ସ୍ଫଟିକ ହୀରାରେ ଏ ସବୁ ତଥ୍ୟ ସୁନ୍ଦର ଭାବରେ ପରିଦର୍ଶିତ ହୋଇଥାଏ । ସ୍ଫଟିକତତ୍ତ୍ୱବିଦ୍‌ମାନେ ପ୍ରଥମେ ପ୍ରଥମେ ଚତୁର୍ନିକ ହୀରାଖଣ୍ଡମାନ ପାଉଥିଲେ । ତେଣୁ ସେମାନେ ସିଦ୍ଧାନ୍ତ କରିଥିଲେ ଯେ ହୀରାର କେବଳ ଚତୁର୍ନିକ ବା ଲଘୁ ପରିସାମ୍ୟ ଧର୍ମ ରହିଛି । ଘନାକାର ସ୍ଫଟିକ ସଂହତିରେ ଥିବା ଅଷ୍ଟାନିକ ଧର୍ମ ନାହିଁ । ହୀରା ପିଜୋ ବୈଦ୍ୟୁତିକ ବା ପାଇରୋ ବୈଦ୍ୟୁତିକ ବ୍ୟବହାର ଦେଖାଉ ନ ଥିବାରୁ ପରେ ଏହି ମତ ଭୁଲ ବୋଲି ପ୍ରମାଣିତ ହେଲା ଓ ବାସ୍ତବରେ ହୀରାଖଣ୍ଡରେ ଅଷ୍ଟାନିକ ପ୍ରତିସାମ୍ୟ ଅଛି ବୋଲି ବିଶ୍ୱାସ କରାଗଲା । କିନ୍ତୁ ଅବଲୋହିତ ଅଞ୍ଚଳରେ ଓ ବିକ୍ଷିପ୍ତ ବର୍ଣ୍ଣାଳୀରେ ହୀରାର ବ୍ୟବହାର ଲକ୍ଷ୍ୟ କଲେ ପୁରାତନ ସ୍ଫଟିକବିଦ୍‌ମାନଙ୍କର ମତ ପୂର୍ଣ୍ଣଭାବରେ ସମର୍ଥିତ ହୋଇଥାଏ । ନିକଟରେ ଭାରତୀୟ ବିଜ୍ଞାନ ପରିଷଦ (Indian Academy of sciences) ଦ୍ୱାରା ପ୍ରକାଶିତ ଏକ ପୁସ୍ତିକାରୁ ଜଣାଯାଏ ଯେ ଅଧିକାଂଶ ହୀରାରେ ଚତୁର୍ନିକ ପ୍ରତିସାମ୍ୟ ଥାଏ । କିନ୍ତୁ ସାଧାରଣତଃ ମିଳୁଥିବା ହୀରାଖଣ୍ଡରେ ଧନ ଓ ଋଣ ଧର୍ମୀ ଚତୁର୍ନିକ ପରିସାମ୍ୟ ପରସ୍ପର ମଧ୍ୟକୁ ପ୍ରବେଶ କରିଥାନ୍ତି । ଏହି ଅର୍ନ୍ତପ୍ରବେଶ (Interpenetration) ସ୍ଫଟିକ ତତ୍ତ୍ୱର ପରିସର ମଧ୍ୟରେ ସମ୍ଭବ । ତେଣୁ ଉପରୋକ୍ତ ହୀରାଗୁଡ଼ିକର ଅଷ୍ଟାନିକ ବା ତା ଅପେକ୍ଷା ଗୁରୁ ପ୍ରତିସାମ୍ୟର ଅନୁକରଣ ହୋଇଥାଏ । କେତେକ ହୀରାଖଣ୍ଡ ମଧ୍ୟ ପ୍ରକୃତ ଅଷ୍ଟାନିକ ପରିସାମ୍ୟ ଦେଖାଇଥାନ୍ତି । ପରମାଣୁ କମ୍ପନ ଫଳରେ ଅବଲୋହିତ ଅଞ୍ଚଳରେ ଯେଉଁ ସ୍ଥାନରେ ଶୋଷଣ ଦେଖାଯାଏ, ଏ ସ୍ଫଟିକଗୁଡ଼ିକ ସେ ଅଞ୍ଚଳରେ ଶୋଷଣ ଦେଖାଇ ନଥାନ୍ତି । ସର୍ବଶ୍ରେଷ୍ଠ ଘନପଦାର୍ଥ ହୀରାର ଗଠନ କ୍ରମରେ ଉପୁଜିଥିବା ଏହି ଅସାଧାରଣ ପରିସ୍ଥିତି ଏ ପର୍ଯ୍ୟନ୍ତ ଅଜ୍ଞାତ ଥିବା ଅନେକ କୌତୂହଳପୂର୍ଣ୍ଣ ଘଟଣା ବୁଝିବାପାଇଁ ସୂତ୍ର ଯୋଗାଇ ଦେଇଛି ।

Image

 

ପଦାର୍ଥ ବିଜ୍ଞାନରେ ଆଧୁନିକ ଧାରଣା (ଘନ ଅବସ୍ଥା)

 

ମିଶର ଦେଶର ଲକ୍‌ସର (Luxor) ନିକଟରେ ଥିବା କର୍ଣ୍ଣାକ ମନ୍ଦିରରେ ଖଣ୍ଡିଏ ମୁଗୁନି ପଥର ନିର୍ମିତ ଶହେଫୁଟ ଉଚ୍ଚର ଗୋଟିଏ ପୁରାତନ ସ୍ତମ୍ଭ ଅଛି । ରାଣୀ ହାସତେପାତ ତାଙ୍କ ପିତା ପ୍ରଥମ ଫାରୋହା ଥୋଥମେସ୍‌ଙ୍କ ଶାସନକାଳର ସ୍ମୃତି ରଖିବା ପାଇଁ ଏହି ସ୍ତମ୍ଭ ସ୍ଥାପନ କରିଥିଲେ । ଅଶ୍ୱାନରେ ଥିବା ପଥର ଖଣିରୁ ଏହା ଗୋଟିଏ ଖଣ୍ଡ ଭାବରେ କଟା ହେଲା ପରେ ନଦୀ ଉପରେ ଏହାକୁ ଦୁଇଶହ ମାଇଲ ଅଣାଯାଇଥିଲା । ତା ପରେ ଏହି ପଥରକୁ ସ୍ତମ୍ଭାକାରରେ କାଟି ସୁଚାରୁରୂପେ ମସୃଣ କଲାପରେ ଓ ତା ଉପରେ ଶିଳାଲିପି ଖୋଦନ କଲାପରେ ଏହାକୁ ଯଥା ସ୍ଥାନରେ ସ୍ଥାପନ କରାଯାଇଥିଲା । ଏହି ସ୍ତମ୍ଭର ଓଜନ ପ୍ରାୟ ୩୦୦ ଟନରୁ ଅଧିକ । ତିନିହଜାର ଚାରିଶ ବର୍ଷ ପୂର୍ବେ ଏଭଳି ଗୋଟିଏ ଓଜନିଆ ପଥରକୁ ଦୂରକୁ ଆଣି ତା’ ଉପରେ ଏପରି ମସୃଣ ଓ କମନୀୟ କାରୁକର୍ଯ୍ୟ କରିବାପାଇଁ ଯେଉଁ ଅସାଧାରଣ ବୈଜ୍ଞାନିକ ଯନ୍ତ୍ର କୌଶଳ (Engineering) ବ୍ୟବହୃତ ହୋଇଥିବ, ତାହା ଭାବିଲେ ଆଜି ମଧ୍ୟ ପ୍ରଶଂସା ନ କରି ରହି ହୁଏ ନାହିଁ । ବ୍ୟବହୃତ ହୋଇଥିବା ବସ୍ତୁଗୁଡ଼ିକର ପ୍ରକୃତି ଓ ଧର୍ମ ସମ୍ବନ୍ଧରେ ସମ୍ୟକ୍‌ ଜ୍ଞାନ ନ ଥାଇ ଏଭଳି ଅସାଧାରଣ କାର୍ଯ୍ୟ କରିବା ସମ୍ଭବପର ହୁଏ ନାହିଁ । ବର୍ଷ ବର୍ଷ ଧରି ଅଭିଜ୍ଞତା ଅର୍ଜ୍ଜନ ଫଳରେ ହୁଏତ ଏହି ଜ୍ଞାନ ସଂଗୃହୀତ ହୋଇଥିବ । ବାସ୍ତବିକ ବହୁ ପୁରାତନ କାଳରୁ ଯେଉଁ ସବୁ କୌଳିକ ହସ୍ତଶିଳ୍ପ ଓ କଳା ଆମ୍ଭମାନଙ୍କ କରଗତ ହୋଇଛି ସେଗୁଡ଼ିକ ଏହିଭଳି ବ୍ୟାବହାରିକ ଜ୍ଞାନ ଓ ଅଭିଜ୍ଞତା ଉପରେ ପ୍ରତିଷ୍ଠିତ ।

ଘନପଦାର୍ଥମାନଙ୍କର ପ୍ରକୃତି ସମ୍ବନ୍ଧରେ ଯେଉଁ କୌଳିକ ଅଭିଜ୍ଞତା ଆମେ ଅତୀତରୁ ପାଇ ଆସିଛୁ ତାହା ଆଧୁନିକ ବିଜ୍ଞାନ ଓ ଶିଳ୍ପର ବିକାଶ ଫଳରେ ବୃଦ୍ଧି ପାଇଛି । ଉଦାହରଣସ୍ୱରୂପ ଧାତୁମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ଭଲ ବିଦ୍ୟୁତ୍‍ ପରିବାହକ ତ କେଉଁଗୁଡ଼ିକର ଆଶାନୁରୂପ ଚୁମ୍ବକ ଧର୍ମ ଅଛି ଓ କେଉଁଗୁଡ଼ିକ ବିଦ୍ୟୁତ୍‍ ଅପରିବାହକ । ଏହିସବୁ ଜ୍ଞାନ ଉପରେ ଗୁରୁ ବିଦ୍ୟୁତ୍‍ ଶିଳ୍ପ (Heavy Electrical Engineering) ପ୍ରତିଷ୍ଠିତ । ସେହିପରି ନିର୍ମାଣଶିଳ୍ପର (Architecture) ପ୍ରଗତି ବିଶିଷ୍ଟ ଧରଣର ଭୌତିକ ଧର୍ମଥିବା ମିଶ୍ରଧାତୁମାନଙ୍କର ବିକାଶ ଉପରେ ବହୁପରିମାଣରେ ନିର୍ଭର କରେ । ଆଲୁମିନିୟମ୍‌, ମାଗ୍ନେସିଅମ୍‌ ଓ ସେମାନଙ୍କର ମିଶ୍ରଣ ଭଳି ଲଘୁଧାତୁଗୁଡ଼ିକର ଆବିଷ୍କାର ଉପରେ ଆକାଶଯାନର ଅଗ୍ରଗତି କମ୍‌ ନିର୍ଭର କରୁନାହିଁ । ଆବଶ୍ୟକ ମୁତାବକ ସ୍ୱଚ୍ଛତା, ପ୍ରତିସରଣାଙ୍କ ଓ ବର୍ଣ୍ଣବିଚ୍ଛୁରକ ଶକ୍ତି (dispersive power) ଥିଲା ଭଳି ବିଶିଷ୍ଟ କାଚ ତିଆରି ଫଳରେ ଆଲୋକ ଓ ଛବି ସମ୍ବନ୍ଧୀୟ ଶିଳ୍ପ ସବୁ ଆଶ୍ଚର୍ଯ୍ୟଭାବରେ ଆଗେଇ ଚାଲିଛନ୍ତି । ସେହିପରି ଯେଉଁ ପଦାର୍ଥବିଜ୍ଞାନୀମାନେ ପ୍ରଥମେ କ୍ୱାର୍ଜ ଓ ଟରମାଲିନ ପ୍ରଭୃତି ସ୍ଫଟିକଗୁଡ଼ିକର ପିଜୋବିଦ୍ୟୁତ୍‍ ନାମକ ଅଶ୍ରୁତପୂର୍ବ ଧର୍ମ ଆବିଷ୍କାର କରିଥିଲେ, ସେମାନଙ୍କ ନିକଟରେ ବେତାର ଶିଳ୍ପ ବହୁଭାବରେ ଋଣୀ । ଘନବସ୍ତୁମାନଙ୍କର ସାଧାରଣ ଧର୍ମ ସମ୍ବନ୍ଧୀୟ ଜ୍ଞାନର ଅଭ୍ୟୁଦୟ ସହିତ ବ୍ୟବହାରିକ ବିଜ୍ଞାନର ବିକାଶ ଯେ ଘନିଷ୍ଠ ଭାବରେ ସଂପୃକ୍ତ ତାହା ଦର୍ଶାଇବା ପାଇଁ ଏହିଭଳି ଅସଂଖ୍ୟ ଉଦାହରଣର ଅବତାରଣା କରାଯାଇପାରେ ।

ଘନାପଦାର୍ଥଗୁଡ଼ିକର ଏକ ବିଶିଷ୍ଟ ପ୍ରକୃତି ହେଉଛି ସେମାନଙ୍କ ମଧ୍ୟରେ ଥିବା ଅଣୁ ଓ ପରମାଣୁମାନଙ୍କର ଚିରସ୍ଥାୟୀ ମଣ୍ଡଳୀକରଣ । ଏହି ପ୍ରକୃତି ହିଁ ବସ୍ତୁର ବିଭିନ୍ନ ଅବସ୍ଥାଠାରୁ ଘନ ଅବସ୍ଥାକୁ ପୃଥକ କରିଥାଏ ! ପରସ୍ପର ନିକଟବର୍ତ୍ତୀ ଅଣୁମାନଙ୍କର ଅନ୍ତର୍ବର୍ତ୍ତୀବଳ, ତାପଜନିତ ଭଙ୍ଗୁର ପ୍ରଭାବକୁ ଅତିକ୍ରମ କରିପାରିଲେ ଚିରସ୍ଥାୟୀ ମଣ୍ଡଳୀକରଣ ସମ୍ଭବ ହୋଇଥାଏ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ତାପଜନିତ କମ୍ପନ ବସ୍ତୁର ସବୁ ଅବସ୍ଥାରେ ଦେଖାଯାଏ; ଘନ ଅବସ୍ଥାରେ ଏହା ଅପେକ୍ଷାକୃତ କମ୍‌ । ପୁଣି ବିଭିନ୍ନ ପ୍ରକାର ଘନପଦାର୍ଥଗୁଡ଼ିକର ପରମାଣୁ ମଣ୍ଡଳ ପ୍ରକୃତି, ବ୍ୟବହାର ଓ ସ୍ଥାୟୀତ୍ୱ ପାଇଁ ଆବଶ୍ୟକୀୟ ଆନ୍ତଃଆଣବିକ ବଳର ପରିମାଣ ବିଭିନ୍ନ । ମୋଟାମୋଟି କହିବାକୁ ଗଲେ ଏହି ମଣ୍ଡଳୀକରଣକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମତଃ ସ୍ଫଟିକୀୟ ଘନପଦାର୍ଥମାନଙ୍କରେ ଥିବା ଜ୍ୟାମିତିକ ମଣ୍ଡଳୀକରଣ, ଦ୍ୱିତୀୟତଃ କାଚ ବା ଅସ୍ଫଟିକୀୟ ପଦାର୍ଥ (Amorphous) ଗୁଡ଼ିକରେ ଥିବା ବିଶୃଙ୍ଖଳ ମଣ୍ଡଳୀକରଣ । ଏହି ଦୁଇଶ୍ରେଣୀ ମଧ୍ୟରେ ଥିବା ତାରତମ୍ୟ କେବଳ ଘନପଦାର୍ଥଗୁଡ଼ିକର ଗଠନକ୍ରମରେ ହିଁ ଅବସ୍ଥିତ । ତେଣୁ ଏ ସମ୍ବନ୍ଧରେ ଘନପଦାର୍ଥଗୁଡ଼ିକର ବାହ୍ୟ ପ୍ରକୃତି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ । ଉଦାହରଣସ୍ୱରୂପ ଖଣ୍ଡିଏ ବରଫର ବାହ୍ୟ ଆକାର ସାଧାରଣତଃ ଅସମ (Irregular) ଦେଖାଯାଏ । ତଥାପି ଏହା ଗୋଟିଏ ସ୍ଫଟିକ ବା ସ୍ଫଟିକ ସମଷ୍ଟି । ଖୁବ୍‌ ଉଜ୍ଜ୍ୱଳ ଆଲୋକରେ ଦେଖିଲେ ଉପରୋକ୍ତ ଉକ୍ତି ସତ୍ୟ ବୋଲି ଜଣାପଡ଼େ । କାରଣ ଏହାଦ୍ୱାର ସ୍ଫଟିକଗୁଡ଼ିକୁ ପୃଥକ୍‌ କରୁଥିବା ଅନ୍ତଃ ସୀମା ରେଖାମାନଙ୍କୁ ସହଜରେ ନିର୍ଣ୍ଣୟ କରିହୁଏ । ବରଫର ଏହି ସ୍ଫଟିକ ପ୍ରକୃତି ଅନ୍ୟ ଏକ ଉପାୟରେ ସହଜରେ ପ୍ରମାଣ କରାଯାଇପାରେ । ଉଦାହରଣ ସ୍ୱରୂପ ଖଣ୍ଡିଏ ବରଫକୁ ଘସି ଗୋଟିଏ ଫଳକରେ ପରିଣତ କରାଯାଉ । ଏହି ଫଳକୁ ଦୁଇଟି ଧ୍ରୁବିୟକ (Polaroid) ମଧ୍ୟରେ ରଖି ତା’ ଭିତର ଦେଇ ଏକ ଉଜ୍ଜ୍ୱଳ ଆଲୋକ ଶିଖାକୁ ଲକ୍ଷ୍ୟ କଲେ ବିଭିନ୍ନ ରଙ୍ଗର ସଜ୍ଜିତ ବର୍ଣ୍ଣପଟ ଦେଖାଯାଏ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ବରଫ ଏକ ପ୍ରତିସରଣଶାଳୀ (Singly-refracting) କାଚଭଳି ପଦାର୍ଥ ବା ଅସ୍ଫଟିକ ବସ୍ତୁ ନୁହେଁ । ଏହା ଦ୍ୱି-ପ୍ରତିସରଣଶାଳୀ ସ୍ଫଟିକମାନଙ୍କଦ୍ୱାରା ଗଠିତ ।

ଆମ୍ଭେମାନେ ସାଧାରଣତଃ ଯେଉଁ ଘନପଦାର୍ଥ ସବୁ ବ୍ୟବହାର କରୁ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଫଟିକ ସମଷ୍ଟି (Aggregate of Crystals) । ମୁଗୁନି ପଥର ଓ ଶଙ୍ଖମଲ୍‌ମଲ୍‌ ପଥର ଭଳି ବସ୍ତୁମାନଙ୍କୁ ଦେଖିଲାମାତ୍ରେ କିମ୍ବା ବେଳେ ବେଳେ ଅଣୁବୀକ୍ଷଣ ଯନ୍ତ୍ରଦ୍ୱାରା ପରୀକ୍ଷା କରି ସେମାନଙ୍କର ସ୍ଫଟିକ ପ୍ରକୃତି ସହଜରେ ପରିଲିକ୍ଷିତ ହୋଇଥାଏ । ଯେଉଁଠି ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବସ୍ତୁର ସ୍ଫଟିକ ପ୍ରକୃତି ନିରୂପଣ କରାଯାଇପାରେ ନାହିଁ, ସେ କ୍ଷେତ୍ରରେ ରଞ୍ଜନରଶ୍ମିଦ୍ୱାରା ପରୀକ୍ଷା ଆବଶ୍ୟକ ହୋଇଥାଏ । ଯେଉଁ ପଦାର୍ଥଗୁଡ଼ିକର ସୂକ୍ଷ୍ମଖଣ୍ଡମାନଙ୍କୁ ରଞ୍ଜନରଶ୍ମିଦ୍ୱାରା ପରୀକ୍ଷା କଲେ ସେଥିରେ ଅଣୁ ବା ପରମାଣୁଗୁଡ଼ିକର ଜ୍ୟାମିତିକ ମଣ୍ଡଳୀକରଣ ଦେଖାଯାଏ ନାହିଁ, ସେଗୁଡ଼ିକ ବାସ୍ତବରେ କାଚ ବା ଅସ୍ଫଟିକ ଜାତୀୟ ପଦାର୍ଥ । ସ୍ୱଚ୍ଛ ପଦାର୍ଥଗୁଡ଼ିକର ସ୍ଫଟିକୀୟ ପ୍ରକୃତି ଅତି ସହଜରେ ନିର୍ଣ୍ଣୟ କରାହୋଇ ଥାଏ । ଏହାର ଗୋଟିଏ ସୂକ୍ଷ୍ମ ଫଳକ କାଟି ତାକୁ ଧ୍ରୁବିୟକ ଅଣୁବୀକ୍ଷଣ ଯନ୍ତ୍ର (Polarising Microscope) ଦ୍ୱାରା ପରୀକ୍ଷା କଲେ, ଯଦି ତାହା ସ୍ଫଟିକୀୟ ବା ଅର୍ଦ୍ଧସ୍ଫଟିକୀୟ ହୋଇଥାଏ ତା’ହେଲେ ଏହି ଫଳକ ମଧ୍ୟ ଦେଇ ଉଜ୍ଜ୍ୱଳ କ୍ଷେତ୍ରମାନ ଦେଖାଯାଏ । ଏହି ଧର୍ମକୁ ବାଇରିଫ୍ରିଜେନ୍‌ସ (Birefringence) କୁହାଯାଏ । ଏ ଭଳି ପରୀକ୍ଷା କରି ଦେଖାଯାଇଛି ଯେ ପୃଥିବୀ ପୃଷ୍ଠରେ ଥିବା ଅଧିକାଂଶ ପଥର ଓ ପ୍ରାଣୀମାନଙ୍କର ଅବୟବରେ ଥିବା ଅଧିକାଂଶ ଘନପଦାର୍ଥ ସ୍ଫଟିକ ବା ଅର୍ଦ୍ଧସ୍ଫଟିକ ଜାତୀୟ । କିନ୍ତୁ କାଚ ବା ଅସ୍ଫଟିକ ପଦାର୍ଥଗୁଡ଼ିକ ଅତିବେଶି ପ୍ରସାରିତ ହୋଇ ନ ଥିଲେ, ଧ୍ରୁବିୟକ ଅଣୁବୀକ୍ଷଣ ଯନ୍ତ୍ରରେ କେବଳ ଅନ୍ଧାର ଦେଖାଯାଏ ।

ପରମାଣୁଗୁଡ଼ିକର ମଣ୍ଡଳୀକରଣ, ସେଗୁଡ଼ିକର ବ୍ୟବହାର ଓ ସେମାନଙ୍କୁ ଧରି ରଖିଥିବା ବଳର ପରିମାଣଦ୍ୱାରା ଘନପଦାର୍ଥର ଭୌତିକ ଧର୍ମ ନିର୍ଣ୍ଣିତ ହୋଇଥାଏ । ଯେଉଁ ସ୍ଫଟିକଗୁଡ଼ିକର ସମସ୍ତ ପରମାଣୁ, ଦୁଇଟି ବା ଅଧିକ ପରମାଣୁକୁ ସଂଲଗ୍ନ କରି ରାସାୟନିକ ଅଣୁରେ ପରିଣତ କରୁଥିବା ବଳଦ୍ୱାରା ଆବଦ୍ଧ ସେହି ସ୍ଫଟିକଗୁଡ଼ିକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ହୀରା, କାରବରେଣ୍ଡମ ଓ କ୍ୱାର୍ଜ ଏହି ସ୍ଫଟିକ ଶ୍ରେଣୀର ଅନ୍ତର୍ଭୁକ୍ତ । ଉଦାହରଣସ୍ୱରୂପ ହୀରାରେ ଥିବା କାରବନ ପରମାଣୁଗୁଡ଼ିକ ପରସ୍ପର ଗୋଟିଏ ପ୍ରକାର ସଂଯୋଜକ ବଳ (Valincy force) ଦ୍ୱାରା ଆବଦ୍ଧ ହୋଇଥାନ୍ତି, ଜୈବ ରସାୟନରେ ଯେଉଁ ପ୍ରକାର ସଂଯୋଜକ ବଳ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରିଥାଏ, ହୀରାରେ ଥିବା ସଂଯୋଜକ ବଳ ତା’ ସହିତ ସମାନ । ହୀରାର ସମସ୍ତ ପ୍ରତିକୃତିରେ ପ୍ରତ୍ୟେକ ଅଙ୍ଗାରକ ପରମାଣୁ ଚତୁର୍ନିକ (Tetrahedral) ନିୟମରେ ଅନ୍ୟ ଚାରୋଟି ଅଙ୍ଗାରକ ପରମାଣୁ ସହିତ ସଂଲଗ୍ନ ହୋଇଥାନ୍ତି ।

କାରବରେଣ୍ଡମରେ କାରବନ୍‌ ଓ ସିଲିକନ୍‌ ଦୁଇ ପ୍ରକାର ପରମାଣୁ ଥାଏ । ଏଥିରେ ଗୋଟିଏ କାରବନ୍‍ ପରମାଣୁ, ଛଅଟି ସିଲିକନ୍‍ ପରମାଣୁ ଓ ଗୋଟିଏ ସିଲିକନ୍‍ ପରମାଣୁ, ଛଅଟି କାରବନ୍‍ ପରମାଣୁ ସହିତ ସଂଯୁକ୍ତ ହୋଇଥାଏ । କାରବରେଣ୍ଡମ ସ୍ଫଟିକର ସମସ୍ତ ପ୍ରତିକୃତିରେ ପରମାଣୁଗୁଡ଼ିକ ଏହି ଶୃଙ୍ଖଳାରେ ଆବଦ୍ଧ ହୋଇଥାନ୍ତି । କ୍ୱାର୍ଜ ସ୍ଫଟିକରେ ଗୋଟିଏ ସିଲିକନ୍‌ ପରମାଣୁ ଚାରୋଟି ଅମ୍ଳଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ଦୁଇଟି ସିଲିକନ୍‌ ପରମାଣୁ ସହିତ ସଂଲଗ୍ନ ହୋଇଥାନ୍ତି । ଏହିଭଳି ଶୃଙ୍ଖଳାରେ ଗଠିତ ବସ୍ତୁମାନଙ୍କର କେତେକ ବିଶିଷ୍ଟ ଭୌତିକ ଧର୍ମ ଦେଖାଯାଏ । ଏଥିମଧ୍ୟରୁ ଅତି କଠିନଧର୍ମ ଗୋଟିଏ । ହୀରା ଏହିପ୍ରକାର ଅତି କଠିନଧର୍ମୀ ବସ୍ତୁମାନଙ୍କର ଗୋଟିଏ ଉତ୍କୃଷ୍ଟ ନମୁନା । ଏହି ପଦାର୍ଥମାନଙ୍କର ଗଳନାଙ୍କ ସାଧାରଣତଃ ଅତି ଉଚ୍ଚ । ଏମାନେ ପାଣିରେ ବା ସାଧାରଣ ରାସାୟନିକ ପଦାର୍ଥରେ ଦ୍ରବୀଭୂତ ହୁଅନ୍ତି ନାହିଁ । ଅନେକ ଘନପଦାର୍ଥ ଠିକ୍‌ ଏମାନଙ୍କର ବିପରୀତ ଧର୍ମୀ ଅଟନ୍ତି । ସେମାନେ ଅଣୁମାନଙ୍କ ସମଷ୍ଟିଦ୍ୱାରା ଗଠିତ ହୋଇଥାନ୍ତି । ଏହି ଅଣୁମାନଙ୍କ ମଧ୍ୟସ୍ଥିତି ପରମାଣୁଗୁଡ଼ିକର ରାସାୟନିକ ସଂଯୋଜକ ବଳଦ୍ୱାରା ଆବଦ୍ଧ । କିନ୍ତୁ ଅଣୁମାନେ ଦୁର୍ବଳ ଆନ୍ତଃ ଆଣବିକ ଶକ୍ତିଦ୍ୱାରା ଏକତ୍ର ହୋଇ ରହିଥାନ୍ତି । ଏହି ଆନ୍ତଃ ଆଣବିକ ବଳ ରାସାୟନିକ ସଂଯୋଜକ ବଳ ତୁଳନାରେ ଅତି ସାମାନ୍ୟ । ଅଧିକାଂଶ ଜୈବ ରାସାୟନିକ ପଦାର୍ଥ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ସେମାନେ ସହଜରେ ଗଳିତ ହୋଇଥାନ୍ତି କିମ୍ବା ବାଷ୍ପରେ ପରିଣତ ହୋଇଥାନ୍ତି । ସେମାନେ ମଧ୍ୟ ଉପଯୁକ୍ତ ଦ୍ରାବକରେ ସମ୍ପୂର୍ଣ୍ଣ ମିଳାଇ ଯାଆନ୍ତି । କର୍ପୂର, ମେନ୍ଥଲ ଓ ଗନ୍ଧକର୍ପୂର ପ୍ରଭୃତି ଘନବସ୍ତୁମାନେ ଉପରୋକ୍ତ ଧର୍ମ ସବୁ ଦେଖାଇଥାନ୍ତି ।

କୌତୂହଳପ୍ରଦ ଆଉ ଗୋଟିଏ ଘନପଦାର୍ଥ ହେଉଛି ‘ଲୁଣ’ ବା ସୋଡ଼ିୟମ କ୍ଲୋରାଇଡ୍‌-। ଏହି ଶ୍ରେଣୀର ପଦାର୍ଥଗୁଡ଼ିକ ସାଧାରଣତଃ ତୀକ୍ଷ୍‌ଣକ୍ଷାର (Strong base) ସହିତ ଅତିଅମ୍ଳ (Strong Acid)ର ରାସାୟନିକ ମିଶ୍ରଣ ଫଳରେ ସମ୍ଭବ ହୋଇଥାନ୍ତି । ସାଧାରଣତଃ ଏହି ପଦାର୍ଥଗୁଡ଼ିକ ସହଜରେ ଜଳରେ ଦ୍ରବୀଭୂତ ହୋଇଥାନ୍ତି ଓ ଏହି ଦ୍ରବଣ ବିଦ୍ୟୁତ୍‍ ପରିବହନ କରିଥାଏ । ପଦାର୍ଥମାନଙ୍କର ଏହି ଧର୍ମକୁ ବୁଝାଇବା ପାଇଁ କୁହାଯାଇଛି ଯେ ଏହି ଘନବସ୍ତୁଗୁଡ଼ିକ ବୈଦ୍ୟୁତିକ ଆବେଶଦ୍ୱାରା ଜଡ଼ିତ ପରମାଣୁ ବା ପରମାଣୁ ମଣ୍ଡଳୀଦ୍ୱାରା ଗଠିତ । ଧନ ଆବେଶରେ ଜଡ଼ିତ କ୍ଷାରୀୟ ମଣ୍ଡଳୀ (Basic group) ଋଣ ଆବେଶରେ ଜଡ଼ିତ ଅମ୍ଳମଣ୍ଡଳୀଦ୍ୱାରା ଓ ସେହିପରି ଅମ୍ଳମଣ୍ଡଳୀ କ୍ଷାରୀୟମଣ୍ଡଳୀଦ୍ୱାରା ପରିବେଷ୍ଟିତ ବିପରୀତ ଧର୍ମୀ ବୈଦ୍ୟୁତିକ ଆବେଶରେ ଜଡ଼ିତ । ଏହି ମଣ୍ଡଳୀମାନଙ୍କ ମଧ୍ୟରେ ଥିବା ବୈଦ୍ୟୁତିକ ଆକର୍ଷଣ ଯୋଗୁଁ ଘନବସ୍ତୁ ଏକତ୍ର ହୋଇ ରହିଥାଏ । ଉପରୋକ୍ତ ପ୍ରଜ୍ଞା ଅନେକ ଘଟଣାକୁ ସହଜରେ ବୁଝାଇ ପାରିଥାଏ ଓ ଏହା ଅନେକ କ୍ଷେତ୍ରରେ ସତ୍ୟର ପାଖାପାଖି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଧାତୁ ଓ ମିଶ୍ରଧାତୁଗୁଡ଼ିକ ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀର ଅନ୍ତର୍ଭୁକ୍ତ । ବ୍ୟାବହାରିକ ଗୁରୁତ୍ୱ ଦୁଷ୍ଟିରୁ ସେମାନଙ୍କ ଉପରେ ଅକଳନ ବୈଜ୍ଞାନିକ ଗବେଷଣା ହୋଇ ଯାଇଛି । ଗୋଟିଏ ସ୍ଫଟିକ ବା ଅଳ୍ପ କେତେକ ଏକ ସ୍ଫଟିକ (Single crystal) ନେଇ ଗଠିତ ବଡ଼ ବଡ଼ ଧାତୁଖଣ୍ଡମାନ ପାଇବା ପାଇଁ ବିଶେଷ ଉପାୟମାନ ଉଦ୍ଭାବିତ ହୋଇଛି । ଏ ଭଳି ଗୋଟିଏ ନମୁନାର ଭୌତିକ ପ୍ରକୃତି ସାଧାରଶତଃ ଛୋଟ ସ୍ଫଟିକ ସମଷ୍ଟିରେ ଗଠିତ ହୋଇଥିବା ମୂଳ ଧାତୁର ଭୌତିକ ପ୍ରକୃତିଠାରୁ ଅନେକ ତଫାତ୍‌ । ଏକ ସ୍ଫଟିକ ଯାନ୍ତ୍ରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୁର୍ବଳ । ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଏହା ବିକୃତ ହୋଇଥାଏ । କିନ୍ତୁ ପ୍ରତିଥର ଏହିପରି ବିକୃତ ହେବାପରେ, ସ୍ଫଟିକଟି ଶକ୍ତି ସଂଗ୍ରହ କରେ ଓ ଶେଷରେ ମୂଳଧାତୁ ପରି ଶକ୍ତ ହୋଇଥାଏ । ଶୀତଳଶ୍ରମ (cold working) ଫଳରେ ବା ଶୀତଳ ଅବସ୍ଥାରେ ବସ୍ତୁଉପରେ କାମ କରିବା ହେତୁରୁ ଶକ୍ତି ବୃଦ୍ଧି ହେବା ଧାତୁମାନଙ୍କର ଗୋଟିଏ ବିଶିଷ୍ଟ ପ୍ରକୃତି । ଏହି ପ୍ରକୃତିକୁ ବୁଝାଇବା ପାଇଁ କୁହାଯାଇଛି ଯେ କ୍ରମଶଃ ମନ୍ଥରଗତିରେ ଥଣ୍ଡାହୋଇଥିବା (well Annealed) ଧାତୁ ଖଣ୍ଡର (metal specimen) ବଡ଼ ସ୍ଫଟିକଗୁଡ଼ିକ ଭାଙ୍ଗିଯାଇ ଅନେକ ଛୋଟ ଛୋଟ ସ୍ଫଟିକରେ ପରିଣତ ହୋଇଯାଏ ଓ ଛୋଟ ସ୍ଫଟିକଗୁଡ଼ିକ ପରସ୍ପର ସହିତ ଛନ୍ଦିହେବା ଫଳରେ ଧାତୁର ଶକ୍ତି ବୃଦ୍ଧି ହୁଏ ଓ ବିଶୃଙ୍ଖଳ ଗଠନାକୃତି ସମ୍ଭବ ହୋଇଥାଏ ।

ଧାତୁମାନଙ୍କ ବିଷୟରେ ଉପରୋକ୍ତ ବିବରଣୀ ସମ୍ପୂର୍ଣ୍ଣ ବୋଲି କହିହେବ ନାହିଁ । ଏଠାରେ ସୀମାନ୍ତ ବିଷୟମାନଙ୍କର ଚର୍ଚ୍ଚା ହୋଇନାହିଁ ବା ତଥାକଥିତ ଅସ୍ଫଟିକ ବସ୍ତୁମାନଙ୍କର ଗଠନକ୍ରମ ଓ ପ୍ରକୃତି ବିଶେଷ ଭାବରେ ବିଶ୍ଳେଷିତ ହୋଇନାହିଁ । ପ୍ଲାଷ୍ଟିକ୍‌ ଶିଳ୍ପର ବିକାଶ ଆଧୁନିକ ଯନ୍ତ୍ରଶିଳ୍ପରେ ଗୋଟିଏ ନୂତନ ଅଧ୍ୟାୟ ଖୋଲିଛି । କୃତ୍ରିମ ଉପାୟରେ ତିଆରି ଏହି ପଦାର୍ଥଗୁଡ଼ିକର ଅବସ୍ଥା ଘନପଦାର୍ଥର ସ୍ଫଟିକୀୟ ଓ ଅସ୍ଫଟିକୀୟ ଅବସ୍ଥାର ମଧ୍ୟବର୍ତ୍ତୀ ବୋଲି କହିଲେ ଭୁଲ ହେବନାହିଁ । ଏଗୁଡ଼ିକର ଅନେକ ମୂଲ୍ୟବାନ ଭୌତିକ ଓ ରାସାୟନିକ ଧର୍ମ ଅଛି । ଦୈନନ୍ଦିନ ଜୀବନରେ ବ୍ୟବହାର କଲାଭଳି ବିଭିନ୍ନ ଆକାର ପ୍ରକାରରେ ଅତି ସହଜରେ ପରିଣତ ହେବା ସେହି ଧର୍ମମାନଙ୍କର ମଧ୍ୟରୁ ଅନ୍ୟତମ ।

Image

 

ପଦାର୍ଥବିଜ୍ଞାନରେ ଆଧୁନିକ ଧାରଣା (ବିଶ୍ୱରଶ୍ମି)

 

ତିରିଶବର୍ଷ ତଳେ ଅଷ୍ଟ୍ରିଆର ପଦାର୍ଥବିଜ୍ଞାନବିତ୍‌ ଭିକ୍ଟର ହେସ ପାର୍ଥିବ ଜଗତ ବାହାରୁ ଆସୁଥିବା ଗୋଟିଏ ପ୍ରକାର ବିକିରଣର ଆବିଷ୍କାର କରିଥିଲେ । ଏହି ବିକିରଣର ଅନ୍ତର୍ଭେଦୀ ଶକ୍ତି (penetrating power) ରେଡ଼ିୟମରୁ ଉପନ୍ନ ଗାମାରଶ୍ମି ଓ ରଞ୍ଜନ ରଶ୍ମିର ଏହି ଶକ୍ତିଠାରୁ ଯଥେଷ୍ଟ ବେଶି । ଏହି ଆବିଷ୍କାରର ଗୁରୁତ୍ୱ ପ୍ରଥମେ ଉପଲବ୍‍ଧି କରାଯାଇ ନଥିଲା । ଫଳତଃ ଶତାବ୍ଦୀର ଏକ ଚତୁର୍ଥାଂଶ ଅତିବାହିତ ନ ହେଲା ପର୍ଯ୍ୟନ୍ତ, ଭିକ୍ଟର ହେସ୍‌ଙ୍କୁ ଏହି ମୌଳିକ ଆବିଷ୍କାର ପାଇଁ ନୋବେଲ୍‌ ପ୍ରାଇଜ୍‌ ମିଳି ନ ଥିଲା । ଇତିମଧ୍ୟରେ ବିଶ୍ୱରଶ୍ମି ଓ ବସ୍ତୁ ଉପରେ ତାର ପ୍ରଭାବ ନେଇ ବହୁଳଭାବେ ଗବେଷଣା କରାଯାଇଛି ଓ ପଦାର୍ଥ ବିଜ୍ଞାନର ପ୍ରଗତି ପାଇଁ ଉପରୋକ୍ତ ଗବେଷଣାର ଫଳ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଜାଣାଯାଇଛି । ତେଣୁ ଅଧୁନା ପଦାର୍ଥ ବିଜ୍ଞାନର ଏହି ଶାଖାରେ ଯେ ସବୁଠାରୁ ବେଶି ଅଧ୍ୟୟନ ଓ ଗବେଷଣା ଚାଲିଛି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଯୁଦ୍ଧପରେ ଯେତେବେଳେ ପୃଥିବୀର ପଦାର୍ଥବିତ୍‌ମାନେ ବୈଜ୍ଞାନିକ ବିଷୟଗୁଡ଼ିକର ପ୍ରଣାଳୀବଦ୍ଧ ଅନ୍ୱେଷଣ କରିବେ, ସେତେବେଳେ ଏହି କ୍ଷେତ୍ରରେ ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆବିଷ୍କୃତ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ଏହି ଅନ୍ତର୍ଭେଦୀ (penetrating) ବିକିରଣର ପ୍ରକୃତି ଯାହା ହେଉନା କାହିଁକି, ଏହା ଯେ ପାର୍ଥିବ ଜଗତର ବାହାରୁ ଆସୁଛି ଏଥିରେ ସନ୍ଦେହ କରାଯାଇ ନ ପାରେ । ନିଜେ ଭିକ୍ଟର ହେସ୍‌ ଖୁବ୍‌ ଉଚ୍ଚକୁ ବୈଦ୍ୟୁତିକ ଯନ୍ତ୍ରମାନ ପଠାଇ ଓ ଏହି ବିକିରଣର ପ୍ରଭାବ ଅନୁସରଣ କରି ଉପରୋକ୍ତ ତଥ୍ୟ ପ୍ରମାଣ କରିଥିଲେ । ସେହିଦିନଠାରୁ ଏ ପର୍ଯ୍ୟନ୍ତ ଅନେକ ଗବେଷଣା ହୋଇଯାଇଛି । ସେ ସବୁରୁ ସ୍ପଷ୍ଟ ଜଣାଯାଏ ଯେ ବିଶ୍ୱରଶ୍ମି ବୋଲି ପୃଥିବୀ ପୃଷ୍ଠରେ ଆମେ ଯାହା ଲକ୍ଷ୍ୟ କରୁ, ତାହା ବାୟୁମଣ୍ଡଳରେ ପ୍ରବେଶ କଲା ପୂର୍ବର ପଦାର୍ଥ ନୁହେଁ, ବାୟୁମଣ୍ଡଳରେ ପ୍ରବେଶ କରିବା ପରର ପରିଣତି ମାତ୍ର । ପୃଥିବୀପୃଷ୍ଠରେ ଥିବା ବାୟୁମଣ୍ଡଳର ସ୍ଥୂଳତା ଦଶ ମିଟର ଗଭୀର ଜଳର ସ୍ଥୂଳତା ସହିତ ପ୍ରାୟ ସମାନ । ବାୟୁମଣ୍ଡଳ ଭେଦକରି ଏ ରଶ୍ମି ଯେ ପୃଥିବୀ ପୃଷ୍ଠରେ ଅନୁଭୂତ ହେଉଛି, ଏକଥା ଭାବିଲାମାତ୍ରେ ଏହାର ଅସାଧାରଣ ଅନ୍ତର୍ଭେଦୀ ଶକ୍ତି ବିଷୟରେ ପରିଚୟ ମିଳେ । ବାସ୍ତବିକ ଏହାର ପ୍ରଭାବ ଆହୁରି ସ୍ଥୂଳ ପଦାର୍ଥ ଦେଇ ଅନୁଭବ କରି ହେବ । ପର୍ବତ ଉପରେ ଥିବା ହ୍ରଦଗୁଡ଼ିକର କୋଡ଼ିଏ ବା ତିରିଶ ମିଟର ଜଳ ତଳେ ଏହି ବିକିରଣର ପ୍ରଭାବ ଅନୁଭୂତ ହୋଇ ପାରିବ ବୋଲି ବିଶ୍ୱାସ କରିବାର ଅନେକ କାରଣ ଅଛି ।

 

ପୃଥିବୀ ପୃଷ୍ଠର ବିଭିନ୍ନ ଅକ୍ଷାଂଶରେ ଏହି ଘଟଣାର ତୁଳନାତ୍ମକ ଅଧ୍ୟୟନ କଲେ, ବାୟୁମଣ୍ଡଳରେ ପ୍ରବେଶ କଲା ପୂର୍ବରୁ ଏହି ବସ୍ତୁକଣାମାନଙ୍କର ଧର୍ମ ସମ୍ୱନ୍ଧରେ କେତେକ ସୂଚନା ମିଳେ । ଏହିଭଳି ଗବେଷଣାରୁ ଜଣାଯାଇଛି ଯେ ପୃଥିବୀ ପୃଷ୍ଠରେ ଓ ବେଲୁନ୍‌ ପହଞ୍ଚି ପାରିଲା ଭଳି ବାୟୁମଣ୍ଡଳର ଉଚ୍ଚ ସ୍ତରରେ, ବିଶ୍ୱରଶ୍ମି ପ୍ରଭାବ ଅକ୍ଷାଂଶ ଉପରେ ନିର୍ଭର କରେ । ପୃଥିବୀ ଗୋଟିଏ ବଡ଼ ଚୁମ୍ୱକ ଓ ଏହାର ଚୁମ୍ୱକକ୍ଷେତ୍ର କ୍ରମଶଃ ହ୍ରାସ ହୋଇ ମହାଶୂନ୍ୟକୁ (space) ବ୍ୟାପିଛି । ଏକଥା ସ୍ୱୀକାର କଲେ ଉପରୋକ୍ତ ଅକ୍ଷାଂଶ ପ୍ରଭାବ ସହଜରେ ବୁଝିହୋଇଥାଏ । ମହାଶୂନ୍ୟର ଚାରିଆଡ଼ୁ ଆବେଶ-ଜଡ଼ିତ-କଣା (Charged particle) ଗୁଡ଼ିକର ସ୍ରୋତ ପୃଥିବୀ ଆଡ଼କୁ ଅନବରତ ଗତି କରିଆସୁଅଛି । ଏହା ପୃଥିବୀର ଚୁମ୍ୱକ କ୍ଷେତ୍ରରେ ପ୍ରବେଶ କଲାମାତ୍ରେ, ଏଥି ମଧ୍ୟସ୍ଥ ବସ୍ତୁକଣାଗୁଡ଼ିକର ଗତିପଥ ବକ୍ର ହୋଇଥାଏ । ଏହି ବସ୍ତକଣାଗୁଡ଼ିକ ଚୁମ୍ୱକ କ୍ଷେତ୍ର ଅତିକ୍ରମ କରି ବାୟୁମଣ୍ଡଳର ବାହ୍ୟସୀମାରେ ପହଞ୍ଚି ପାରିବେ କି ନାହିଁ, ତାହା ସେଗୁଡ଼ିକର ଗତି-ଜନିତ-ଶକ୍ତି ଉପରେ ନିର୍ଭର କରେ । କିନ୍ତୁ ଏକଥା ନିଶ୍ଚିତଭାବେ ପ୍ରମାଣ କରାଯାଇ ପାରେ ଯେ ଯେଉଁ ବସ୍ତୁକଣାଗୁଡ଼ିକର ଗତି-ଜନିତ-ଶକ୍ତି କମ୍‌; ସେଗୁଡ଼ିକ ପକ୍ଷରେ ପୃଥିବୀର ବାୟୁମଣ୍ଡଳରେ ପହଞ୍ଚିବାର ଆଶା ଅତି କମ୍‌; କିନ୍ତୁ ଚୁମ୍ୱକ କ୍ଷେତ୍ରର ମେରୁ ଅଞ୍ଚଳରେ ପହଞ୍ଚିବାର ଆଶା ଅପେକ୍ଷାକୃତ ବେଶି । ପୃଥିବୀ ପୃଷ୍ଠର ବିଭିନ୍ନ ଅକ୍ଷାଂଶରେ ବିଶ୍ୱରଶ୍ମିଜନିତ ଯେଉଁ ତାମତମ୍ୟ ଦେଖାଯାଏ; ତାହା ଉପରୋକ୍ତ ବିଚାରଦ୍ୱାରା ସମ୍ପୂର୍ଣ୍ଣଭାବେ ସୂଚିତ ହୋଇଥାଏ । ଏଥିରୁ ଜଣାଯାଏ ଯେ ମହାଶୂନ୍ୟରୁ ଆସୁଥିବା ରଶ୍ମି ବିଦ୍ୟୁତ୍‍ ଚୁମ୍ୱକ ବିକିରଣ ନୁହେଁ । ଏହା ଆବେଶ ଜଡ଼ିତ ବସ୍ତୁକଣାଗୁଡ଼ିକର ସ୍ରୋତ । ବିଦ୍ୟୁତ ଚୁମ୍ୱକ ବିକିରଣ ହୋଇଥିଲେ ଏହା ପୃଥିବୀର ଚୁମ୍ୱକ କ୍ଷେତ୍ରଦ୍ୱାରା ଆଦୌ ପ୍ରଭାବିତ ହୁଅନ୍ତା ନାହିଁ । ତାହାଛଡ଼ା ଏହି ବସ୍ତୁକଣାଗୁଡ଼ିକ ଶୀର୍ଷ-ରେଖା (Vertical)ର ପଶ୍ଚିମଦିଗ ମୁଖୀ ହୋଇ ବାୟୁମଣ୍ଡଳରେ ପ୍ରବେଶକରିବାର ଯଥେଷ୍ଟ ପ୍ରମାଣ ମିଳୁଛି । ତେଣୁ ମନେହୁଏ ଯେ ଏହି ବସ୍ତୁକଣାଗୁଡ଼ିକ ଧନଆବେଶ ଜଡ଼ିତ ଉଦ୍‌ଜାନର ନିଉକ୍ଳିଅସ୍‌ ପ୍ରୋଟନ୍‌ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ବାୟୁ ସାଧାରଣତଃ ବିଦ୍ୟୁତ୍‍ ପରିବହନ କରେ ନାହିଁ । କିନ୍ତୁ ଏହା ଭଲଭାବରେ ଜଣା ଯେ ଆବେଶ ଜଡ଼ିତ ଦ୍ରୁତଗାମୀ ବସ୍ତୁକଣାଗୁଡ଼ିକ ବାୟୁଭଳି ସାଧାରଣ ପଦାର୍ଥ ଦେଇ ଗତିକଲେ ତାହା ଆୟନିତ (Ionised) ହୋଇଥାଏ ଓ ସାମୟିକ ଭାବରେ ବିଦ୍ୟୁତ୍‍ ପରିବହନ କରେ । କେବଳ ରଞ୍ଜନରଶ୍ମି ଓ ଗାମାରଶ୍ମିଭଳି ଉଚ୍ଚ କଂପନାଙ୍କ (Frequency) ବିଶିଷ୍ଟ ରଶ୍ମିଗୁଡ଼ିକ ଉପରୋକ୍ତ ଘଟଣା ସଂଘଟିତ କରିଥାନ୍ତି; କିନ୍ତୁ ଏ କ୍ଷେତ୍ରରେ ଆୟନିକରଣ ଏକ ଉପଜାତ ଘଟଣା । ମାଧ୍ୟମ ବସ୍ତୁର ପରମାଣୁଗୁଡ଼ିକ ଉପରେ ବିଶ୍ୱରଶ୍ମି ଆଘାତ କରିବା ହେତୁ, ଆବେଶ ଜନିତ ବସ୍ତୁକଣାଗୁଡ଼ିକ ବାହାରିଆସି ବିଚ୍ଛୁରିତ ହୋଇଥାନ୍ତି । ତେଣୁ ବିଶ୍ୱରଶ୍ମି ଉପରେ ଅଧ୍ୟୟନ ଓ ଗବେଷଣା କରିବା ପାଇଁ ଉଦ୍ଭାବିତ ହୋଇଥିବା ସମସ୍ତ ଯନ୍ତ୍ର, ଆବେଶ ଜଡ଼ିତ ଦ୍ରୁତଗାମୀ ବସ୍ତୁକଣାଗୁଡ଼ିକର ଉପରୋକ୍ତ ଆୟନିକରଣ (Ionising) ଶକ୍ତି ଉପରେ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ନିର୍ଭର କରେ । ଏହି ପ୍ରଣାଳୀଗୁଡ଼ିକର ପୁଂଖାନୁପୁଂଖ ବିଚାର ସ୍ଥୂଳତା ଭେଦରେ ବସ୍ତୁକଣାଗୁଡ଼ିକର ଶକ୍ତି ବା ବିକିରଣର କଠିନତା ଉପରେ ନିର୍ଭର କରେ । ଉଦାହରଣସ୍ୱରୂପ କଠିନତମ ଗାମାରଶ୍ମିଠାରେ ଯେଉଁ ପ୍ରଭାବ ଦେଖିବାକୁ ମିଳେ, ତାହା ରଞ୍ଜନରଶ୍ମିଠାରେ ଦେଖିବାକୁ ମିଳେନାହିଁ । ପୁଣି ବିଶ୍ୱରଶ୍ମିର ବସ୍ତୁକଣାଗୁଡ଼ିକର ଶକ୍ତି ସବୁଠାରୁ କଠିନତମ ଗାମାରଶ୍ମିର ଶକ୍ତି ଅପେକ୍ଷା ଯଥେଷ୍ଟ ବେଶି । ତେଣୁ ଗାମାରଶ୍ମିଦ୍ୱାରା ସମ୍ଭବ ନ ହୋଇ ପାରିଲାଭଳି ଅନେକ ଘଟଣା ବିଶ୍ୱରଶ୍ମିଦ୍ୱାରା ସମ୍ଭବ ହୋଇ ଆମର ଦୃଷ୍ଟିପଥାରୂଢ଼ ହୋଇଥାନ୍ତି ।

 

ବିଶ୍ୱରଶ୍ମି ସମ୍ୱନ୍ଧରେ ଅଧ୍ୟୟନ ଓ ଗବେଷଣା କରିବା ପାଇଁ ଯେଉଁ ଚତୁରତାପୂର୍ଣ୍ଣ ଯନ୍ତ୍ରମାନ ଉଦ୍ଭାବିତ ହୋଇଛି ସେଗୁଡ଼ିକୁ ମୋଟାମୋଟି ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମ ଶ୍ରେଣୀୟ ଯନ୍ତ୍ରମାନଙ୍କର ଇଲେକ୍ଟ୍ରୋସ୍କୋପ (Electroscope) ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ସଂଘଟିତ ହେଉଥିବା ଆୟନିକରଣ ମପାଯାଏ । ଗାଇଗର କାଉଣ୍ଟର ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ । ଏହାଦ୍ୱାରା ପୂର୍ବରୁ ସ୍ଥିରୀକୃତ ଏକ ନିର୍ବ୍ଦିଷ୍ଟ ପରିସ୍ଥିତିରେ ଦେଖିପାରିବାଭଳି ଆବେଶ ଜଡ଼ିତ ବସ୍ତୁକଣାଗୁଡ଼ିକର ସଂଖ୍ୟା ନିର୍ଣ୍ଣୟ କରାଯାଇଥାଏ-। ତୃତୀୟ ପ୍ରକାର ଯନ୍ତ୍ର ହେଉଛି ଉଇଲ୍‌ସନ୍‌ଙ୍କ ମେଘ ପ୍ରକୋଷ୍ଠ (Wilson Cloud Chamber) । ଏହି ଯନ୍ତ୍ର ସାହାଯ୍ୟରେ ଅଣୁମାନଙ୍କର ଗତିପଥ ପ୍ରତ୍ୟକ୍ଷ ଭାବରେ ଦେଖିହୁଏ । କାରଣ ଯେଉଁ ପଥରେ ଏହି ଅଣୁଗୁଡ଼ିକ ଯାନ୍ତି, ସେହି ପଥରେ ଜଳୀୟବାଷ୍ପ ଘନୀଭୂତ ହୋଇଥାଏ-। ଉଇଲ୍‌ସନ୍‌ ପ୍ରକୋଷ୍ଠ ସହିତ, ଆବେଶ ଜଡ଼ିତ ବସ୍ତୁକଣାଗୁଡ଼ିକର ଗତିପଥକୁ ବକ୍ରକଲାଭଳି ଶକ୍ତିଶାଳୀ ଚୁମ୍ୱକ ବ୍ୟବହାର କଲେ ଏହି ବସ୍ତୁକଣାଗୁଡ଼ିକର ଗତିଜନିତ ଶକ୍ତି ଓ ବୈଦ୍ୟୁତିକ ଧର୍ମ ସହଜରେ ନିର୍ଣ୍ଣୟ କରିହୁଏ । ଏହି ତିନୋଟି ପ୍ରଣାଳୀ ମଧ୍ୟରେ ଉଇଲ୍‌ସନ୍‌ଙ୍କ ପ୍ରଣାଳୀ ସବୁଠାରୁ ଉତ୍କୃଷ୍ଟତମ । ଏହା ସାହାଯ୍ୟରେ ବସ୍ତୁକଣାଗୁଡ଼ିକର ଗତିପଥ ଦେଖାଯାଇ ପାରିବ ବା ଫଟୋଗ୍ରାଫିକ୍‌ ପ୍ଲେଟ ଉପରେ ଲିପିବଦ୍ଧ କରାଯାଇ ପାରିବ । ପ୍ରକୃତରେ ଏହି ପ୍ରଣାଳୀ ସାହାଯ୍ୟରେ ବସ୍ତୁକଣାମାନଙ୍କ ସମ୍ୱନ୍ଧରେ ଚମତ୍କାର ଫଟୋମାନ ଲିପିବଦ୍ଧ କରାଯାଇ ପ୍ରକାଶିତ ହୋଇଛି । ସେଥିରେ ଅସରା ଅସରା ହୋଇ ବସ୍ତୁକଣାଗୁଡ଼ିକ ଆସି କିପରି ବିଭିନ୍ନ ପଥରେ ଗତି କରନ୍ତି ଓ ବିଭିନ୍ନ ପରିଧିର କୁଣ୍ଡଳୀ କରନ୍ତି, ତାହା ସ୍ପଷ୍ଟ ଜଣାଯାଏ । ଏହି କୁଣ୍ଡଳୀର ପରିଧି ବସ୍ତୁକଣାର ଗତିଜନିତ ଶକ୍ତି ଉପରେ ନିର୍ଭର କରେ । ଏହି ପ୍ରଣାଳୀରେ ଆଣ୍ଡରସନ୍‍ ପ୍ରଥମେ ପଜିଟ୍ରନ ବା ଧନଆବେଶ ଯୁକ୍ତ ଇଲେକ୍ଟ୍ରନ୍‍ ଆବିଷ୍କାର କରିଥିଲେ । ବସ୍ତୁ ଉପରେ କଠିନତମ ବିଦ୍ୟୁତ୍‍ ଚୁମ୍ୱକରଶ୍ମି ଆଘାତ କଲେ, କିପରି ପଜିଟ୍ରନ-ନେଗେଟ୍ରନ-ଯୁଗ୍ମ (Positron Negatron pair) ସୃଷ୍ଟି ହୁଏ ତାହାମଧ୍ୟ ଏହି ପ୍ରଣାଳୀରେ ପ୍ରଦର୍ଶିତ ହୋଇଛି । ତା’ଛଡ଼ା ଗୁରୁ-ଇଲେକ୍ଟ୍ରନ୍‌ ବା ମେସନ୍‌ (Meson)ର ଅବସ୍ଥିତି ଏହାଦ୍ୱାରା ନିର୍ଦ୍ୱନ୍ଦ୍ୱରେ ପ୍ରମାଣ କରାଯାଇଛି । ବିଶ୍ୱରଶ୍ମି ବସ୍ତୁ ଉପରେ ଆଘାତ କରିବାଦ୍ୱାରା ଯେଉଁ ବସ୍ତୁକଣାଗୁଡ଼ିକ ସମ୍ଭୂତ ହୁଏ ସେଗୁଡ଼ିକର ତଥା ବିଶ୍ୱରଶ୍ମିର ଗତିପଥକୁ ଲିପିବନ୍ଧ କରିବାପାଇଁ ଅନ୍ୟ ଗୋଟିଏ ଉପାୟ ଅଛି । ଗୋଟିଏ ଫଟୋଗ୍ରାଫିକ୍‌ ପ୍ଲେଟକୁ ବିଶେଷ ଉପାୟରେ ପ୍ରସ୍ତୁତ ହୋଇଥିବା ଏକ ଅବଦ୍ରବ (Emulsion) ଦ୍ୱାରା ଲେପନ କରି, ତାକୁ ବହୁତ ସମୟ ଘୋଡ଼ାଇ ରଖିଲା ପରେ ଧୋଇଲେ ଉପରୋକ୍ତ ଗତିପଥମାନ ସହଜରେ ଦେଖାଯାଇଥାଏ । ଏହି ଉପାୟରେ ମଧ୍ୟ ଅନେକ ଚମତ୍କାର ତଥ୍ୟ ଆବିଷ୍କାର କରାଯାଇଛି ।

 

ଗାଇଗର କାଉଣ୍ଟର ସବୁଠାରୁ କୌଶଳପୂର୍ଣ୍ଣ ଓ ଶକ୍ତିଶାଳୀ ଯନ୍ତ୍ର । ମୋଟାମୋଟି କହିବାକୁ ଗଲେ ଏହା ଏକ ଦୀର୍ଘାକାର ନଳୀ । ସେହି ନଳୀମଧ୍ୟରେ ଆବଶ୍ୟକୀୟ ଗ୍ୟାସ ବା ବାଷ୍ପ ଥାଏ ଓ ଏହାର ଅକ୍ଷଦେଇ ଗୋଟିଏ ଟଙ୍ଗଷ୍ଟନ୍‌ (Tungsten) ତାର ଯାଇଥାଏ । ଗୋଟିଏ ଆୟନିକ (Ionising) ବସ୍ତୁକଣା ଏହି ନଳୀ ମଧ୍ୟରେ ପ୍ରବେଶ କଲାମାତ୍ରେ, ଏହା ବନ୍ଧୁକ ଟ୍ରିଗର ଭଳି କାମ କରେ । ସଙ୍ଗେ ସଙ୍ଗେ ବିଦ୍ୟୁତ୍‍ର ଗୋଟିଏ ଝଲକ (Flash) ଦେଖା ଦିଏ । ତା ପରେ ନଳୀଟି ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଆପେ ଆପେ ସଫା ହୋଇଯାଇ ପରବର୍ତ୍ତୀ ବସ୍ତୁକଣା ପାଇଁ ପ୍ରସ୍ତୁତ ହୋଇଥାଏ । ରିଲେ କିମ୍ୱା ଅନ୍ୟ ଉପାୟ ଅବଲମ୍ୱନ କରି ଏହି ଝଲକଗୁଡ଼ିକ ଗୋଟି ଗୋଟି କରି ବା ଗୁଚ୍ଛ ଗୁଚ୍ଛ କରି ଗଣା ଯାଇଥାଏ ବା ଯନ୍ତ୍ର ସାହାଯ୍ୟରେ ଲିପିବଦ୍ଧ କରାଯାଇଥାଏ । ବିଭିନ୍ନ ସୂତ୍ରରେ ସଂଲଗ୍ନ ହୋଇଥିବା ଅନେକଗୁଡ଼ିଏ କାଉଣ୍ଟର ବ୍ୟବହାର କରି, କେଉଁ ପରିସ୍ଥିତିରେ ଉପଜାତ ରଶ୍ମି (secondary rays) ସୃଷ୍ଟି ହୁଏ ତାହା ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଏହି ରଶ୍ମିଗୁଡ଼ିକର ଅନ୍ତର୍ଭେଦୀ ଶକ୍ତି ଓ ଗତିର ଦିଗ ମଧ୍ୟ ଜାଣି ହୋଇଥାଏ । ଧାଡ଼ି ଧାଡ଼ି କରି ବା ମଣ୍ଡଳାକାରରେ ଗାଇଗର କାଉଣ୍ଟରମାନଙ୍କୁ ସଜାଇ ସେଗୁଡ଼ିକୁ ବିଶ୍ୱରଶ୍ମିର ଦୂରବୀକ୍ଷଣ ଯନ୍ତ୍ରଭାବରେ ବ୍ୟବହାର କରାଯାଇଥାଏ । ମୋର ଯୁବସାଥି ଶ୍ରୀ ବିକ୍ରମ ସରାଭାଇ ବିଶ୍ୱରଶ୍ମି ଉପରେ ଗବେଷଣା କରିବା ପାଇଁ ବାଙ୍ଗାଲୋରରେ ଗୋଟିଏ ଗବେଷଣା ଗୃହର ଆୟୋଜନ କରିଛନ୍ତି । ସେହି ଗୃହକୁ ପ୍ରବେଶ କଲାମାତ୍ରେ କାଉଣ୍ଟରଗୁଡ଼ିକର ଯେଉଁ ଅନବରତ ଟିକ୍‌ ଟିକ୍‌ ଶବ୍ଦ ଶୁଣିବାକୁ ମିଳେ, ସେଥିରୁ ସ୍ପଷ୍ଟ ଜଣାଯାଏ ଯେ ବିଶ୍ୱରଶ୍ମି ସବୁ ସମୟରେ ସର୍ବତ୍ର ବିଦ୍ୟମାନ ।

 

ଅନେକ ଦୃଷ୍ଟିରୁ ବିଶ୍ୱରଶ୍ମି ସମ୍ୱନ୍ଧୀୟ ଗବେଷଣା ପଦାର୍ଥ ବିଜ୍ଞାନର ଅନ୍ୟ କ୍ଷେତ୍ରରେ ହେଉଥବା ଗବେଷଣାଠାରୁ ସମ୍ପୂର୍ଣ୍ଣ ତଫାତ୍‌ । ଗବେଷଣାଗାରର ସୀମା ମଧ୍ୟରେ ଏ ବିଷୟରେ ଯେ କେତେକ ଗବେଷଣା କରାଯାଇପାରେ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହି ପ୍ରକାର ଗବେଷଣା ପରିସରର ସୀମାବଦ୍ଧ । ଅନ୍ୟତଃ ବିଶ୍ୱରଶ୍ମି ଉପରେ ଗବେଷଣା କରୁଥିବା ବିଜ୍ଞାନବିତ୍‌କୁ ତାର ଯନ୍ତ୍ରମାନ ପୃଥିବୀପୃଷ୍ଠରେ ବା ଆକାଶରେ ବିଭିନ୍ନ ସ୍ଥାନକୁ ନେବାକୁ ପଡ଼ିଥାଏ, ସେଠାରେ କଣ ହେଉଛି ତାର ଅନୁସନ୍ଧାନ କରିବା ପାଇଁ । ସେଥିପାଇଁ ସେ ଭ୍ରମଣ କରେ, ପର୍ବତ ଆରୋହଣ କରେ, ବ୍ୟୋମଯାନରେ ଆକାଶର ଉଚ୍ଚଦେଶକୁ ଯାତ୍ରାକରେ ଅଥବା ଉଷ୍ମ ବାୟୁମଣ୍ଡଳକୁ ବେଲୁନ୍‍ ପ୍ରେରଣ କରେ । ଯେଉଁ ସ୍ଥାନରେ ବା ଉଚ୍ଚତାରେ ସେ ଆପେ ପହଞ୍ଚିପାରେ ନାହିଁ, ସେଠାରେ ଯନ୍ତ୍ରମାନ ସ୍ଥାପନ କରି ସେମାନଙ୍କଦ୍ୱାରା ଆହୃତଫଳ ସବୁ ନିମ୍ନରେ ଥିବା ଯନ୍ତ୍ରମାନଙ୍କଦ୍ୱାରା ଲିପିବନ୍ଧ କରେ । ପରେ ସମୟ ମୁତାବକ ଏହିସବୁ ଫଳାଫଳର ବିଶ୍ଳେଷଣ କରେ । ଅନେକ ସ୍ଥଳରେ ଏହି ଯନ୍ତ୍ରଗୁଡ଼ିକ ଆପେ ଆପେ ସୂଚନା ଦେଇଥାନ୍ତି ଓ ଏହି ସୂଚନାଗୁଡ଼ିକ ଆପେ ଆପେ ଲିପିବଦ୍ଧ ହୋଇଥାଏ । ଏଥିପାଇଁ ବିଶ୍ୱରଶ୍ମି ଉପରେ ଗବେଷଣା କରିବାପାଇଁ ଯେଉଁସବୁ କାର୍ଯ୍ୟାନୁଷ୍ଠାନ କରାଯାଏ, ସେଥିମଧ୍ୟରୁ ବେଲୁନ୍ ସାହାଯ୍ୟରେ ଉପରକୁ ଯନ୍ତ୍ର ପଠାଇବା ଗୋଟିଏ ସାଧାରଣ କାର୍ଯ୍ୟ । ମୂଳ ବସ୍ତୁକଣାଗୁଡ଼ିକ ନିମ୍ନସ୍ଥ ବାୟୁମଣ୍ଡଳରେ ପହଞ୍ଚିଲାମାତ୍ରେ ଏହା ସହିତ ଥିବା ଶକ୍ତିର ଯେଉଁ ସବୁ ପରିବର୍ତ୍ତନ ହୁଏ, ତାହା ଆବିଷ୍କାର କରିବାରେ ଏ ପ୍ରଣାଳୀ ବହୁତ ସାହାଯ୍ୟ କରେ ।

 

ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ବସ୍ତୁକଣାର ଶକ୍ତି କୋଟି କୋଟି ଇଲେକ୍ଟ୍ରନ୍‌ ଭୋଲ୍‌ଟ ବୋଲି ଜଣାଯାଇଛି । ଏ ପର୍ଯ୍ୟନ୍ତ ଗବେଷଣାଗାରରେ ସମ୍ଭୂତ ସର୍ବୋଚ୍ଚ ଶକ୍ତିର ପରିମାଣ ମାତ୍ର ୫୦ କୋଟି ଇଲେକ୍ଟ୍ରନ୍‌ ଭୋଲ୍‌ଟ । ତେଣୁ ବିଶ୍ୱରଶ୍ମିର ଗବେଷଣା ଯେ ବିଜ୍ଞାନର ଏକ ନୂତନ ଦୃଷ୍ଟି କୋଣ ଉନ୍ମୁକ୍ତ କରିଛି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ହୁଏତ ଏହି ପ୍ରକାର ଅଧ୍ୟୟନ ବା ଗବେଷଣା ହୋଇନଥିଲେ ଜ୍ଞାନର ଏହି ନୂତନ ମାର୍ଗ ଚିରଦିନ ଅଜ୍ଞେୟ ହୋଇ ରହି ଯାଇଥାନ୍ତା । ଅଭୂତପୂର୍ବ ଶକ୍ତି ନେଇ ଏହି ବସ୍ତୁକଣାଗୁଡ଼ିକ କେଉଁଠୁ ଆସିଥାନ୍ତି, କେତେବେଳେ ଓ କିପରି ସୃଷ୍ଟି ହୋଇଥାନ୍ତି, ତାହା ଏପର୍ଯ୍ୟନ୍ତ ଜଣା ଯାଇନାହିଁ । ଏ ସବୁ ପ୍ରଶ୍ନର ସମାଧାନ କରିବା ପାଇଁ ଯେଉଁ ସବୁ ପ୍ରକଳ୍ପ (Hypothesis) ଉପସ୍ଥାପିତ କରାଯାଇଛି, ଏଠାରେ ସେ ସବୁର ଆଲୋଚନା କରିବା ଆଦୌ ସମୀଚୀନ ନୁହେଁ । ଏତିକି କହିଲେ ଯଥେଷ୍ଟ ହେବ ଯେ ଏ ପ୍ରଶ୍ନଗୁଡ଼ିକ ମନୁଷ୍ୟର ବୁଦ୍ଧିଶକ୍ତିକୁ ପରାଜୟ କଲାଭଳି ସମସ୍ୟା ଉଠାଇ ଅଛି । ଏହା ସୁନିଶ୍ଚିତ ଯେ ଏ ପ୍ରଶ୍ନ ସବୁର ସମାଧାନ ହେଲେ, ଆମେ ଯେଉଁ ପୃଥିବୀରେ ବାସକରୁ, ତାର ସୃଷ୍ଟି ଓ ପ୍ରକୃତି ସମ୍ୱନ୍ଧରେ ଅନେକ ଜ୍ଞାନ ଲାଭ ହୋଇ ପାରିବ ।

Image

 

ନକ୍ଷତ୍ର ଜଗତ

 

କୃଷ୍ଣପକ୍ଷର ମେଘହୀନ ତାରକାଖଚିତ ଆକାଶକୁ ଲକ୍ଷ୍ୟକଲେ ଦେଖାଯାଏ ଯେ ଅତି ଉଜ୍ଜ୍ୱଳ ତାରକାମାନଙ୍କ ସଂଖ୍ୟା ଅତି କମ୍‌ । ଅପେକ୍ଷାକୃତ ଅଳ୍ପ ଉଜ୍ଜ୍ୱଳ ତାରାମାନଙ୍କ ସଂଖ୍ୟା ତାଠାରୁ ବେଶି, କିନ୍ତୁ ସବୁଠାରୁ ବେଶିସଂଖ୍ୟକ ତାରା ହେଉଛନ୍ତି ନିଷ୍ପ୍ରଭ ବା ମଳିନ । ଆକାଶରେ ଛାୟାପଥ (Milky-way) ସବୁଠାରୁ ଚିତ୍ତାକର୍ଷକ । ଏହା ଆକାଶରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ଏକ ବନ୍ଧୁରିତ ଉଜ୍ଜ୍ୱଳ କଟିବନ୍ଧ ଭଳି ବିସ୍ତାରିତ ହୋଇ ଅତି ମନୋରମ ଦେଖାଯାଏ । ଧନୁରାଶି (Sagittarius) ତାରାଗୁଚ୍ଛର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଭଳି କେତେକ ଅଂଶ ଅତିସ୍ପଷ୍ଟ ଦେଖାଯାଏ । ଖାଲି ଆଖିରେ ଦେଖିବା ଅପେକ୍ଷା ଯୋଡ଼ାଏ ବାଇନୋକୁଲାର (Binocular) ଯନ୍ତ୍ର ସାହାଯ୍ୟରେ ଦେଖିଲେ ଆକାଶର ଅନେକ ତଥ୍ୟ ଜଣାପଡ଼େ । ଅସ୍ପଷ୍ଟ ଭାବରେ ଆଲୋକିତ ବଡ଼ ବଡ଼ କ୍ଷେତ୍ରମାନଙ୍କୁ ବାଇନୋକୁଲାର ଯନ୍ତ୍ର ସାହାଯ୍ୟରେ ଲକ୍ଷ୍ୟକଲେ, ସେହି ସ୍ଥାନରେ ସୁସ୍ପଷ୍ଟ ତାରକାମାନ ଦେଖାଯାନ୍ତି ଓ ଖାଲି ଆଖିକୁ ଦେଖାଯାଉ ନ ଥିବା ନିହାରିକାଗୁଡ଼ିକ ପରିଷ୍କାର ଦେଖାଯାନ୍ତି । ଅଧିକରୁ ଅଧିକ ଶକ୍ତିଶାଳୀ ଦୂରବୀକ୍ଷଣଯନ୍ତ୍ର ବ୍ୟବହାରକରି କ୍ରମଶଃ ନକ୍ଷତ୍ର ଜଗତ ବିଷୟରେ ନୂଆ ନୂଆ ତଥ୍ୟ ସଂଗ୍ରହ କରାଯାଇଛି । ବଡ଼ ବଡ଼ ମାନମନ୍ଦିରମାନଙ୍କରେ ଥିବା ଶକ୍ତିଶାଳୀ ଦୂରବୀକ୍ଷଣଯନ୍ତ୍ର ଓ ତା ସାହାଯ୍ୟରେ ନିଆଯାଇଥିବା ଫଟୋ ସବୁ ନକ୍ଷତ୍ର ଜଗତର ଚିତ୍ତାକର୍ଷକ ସୌନ୍ଦର୍ଯ୍ୟ ପୂର୍ଣ୍ଣଭାବରେ ଉନ୍ମୁକ୍ତ କରିଦେଇଛି । ଜ୍ୟୋତିର୍ବିଜ୍ଞାନ ଉପରେ ଲିଖିତ ଆଧୁନିକ ବଡ଼ ବଡ଼ ପୁସ୍ତକମାନଙ୍କରେ ଏହିଭଳି ଫଟୋଗୁଡ଼ିକର ଚିତ୍ର ଦେଖିବାକୁ ମିଳେ । ସେଗୁଡ଼ିକ ଦେଖିଲେ ଯେଉଁ ଯନ୍ତ୍ର ସାହାଯ୍ୟରେ ଏ ଫଟୋ ନିଆଯାଇଥାଏ ତାର ଆଶ୍ଚର୍ଯ୍ୟକାରୀ ଶକ୍ତିକୁ ପ୍ରଶଂସା ନ କରି ରହି ହୁଏନାହିଁ ।

 

ନକ୍ଷତ୍ର ଜଗତକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ଓ ତାର ଗଠାନାକୃତି, ବିସ୍ତୃତି ଓ ଅତୀତ ଇତିହାସକୁ ବିଶ୍ଳେଷଣକରି ସମସ୍ୟାଗୁଡ଼ିକର ସମାଧାନ କରିବା ଜ୍ୟୋତିର୍ବିଜ୍ଞାନର ପ୍ରଧାନ କାର୍ଯ୍ୟ । ଏହି ସମସ୍ୟାମାନଙ୍କର ସମାଧାନ କରିବାପାଇଁ ଅତୀତ କାଳରୁ ଆଜିଯାଏ ବଡ଼ ବଡ଼ ମାନମନ୍ଦିରରେ ଜ୍ୟୋତିର୍ବିତ୍‌ମାନେ ଯୁଗ ଯୁଗ ଧରି ମନୋନିବେଶ କରି ଆସିଛନ୍ତି । ସେମାନଙ୍କ ଗବେଷଣା ଫଳରେ ଅନେକ ନୂତନ ପ୍ରକୃତତ୍ତ୍ୱ ମିଳିଛି ଓ ପରେ ସେଗୁଡ଼ିକର ବ୍ୟାଖ୍ୟା କରାଯାଇଛି-। ଏହି ବ୍ୟାଖ୍ୟାସବୁ ଉପାନ୍ତ ସତ୍ୟ ନ ହେଲେ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଓ ନୂତନ-ତଥ୍ୟ ସୂଚକ । ଏମାନଙ୍କ ମଧ୍ୟରୁ ଯେତେଗୁଡ଼ିଏ ବ୍ୟାଖ୍ୟା ସପକ୍ଷରେ ବିଶ୍ୱାସଯୋଗ୍ୟ ପ୍ରମାଣ ମିଳିଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣଭାବେ ଗ୍ରହଣ କରାଯାଇଛି । ଅନ୍ୟାନ ବିଜ୍ଞାନ ଭଳି ଜ୍ୟୋତିର୍ବିଜ୍ଞନରେ ଅନେକ ଘଟଣା ଦେଖିବାକୁ ମିଳେ, ଯାହାର ଗଣନା ଓ ଆଲୋଚନା ଅତି ଜଟିଳ । କେବଳ ସେହି କ୍ଷେତ୍ରରେ କାମକରୁଥିବା ବିଜ୍ଞାନବିତ୍‌ମାନଙ୍କୁ ହିଁ ଏସବୁ ଗଣନା ବା ଆଲୋଚନ ବିଷୟରେ ଅଧିକ ଜଣାଥାଏ । ତଥାପି ଯେଉଁ ସହଜ ସୂତ୍ରଗୁଡ଼ିକ ଉପରେ ଉପରୋକ୍ତ ପର୍ଯ୍ୟବେକ୍ଷଣର ଫଳାଫଳା ଓ ତଥ୍ୟମୂଳକ ବ୍ୟାଖ୍ୟା ଅଧିଷ୍ଠିତ, ସେଗୁଡ଼ିକ ସାଧାରଣ ସନୁଷ୍ୟ ପକ୍ଷରେ ବୁଝିବା ଅସମ୍ଭବ ନୁହେଁ ।

 

ନକ୍ଷତ୍ର ସମ୍ୱନ୍ଧୀୟ ଜ୍ୟୋତିର୍ବିଜ୍ଞାନକୁ ଭଲଭାବରେ ବୁଝିବାକୁ ହେଲେ, ପ୍ରଥମେ ଏହି ବିଜ୍ଞାନରେ ଅଧ୍ୟୟନ ଓ ଗବେଷଣା ନିମିତ୍ତ ବ୍ୟବହୃତ ବିଭିନ୍ନ ପ୍ରଣାଳୀଗୁଡ଼ିକ ବିଷୟରେ ମୋଟାମୋଟି ଧାରଣା କରିବା ଆବଶ୍ୟକ । ତାରାମାନଙ୍କ ପ୍ରେରିତ ଆଲୋକ ସାହାଯ୍ୟରେ ସେମାନଙ୍କର ସ୍ଥିତି ଜଣାପଡ଼େ । ଏହି ଆଲୋକ ଉପରେ ହିଁ ଜ୍ୟୋତିର୍ବିଦ୍ୟାର ସମସ୍ତ ବୈଜ୍ଞାନିକ କାର୍ଯ୍ୟ ନିର୍ଭର କରେ । ଜ୍ୟୋତିର୍ବିଦ୍ୟା ଅଧ୍ୟୟନ କରୁଥିବା ଲୋକପକ୍ଷରେ ତାରାମାନଙ୍କର ଚାକ୍ଷଷ ଦର୍ଶନ ଓ ତଜ୍ଜନିତ ଆନନ୍ଦ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୋଡ଼ିଏବର୍ଷତଳେ କାଲିଫର୍ଣ୍ଣିଆର ମାଉଣ୍ଟ-ଉଇଲ୍‌ସନ୍‌ (Mount–Wilson) ମାନମନ୍ଦିରରେ ମୁଁ ଯେଉଁ ଦୁଇଟି ରାତ୍ର କଟାଇଥିଲେ, ତାହା ଏବେ ମଧ୍ୟ ମୋ ସୃତିପଟରେ ଝଲସି ଉଠେ । ବାୟୁମଣ୍ଡଳର ଅବସ୍ଥା ଖରାପ ଥିବାରୁ ବଡ଼ ଦୂରବୀକ୍ଷଣ-ଯନ୍ତ୍ରଟି ଦୈନନ୍ଦିନ କାର୍ଯ୍ୟ କରିବାରୁ ବଞ୍ଚିତ ହୋଇଥିଲା । ମୋ ପକ୍ଷରେ ଏହା ହେଲା ସୌଭାଗ୍ୟର ବିଷୟ । କାରଣ ସେ ଉଭୟ ରାତ୍ରିରେ ଏହି ଯନ୍ତ୍ରଟିକୁ ବ୍ୟବହାର କରି ମୁଁ ନକ୍ଷତ୍ରମଣ୍ଡଳ ପର୍ଯ୍ୟବେକ୍ଷଣ କରିପାରିଥିଲି । ସେଠାରୁ ଫେରିଆସିଲା ବେଳେ ଏହି ଯନ୍ତ୍ରସ୍ଥିତ ଷାଠିଏ ଓ ଶହେ ଇଞ୍ଚ ବ୍ୟାସବିଶିଷ୍ଟ ଦୁଇଟି ପ୍ରତିଫଳକର ଆଲୋକ-ଆହରଣ ଶକ୍ତି ସମ୍ୱନ୍ଧରେ ମୁଁ ଅତି ଉଚ୍ଚ ମତ ପୋଷଣ ନ କରି ରହି ପାରିଲି ନାହିଁ । କାଳପୁରୁଷ (Orion) ମଣ୍ଡଳସ୍ଥିତ ବଡ଼ ଛାୟାପଥଟି ସାଧାରଣ ଯନ୍ତ୍ରଦ୍ୱାରା ଦେଖିଲେ ଗୋଟିଏ ଆକାରହୀନ ଆଲୋକିତ କ୍ଷେତ୍ରଭଳି ଦେଖାଯାଏ । କିନ୍ତୁ ଷାଠିଏ ଇଞ୍ଚ ପ୍ରତିଫଳକ ସାହାଯ୍ୟରେ ଦେଖିବାରୁ ଏହା ବିଭିନ୍ନ ରଙ୍ଗରେ ଚିତ୍ରବିଚିତ୍ର ହୋଇଥିବା ଏକ ଆଲୋକ ଖଣ୍ଡ ଭଳି ଦେଖାଯାଏ । ବର୍ଣ୍ଣର ଏହି ତାରତମ୍ୟ ଛାୟାପଥସ୍ଥିତ ଗ୍ୟାସମାନଙ୍କଦ୍ୱାରା ନିରୂପିତ ହୋଇଥାଏ ବୋଲି ଜଣାଯାଇଛି ।

 

ପେଷାଦାର ଜ୍ୟୋର୍ତିବିଦ୍‌ର କାର୍ଯ୍ୟାବଳୀ ମଧ୍ୟରେ ଚାକ୍ଷୁଷ ଦର୍ଶନ ଅତି ଗୌଣ । ତାରକା ଖଚିତ କ୍ଷେତ୍ରମାନଙ୍କୁ ଫଟୋଗ୍ରାଫିକ୍ ପ୍ଲେଟମାନଙ୍କ ଉପରେ ଲିପିବଦ୍ଧ କରାଯାଇ ଅଧିକାଂଶ କାର୍ଯ୍ୟ ସମ୍ପନ କରାଯାଇଥାଏ । ଏହି କାର୍ଯ୍ୟରେ ଆବଶ୍ୟକତା ମୁତାବକ କ୍ୟାମେରାର ଦ୍ୱାର ଉନ୍ମୁକ୍ତ କରାଯାଏ । ତା’ଛଡ଼ା ତାରାର ଦୈନନ୍ଦିନ ଗତିକୁ ବାଦ୍‌ ଦେଇ, ଏହାର ପ୍ରତିଛବିକୁ ପ୍ଲେଟଉପରେ ସ୍ଥିର ରଖିବାକୁ ପଡ଼େ । ଏଥିପାଇଁ ମୋଟା ମୋଟି ଯନ୍ତ୍ରଟିକୁ ତାରାମାନଙ୍କର ଦୈନିନ୍ଦିନ ଗତି ଅନୁସରଣ କରାଇବାରେ ଲଗାଇ ଦିଆଯାଇଥାଏ । ଆଧୁନିକ ଦୂରବୀକ୍ଷଣ ଯନ୍ତ୍ରମାନଙ୍କର ବିରାଟ ଆକାର ଲକ୍ଷ୍ୟକଲେ, ସେଥିରେ ତାରକାର ଛବିକୁ ସ୍ଥିର ଓ ସ୍ପଷ୍ଟ ରଖିବାପାଇଁ କେତେ ବେଶି ଯାନ୍ତ୍ରିକ ପାରଦର୍ଶିତା ଆବଶ୍ୟକ, ତାହା ସହଜରେ ଅନୁମେୟ । ଫଟୋଗ୍ରାଫିକ୍ ପ୍ଲେଟର ଗୋଟିଏ ସୁବିଧା ହେଉଛି ଯେ, ଯେଉଁ ତାରକାଗୁଡ଼ିକ ଦେଖି ନ ପାରିଲା ଭଳି ନିଷ୍ପ୍ରଭ, କ୍ୟାମେରାରଦ୍ୱାର ଉନ୍ମୁକ୍ତ ରଖିବାର ସମୟ ବଢ଼ାଇ ଦେଲେ ସେଗୁଡ଼ିକର ଛବିମଧ୍ୟ ଉଠାଯାଇ ପାରିବ । ଏହିଭଳି ବିଭିନ୍ନ ଉପାୟମାନ ଅବଲମ୍ୱନକରି କ୍ରମଶଃ ଆକାଶର ଗଭୀରରୁ ଗଭୀରତର ପ୍ରଦେଶରେ ପ୍ରବେଶ କରିବା ସମ୍ଭବପର ହୋଇଛି ।

 

ତାରାମାନଙ୍କର ଉପରୋକ୍ତ ପ୍ରକାର ଫଟୋରୁ ସେମାନଙ୍କର ଆପେକ୍ଷିକ ସ୍ଥିତି ଓ ଉଜ୍ଜ୍ୱଳତା ନିର୍ଣ୍ଣୟ କରାଯାଇଥାଏ । ବର୍ଣ୍ଣ-ପଟର ବିଭିନ୍ନ ଅଂଶକୁ ଶୋଷଣ କଲାଭଳି ବିଭିନ୍ନ ରାସାୟନିକ ପଦାର୍ଥଦ୍ୱାରା ରଞ୍ଜିତକରି ଫଟୋଗ୍ରାଫିକ୍ ପ୍ଲେଟକୁ ବ୍ୟବହାର କଲେ, ତାରାମାନଙ୍କର ରଙ୍ଗ ମଧ୍ୟ ଜଣାଯାଇଥାଏ । ଏଥିପାଇଁ ଅଧିକାଂଶ କ୍ଷେତ୍ରରେ ବର୍ଣ୍ଣ-ବିଶ୍ଳେଷକ ଯନ୍ତ୍ରକୁ ଦୂରବୀକ୍ଷଣ ଯନ୍ତ୍ର ସହିତ ଯୋଡ଼ିଦିଆଯାଇଥାଏ । ଏହିଭଳି ପରୀକ୍ଷାକରି ଦେଖାଯାଇଛି ଯେ ବିଭିନ୍ନ ତାରାମାନଙ୍କର ବର୍ଣ୍ଣପଟ ପରସ୍ପରଠାରୁ ବିଭିନ୍ନ । ଏହି ତାରତମ୍ୟ ନେଇ ସେମାନଙ୍କୁ ଦଶଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଖାଲି ଆଖିରେ ଦେଖିଲେ ତାରାମାନେ ଯେଉଁ ରଙ୍ଗ ଧାରଣ କରିବାର ଦେଖାଯାନ୍ତି, ସେ ରଙ୍ଗ ସହିତ ସେମାନଙ୍କ ବର୍ଣ୍ଣପଟର ସମ୍ବନ୍ଧ ରହିଛି । କିନ୍ତୁ କେବଳ ରଙ୍ଗ ଦେଖିବା ଅପେକ୍ଷା ତାର ବର୍ଣ୍ଣପଟକୁ ପର୍ଯ୍ୟବେକ୍ଷଣ କଲେ ନକ୍ଷତ୍ରର ଭୌତିକ ଅବସ୍ଥା ସମ୍ୱନ୍ଧରେ ଅନେକ ସୂଚନା ମିଳେ ।

 

ନକ୍ଷତ୍ରମାନଙ୍କ ବିଷୟରେ ଆମର ପର୍ଯ୍ୟବେକ୍ଷଣ ଲବ୍‍ଧ ଜ୍ଞାନକୁ ଅନେକ ବିଭାଗରେ ବିଭକ୍ତ କରାଯାଇ ପାରେ । ଏଥିପାଇଁ ପ୍ରଥମତଃ ଅନ୍ୟ ତାରାମାନଙ୍କ ସହିତ ତାର ଆପେକ୍ଷିକ ଅବସ୍ଥିତି, ଦ୍ୱିତୀୟତଃ ଏହାର ରଙ୍ଗ ଓ ଉଜ୍ଜ୍ୱଳତା ଏବଂ ତୃତୀୟତଃ ଏହାର ବର୍ଣ୍ଣପଟ ଶ୍ରେଣୀ ଇତ୍ୟାଦି ବିଭିନ୍ନ ଧର୍ମ ବିଚାର କରାଯାଇଥାଏ । ଏଥିରୁ ଅବଶ୍ୟ ବୁଝିବାକୁ ହେବନାହିଁ ଯେ ତାରାଗୁଡ଼ିକର ଉପରୋକ୍ତ ଧର୍ମସବୁ ଚିରଦିନ ପାଇଁ ଅପରିବର୍ତ୍ତିତ ହୋଇ ରହେ । ସୂର୍ଯ୍ୟ ଚାରିପାଖରେ ପୃଥିବୀ ବୁଲୁଥିବାରୁ ତାରାମାନଙ୍କର ଏକ ଅବାସ୍ତବ (apparent) ମନ୍ଥରଗତି ଉପଲବ୍‌ଧି କରାଯାଏ । ଏହାକୁ ପାରାଲେକ୍‌ସ (Parallax) ଗତି କୁହାଯାଏ । ଏହି ଗତିର ପରିମାଣ ତାରାମାନଙ୍କଠାରୁ ଆମ୍ଭମାନଙ୍କର ଦୂରତା ସହିତ ବିପରୀତ ଭାବରେ ଆନୁପାତିକ ଅର୍ଥାତ୍ ଦୂରତା ବଢ଼ିବା ସଙ୍ଗେ ସଙ୍ଗେ ଏହି ଗତିର ପରିମାଣ କମି ଯାଇଥାଏ । ଅନେକ ନକ୍ଷତ୍ରର ଏହି ପାରାଲେକ୍‌ସ ଗତି ରହିଛି-। ଏହି ପାରାଲେକ୍‌ସ ଗତି ଦେଖାଇବା ବ୍ୟତୀତ ତାରାମାନେ ମଧ୍ୟ ଦୃଷ୍ଟିରେଖା ସହିତ ଲମ୍ୱକରି ଗତି କରିଥାନ୍ତି । ଏହାଦ୍ୱାରା ନକ୍ଷତ୍ରମଣ୍ଡଳସ୍ଥ ଏକ ନିର୍ଦ୍ଦିଷ୍ଟ ତାରାର ଦୀର୍ଘକାଳୀନ ସ୍ଥିତି ପରିବର୍ତ୍ତିତ ହୋଇଥାଏ । ତା’ଛଡ଼ା ଅନେକ ତାରା ଠିକ୍ ଦୃଷ୍ଟିରେଖା ଦେଇ ଗତି କରିଥାନ୍ତି । ଏହି ଗତି ଫଟୋଗ୍ରାଫିଦ୍ୱାରା ନିର୍ଣ୍ଣୟ କରାଯାଇ ପାରେ ନାହିଁ । କିନ୍ତୁ ଏହାଦ୍ୱାରା ବର୍ଣ୍ଣପଟର ମୂଳରେଖାମାନଙ୍କର (Standard lines) ଲାଲ ଓ ବାଇଗଣି ଆଡ଼କୁ ଡପଲର୍‌ଙ୍କ ସ୍ଥାନଚ୍ୟୁତି (Doppler’s displacement) ଅନୁଯାୟୀ ଗୋଟିଏ ପ୍ରକାର ପାର୍ଶ୍ୱଗତି ହେବାର ପରିଲକ୍ଷିତ ହୁଏ । ଏହି ସ୍ଥାନଚ୍ୟୁତିକୁ ପରୀକ୍ଷା କରି ତାରାମାନଙ୍କର ଉପରୋକ୍ତ ପ୍ରକାର ଗତିକୁ ନିର୍ଣ୍ଣୟ କରାଯାଇଥାଏ । ତାରାମାନଙ୍କର ଏହି ବାସ୍ତବ ଓ ଅବାସ୍ତବ ଗତି କଥା ଛାଡ଼ିଦେଲେ ସେମାନଙ୍କର ବର୍ଣ୍ଣର ଗାଢ଼ତାରେ ମଧ୍ୟ ପରିବର୍ତ୍ତନ ହେବାର ଦେଖାଯାଏ । ଏହା ହୁଏତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଘଟିଥାଏ ବା ଅନିୟମିତ ଭାବରେ ଘଟିଥାଏ । ତାରା ପୁଞ୍ଜରେ ଥିବା ବିଭିନ୍ନ ତାରାମାନଙ୍କର ନିୟମିତ ଗତି ଫଳରେ ପରସ୍ପରକୁ ଘୋଡ଼ାଇ ପକାଉଥିବାରୁ ଅଥବା ସେମାନଙ୍କର ଆକୃତିର ସ୍ପନ୍ଦନଯୋଗୁଁ ବର୍ଣ୍ଣର ଗାଢ଼ତାରେ ଉପରୋକ୍ତ ପ୍ରକାର ପରିବର୍ତ୍ତନ ଆଶଂକା ରହିଛି । ବିଶେଷକରି ନୂତନ ତାରାମାନଙ୍କର ବର୍ଣ୍ଣାଳୀରେ ଏଭଳି ପରିବର୍ତ୍ତନ ସ୍ପଷ୍ଟଭାବରେ ଦେଖାଯାଏ; କିନ୍ତୁ ଅସ୍ଥିର ତାରାମାନଙ୍କ ବର୍ଣ୍ଣପଟରେ ଏ ପରିବର୍ତ୍ତନ ଆଦୌ ଦେଖାଯାଏ ନାହିଁ । ନକ୍ଷତ୍ରମାନଙ୍କର ଆପେକ୍ଷିକ ଉଜ୍ଜ୍ୱଳତା ଏମାନଙ୍କର ବାସ୍ତବ ଉଜ୍ଜ୍ୱଳତା ଉପରେ ନିର୍ଭର କରେ । ଅବଶ୍ୟ ଏ ଉଭୟ ଧର୍ମ କେବେ ପରସ୍ପର ସହିତ ସମାନ ହୋଇପାରିବେ ନାହିଁ । କାରଣ ଆମ୍ଭମାନଙ୍କଠାରୁ ନକ୍ଷତ୍ରମାନଙ୍କ ଦୂରତା ନେଇ ସେମାନଙ୍କର ଆପେକ୍ଷିକ ଉଜ୍ଜ୍ୱଳତା ପରିବର୍ତ୍ତିତ ହୋଇଥାଏ । ଏଥରୁ ସ୍ପଷ୍ଟ ସୂଚିତ ହୁଏ ଯେ ପଦାର୍ଥ ବିଜ୍ଞାନ ଦୃଷ୍ଟିରୁ ଆପେକ୍ଷିକ ଉଜ୍ଜ୍ୱଳତା ଆଦୌ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ; ବାସ୍ତବ ଉଜ୍ଜ୍ୱଳତା ହିଁ ତାପର୍ଯ୍ୟପୂର୍ଣ୍ଣ ।

 

ନକ୍ଷତ୍ରମାନଙ୍କର ମାପି ପାରିଲା ଭଳି କୌଣସି ବ୍ୟାସ ଅଛି କି ନାହିଁ ଏହା ଏକ ଗୁରୁତର ପ୍ରଶ୍ନ । ସାଧାରଣତଃ ଉଜ୍ଜ୍ୱଳ ତାରାମାନେ ନିଷ୍ପ୍ରଭ ତାରାମାନଙ୍କ ଅପେକ୍ଷା ବଡ଼ ଦେଖାଯାନ୍ତି । କିନ୍ତୁ ଏହା ପ୍ରକୃତରେ ସତ ନୁହେଁ, ଶରୀର ବିଦ୍ୟା (Physiology) ଜନିତ ଭ୍ରମ ମାତ୍ର । ସେହିଭଳି ଫଟୋଗ୍ରାଫିକ୍ ପ୍ଲେଟ ଉପରେ ଉଜ୍ଜ୍ୱଳ ତାରାଗୁଡ଼ିକ ନିଷ୍ପ୍ରଭ ତାରା ଅପେକ୍ଷା ବଡ଼ ବଡ଼ ଚକତି ଅଙ୍କନ କରିଥାନ୍ତି । ଏହା ମଧ୍ୟ ଉପରୋକ୍ତ ଫଳ ଭଳି ଏକ ନକଲି ଫଳ । ତଥାପି ଏହା ଆପେକ୍ଷିକ ଉଜ୍ଜ୍ୱଳତାର ମାପକାଠିରେ ତାରାମାନଙ୍କର ସ୍ଥାନ ନିରୂପଣ କରିବା ପାଇଁ ଗୋଟିଏ ସହଜ ଉପାୟ ଯୋଗାଇ ଥାଏ । ସୂର୍ଯ୍ୟକୁ ଛାଡ଼ିଦେଲେ ଅନ୍ୟ ତାରାମାନଙ୍କର କୌଣିକ ବ୍ୟାସ ଏତେ କମ୍‌ ଯେ ତାହା ସହଜରେ ମାପି ହୁଏ ନାହିଁ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ତାରାମାନଙ୍କର ଅବାସ୍ତବ କୌଣିକ ଆକାର ମାପିବା ପାଇଁ ମାଇକେଲ୍ ସନ୍, ବ୍ୟତିକରଣ ମାପକଯନ୍ତ୍ର (Interferometer) ବ୍ୟବହାର କରି ଏକ ନୂତନ ଉପାୟ ଉଦ୍ଭାବନ କରିଛନ୍ତି ।

 

ଉପରୋକ୍ତ ଉପାୟ କାଳପୁରୁଷ ନକ୍ଷତ୍ରମଣ୍ତଳରେ ଥିବା ଆର୍ଦ୍ରା (BeteI guese) ନକ୍ଷତ୍ରର କୌଣିକ ଆକାର ମାପିବା ପାଇଁ ସଫଳତା ସହିତ ବ୍ୟବହାର କରାଯାଇଛି । ଏହାର କୌଣିକ ବ୍ୟାସ ଚାପର ଏକ ସେକଣ୍ତର କୋଡ଼ିଏ ଭାଗରୁ ଭାଗେ ବୋଲି ଜଣା ପଡ଼ିଛି । ଆର୍ଦ୍ରାର କ୍ଷୁଦ୍ର ପାରାଲକ୍‌ସ ଗତି ମାପି ପୃଥିବୀଠାରୁ ତାର ଦୂରତା ନିରୂପଣ କରାଯାଇଛି । ଏହି ଦୂରତା ସହିତ କୌଣିକ ବ୍ୟାସର ବିଚାର କରି ଦେଖା ଯାଇଛି ଯେ, ଏହି ତାରାର ରୈଖିକ ବ୍ୟାସ ପ୍ରାୟ ଚବିଶକୋଟି ମାଇଲରୁ ଅଧିକ । ଏହି ସଂଖ୍ୟା ଯଦିଚ ଅତି ବଡ଼ ଜଣାଯାଏ କିନ୍ତୁ ନାକ୍ଷତ୍ରିକ ମାପରେ ଏହା କିଛି ନୁହେଁ ।

 

ପୃଥିବୀଠାରୁ ନକ୍ଷତ୍ରର ଦୂରତା ନିର୍ଣ୍ଣୟ କରିବା ପାଇଁ ତାର ବାର୍ଷିକ ପାରାଲେକ୍‌ସ ମାପିବା ହେଉଛି ଗୋଟିଏ ପ୍ରତ୍ୟକ୍ଷ ଉପାୟ । ଦୂରତା ବଢ଼ିବା ସଙ୍ଗେ ସଙ୍ଗେ ନକ୍ଷତ୍ରମାନଙ୍କର କୌଣିକ ଆକାର କମି ଯାଇଥାଏ । ଅତି ଦୂରସ୍ଥ ତାରାଗୁଡ଼ିକର କୌଣିକ ଆକାର ଏତେ କମ୍‌ ଯେ ସେମାନେ ଖାଲି ଆଖିକୁ ପ୍ରାୟ ଦେଖାଯାନ୍ତି ନାହିଁ । କ୍ୟାମେରା ସଂଯୁକ୍ତ ବଡ଼ ବଡ଼ ଦୂରବୀକ୍ଷଣଯନ୍ତ୍ର ସାହାଯ୍ୟରେ ଯେଉଁ ଅସଂଖ୍ୟ ତାରାସମମୂହ ଆମର ଦୃଷ୍ଟିଗୋଚର ହୁଅନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତେକଙ୍କର ମାପିପାରିଲା ଭଲି ପାରାଲେକ୍‌ସ ଅଛି । ସବୁଠାରୁ ନିକଟବର୍ତ୍ତୀ ତାରାମାନଙ୍କର ପାରାଲେକ୍‌ସ ଅତି କମ୍‌ । ଦୂରସ୍ଥ ତାରାମାନଙ୍କର ଏହି ଧର୍ମ ଅବହେଳା ଯୋଗ୍ୟ । ଏକଥା ଭାବିଲେ ତାରା ଜଗତର ଆୟତନ ଯେ କେତେ ବିରାଟ ତାହା ସହଜରେ ହୃଦୟଙ୍ଗମ କରିହୁଏ । ଆମ୍ଭମାନଙ୍କଠାରୁ ବହୁଦୂରରେ ଥିବା ତାରା ବା ତାରାପୁଞ୍ଜମାନଙ୍କର ଦୂରତା ନିର୍ଣ୍ଣୟ କରିବା ପାଇଁ ବିଶିଷ୍ଟ ଉପାୟମାନ ଅବଲମ୍ଭନ କରାଯାଇଛି । ପରବର୍ତ୍ତୀ ବକ୍ତୃତାରେ ମୁଁ ସେ ସମ୍ବନ୍ଧରେ କହିବି । ତାରା ଜଗତର ଆକୃତି ସମ୍ବନ୍ଧରେ ବର୍ତ୍ତମାନ ଯେଉଁସବୁ ମତ ପୋଷଣ କରାଯାଏ, ସେ ସବୁର ସୂଚନା ଦେଇ ମୁଁ ଆଜିର ବକ୍ତୃତା ଶେଷ କରିବି ।

 

ସୂର୍ଯ୍ୟ ଗୋଟିଏ ତାରକା । ଏହା ଅତି ବଡ଼ ବା ଅତି ଉଜ୍ଜ୍ୱଳ ନୁହେଁ । ପାର୍ଶ୍ୱବର୍ତ୍ତୀ ତାରା ଓ ତାରାଗୁଚ୍ଛମାନଙ୍କୁ ନେଇ ଏହା ସ୍ଥାନୀୟ ସଂହତି (LocaI system) ଗଠନ କରିବାର କୁହାଯାଇଥାଏ । ଏହି ସ୍ଥାନୀୟ ସଂହତି, ଛାୟାପଥ ନାମରେ ଅଭିହିତ ନକ୍ଷତ୍ର ପୁଞ୍ଜର ଏକ ଅଂଶ ମାତ୍ର । ଛାୟାପଥକୁ ଏକ କୁଣ୍ତଳିତ ନିହାରୀକା ଓ ଧନୁ ରାଶି ନକ୍ଷତ୍ର ମଣ୍ତଳ (Sagittarius) ପାଖରେ ଥିବା ଆଲୋକିତ କ୍ଷେତ୍ର ଏହି ନିହାରିକାର କେନ୍ଦ୍ର ବୋଲି ସ୍ୱୀକାର କଲେ, ଏହି ଛାୟାପଥ ସମ୍ବନ୍ଧରେ ଅନେକ ତଥ୍ୟ ସହଜରେ ବୁଝି ହୋଇଥାଏ । ଆମର ଏହି ନିହାରୀକା ବାହାରେ, ବଦୁଦୂରରେ ଅସଂଖ୍ୟ ନିହାରୀକା ରହିଥିବାର ଜଣାଯାଇଛି । ବଡ଼ ବଡ଼ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନିଆଯାଇଥିବା ଫଟୋଦ୍ୱାରା ସେମାନଙ୍କର ଅବସ୍ଥିତି ନିର୍ଣ୍ଣୟ କରାଯାଇଛି । ପ୍ରଖ୍ୟାତ ଆନ୍ଦ୍ରୋମେଦା (Andromeda) ନିହାରୀକା ଖାଲି ଆଖିକୁ ଦେଖାଯାଏ ନାହିଁ । କିନ୍ତୁ ଉପଯୁକ୍ତ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଦେଖିଲେ ଏହାର ନକ୍ଷତ୍ର ପ୍ରକୃତି ସହଜରେ ଅନୁଭୂତ ହୋଇଥାଏ ।

Image

 

ନକ୍ଷତ୍ର ଜଗତ

 

ସୂର୍ଯ୍ୟ ଗୋଟିଏ ନକ୍ଷତ୍ର । କିନ୍ତୁ ସବୁଠାରୁ ନିକଟବର୍ତ୍ତୀ ନକ୍ଷେତ୍ରଠାରୁ ଏହା ପୃଥିବୀର ନିକଟତର ହୋଇଥିବାରୁ ଖୁବ୍‍ ବଡ଼ ଓ ଉଜ୍ଜ୍ୱଳ । ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ସୂର୍ଯ୍ୟ ଗୋଟିଏ ଚକତି (disc) ଭଳି ଦେଖାଯାଏ । ଏହି ଚକତିର ମଧ୍ୟଭାଗ ସବୁଠାରୁ ଉଜ୍ଜ୍ୱଳ । ପରିଧିଆଡ଼କୁ କ୍ରମଶଃ ଉଜ୍ଜ୍ୱଳତା କମି ଯାଇଥାଏ । ଏହି ଆଲୋକିତ ଉପରି ଭାଗକୁ ଆଲୋକମଣ୍ତଳ (Photosphere) ବୋଲି କୁହାଯାଏ । କେତେକ କଳା କଳା ଦାଗଦ୍ୱାରା ଆଲୋକମଣ୍ତଳର ମସୃଣତା ନଷ୍ଟ ହୋଇଥାଏ । ତା’ଛଡ଼ା ଏହାର ଧାରରେ ଅନେକ ଉଜ୍ଜ୍ୱଳ ଆଲୋକ ରେଖାମାନ ଦେଖାଯାଏ । ଏହି ରେଖାଗୁଡ଼ିକୁ ଫାକୁଲେ (Faculae) ବା ତେଜବିନ୍ଦୁ କୁହାଯାଏ । ବହୁ ଦିନ ଧରି ସୂର୍ଯ୍ୟ, ସୂର୍ଯ୍ୟକଳଙ୍କ (Sunspot) ଓ ତେଜବିନ୍ଦୁ ଉପରେ ଗବେଷଣା ହୋଇ ଆସିଅଛି । ଏ ସବୁକୁ ପର୍ଯ୍ୟବେକ୍ଷଣ କରି ସୂର୍ଯ୍ୟର ପରିଭ୍ରମଣ ସମୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନିର୍ଣ୍ଣୟ କରାଯାଇଛି ।

 

ସୌରପଟ (Solar disc)କୁ ଯଦି ଗୋଟିଏ ବର୍ଣ୍ଣବିଶ୍ଳେଷକ ଯନ୍ତ୍ରର ଛିଦ୍ର ଦେଇ ପ୍ରକ୍ଷେପ କରାଯାଏ ତା’ହେଲେ ଏହା ଗୋଟିଏ ନିରବଚ୍ଛିନ୍ନ ବର୍ଣ୍ଣପଟ ପ୍ରକାଶ କରେ । ଏହି ବର୍ଣ୍ଣପଟକୁ ଭାଗ ଭାଗ କରି ଅନେକଗୁଡ଼ିଏ କୃଷ୍ଣରେଖା ଦେଖାଯାଏ । ଏଗୁଡ଼ିକୁ ଫ୍ରାନ୍‌ହଫର୍‌ (Fraunhofer) ରେଖା ନାମରେ ଅବିହିତ । ଯନ୍ତ୍ରଦ୍ୱାରା ଅନ୍ୱେଷଣ କରି ସୂର୍ଯ୍ୟପଟର ବିଭିନ୍ନ ଅଂଶରେ, ଭିତରେ ଓ ବାହାରେ ଅନେକ ତାରତମ୍ୟ ଲକ୍ଷ୍ୟ କରାଯାଇଛି । ଏ ସବୁରୁ ଏହି ସିଦ୍ଧାନ୍ତ ମିଳିଛି ଯେ ଆଲୋକମଣ୍ଡଳ ବିକିରଣ କରୁଥିବା ଆଲୋକ, ନିରବଚ୍ଛିନ୍ନ ବର୍ଣ୍ଣପଟ ବିଶିଷ୍ଟ । କିନ୍ତୁ ପୃଥିବୀକୁ ଆସିବା ବାଟରେ ବାଷ୍ପର ଗୋଟିଏ କ୍ଷୀଣ ସ୍ତର ଅତିକ୍ରମ କଲାବେଳେ ବାଷ୍ପ ଏହି ଆଲୋକ ପଟଳର କେତେକାଂଶ ଶୋଷଣ କରିଥାଏ, ତେଣୁ ଫ୍ରାନ୍‍ହଫର୍‌ ରେଖା ଦେଖାଯାଏ । ବାଷ୍ପ ସ୍ତରର ଏହି ବ୍ୟବହାର ଯୋଗୁଁ ଏହାକୁ ବିଶୋଷଣ ମଣ୍ଡଳ (Reversing layer) ବୋଲି କୁହା ଯାଇଥାଏ । ଏହା ଉପରକୁ ବର୍ଣ୍ଣମଣ୍ଡଳ ଅବସ୍ଥିତ । ବର୍ଣ୍ଣମଣ୍ଡଳ ଏକ ପ୍ରକାର ଉଜ୍ଜ୍ୱଳ ରୈଖିକ ବର୍ଣ୍ଣପଟ ପ୍ରଦର୍ଶନ କରେ । ଯେଉଁ ସମୟରେ ଚନ୍ଦ୍ରର ଛାୟା ସୂର୍ଯ୍ୟକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ରଖିଥାଏ, ସେହି କେତେକ ଦୁର୍ମୂଲ୍ୟ ମୁହୂର୍ତ୍ତରେ ହିଁ ବର୍ଣ୍ଣମଣ୍ଡଳର ବର୍ଣ୍ଣପଟ ଉପରେ ଅଧ୍ୟୟନ ଓ ଗବେଷଣା କରାଯାଇ ଥାଏ । ବର୍ଣ୍ଣମଣ୍ଡଳ ପରେ ସୂର୍ଯ୍ୟର ଉନ୍ନତ ଅଂଶମାନ ଦେଖାଯାଏ ଓ ଆହୁରି ବାହାରକୁ ଛଟାମଣ୍ଡଳ (Corona) ଦେଖାଯାଇଥାଏ । ଉନ୍ନତ ଅଂଶମାନ ବେଶ୍‌ ଉଜ୍ଜ୍ୱଳ ହୋଇଥାନ୍ତି କିନ୍ତୁ ଛଟାମଣ୍ଡଳ ସାଧାରଣତଃ ନିଷ୍ପ୍ରଭ ଦେଖାଯାଏ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ବେଳେ ଏହି ଉଭୟ ଅଂଶ ଖାଲି ଆଖିକୁ ଦେଖା ଯାଆନ୍ତି । ସ୍ପେକଟ୍ରୋଫେଲିଓଗ୍ରାଫ (Speectro pheliograph) ନାମକ ଏକ ବିଶିଷ୍ଟ ଯନ୍ତ୍ର ସାହାଯ୍ୟରେ ଯେ କୌଣସି ସମୟରେ ସୂର୍ଯ୍ୟର ବିଭିନ୍ନ ଅଂଶମାନଙ୍କର ଫଟୋ ନେବାପାଇଁ କୌଶଳ ଉଦ୍ଭାବନ କରାଯାଇଛି । ଅଳ୍ପ କେତେଦିନ ତଳେ ଫରାସୀ ଜ୍ୟୋତିର୍ବିଦ୍‌ ଲିଅଟ୍‌ ଏକ କୌଶଳ ବାହାର କରିଛନ୍ତି, ଯହା ଫଳରେ ସୂର୍ଯ୍ୟଙ୍କର ଛଟାମଣ୍ଡଳ ଓ ତାର ନିମ୍ନ ଅଂଶର ଫଟୋ ଯେ କୌଣସି ସମୟରେ ନିଆାଯାଇ ପାରିବ ।

 

ସୂର୍ଯ୍ୟ ଓ ତାକୁ ପରିବେଷ୍ଟନ କରୁଥିବା ସୌରମଣ୍ଡଳ ଅନେକ ସମସ୍ୟା ଉପସ୍ଥାପିତ କରିଥାନ୍ତି । ସେଗୁଡ଼ିକର ଅଧ୍ୟୟନ ଓ ଗବେଷଣା ଅତ୍ୟନ୍ତ କୌତୂହଳପ୍ରଦ । ପୃଥିବୀ ପୃଷ୍ଠସ୍ଥ ପାଣିପାଗ ଉପରେ ସୌର ବିକିରଣର ଗାଢ଼ତା ବହୁତ ପ୍ରଭାବ ପକାଇଥାଏ । ସୂର୍ଯ୍ୟକଳଙ୍କର ଏକାଦଶବର୍ଷୀ ଆବର୍ତ୍ତନ ମଧ୍ୟ ପୃଥିବୀର ପାଣିପାଗ ଉପରେ ଅନୁରୂପ ପରିବର୍ତ୍ତନ ଆଣିଥାଏ । ତା’ଛଡ଼ା ସୌର ବିକିରଣ ବାୟୁମଣ୍ଡଳର ଉପରେ ସ୍ତରକୁ ପ୍ରଭାବିତ କରିବା ହେତୁ ବେତାର ତରଙ୍ଗ ପୃଥିବୀର ବକ୍ରତଳ (Curvature) ଅତିକ୍ରମ କରିପାରୁଛି । ପାର୍ଥିବ ଜଗତର ଏହି ବ୍ୟାବହାରିକ ଉପଯୋଗୀତା ବ୍ୟତୀତ ସୌର ଘଟଣାବଳୀର ଜ୍ୟୋତିର୍ବିଜ୍ଞାନରେ ମଧ୍ୟ ଅନେକ ଗୁରୁତ୍ୱ ଅଛି । କାରଣ ଏହି ଘଟଣାବଳୀ ଆକାଶର ଅଗଣିତ ତାରାମାନଙ୍କ ସମ୍ୱନ୍ଧରେ ଅନେକ ଧାରଣା ଦେଇଥାଏ । ସୁଦୂର ତାରାଗୁଡ଼ିକ ସୂଚୀଅଗ୍ର ଭଳି ଏତେ କ୍ଷୁଦ୍ର ଦେଖାଯାନ୍ତି ଯେ ସେମାନେ ବିକିରଣ କରୁଥିବା ଆଲୋକକୁ ପରୀକ୍ଷା କରିବା ବ୍ୟତୀତ ସେମାନଙ୍କ ସମ୍ୱନ୍ଧରେ ଅନ୍ୟ କିଛି କରାଯାଇ ପାରିବ ନାହିଁ । ଅନ୍ୟ ପକ୍ଷରେ ସୌରପଟର ବର୍ଣ୍ଣାଳୀକୁ ପୁଂଖାନୁପୁଂଖ ବିଶ୍ଳେଷଣ କରାଯାଇ ପାରିବ ଓ ଏହି ବିଶ୍ଳେଷଣର ଫଳାଫଳ ତାରାମାନଙ୍କ ବିଷୟରେ କେତେକ ଧାରଣ ଦେବ । ଏହି ଦୃଷ୍ଟିରୁ ସୂର୍ଯ୍ୟ ସମ୍ୱନ୍ଧୀୟ ଗବେଷଣା ଅତ୍ୟନ୍ତ ଫଳପ୍ରଦ ଓ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକାର ଗବେଷଣା ଫଳରେ ଅନେକ ବିସ୍ମୟକାରୀ ତଥ୍ୟମାନଙ୍କର ଆବିଷ୍କାର ହୋଇ ପାରିଛି । ମୁଁ ଏଠାରେ ଏଭଳି ଗୋଟିଏ ତଥ୍ୟ ବିଷୟରେ ଉଲ୍ଲେଖ କରିବି । ଜର୍ଜ ଇ. ହେଲ୍‌ ସୌରକଳଙ୍କର ମଧ୍ୟରେ ଶକ୍ତିଶାଳୀ ଚୁମ୍ୱକ କ୍ଷେତ୍ର ଥିବାର ଆବିଷ୍କାର କରିଛନ୍ତି । ଏହି ଚୁମ୍ୱକ କ୍ଷେତ୍ର ପୃଥିବୀର ଚୁମ୍ୱକ କ୍ଷେତ୍ରଠାରୁ ଶତ ସହସ୍ର ଗୁଣ ଅଧିକ ଶକ୍ତିଶାଳୀ । ଏହି ଚୁମ୍ୱକ କ୍ଷେତ୍ରର ଅବସ୍ଥାନ ବର୍ଣ୍ଣ ବିଶ୍ଳେଷଣଦ୍ୱାରା ପର୍ଯ୍ୟବେକ୍ଷଣ କରିବାରୁ ଜଣା ପଡ଼ିଛି । ସୌରକଳଙ୍କ ମଧ୍ୟରେ ପ୍ରବଳ ବୈଦ୍ୟୁତିକ ବା ତତ୍‌ସମ କୌଣସି ଶକ୍ତି ଅଛି ବୋଲି ସ୍ୱୀକାର ନ କଲେ ଉପରୋକ୍ତ ତଥ୍ୟର କୌଣସି ବ୍ୟାଖ୍ୟା କରାଯାଇ ପାରିବ ନାହିଁ ।

 

ସୂର୍ଯ୍ୟଙ୍କଠାରୁ ମିଳୁଥିବା ସମସ୍ତ ତେଜକୁ ମାପି ପାରିଲେ ବା ସୌର ପଟର ବିଭିନ୍ନ ଅଂଶ ସହିତ ସଂପୃକ୍ତ ଥିବା ଶକ୍ତିକୁ ପୁଂଖାନୁପୁଂଖ ପରୀକ୍ଷା କରି ପାରିଲେ ସୂର୍ଯ୍ୟର ଉପରିଭାଗସ୍ଥ ଉତ୍ତାପ ସହଜରେ ନିର୍ଣ୍ଣୟ କରାଯାଇ ପାରେ । ଏହା ପ୍ରାୟ ଛ’ ହଜାର ଡିଗ୍ରୀ ସେଣ୍ଟିଗ୍ରେଡ଼ । ପୃଥିବୀପୃଷ୍ଠରେ ଥିବା ସବୁଠାରୁ ଶକ୍ତିଶାଳୀ ବିଦ୍ୟୁତ୍‍ଭାଟିର (Electric Furnace) ଉତ୍ତାପ ଅପେକ୍ଷା ଏହା ଯଥେଷ୍ଟ ବେଶି । ଯଦିଚ ଏ ଉତ୍ତାପ ଆମ୍ଭମାନଙ୍କୁ ଖୁବ୍‌ ବଡ଼ ବୋଲି ପ୍ରତୀତ ହେଉଛି ଜ୍ୟୋତିର୍ବିଦ୍ୟାରେ ଏହା ଗୋଟିଏ ସାଧାରଣ ଘଟଣା । ବର୍ତ୍ତମାନ କୁହାଯାଉଛି ଯେ ଉପରୋକ୍ତ ଉତ୍ତାପ ସୂର୍ଯ୍ୟର ଉପରିଭାଗସ୍ଥ ଉତ୍ତାପ । ସୂର୍ଯ୍ୟର ଗର୍ଭଦେଶକୁ ଗଲେ ତାପର ମାତ୍ରା ଯେ ବହୁଗୁଣରେ ବଢ଼ିଯିବ ଏଥିରେ ସନ୍ଦେହର ଅବକାଶ ନାହିଁ । ଏହା କୋଟି କୋଟି ଡିଗ୍ରୀ ସେଣ୍ଟିଗ୍ରେଡ଼ ବୋଲି ଜଣାଯାଇଛି । ଏହି ତାପର ମାତ୍ରା ଏତେ ବେଶି ଯେ ସାଧାରଣ ଲୋକ ଏହାକୁ କଳ୍ପନା ପ୍ରସୂତ ବୋଲି ମନେକରି ସେ ବିଷୟରେ ଅଧିକ ଭାବିବାକୁ ଅବହେଳା କରିବ । ଏହା ଅବଶ୍ୟ ସତ୍ୟ ଯେ ନକ୍ଷତ୍ରମାନଙ୍କ ଗର୍ଭଦେଶର ତାପର ମାତ୍ରାକୁ ମାପିବା ଆମ ପକ୍ଷରେ ସମ୍ଭବ ନୁହେଁ; କିନ୍ତୁ ପଦାର୍ଥ ବୈଜ୍ଞାନିକ ନୀତି ଓ ଗାଣିତିକ ଗବେଷଣା ଉପରେ ଭିତ୍ତିକରି ଏହି ତାପର ମାତ୍ରକୁ ନିର୍ଣ୍ଣୟ କରାଯାଇ ପାରିବ । ଏହି ଗଣନାଲବ୍‌ଧ ଫଳ ଯେ ବାସ୍ତବ ତାପଠାରୁ ବିଶେଷ ତଫାତ୍ ନୁହେଁ, ତାହା ବିଶ୍ୱାସ କରିବାର ଯଥେଷ୍ଟ କାରଣ ଅଛି ।

 

ସୌର ବର୍ଣ୍ଣପଟ ସହିତ ତାରାମାନଙ୍କର ବର୍ଣ୍ଣପଟକୁ ତୁଳନା କଲେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ଫଳ ମିଳିଥାଏ । ଆଗରୁ ଥରେ ମୁଁ କହିଥିଲି ତାରାମାନଙ୍କର ବର୍ଣ୍ଣପଟ ପରସ୍ପର ସହିତ ସମାନ ନୁହନ୍ତି । ସେମାନଙ୍କ ମଧ୍ୟରେ ତାରତମ୍ୟ ଏତେ ବେଶି ଯେ ନିତାନ୍ତ କମରେ ସେମାନଙ୍କୁ ଦଶଗୋଟି ବିଶିଷ୍ଟ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ସୌର ବର୍ଣ୍ଣପଟଳ ହଳଦୀ ରଙ୍ଗର ତାରାମାନଙ୍କ ବର୍ଣ୍ଣପଟଳ ସହିତ ସମାନ । ଏହି ତାରାମାନଙ୍କ ବର୍ଣ୍ଣପଟରେ ହଜାର ହଜାର ଫ୍ରାନ୍‍ହଫ୍‍ର ରେଖା ଦେଖାଯାଏ । ନୀଳ ତାରାମାନଙ୍କର ବର୍ଣ୍ଣପଟ ଅତ୍ୟନ୍ତ ସରଳ । ଏହି ତାରାମାନଙ୍କୁ ପରିବେଷ୍ଟନ କରୁଥିବା ବାୟୁମଣ୍ଡଳ ଅବସ୍ଥା ଏପରି ଯେ ସେଥିରେ ଉଦ୍‌ଜାନ ଓ ହିଲିଅମ୍‌ର ଶୋଷଣ ରେଖା ସ୍ପଷ୍ଟ ଦେଖାଯାଏ । ସୌର ବର୍ଣ୍ଣପଟରେ ସ୍ପଷ୍ଟ ଭାବରେ ଦେଖା ଯାଉଥିବା ଗୁରୁ ମୌଳିକ ପଦାର୍ଥମାନଙ୍କର ଶୋଷଣ ରେଖା ସବୁ ଏମାନଙ୍କ ବର୍ଣ୍ଣପଟରେ ଦେଖାବାକୁ ମିଳେ ନାହିଁ । ଏହିଭଳି ଯେଉଁ ସବୁ ତଥ୍ୟ ନେଇ ତାରାମାନଙ୍କ ବର୍ଣ୍ଣପଟକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି, ସେ ତଥ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ସେ ସବୁର ବିଚାର କଲେ ବାଧ୍ୟ ହୋଇ ମାନିବାକୁ ପଡ଼େ ଯେ ତାରାମାନଙ୍କର ସ୍ତର ସ୍ତର ହୋଇ ବିକାଶ ହୋଇଛି ଓ ଏହି ବିଭିନ୍ନ ସ୍ତରର ତାରାମାନେ ପର୍ଯ୍ୟାୟକ୍ରମେ ଆକାଶରେ ଅବସ୍ଥାନ କରୁଛନ୍ତି ।

 

ସୂର୍ଯ୍ୟଙ୍କଦ୍ୱାରା ଯେଉଁ ପ୍ରବଳ ଶକ୍ତି ପୃଥିବୀ ଉପରେ ବିଚ୍ଛୁରିତ ହୁଏ, ଭାରତରେ ରହି ସେ ବିଷୟ ଆମେ ଅନାୟାସରେ ବେଶ୍‌ ଅନୁଭବ କରୁଥାଇଁ । ବିଶ୍ୱରେ ଯେଉଁ ଅସଂଖ୍ୟ ତାରା ଅଛନ୍ତି, ସେମାନଙ୍କ ମଧ୍ୟରେ ସୂର୍ଯ୍ୟ ସବୁଠାରୁ ବୃହତ୍ତମ ବା ଉଜ୍ଜ୍ୱଳତମ ନୁହେଁ । ତା’ଛଡ଼ା ଆମ ଜାଣିବା ଭିତରେ ମାପି ପାରିଲା ଭଳି ସୂର୍ଯ୍ୟର ତାପ ପରିମାଣରେ କମି ଥିବାର ଲକ୍ଷ୍ୟ କରାଯାଇ ନାହିଁ । ତେଣୁ ଅନବରତ ଏହି ପ୍ରବଳଶକ୍ତି କେଉଁଠାରୁ ଆସୁଛି ସେ କଥା ଭାବିଲେ ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ । ସୂର୍ଯ୍ୟଙ୍କଦ୍ୱାରା ବିକିରିତ ଶକ୍ତିକୁ ଆଧୁନିକ ପଦାର୍ଥବୈଜ୍ଞାନିକ ପ୍ରଣାଳୀରେ ନିର୍ଣ୍ଣୟ କରାଯାଇ ପାରେ । କିନ୍ତୁ ଊନବିଂଶ ଶତାବ୍ଦୀର ପଦାର୍ଥବୈଜ୍ଞାନିକ ସୂତ୍ର ନେଇ ଏସବୁ ତଥ୍ୟର ବିଚାର କଲେ ଆମକୁ ଅନେକ ଜଟିଳ ଧରଣର ଅସଂଗତି (Contradiction) ସହିତ ସମ୍ମୁଖୀନ ହେବାକୁ ପଡ଼େ।

 

ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ସୂର୍ଯ୍ୟ ଓ ନକ୍ଷତ୍ରମାନଙ୍କଦ୍ୱାରା ବିକିରିତ ଶକ୍ତିସମୂହ ସେମାନଙ୍କ ଗର୍ଭଦେଶରେ ଘଟୁଥିବା ଏକ ମୌଳିକ ରାସାୟନିକ ପରିବର୍ତ୍ତନଦ୍ୱାରା ସମ୍ଭୂତ । ସୂର୍ଯ୍ୟ ଓ ତାରାମାନଙ୍କର ଗର୍ଭଦେଶରେ ଥିବା ମୌଳିକ ପଦାର୍ଥଗୁଡ଼ିକର କାୟାନ୍ତର (Transmutation) ଯୋଗୁଁ ଏହି ରାସାୟନିକ ପରିବର୍ତ୍ତନ ସଂଘଟିତ ହୋଇଥାଏ । ଏହି ପ୍ରକାର କାୟାନ୍ତରର ସଠିକ ପ୍ରକୃତି ନେଇ ଅନେକ ପ୍ରକାର ତଥ୍ୟ ଉପସ୍ଥାପିତ କରାଯାଇଛି । ପୂର୍ବରୁ କୁହା ଯାଇଥିବା ତାରାମାନଙ୍କର କ୍ରମ ବିକାଶ ତଥ୍ୟ ସହିତ ଏ ସବୁ ତଥ୍ୟ ବେଶ୍‌ ସୁସଙ୍ଗତ । ଏ ବିଷୟରେ ମଧ୍ୟ ଏଠାରେ ବିଶେଷ କିଛି କୁହାଯାଇ ପାରିବ ନାହିଁ, କାରଣ ତା ନ ହେଲେ ଆମକୁ ତଥ୍ୟଜନିତ ଜଟିଳତାର ସମ୍ମୁଖୀନ ହେବାକୁ ପଡ଼ିବ ।

 

ସୁଦୂର କୁଣ୍ଡଳିତ ନୀହାରିକାବୃନ୍ଦ ପରସ୍ପରଠାରୁ ଓ ପୃଥିବୀଠାରୁ କ୍ରମଶଃ ଦୂରେଇଯିବା ଆଧୁନିକ ଜ୍ୟୋତିର୍ବିଜ୍ଞାନରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଆବିଷ୍କାର । ପୂର୍ବରୁ କୁହାଯାଇଛି ଯେ ପୃଥିବୀରେ ଥିବା ବଡ଼ ବଡ଼ ଦୂରବୀକ୍ଷଣଯନ୍ତ୍ରମାନଙ୍କ ସାହାଯ୍ୟରେ ଅସଂଖ୍ୟ କୁଣ୍ଡଳିତ ନୀହାରିକା ଆବିଷ୍କୃତ ହୋଇଛନ୍ତି । ଏହି ନୀହାରିକାଗୁଡ଼ିକ ଏତେ ଦୂରରେ ଅବସ୍ଥିତ ଯେ ସେଗୁଡ଼ିକୁ ଫଟୋଗ୍ରାଫିକ୍‍ ପ୍ଲେଟରେ ଲିପିବଦ୍ଧ କରିବା ପାଇଁ ଶକ୍ତିଶାଳୀ ଯନ୍ତ୍ର ଓ କ୍ୟାମେରା ବ୍ୟବହାର କରିବା ଓ କ୍ୟାମେରା ଦ୍ୱାରକୁ ଅଧିକ ସମୟ ଉନ୍ମୁକ୍ତ ରଖିବା ଇତ୍ୟାଦି କୌଶଳସବୁ ପ୍ରୟୋଗ କରାଯାଇଥାଏ । ସେଗୁଡ଼ିକର ବର୍ଣ୍ଣପଟ କ୍ୟାମେରା ସାହାଯ୍ୟରେ ଲିପିବଦ୍ଧ କରିବା ଆହୁରି କଷ୍ଟକର । ଆମେରିକାର ଉଇଲ୍‌ସନ ପାହାଡ଼ ଉପରେ ଥିବା ଏକଶହ ଇଞ୍ଚ ବ୍ୟାସ ବିଶିଷ୍ଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହା ସଫଳତାର ସହିତ ହାସଲ କରାଯାଇଛି । ଯେ କୌଣସି ନୀହାରିକାର ଦୂରତା ତାର ନିଷ୍ପ୍ରଭତାର ମାତ୍ରାରୁ ନିର୍ଣ୍ଣୟ କରାଯାଇପାରେ । ବିଶେଷତଃ ଗୋଟିଏ ନୀହାରିକାରେ ଥିବା ବହୁ ସଂଖ୍ୟକ ତାରାଙ୍କର ନିଷ୍ପ୍ରଭତା ଉପରେ ଏହି ଗଣନା ଅଧିଷ୍ଠିତ ହୋଇଥିବାରୁ ଉପରୋକ୍ତ ଗଣନା ବିଶ୍ୱାସଯୋଗ୍ୟ ବୋଲି ଧରିନେବାକୁ ହେବ । ଏହି ଗଣନାରୁ ଏକ ଅଦ୍ଭୁତ ସିଦ୍ଧାନ୍ତ ମିଳେ ଯେ ଯେଉଁ ତାରାଗୁଡ଼ିକ ଆମଠାରୁ ଯେତେ ଦୂରରେ ଅବସ୍ଥିତ, ସେଗୁଡ଼ିକ ସେତେ ଚଞ୍ଚଳ ଆମଠାରୁ ଦୂରେଇ ଯାଆନ୍ତି । ବର୍ଣ୍ଣପଟର ସୁସ୍ପଷ୍ଟ ଶୋଷଣ ରେଖାମାନଙ୍କଠାରୁ; ବିଶେଷକରି ଲୋହିତ ରେଖାଠାରୁ ସ୍ଥାନଚ୍ୟୁତିକୁ (Displacement) ମାପି ଏହି ଦୂରେଇ ଯାଉଥିବାର ବେଗକୁ ନିର୍ଣ୍ଣୟ କରାଯାଇଥାଏ । ସବୁଠାରୁ ନିକଟତମ ନକ୍ଷତ୍ରଗୁଡ଼ିକର ଦୂରେଇଯିବାର ବେଗ ସେକେଣ୍ଡରେ ଶତ ଶତ କଲୋମିଟର ବୋଲି ଜଣାଯାଇଛି-। ଦୂରରେ ଥିବା ତାରାମାନଙ୍କର ଏହି ଦୂରେଇଯିବା ବେଗ ଯେ ହଜାର ହଜାର କିଲୋମିଟର ହେବ ଏଥିରେ ସନ୍ଦେହ ନାହିଁ । ସବୁଠାରୁ ଦୂରରେ ଥିବା ତାରାମାନେ ବିଶ୍ୱାସ କରି ନ ପାରିଲା ଭଳି ବେଗରେ ଆମଠାରୁ ଦୂରେଇ ଯାଉଛନ୍ତି । ଏହି ବେଗ ଏକ ସେକେଣ୍ଡରେ ପ୍ରାୟ ଦଶହଜାର କିଲୋମିଟର ବା ତତୋଽଧିକ ।

 

ଏହି ସବୁ ପର୍ଯ୍ୟବେକ୍ଷଣଲବ୍‌ଧ ବିସ୍ମୟକର ଘଟଣାବଳୀକୁ ବ୍ୟାଖ୍ୟା କରିବାପାଇଁ ବହୁତ ଆଲୋଚନା ହୋଇଛି । ମୋଟ ଉପରେ କହିବାକୁ ଗଲେ ଆପେକ୍ଷିକ ତତ୍ତ୍ୱ (Theory of Relativity) ଉପରେ ଭିତ୍ତିକରି ଏହି ସବୁ ଘଟଣାକୁ ବ୍ୟାଖ୍ୟା କରାଯାଇଛି । ଅନେକ ତତ୍ତ୍ୱବିତ୍‌ଙ୍କର ମତ ଯେ ବର୍ଣ୍ଣପଟର ସ୍ଥାନଚ୍ୟୁତିଦ୍ୱାରା ନିର୍ଣ୍ଣିତ, ଦୂରେଇ ଯିବାର ବେଗ ବାସ୍ତବ ବୋଲି ମନେକରିବା ଉଚିତ୍‌ । ନକ୍ଷତ୍ର ଜଗତ କ୍ରମଶଃ ପରିବର୍ଦ୍ଧିତ ହେଉଥିବାରୁ ଏପରି ହେଉଛି ବୋଲି ସେମାନେ ବିଶ୍ୱାସ କରନ୍ତି । ଏହି ମତ ଉପରେ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଇଛି । କିନ୍ତୁ ଅନ୍ୟ ତତ୍ତ୍ୱବିତ୍‌ମାନେ ନୀହାରିକାର ବର୍ଣ୍ଣପଟରେ ଲୋହିତରେଖାମାନଙ୍କର ସ୍ଥାନଚ୍ୟୁତିକୁ ଅନ୍ୟପ୍ରକାର ଅର୍ଥ କରିବାକୁ ଚେଷ୍ଟା କରିଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଆଲୋକର ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନ ଥିବା ଏକ ଅଭିନବ ଧର୍ମ ଅଛି । ଯାହାଦ୍ୱାରା ସୁଦୂର ପଥ ଅତିକ୍ରମ କରି ଆସିଲାବେଳେ ଏହାର କଂପନାଙ୍କ (Frequency) ପରିବର୍ତ୍ତିତ ହୋଇଥାଏ । ଯାହାହେଉ ଏହିସବୁ ଜଟିଳ ଅମୀମାଂସିତ ସମସ୍ୟାମାନଙ୍କ ଉପରେ କୌଣସି ମତପ୍ରକାଶ ନ କରି ନୀରବ ରହିବା ଶ୍ରେୟସ୍କର ।

Image

 

ପଦାର୍ଥବିଜ୍ଞାନର ଭବିଷ୍ୟତ

 

ପଚାଶବର୍ଷ ତଳେ ମରିଥିବା କୌଣସି ପଦାର୍ଥବିଜ୍ଞାନବିତ୍‌କୁ ପୁନର୍ଜୀବିତ କରି, ଯଦି ଆଧୁନିକ ପଦାର୍ଥବିଜ୍ଞାନ ଉପରେ ହେଉଥିବା ଏକ ବକ୍ତୃତା ବା ଆଲୋଚନାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଏ, ତାହାଲେ ସେ ପ୍ରଥମେ ଭାବିବ ଯେ ଏହି ଆଲୋଚନାରେ ସମସ୍ତେ ପାଗଳଭଳି ପ୍ରଳାପ କରୁଛନ୍ତି । ଆଗରୁ ଶୁଣି ନ ଥିବା ଅନେକ ଶବ୍ଦ ସେ ପ୍ରଥମଥର ପାଇଁ ଶୁଣିବାକୁ ପାଇବ, ଯଥା–ନିଉକ୍ଳିଅସ୍‍ ଓ ଆଇସୋଟୋପ(Isotope), କ୍ୱାଣ୍ଟା (Quanta) ଓ ଫୋଟନ(Photon), ନିଉଟ୍ରନ ଓ ପ୍ରୋଟନ, ଇଲେକ୍‍ଟ୍ରନ, ପଜିଟ୍ରନ ଓ ମେସନ ଇତ୍ୟାଦି । ଯଦି ସେ ପାର୍ଶ୍ୱବର୍ତ୍ତୀ କୌଣସି ଶ୍ରୋତାକୁ ଏସବୁ ଶବ୍ଦର ଅର୍ଥ କଣ ବୋଲି ପଚାରେ, ତା’ହେଲେ ସେ ଭଦ୍ରତା ସହିତ ଏକ ଶୁଷ୍କ ହସ ହସି ଏ ଭଳି ପ୍ରଶ୍ନ ପଚାରିବାରୁ ବିରତ କରାଇବ ଅଥବା ତାକୁ ପୁଣି ଥରେ ସ୍କୁଲକୁ ଫେରିଯିବାକୁ ରୁକ୍ଷ ଉପଦେଶ ଦେବ । ଥରେ ଅଧେ ଯେତେବେଳେ ନିଉଟନିଆନ୍ ମେକାନିକସ୍ (Newtonian Mechanics) ବା ନିଉଟନଙ୍କର ମାଧ୍ୟାକର୍ଷଣ ଶକ୍ତିବିଷୟକ ନିୟମ ପ୍ରଭୃତି ଉଲ୍ଲେଖ ହେବାର ଶୁଣିବ, ଆନନ୍ଦିତ ହେବ ଯେ ମାକ୍ସଉଏଲ୍‍ଙ୍କ ବିଦ୍ୟୁତ୍‍ ଚୁମ୍ବକ-ତଥ୍ୟ (Electromagnetic Theory) ଯଦିଚ ବର୍ତ୍ତମାନ କଥିତ ବା ଆଲୋଚିତ ହେଉନାହିଁ ତଥାପି ଏହା ସ୍ଥାନରେ କୌଣସି ନୂତନ ତଥ୍ୟର ଆବିର୍ଭାବ ହୋଇନାହିଁ । କିନ୍ତୁ ସେ ଦେଖିବ ଯେ ତାର ସାଥିମାନେ ଅଧିକାଂଶ ସମୟରେ ନିଉକ୍ଳିଅସ୍‍ର ବିଭାଜନ (Nuclear Fission), ମେସନ୍‌ର କ୍ଷୟ (Decay), ବିଶରଶ୍ମିର ବର୍ଷଣ ଗୁରୁକଣା, ବର୍‌କଲେ ସାଇକ୍ଳୋଟ୍ରନ (Cyclotron) ଯନ୍ତ୍ର ଓ ତେଜସ୍କ୍ରିୟ (Radioactive) ଆଇସୋଟୋପ (Isotope) ବିଷୟରେ କଥାବାର୍ତ୍ତା ଚଳାଇଛନ୍ତି । ଆଧୁନିକ ପଦାର୍ଥବିଜ୍ଞାନର ଭାଷା ତାକୁ ଜଣା ନ ଥିବାରୁ ଏ ସବୁ ଯେ ଶୁଷ୍କ, ନୀରସ ଓ ବିରକ୍ତକର ବୋଧହେବ ଏଥିରେ ସନ୍ଦେହ ନାହିଁ ।

 

ଗତ ଦଶବର୍ଷ ମଧ୍ୟରେ ପଦାର୍ଥବିଜ୍ଞାନରେ ଯେଉଁ ବିରାଟ ବିପ୍ଳବ ହୋଇ ଯାଇଛି, ସେ ବିଷୟରେ ଦୃଷ୍ଟି ଆକର୍ଷଣ କରିବାପାଇଁ ଉପରେ କେତେକ ସୂଚନା ଦିଆଗଲା । ନୂତନ ଅଭିକ୍ରିୟାଜନିତ ଆବିଷ୍କାର ଓ ତଥ୍ୟଜନିତ ଧାରଣାମାନଙ୍କୁ ନେଇ ଜ୍ଞାନର ନୂତନ ମାର୍ଗମାନ ବିସ୍ତୃତ ହୋଇଛି । ଊନବିଂଶ ଶତାବ୍ଦୀର ପଦାର୍ଥବିଜ୍ଞାନ ପୂରାପୂରି ମରିଯାଇ ନାହିଁ, ତାହା ପଶ୍ଚାଦ୍ଦେଶକୁ ହଟିଯାଇଛି । ବିଶ୍ୱର ଚରମଗଠନକ୍ରମ ଆବିଷ୍କାର କରିବାପାଇଁ ଆଧୁନିକ ପଦାର୍ଥବିଜ୍ଞାନର ଯେଉଁ ବିରାଟ ସୌଧ ଗଢ଼ି ଉଠିଛି, ତାହା ଊନବିଂଶ ଶତାବ୍ଦୀର ଜ୍ଞାନକୁ ଲୋକଲୋଚନର ଅଗୋଚରକୁ ଠେଲିଦେଇଛି । ଏହି ନୂତନ ପ୍ରଚେଷ୍ଟାରେ ମନୁଷ୍ୟ ଅନୁସନ୍ଧାନ କରିଛି କ୍ଷୁଦ୍ରାଦପିକ୍ଷୁଦ୍ର ବସ୍ତୁ ଓ ଶକ୍ତକଣାର ଅସ୍ତିତ୍ୱ, ଯାହାର ନାମ ଶୁଣି ଆମର ପୁନର୍ଜୀବିତ ବିଜ୍ଞାନୀ ହତବୁଦ୍ଧି ହୋଇ ବସେ । ଏହି ସବୁ ବସ୍ତୁ ଓ ଶକ୍ତିକଣାମାନଙ୍କର ପରସ୍ପର ଉପରେ ପ୍ରକିୟା ଫଳରେ ଯେଉଁସବୁ ଘଟଣା ସଂଘଟିତ ହୋଇଥାଏ ସେ ସବୁକୁ ନେଇ ଆଧୁନିକ ପଦାର୍ଥ ଓ ରସାୟନ ବିଜ୍ଞାନ ଗଠିତ । ଅବଶ୍ୟ ଜୀବଜଗତ ବିଷୟ ଏଠାରେ ଜାଣିଶୁଣି ଉଲ୍ଲେଖ କରାଯାଉ ନାହିଁ । ଗାଣିତିକ ପଦାର୍ଥ ବିଜ୍ଞାନବିତ୍‌ର ପ୍ରଧାନ ଲକ୍ଷ୍ୟ ହେଉଛି ଏସବୁ ପ୍ରକ୍ରିୟାଗୁଡ଼ିକୁ ଉପଯୁକ୍ତ ଗାଣିତିକ ସୂତ୍ରରେ ବର୍ଣ୍ଣନା କରିବା ଓ ତଦ୍ଦ୍ୱାରା ଏମାନଙ୍କର ଭବିଷ୍ୟତ୍ ବ୍ୟବହାର ବିଷୟରେ ପୂର୍ବ ସୂଚନା ଦେବା । ଅନ୍ୟ ପକ୍ଷରେ ଅଭିକ୍ରିୟା କରୁଥିବା ପଦାର୍ଥବିତ୍‌ର କାମ ହେଉଛି ବିଭିନ୍ନ ପରିସ୍ଥିତିରେ ଏହିସବୁ ବସ୍ତୁ ଓ ଶକ୍ତିକଣାମାନଙ୍କର ପରସ୍ପର ସହିତ ପ୍ରକ୍ରିୟାକୁ ଅଧ୍ୟୟନ କରିବା, ଗାଣିତିକମାନଙ୍କର ଭବିଷ୍ୟତ ବାଣୀକୁ ପ୍ରତିପାଦନ କରିବା ଓ ଯଦି ସମ୍ଭବ ହୁଏ, ତା’ହେଲେ ସେମାନଙ୍କର ବ୍ୟବହାର ସମ୍ବନ୍ଧରେ ନୂତନ ସୂତ୍ର ଆବିଷ୍କାର କରିବା । ବିଜ୍ଞାନର ଏହି ପ୍ରଗତି ଏତେ ଜୋରରେ ଆଗେଇ ଚାଲିଛି ଯେ ବିଜ୍ଞାନର ବୀର ପୁଙ୍ଗବମାନେ ମଧ୍ୟ ସମସ୍ତ ନୂତନ ଜ୍ଞାନକୁ ପୂରାପୂରି ଆୟତ୍ତ କରିପାରୁ ନାହାନ୍ତି । ସେମାନେ କେବଳ ଏହି ପ୍ରଗତିର ସାଧାରଣ ଗତି ସମ୍ବନ୍ଧରେ କ୍ଷୀଣ ଆଲୋକ ପାଇ ପାରୁଛନ୍ତି ଏବଂ ଆଶା କରୁଛନ୍ତି ଯେ ଏ ସବୁକୁ ଭଲ ଭାବରେ ଆୟତ୍ତ କରିବାପାଇଁ ସେମାନେ ଦିନେ ନା ଦିନେ କ୍ଷମ ହେବେ ।

 

ଏହି ପରିସ୍ଥିତିରେ ଭବିଷ୍ୟତ ବକ୍ତାର ଆବରଣ ପିନ୍ଧି ପଦାର୍ଥ ବିଜ୍ଞାନରେ ଭବିଷ୍ୟତରେ କଣ ଘଟିବ ସେ ବିଷୟରେ ମତପ୍ରକାଷ କରିବା ଯେ କେତେ କଷ୍ଟକର ତାହା ସହଜରେ ଅନୁମେୟ-। ବାସ୍ତବରେ ଏହା କେବେ ସମ୍ଭବ ହୁଅନ୍ତା ନାହିଁ ଯଦି ପଦାର୍ଥ ବିଜ୍ଞାନ ଗାଣିତିକ ଭିତ୍ତିରେ ଅଧିଷ୍ଠିତ ନ ହୋଇ ଅଭିଜ୍ଞତା ଉପରେ ପ୍ରତିଷ୍ଠିତ ହୋଇଥାନ୍ତା । ପଦାର୍ଥବିଜ୍ଞାନ ପ୍ରାକୃତିକ ଘଟଣାବଳୀକୁ ବିଶଦଭାବରେ ବ୍ୟାଖ୍ୟା କରିବାପାଇଁ ଏକ ଯୁକ୍ତିଯୁକ୍ତ ପଦ୍ଧତି । ତେଣୁ ଏହା ଯେ ଗୋଟିଏ ଭବିଷ୍ୟସୂଚକ ବିଜ୍ଞାନ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ପ୍ରକୃତିରେ କୌଣସି ଘଟଣା ଘଟିଲା ପୂର୍ବରୁ ଗାଣତିକ ସୂତ୍ରଦ୍ୱାରା ସେ ସମ୍ବନ୍ଧରେ ଭବିଷ୍ୟତ ବାଣୀ ଶୁଣାଇବା ପଦାର୍ଥବିଜ୍ଞାନର ପରିସର ମଧ୍ୟରେ ସମ୍ଭବ । ବାସ୍ତବିକ ଆଧୁନିକ ପଦାର୍ଥବିଜ୍ଞାନର ଗୋଟିଏ ବୈଶିଷ୍ଟ୍ୟ ହେଉଛି ଯେ ଅଧିକାଂଶ ମୌଳିକ ଆବିଷ୍କାର ସବୁ ଗବେଷଣାଗାରରେ ପ୍ରମାଣିତ ହେଲା ପୂର୍ବରୁ ସେଗୁଡ଼ିକ ଗାଣିତିକ ପଦାର୍ଥବୈଜ୍ଞାନିକ ସୂତ୍ରଦ୍ୱାରା ପ୍ରତ୍ୟାଶିତ ହୋଇଥିଲା । ଏ ସମ୍ପର୍କରେ ଡି. ବ୍ରଗଲିଙ୍କଦ୍ୱାରା ଆବିଷ୍କୃତ ଇଲେକ୍‌ଟ୍ରନ ଓ ମେସନର ତରଙ୍ଗ ପ୍ରକୃତି ଉଲ୍ଲେଖଯୋଗ୍ୟ । ତାଙ୍କର ଏ ଭବିଷ୍ୟତବାଣୀ ପରେ ଗବେଷଣାଗାରରେ ସୂଚାରୁରୂପେ ପ୍ରମାଣ କରାଯାଇ ପାରିଥିଲା । ନିକଟରେ ଡକ୍ଟର ଏଚ୍.ଜେ.ଭାବା ଗୋଟିଏ ନୂତନ ବସ୍ତୁକଣାର ଅବସ୍ଥିତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏହି ବସ୍ତୁକଣାଟିର ଓଜନ ପ୍ରୋଟନର ଓଜନ ସହିତ ସମାନ କିନ୍ତୁ ଏଥିରେ ଏକାଧିକ ବୈଦ୍ୟୁତିକ ଆବେଶ ରହିଛି । ଏ ବିଷୟରେ ସେ ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍‌ସ ପତ୍ରିକାରେ ଗୋଟିଏ ପ୍ରବନ୍ଧ ପ୍ରକାଶ କରିଛନ୍ତି । ମୋର ଦୃଢ ବିଶ୍ୱାସ ତାଙ୍କର ଏହି ନିର୍ଭୀକ ଭବିଷ୍ୟତବାଣୀ ନିକଟରେ ଅଭିକ୍ରିୟାଦ୍ୱାରା ପ୍ରମାଣିତ ହେବ ।

 

ପୂର୍ବରୁ କୁହାଯାଇଛି ଯେ ଅଧୁନା ପଦାର୍ଥ-ବୈଜ୍ଞାନିକ ଚିନ୍ତାର ପ୍ରଧାନ ସ୍ରୋତ ବସ୍ତୁର ଚରମଗଠନକ୍ରମକୁ ବ୍ୟଖା କରିବା ଦିଗରେ ଅଗ୍ରସର । ଅଳ୍ପଦିନ ମଧ୍ୟରେ ନୂତନ ପରମାଣୁ ଆବିଷ୍କାର କରିବାଦିଗରେ ଯଥେଷ୍ଟ ଅଗ୍ରଗତି ହୋଇଛି । ଜ୍ଞାତବସ୍ତୁ ଉପରେ ଦ୍ରୁତଗାମୀ ପରମାଣୁ ଆଘାତ କରାଇ ଏହି ନୂତନ ରାସାୟନିକ ମୌଳିକପଦାର୍ଥମାନଙ୍କର ଆବିଷ୍କାର କରାଯାଇଛି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଇ.ଓ.ଲରେନ୍‌ସ ପ୍ରତିଷ୍ଠା କରିଥିବା ସାଇକ୍ଳୋଟ୍ରନଯନ୍ତ୍ର ଉପରୋକ୍ତ ଅଭିକ୍ରିୟା କରିବାପାଇଁ ସବୁଠାରୁ ଶକ୍ତିଶାଳୀ ଯନ୍ତ୍ର ବୋଲି ଜଣାଯାଇଛି । ଅଧ୍ୟାପିକା ଲରେନ୍‌ସ ଓ ତାଙ୍କ ସହକର୍ମୀମାନେ ଏହି ଯନ୍ତ୍ର ସାହାଯ୍ୟରେ ଅତି ଚମତ୍କାର ଫଳ ପାଇଛନ୍ତି । ତେଣୁ ପୃଥିବୀର ଅନ୍ୟାନ୍ୟ ଗବେଷଣାଗାରରେ ମଧ୍ୟ ଏହିପ୍ରକାର ଯନ୍ତ୍ର ସ୍ଥାପିତ ହେଲାଣି । ଉଦାହରଣସ୍ୱରୂପ କୋମ୍ବ୍ରିଜ ବିଶ୍ୱବିଦ୍ୟାଳୟର କ୍ୟାଭେଣ୍ଡିସ୍‌ ଗବେଷଣାଗାରରେ ଏପରି ଗୋଟିଏ ଯନ୍ତ୍ର ସ୍ଥାପିତ ହୋଇଛି । ଏଠାରେ ଜଣେ ଭାରତୀୟ ଯୁବକ ଆର୍‌.ଏସ୍‌.କ୍ରିଷ୍ଟାନ୍ ଗବେଷଣା କରୁଛନ୍ତି-। ନିକଟରେ ସେ ଅନେକ କୌତୂହଳପ୍ରଦ ଫଳ ପାଇଛନ୍ତି ବୋଲି ଜଣାଯାଇଛି । ଶୁଣାଯାଏ ଯେ ରକଫେଲାର ଫାଉଣ୍ଡେସନ୍ ଅଧ୍ୟାପକ ଲରେନ୍‌ସଙ୍କୁ ଗୋଟିଏ ବିଶାଳ ସାଇକ୍ଳୋଟ୍ରନ ଯନ୍ତ୍ର ପ୍ରତିଷ୍ଠା କରିବାପାଇଁ ଏକ ନିୟୁତ ଡୋଲାର(ପ୍ରାୟ ୫୦ ଲକ୍ଷ ଟଙ୍କା) ଦାନ କରିଛନ୍ତି । ପ୍ରତିଷ୍ଠିତ ହେଲାପରେ ଏହା ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାଇକ୍ଳୋଟ୍ରନ ହେବ ବୋଲି ଆଶାକରାଯାଏ । ଏହି ନୂତନ ଯନ୍ତ୍ର ଓ ଅନୁସନ୍ଧାନ ଫଳରେ ପରମାଣୁ ଗଠନକ୍ରମର ରହସ୍ୟ ଆଉ ରହସ୍ୟ ହୋଇ ରହିବ ନାହିଁ । ଯେପରି ଗତ କୋଡ଼ିଏ ବର୍ଷ ମଧ୍ୟରେ ପଦାର୍ଥବିଜ୍ଞାନ ପରମାଣୁର ବହିର୍ଦେଶୀୟ ବୈଦ୍ୟୁତିକ ପ୍ରକୃତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶ୍ଳେଷଣ କରିପାରିଛି, ସେହିପରି ଆସନ୍ତା ଦଶବର୍ଶ ମଧ୍ୟରେ ପରମାଣୁର ଓଜନ ଓ ରାସାୟନିକ ଚିହ୍ନ (symbol) ନିର୍ଦ୍ଧାରଣ କରୁଥିବା ନିଉକ୍ଳିଅସ୍‌ର ଧର୍ମ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଜ୍ଞାନଲାଭ ହୋଇ ପାରିବ ।

 

ପରମାଣୁର ନିଉକ୍ଳିଅସ୍‍ ସମ୍ବନ୍ଧରେ ଆମ ଜ୍ଞାନର ଯେଉଁ ଅଗ୍ରଗତି ହୋଇଛି ତାହାଦ୍ୱାରା ବିଶ୍ୱର ଉତ୍‌ପତ୍ତି ତତ୍ତ୍ୱ ସମ୍ପୂର୍ଣ୍ଣରୂପେ ବୁଝା ପଡ଼ିଛି । ଆକାଶରେ ଆମେ ଯେଉଁ ଅସଂଖ୍ୟ ତାରା ଦେଖୁ, ସେଗୁଡ଼ିକ ଗୋଟିଏ ଗୋଟିଏ ଅଭିକ୍ରିୟା ପାତ୍ର । ସେ ସବୁଥିରେ ବରାବର ଶୃଙ୍ଖଳିତ ଅଭିକ୍ରିୟା ସଂପାଦିତ ହେଉଛି । ଏହି ଅଭିକ୍ରିୟା ଫଳରେ ଗୋଟିଏ ମୌଳିକ ପଦାର୍ଥ ଅନ୍ୟଟିରେ ପରିଣତ ହେଉଛି । ଏହାହିଁ ହେଉଛି ନାକ୍ଷତ୍ରିକ ଶକ୍ତିର ମୂଳପିଣ୍ଡ । ତେଣୁ ବସ୍ତୁ ସମ୍ବନ୍ଧରେ ଆମର ଜ୍ଞାନ ବଢ଼ିବା ସଙ୍ଗେ ସଙ୍ଗେ ନକ୍ଷତ୍ର ଜଗତର ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ସମ୍ବନ୍ଧରେ ଯେ ସମ୍ପୂର୍ଣ୍ଣ ଜ୍ଞାନଲାଭ ହୋଇ ପାରିବ, ଏଥିପାଇଁ ଆଶାପୋଷଣ କରିବା ନିହାତି ସ୍ୱାଭାବିକ ବୋଲି ମନେ ହୁଏ ।

 

ଆସନ୍ତା ଦଶବର୍ଷ ମଧ୍ୟରେ ପଦାର୍ଥବିଜ୍ଞାନର ଏହି ନୂତନ ପ୍ରଣାଳୀ ଓ ନୂତନ ତଥ୍ୟ ସବୁ ରସାୟନ ଓ ଜୀବ-ବିଜ୍ଞାନ ଉପରେ ଯେ ନୂତନ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ । ଊନବିଂଶ ଶତାବ୍ଦୀ ପଦାର୍ଥ ବିଜ୍ଞାନର ରାସାୟନିକ ପ୍ରକ୍ରିୟାକୁ ବୁଝାଇ ପାରିଲାଭଳି ଶକ୍ତି ନଥିଲା । ଆଧୁନିକ ପଦାର୍ଥବିଜ୍ଞାନ ଏହି ଅଭାବ ପୂରଣ କରିଛି । ଫଳତଃ ରସାୟନ ବିଜ୍ଞାନ ଅନ୍ତତଃ ତଥ୍ୟ ଦୃଷ୍ଟିରୁ କ୍ରମଶଃ ଗାଣିତିକବିଜ୍ଞାନର ଏକ ଶାଖାରେ ପରିଣତ ହେଉଛି । ରସାୟନ ବିଜ୍ଞାନକୁ ପ୍ରଧାନତଃ ତେଲ ଲୁଣ ବିଜ୍ଞାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଏହା ଅଭିଜ୍ଞତାଲବ୍‌ଧ ବିଜ୍ଞାନସ୍ତରରୁ ନିଶ୍ଚିତ ବିଜ୍ଞାନ ସ୍ତରକୁ ଆସିବାଦ୍ୱାରା ମାନବ-ସମାଜର ଯେ ବହୁ ଉପକାର ସାଧିତ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଜୀବ-ବିଜ୍ଞାନବିତ୍‌ ତାର ଗବେଷଣା କ୍ଷେତ୍ରରେ ପଦାର୍ଥ ଓ ରସାୟନ ବିଜ୍ଞାନର ବହୁଳ ବ୍ୟବହାର କରିଥାଏ । ବିଶେଷତଃ ଏ ସବୁ ବିଜ୍ଞାନର ଯନ୍ତ୍ରପାତି ଓ ଅଭିକ୍ରିୟା ପ୍ରଣାଳୀ ତାର ଆବଶ୍ୟକ ହୋଇଥାଏ । ଅଧୁନା ଜୀବ ବିଜ୍ଞାନର ଅଗ୍ରଗତି ଲକ୍ଷ୍ୟ କଲେ ମନେହୁଏ ଯେ ଏହା ମଧ୍ୟ ବସ୍ତୁଜନିତ ମୌଳିକ ବିଜ୍ଞାନର ପାଖାପାଖି ହୋଇ ଆସୁଛି । ଯଦିଚ ଜୀବନ ରହସ୍ୟ ଆସନ୍ତା ଦଶବର୍ଷ ମଧ୍ୟରେ ସମ୍ପୂର୍ଣ୍ଣରୂପେ ଉଦ୍‌ଘାଟିତ ହେବାର ଆଶା ନାହିଁ, ତଥାପି ତାର ଭୌତିକ ଓ ରାସାୟନିକ ଭିତ୍ତି ସମ୍ବନ୍ଧରେ ଯେ ବହୁ ଜ୍ଞାନ ମିଳିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

Image

 

ବୌଜ୍ଞାନିକ ଦୃଷ୍ଟିକୋଣ

 

ଯେଉଁ ପ୍ରତିଭାଶାଳୀ ମନୀଷୀମାନଙ୍କଦ୍ୱାରା ମୌଳିକ ତଥ୍ୟ ଓ ନୀତିଗୁଡ଼ିକର ଆବିଷ୍କାର ସମ୍ଭବପର ହୋଇଛି, ବିଜ୍ଞାନର ପ୍ରତ୍ୟେକ ବିଭାଗରେ ସେମାନଙ୍କର ନାମ ଉଲ୍ଲିଖିତ ହୋଇଥିବାର ଦେଖାଯାଏ । ଏ ସଂସ୍ଥା ଅତି ଦରକାରୀ, କାରଣ ଏହା ବୈଜ୍ଞାନିକ ପରିଭାଷାକୁ ସଂକ୍ଷିପ୍ତ ଓ ଯଥାର୍ଥ କରିବା ସଙ୍ଗେ ସଙ୍ଗେ, ବିଜ୍ଞାନର ଯେଉଁ ଅଗ୍ରଣୀମାନଙ୍କର ଶ୍ରମ ଓ ଚେଷ୍ଟା ଫଳରେ ନୂତନ ଜ୍ଞାନର ଅଭ୍ୟୁଦୟ ହୋଇଛି, ସେମାନଙ୍କର ସ୍ମୃତି ରଖିବାରେ ସାହାଯ୍ୟ କରେ । ବାସ୍ତବରେ ଏହି ସଂସ୍ଥା ଫଳରେ ହିଁ ବିଜ୍ଞାନଛାତ୍ର ପ୍ରଥମେ ତାର ପାଠ୍ୟ ବିଷୟର ଅଗ୍ରଣୀମାନଙ୍କ ସହିତ ପରିଚିତ ହୋଇଥାଏ । ବିଜ୍ଞାନଚର୍ଚ୍ଚାରେ ଏହି ବ୍ୟକ୍ତିଗତ ସ୍ପର୍ଶ କମ୍‌ ମୂଲ୍ୟବାନ ନୁହେଁ । କାରଣ ବିଜ୍ଞାନ ଯେ ମାନବ ଶକ୍ତିର ଏକ ଜୀବିତ ଅଭିବୃଦ୍ଧିଶାଳୀ (growing) ସୃଷ୍ଟି, ଏହି ବ୍ୟକ୍ତିଗତ ସ୍ପର୍ଶଦ୍ୱାରା ହିଁ ତାହା ପ୍ରତିପାଦିତ ହୋଇଥାଏ ।

 

ବିଜ୍ଞାନର ପ୍ରକୃତ ଅର୍ଥ ଓ ତାତ୍ପର୍ଯ୍ୟକୁ ବୁଝିବାକୁ ହେଲେ, ପ୍ରତ୍ୟେକ ବିଭାଗର ଇତିହାସ ଓ ଯେଉଁ ମନୀଷୀମାନେ ଏହି ବିଷୟଗୁଡ଼ିକ ବିକାଶ କରିବାରେ ସାହାଯ୍ୟ କରିଛନ୍ତି, ସେମାନଙ୍କର ଜୀବନୀ ସବୁ ଅଧ୍ୟୟନ କରିବା ଆବଶ୍ୟକ । କୌଣସି ଜଟିଳପ୍ରଣାଳୀବଦ୍ଧ ବିଜ୍ଞାନିକ ପ୍ରବନ୍ଧ ପଢ଼ିଲେ ଯେତେ ଆନନ୍ଦ ମିଳେ, ତା ଅପେକ୍ଷା ଅଧିକ ଆନନ୍ଦ ଓ ଉତ୍ସାହ ମିଳେ ବିଜ୍ଞାନର ଇତିହାସ ଓ ବୈଜ୍ଞାନିକମାନଙ୍କର ଜୀବନୀ ପଢିବାରେ । ଶିକ୍ଷକ ପକ୍ଷରେ ଏଭଳି ଐତିହାସିକ ଓ ଜୀବନୀ ସମ୍ବନ୍ଧୀୟ ଜ୍ଞାନ ଅତି ଦରକାରୀ । ଯେତେବେଳେ ଛାତ୍ରମାନଙ୍କର ମନ ଚଞ୍ଚଳ ହେବାର ଦେଖାଯାଏ, ସେତେବେଳେ ଆଲୋଚ୍ୟ ବିଷୟରେ କୌଣସି ଆବିଷ୍କାରର ଇତିହାସ କିମ୍ବା ସେ କ୍ଷେତ୍ରରେ ଗବେଷଣା କରୁଥିବା ବିରାଟ ବ୍ୟକ୍ତିମାନଙ୍କ ଜୀବନୀରୁ ଗୋଟିଏ ଛୋଟ ଘଟଣାର ଉଦ୍ଧାର କରି, ବକ୍ତୃତାକୁ ସଜୀବ ଓ ଚିତ୍ତାକର୍ଷକ କରାଯାଇ ପାରେ । ଏହି ଉପାୟରେ ଶିକ୍ଷକ ଛାତ୍ରମାନଙ୍କୁ ବିଜ୍ଞାନ କିପରି ବିକଶିତ ହୁଏ ଓ ବିଜ୍ଞାନର ମୂଳମନ୍ତ୍ର ବିଜ୍ଞ-ଦୃଷ୍ଟିକୋଣ (Intellectual outlook) ବିଷୟରେ ସମ୍ୟକ୍‌ ପରିଚୟ ଦେଇଥାଏ ।

 

ମୌଳିକ ଆବିଷ୍କାର କହିଲେ ଆମେ ବୁଝୁ କ’ଣ ? ଏହି ପ୍ରଶ୍ନ ଚିରଦିନ ଆଗ୍ରହ ସହକାରେ ପଚରାଯାଇଛି ଓ ଉତ୍ତରରେ ବିଭିନ୍ନପ୍ରକାର କଥା କୁହାଯାଇଛି । ତଥାପି ଏହା ଏକ ଅମୀମାଂସିତ ପ୍ରଶ୍ନ ହୋଇରହିଛି । ସାଧାରଣତଃ କୌଣସି ଅଭୂତପୂର୍ବ ଘଟଣା ବା ମତର ଅବତାରଣା କରିବାକୁ ଆବିଷ୍କାର କୁହାଯାଏ । ବ୍ୟାଖ୍ୟା ନ କରି ପାରିଲାଭଳି କୌଣସି ପର୍ଯ୍ୟବେକ୍ଷଣ ବୈଜ୍ଞାନିକ ଦୃଷ୍ଟି କୋଣରୁ ଆଦୌ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ । ସେହିଭଳି ଘଟଣାବଳୀଦ୍ୱାରା ସମର୍ଥିତ ନ ହୋଇଥିବା କୌଣସି ମତର ଆଦୌ ଗୁରୁତ୍ୱ ନଥାଏ । ତେଣୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବିବେଚିତ ହେବାପାଇଁ, ପ୍ରତ୍ୟେକ ବୈଜ୍ଞାନିକ ଆବିଷ୍କାରର ତଥ୍ୟଜନିତ ଓ ଅଭିକ୍ରିୟା ଜନିତ ସମର୍ଥନ ଆବଶ୍ୟକ । ଏହି ଦୁଇଟି ଦୃଷ୍ଟିକୋଣ ମଧ୍ୟରୁ କେଉଁଟି ଅଧିକ ଗୁରୁତ୍ୱପୂର୍ଣ୍ଣ, ଏହା କେବଳ ପରିସ୍ଥିତି ନେଇ ନିର୍ଣ୍ଣୟ କରିହୁଏ ଏବଂ ଏହି ପରିସ୍ଥିତିଦ୍ୱାରା ହିଁ ତଥ୍ୟଜନିତ ଆବିଷ୍କାରଠାରୁ ଅଭିକ୍ରିୟାଜନିତ ଆବିଷ୍କାରକୁ ପୃଥକ୍‌ କରିବା ସମ୍ଭବପର ହୁଏ । ଉଦାହରଣ ସ୍ୱରୂପ ରଞ୍ଜନ୍‌ଙ୍କର ଏକ୍‌ସରେ (Rontgen’s X–Ray) ଉଦ୍ଭାବନ ପୂରାପୂରି ଅଭିକ୍ରିୟାମୂଳକ; କିନ୍ତୁ ପ୍ଳାଙ୍କ୍‍ଙ୍କର କ୍ୱାଣ୍ଟମ୍‌ (Quantum) ସମ୍ବନ୍ଧୀୟ ଆବିଷ୍କାର ପୂରାପୂରି ତଥ୍ୟମୂଳକ । ଏହି ଉଭୟ ଘଟଣାରେ ଯେଉଁ ପ୍ରଣାଳୀଦ୍ୱାରା ଆବିଷ୍କାର ସମ୍ଭବପର ହୋଇଛି ଓ ଯେଉଁ ମନୋବୃତ୍ତି ଏହି ଆବିଷ୍କାର କାର୍ଯ୍ୟରେ ସାହାଯ୍ୟ କରିଛି, ତାହା ପରସ୍ପରଠାରୁ ପୃଥକ୍‌ । ଗାଣିତିକବିଜ୍ଞାନରେ ଅଭିକ୍ରିୟା କରୁଥିବା ବୈଜ୍ଞାନିକର ଦୃଷ୍ଟିକୋଣ, ପ୍ରଜ୍ଞା ଆଲୋଚନା କରୁଥିବା ବୈଜ୍ଞାନିକର ଦୃଷ୍ଟି କୋଣଠାରୁ ଢେର ତଫାତ୍‌ । କିନ୍ତୁ ଯେଉଁ ବିଜ୍ଞାନ ସବୁ ଅଭିଜ୍ଞତା ଲବ୍‌ଧ ଭୂମିକାରେ ପ୍ରତିଷ୍ଠାତ ଏବଂ ଯେଉଁଠାରେ ଘଟଣା ପର୍ଯ୍ୟବେକ୍ଷଣ କରିବାଠାରୁ ସେ ବିଷୟରେ ଚିନ୍ତା କରିବାକୁ ସହଜରେ ପୃଥକ କରିହୁଏ ନାହିଁ, ସେସବୁ କ୍ଷେତ୍ରରେ ଉପରୋକ୍ତ ପାର୍ଥକ୍ୟ ବିଶେଷଭାବରେ ଜଣାପଡ଼େ ନାହିଁ ।

 

ଚାଷ କରୁ କରୁ ବିଲରୁ ପଚାଶ କ୍ୟାରେଟ ହୀରା ପାଇଲାଭଳି ବୈଜ୍ଞାନିକ ଆବିଷ୍କାର ବେଶ୍‌ ଚମକପ୍ରଦ ଓ ଉତ୍ତେଜନାପୂର୍ଣ୍ଣ । ବିଜ୍ଞାନର ଇତିହାସ ଏହିଭଳି ବହୁ ଚମକପ୍ରଦ ତଥା ନାଟକୀୟ ଆବିଷ୍କାରଦ୍ୱାରା ପରିପୂର୍ଣ୍ଣ । ଆବିଷ୍କାର ହେଲା ପରେ ପରେ ବୈଜ୍ଞାନିକର ବ୍ୟକ୍ତିଗତ ବ୍ୟବହାର ଦେଇ ଏହି ନାଟକ ବା ଉତ୍ତେଜନା ପ୍ରକାଶ ପାଇଥାଏ । ବୈଜ୍ଞାନିକ ଜୀବନର ଏହିଭଳି ଘଟଣା ନେଇ ମୁଁ ଗୋଟିଏ ଦୁଇଟି ଗପ କହି ପାରିବି । ବୈଜ୍ଞାନିକ ଆରକିମିଡ଼ିସ ଯେତେବେଳେ ଜଳସ୍ଥିତି ବିଜ୍ଞାନ (Hydrostatics)ରେ ତାଙ୍କର ପ୍ରଥମ ତଥ୍ୟର ଆବିଷ୍କାର କରନ୍ତି, ସେତେବେଳେ ସେ ଖାଲି ଦେହରେ ରାସ୍ତାକୁ ଦଉଡ଼ି ଆସି ‘ଇଉରେକା’, ‘ଇଉରେକା’ ଅର୍ଥାତ୍‌ ‘ମୁଁ ପାଇଛି, ମୁଁ ପାଇଛି’ ବୋଲି ଚିତ୍କାର କରିଥିଲେ । ନୂତନ ଧାରଣାମାନଙ୍କର ବହୁଳ ଗୁରୁତ୍ୱ କିପରି ମଣିଷକୁ ଗଭୀର ଭାବରେ ଉତ୍ତେଜିତ କରିଥାଏ, ଉପରୋକ୍ତ ଘଟଣା ତାର ଜ୍ୱଳନ୍ତ ଉଦାହରଣ । ପ୍ରକୃତରେ, ସେହି ମୁହୂର୍ତ୍ତରେ ଯେଉଁ ଆନନ୍ଦ ଓ ଉତ୍ସାହ ମିଳିଥାଏ, ତାକୁ ବର୍ଣ୍ଣନା କରିବା ଅସମ୍ଭବ । ଅବଶ୍ୟ ଏହିଭଳି ନାଟକୀୟ ମୁହୂର୍ତ୍ତ ବିଜ୍ଞାନର ଶ୍ରେଷ୍ଠ ଭକ୍ତମାନଙ୍କ ଜୀବନରେ ମାତ୍ର ଥରେ ଦୁଇ ଥର ଆସିଥାଏ । ଜ୍ଞାନପାଇଁ ଜ୍ଞାନର ଅନୁସରଣ କରି ଜୀବନ ବିତାଇ ଦେବାରେ, ଏ ମୁହୂର୍ତ୍ତଗୁଡ଼ିକ ହେଉଛି ଶ୍ରେଷ୍ଠ ପୁରସ୍କାର । କିନ୍ତୁ ଅନେକ ସମୟରେ, ଗବେଷକ ଜୀବନରେ ଅପେକ୍ଷାକୃତ କମ୍‌ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଆସି ତାକୁ ସନ୍ତୋଷ ଓ ପ୍ରେରଣା ଦେଇଥାଏ । ହେଲେ ସେଗୁଡ଼ିକ ଆତ୍ମାକୁ ଉଦବେଳିତ କଲାଭଳି ନାଟକ ସୃଷ୍ଟି କରିପାରନ୍ତିନାହିଁ ।

 

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଅତି ବଡ଼ ବଡ଼ ଆବିଷ୍କାର କଲାବେଳେ, ବାହାର ଜଗତ ଆବିଷ୍କର୍ତ୍ତାକୁ ସମ୍ମାନସହ ପ୍ରଶଂସା କରିବାରେ ଦେଖାଯାଏ ନାହିଁ । ଏହିଭଳି କୃତିତ୍ୱଛାଡ଼ିକର ମୂଲ୍ୟ ହ୍ରାସ କରିବା ପାଇଁ ଈର୍ଷାନ୍ୱିତ ବ୍ୟକ୍ତିମାନେ ଯେଉଁସବୁ ଉପାୟ ଅବଲମ୍ବନ କରିଥାନ୍ତି, ସେଗୁଡ଼ିକ ମଧ୍ୟରୁ ପ୍ରଧାନ ହେଉଛି, ଏହିସବୁ ଆବିଷ୍କାରକୁ ଲଟେରୀ ଟିକେଟ ପାଇଲା ଭଳି ଦୈବୀଘଟଣା ବା ସୌଭାଗ୍ୟ ବୋଲି ପ୍ରଚାର କରିବା । ଏପ୍ରକାର ସମାଲୋଚନା ନିତାନ୍ତ ଅର୍ଥହୀନ ଓ ନିନ୍ଦନୀୟ । ବୈଜ୍ଞାନିକ ଆବିଷ୍କାର ଯେ କେବେ ଅଯୋଗ୍ୟ ବ୍ୟକ୍ତିର ଜୀବନରେ ଘଟି ନଥାଏ ଏହି ସତ୍ୟ ଦୈବୀଦୁର୍ଘଟଣା ମତକୁ ସମ୍ପୂର୍ଣ୍ଣଭାବେ ଖଣ୍ଡନ କରେ । ଯେଉଁ ଭାଗ୍ୟବାନ ବ୍ୟକ୍ତିଙ୍କ ଜୀବନରେ ଏହା ଘଟିଥାଏ, ସେମାନେ ସମସ୍ତେ ନିଜଦ୍ୱାରା ମନୋନୀତ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପରିଶ୍ରମ ଓ ଅଧ୍ୟବସାୟସହ ଜ୍ଞାନର ଅନ୍ୱେଷଣ କରିଥାନ୍ତି । କୌଣସି ନୂତନ ତଥ୍ୟ ସନ୍ଧାନ କରିବାର ଆଶା ଓ ପ୍ରେରଣା ସେମାନଙ୍କୁ ସର୍ବଦା ଉଦ୍‌ବୋଧିତ କରିଥାଏ । ଯେଉଁ ସମାଲୋଚକମାନେ ବୈଜ୍ଞାନିକ ଆବିଷ୍କାରକୁ ଦୈବୀଘଟଣା ବୋଲି କହିଥାନ୍ତି ସେମାନେ ଭୁଲିଯାନ୍ତି ଯେ ପର୍ଯ୍ୟବେକ୍ଷଣର ପ୍ରଧାନ କାମ ହେଉଛି ଆବିଷ୍କାରର ପ୍ରକୃତ ତାତ୍ପର୍ଯ୍ୟକୁ ଚିହ୍ନିପାରିବା । ଆବିଷ୍କୃତ ବିଷୟ ଉପରେ ସମ୍ୟକ୍‌ଜ୍ଞାନ ନ ଥିଲେ ଏଭଳି ଚିହ୍ନିପାରିବା ସମ୍ପୂର୍ଣ୍ଣ ଅସମ୍ଭବ । ସୁଚିନ୍ତିତ ଯୋଜନା ଉପରେ କାମ ନ କରି ବୈଜ୍ଞାନିକ ଆବିଷ୍କାର କରିବା କମ୍‌ଲୋକଙ୍କ ଭାଗ୍ୟରେ ଘଟଥାଏ-। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବର୍ଷ ବର୍ଷ ଧରି ନିୟମିତ ଅଧ୍ୟୟନ ଓ ଗବେଷଣା ଫଳରେ ହିଁ ବୈଜ୍ଞାନିକ ଆବିଷ୍କାର ସମ୍ଭବ ହୋଇଥାଏ ।

 

ଯେଉଁସବୁ ଅଭିକ୍ରିୟାଜନତ ତଥ୍ୟ ମୌଳିକତା ଦୃଷ୍ଟିରୁ ନୂତନ, ପୃଥିବୀ ତାକୁ ସହଜରେ ଗ୍ରହଣ କରେନାହିଁ । ତେଣୁ ନୂଆ ନୂଆ ତଥ୍ୟଜନିତ ମତ ଗୃହୀତ ହେବା ଯେ ଅଧିକ ସମୟସାପେକ୍ଷ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ସାଧାରଣ ଲୋକେ ନୂତନ ମତସବୁକୁ ସନ୍ଦେହ ଓ ଅବହେଳା ଦୃଷ୍ଟିରେ ଦେଖିଥାନ୍ତି । ତେଣୁ ସାଧାରଣଙ୍କ ଦ୍ୱାରା ଗୃହୀତ କରାଇବାପାଇଁ ଗବେଷକକୁ ବର୍ଷ ବର୍ଷ ଧରି ପ୍ରଚାର ଓ ଶକ୍ତିଶାଳୀ ପର୍ଯ୍ୟବେକ୍ଷଣଦ୍ୱାରା ସ୍ୱୀୟ ମତକୁ ସମର୍ଥିତ କରିବାକୁ ପଡ଼େ । ଉଦାହରଣ ସ୍ୱରୂପ ଆରେହନିଅସ୍‌ ଓ ଷ୍ଟକହୋମ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ କରିଥିବା ତାଙ୍କ ସନ୍ଦର୍ଭ (Thesis) ବିଷୟକ ଗପଟି ବରାବର ଶୁଣାଯାଏ । ସେ ଦ୍ରବଣର ପ୍ରକୃତି ସମ୍ୱନ୍ଧରେ ଅନେକ ନୂତନ ନୂତନ ଯୁଗାନ୍ତକାରୀ ମତ ପ୍ରକାଶ କରିଥିଲେ ଓ ବହୁ ଅଭିକ୍ରିୟା ଦ୍ୱାରା ତାଙ୍କର ଏହି ମତ ସବୁକୁ ସମର୍ଥନ କରିଥିଲେ, କିନ୍ତୁ ଏହି ଐତିହାସିକ ଆବିଷ୍କାର ପାଇଁ ତାଙ୍କୁ ମିଳିଥିଲା ଗୋଟିଏ ଚତୁର୍ଥ ଶ୍ରେଣୀୟ ଉପାଧି, ଯାହା ଫଳରେ ସେ ବିଶ୍ୱବିଦ୍ୟାଳୟ ଜୀବନରୁ ଚିରଦିନ ପାଇଁ ବଞ୍ଚିତ ହେଲେ । କିନ୍ତୁ ଏହି ବ୍ୟକ୍ତ ଅଭିଜ୍ଞତାସହ ସେ ବଞ୍ଚିରହି ଥିଲେ ନୋବେଲ ପୁରସ୍କାର ପାଇବା ପର୍ଯ୍ୟନ୍ତ । ତା ପରେ ପରେ ସେ ତାଙ୍କ ଦେଶର ଶ୍ରେଷ୍ଠ ବୈଜ୍ଞାନିକ ବୋଲି ବିବେଚିତ ହେଲେ ଓ ଯଥାର୍ଥଭାବେ ସମ୍ମାନିତ ହେଲେ । କିନ୍ତୁ ଦୁଃଖର ବିଷୟ ଯେ ଆଜି ମଧ୍ୟ ଏହିଭଳି ଯୁବପ୍ରତିଭା ବହୁକ୍ଷେତ୍ରରେ ଅବହେଳିତ ଓ ସୀମିତ ହୋଇ ସମ୍ପୂର୍ଣ୍ଣରୂପେ ନଷ୍ଟହୋଇ ଯାଉଛି ।

 

ବିଜ୍ଞାନ ଇତିହାସରେ ଯଦି କୌଣସି ବିଷୟ ବିଶେଷଭାବେ ପରିଲକ୍ଷିତ ହୋଇଥାଏ ତାହା ହେଉଛି ମୌଳିକ ଆବିଷ୍କାର ଓ ଯୁବପ୍ରତିଭାର ସମନ୍ୱୟ । ବିଜ୍ଞାନର କୌଣସି ବିଭାଗରେ ଯୁବକମାନଙ୍କଦ୍ୱାରା ଆବିଷ୍କୃତ ବିଷୟଗୁଡ଼ିକୁ ଛାଡିଦେଇ ଯଦି ଅବଶିଷ୍ଟ ବିଷୟଗୁଡ଼ିକ ଉପରେ ପ୍ରବନ୍ଧ ଲେଖାଯାଏ, ତେବେ କିଛି ଲେଖିବାକୁ ମିଳିବ କି ନାହିଁ ସନ୍ଦେହ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ବୈଜ୍ଞାନିକ ଗବେଷଣାରେ ସଫଳତା ହାସଲ କରିବାପାଇଁ ବୟସ ଓ ଅଭିଜ୍ଞତାଜନିତ ଜ୍ଞାନର ପରିପକ୍ୱତା ଅପେକ୍ଷା ଯୁବ ସୁଲଭ ସତେଜ ଦୃଷ୍ଟିକୋଣ ବିଶେଷଭାବେ ଆବଶ୍ୟକ । ବୟସର ବୃଦ୍ଧି ସହିତ ମନର ଯେଉଁ ରକ୍ଷଣଶୀଳତା ବୃଦ୍ଧିପାଏ ତାହା ବିଜ୍ଞାନରେ କୃତିତ୍ୱ ହାସଲ କରିବାରେ ବିରୋଧ କରିଥାଏ । ମନେହୁଏ ଯେ ବଡ଼ ବଡ଼ ଧାରଣାମାନ ଯୁବକ ମନରେ ଅପେକ୍ଷାକୃତ ସହଜରେ ଆସେ । ଅବଶ୍ୟ କୌଣସି ନୂତନ ମତବାଦକୁ ପ୍ରତିଷ୍ଠା କରିବା ସମୟସାପେକ୍ଷ । ସେହି ଦୃଷ୍ଟିରୁ ବୟସ ଓ ଅଭିଜ୍ଞତା ଏକାବେଳକେ ଅଦରକାରୀ ବୋଲି କହି ହେବ ନାହିଁ । ଯୁବକ ମନର ଅସଂଯତ କଳ୍ପନାକୁ ସଂଯତ କରିବା ରକ୍ଷଣଶୀଳତା କେତେକ ପରିମାଣରେ ଆବଶ୍ୟକ ହୋଇଥାଏ । ବୟୋବୃଦ୍ଧ ସେମାନେ ମଧ୍ୟ ଇଚ୍ଛାକଲେ ଯୁବସୁଲଭ ଦୃଷ୍ଟିକୋଣକୁ ବଞ୍ଚାଇ ରଖିଥାନ୍ତି-। ତେଣୁ ବାର୍ଦ୍ଧକ୍ୟଜନିତ ରକ୍ଷଣଶୀଳତାଦ୍ୱାରା ଯୁବସୁଲଭ ସତେଜ ଦୃଷ୍ଟିଭଙ୍ଗୀ ଯଦି ଦମିତ ହେବାର ଭୟ ନ ଥାଏ, ବୟୋଜ୍ୟେଷ୍ଠମାନେ ଗବେଷଣା କେନ୍ଦ୍ରମାନଙ୍କରେ ପ୍ରେରଣା ଦାୟକ ପରାମର୍ଶ ଦାତାରୂପେ କାର୍ଯ୍ୟକରି ବହୁ ଉପକାର ସାଧନ କରିଥିଲେ । ଏହି ପରିସ୍ଥିତିରେ ସେମାନଙ୍କର କାମ ହେଉଛି ଯୁବକମାନଙ୍କୁ ମଧ୍ୟରେ ପ୍ରତିଭାର ଅନୁସନ୍ଧାନ କରିବା ଓ ଏହି ପ୍ରତିଭାକୁ ସମ୍ୟକ୍‌ଭାବରେ ବିକାଶ ଓ ପ୍ରକାଶ କରିବା ଦିଗରେ ସାହାଯ୍ୟ କରିବା ।

 

ଯେଉଁ ପ୍ରବଳମନୋବୃତ୍ତି ଅଳ୍ପ କେତେକଙ୍କୁ ବିଜ୍ଞାନ ସେବାରେ ନୟୋଜିତ କରିଥାଏ ସେହି ମନୋବୃତ୍ତି ବିଷୟରେ ଏ ପର୍ଯ୍ୟନ୍ତ କିଛି କୁହାଯାଇନାହିଁ । ଯେ କୌଣସି ପ୍ରକାର ଆଦର୍ଶଗତ କାମରେ ମଣିଷ କାହିଁକି ମନୋନିବେଶ କରେ, ଉପରୋକ୍ତ ପ୍ରଶ୍ନ ଏହି ବୃହତ୍ତର ପ୍ରଶ୍ନର ଏକ ନିର୍ଦ୍ଦିଷ୍ଟ ଅଂଶମାତ୍ର । ଅବଶ୍ୟ ମୋ ସାଙ୍ଗରେ ସମସ୍ତେ ଏକମତ ହେବେ ଯେ ସୃଜନ କରିବାର ବଳବତୀ ଇଚ୍ଛା ମଣିଷକୁ ବିଜ୍ଞାନ ଅନୁସରଣ କରିବାପାଇଁ ଚଳତ୍‌ଶକ୍ତି ଯୋଗାଇଥାଏ । ଚିତ୍ରକର, କଳାକାର, ନିର୍ମାତା ଓ କବି ସମସ୍ତେ ସେମାନଙ୍କର ନିଜ ନିଜ ପ୍ରଣାଳୀରେ ପ୍ରକୃତିଠାରୁ ପ୍ରେରଣା ପାଇଥାନ୍ତି ଏବଂ ସେମାନଙ୍କ ମନୋନୀତ ମାଧ୍ୟମରେ ପ୍ରକୃତିକୁ ପ୍ରକାଶ କରିଥାଆନ୍ତି । ଏହି ମାଧ୍ୟମ ରଙ୍ଗ ହୋଇପାରେ, ଶଙ୍ଖମଲମଲ ପଥର ହୋଇପାରେ ବା ହୋଇପାରେ ମୁକ୍ତାଖଚିତ ଗଳାହାର ଭଳି ଲଳିତ ଶବ୍ଦର ଶୃଙ୍ଖଳ । ବିଜ୍ଞାନବିତ୍ ପ୍ରକୃତି ଦେବୀର ଛାତ୍ର ଓ ତାହାରିଠାରୁ ହିଁ ସେ ପାଇଥାଏ ପ୍ରେରଣା । ଚିନ୍ତାର ଅବୋଧ୍ୟ ମାଧ୍ୟମ ଦେଇ ସେ ମନେ ମନେ ପ୍ରକୃତି-ଦେବୀଙ୍କର ଚିତ୍ର ଆଙ୍କି ବସେ, ପ୍ରକୃତିର ଅସୀମ ଜଟିଳତାକୁ କେତକ ସରଳ ନୀତି ଓ ମୌଳିକ କ୍ରିୟାରେ ବିଭକ୍ତ କରି । ଏହି ନୀତି ବା କ୍ରିୟାକୁ ପ୍ରାକୃତିକ ନିୟମ ବୋଲି କହିଥାଏ । ଏହା କରିବାକୁ ଯାଇ କଳାର ଅନ୍ୟାନ୍ୟ ଉପାସକମାନଙ୍କ ଭଳି ସେ ନିଜକୁ କଠିନଶୃଙ୍ଖଳାର ବଶବର୍ତ୍ତୀ କରେ । ଯେଉଁ ଶୃଙ୍ଖଳାର ନିୟମାବଳୀ ସେ ନିଜେ ନିଜପାଇଁ ଉପସ୍ଥାପିତ କରିଥାଏ ଓ ଯାହାକୁ ସେ ଯୁକ୍ତିଶାସ୍ତ୍ର ବା ତର୍କଶାସ୍ତ୍ର ନାମରେ ଅଭିହିତ କରେ । ପ୍ରକୃତିର ଯେଉଁ ସୌମ୍ୟ ଚିତ୍ର ବିଜ୍ଞାନ ଆମ ଆଗରେ ଉପସ୍ଥାପିତକରେ ସେ ସବୁକୁ ଏହି ନିୟମାବଳୀ ମାନି ସୁସଙ୍ଗତ ହେବାକୁ ପଡ଼େ । ଚିନ୍ତାର ସୌନ୍ଦର୍ଯ୍ୟ ସବୁଠାରୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟ । ପ୍ରକୃତିକୁ ବର୍ଣ୍ଣନା କରିବାପାଇଁ ମଣିଷର ଜ୍ଞାନ ଓ ସୌନ୍ଦର୍ଯ୍ୟ ବୋଧର ସମନ୍ୱୟ ହୋଇ ସୃଷ୍ଟି ହୋଇଛି ବିଜ୍ଞାନ । ତେଣୁ ଏହା ଯେ ସୃଜନକାରୀ କଳାର ଶ୍ରେଷ୍ଠତମ ରୂପ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Image